ବରିଷ୍ଠ କିରାଣିଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ : ଜାଲିଆତି କରି ପାଇଥିଲେ ଜାତି ପ୍ରମାଣପତ୍ର

ବରିଷ୍ଠ କିରାଣିଙ୍କୁ ବହିଷ୍କାର କଲେ ଜିଲ୍ଲାପାଳ

ମାଲକାନଗିରି : ଜାଲିଆତି କରି ପାଇଥିବା ଜାତି ପ୍ରମାଣପତ୍ର ଦେଇ ସରକାରୀ ଚାକିରି ହାତେଇଥିଲେ। ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ସହ ପଦୋନ୍ନତି ମଧ୍ୟ ମିଳିଥିଲା। ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ନିର୍ଦ୍ଦେଶ ପରେ ହୋଇଥିବା ଖୋଳତାଡ଼ରୁ ୨୪ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଥିଲା। ଏହାପରେ ଚାକିରିରୁ ବିଦା ହୋଇଛନ୍ତି ମାଲକାନଗିରି କଲ୍ୟାଣ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରା। ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଯାଞ୍ଚ ଚାଲିଥିବା ବେଳେ ଜିଲ୍ଲାରେ ଏଭଳି ଆହୁରି କିଛି ଜଣ ଜାଲ୍ କାଗଜପତ୍ର ଦେଇ ସରକାରୀ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲାର ମୂଳବାସିନ୍ଦା ଲକ୍ଷ୍ମୀପ୍ରିୟା ବେହେରା ୧୯୯୬ ମସିହାରେ ମାଲକାନଗିରି ଜିଲ୍ଲାରେ କିରାଣି ଭାବେ ନିଯୁକ୍ତି ପାଇଥିଲେ। ସମୟକ୍ରମେ ଦରମା ବୃଦ୍ଧି ସହ ପଦୋନ୍ନତି ମଧ୍ୟ ତାଙ୍କୁ ମିଳିଥିଲା। ତେବେ ନିଯୁକ୍ତି ସମୟରେ ସେ ଦାଖଲ କରିଥିବା ଜାତି ପ୍ରମାଣପତ୍ରକୁ ସନ୍ଦେହ କରି କେହି ଜଣେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ, ଲକ୍ଷ୍ମୀପ୍ରିୟା ଏସିବିସି ବର୍ଗର ହୋଇଥିବା ବେଳେ ଜଣେ ଆଦିବାସୀଙ୍କୁ ବିବାହ କରିଛନ୍ତି। ବିବାହ ପରେ ନିଜ ପ୍ରକୃତ ଜାତିକୁ ଲୁଚାଇ ସେ ସ୍ବାମୀଙ୍କ ଜାତି ଆଧାରରେ ନୂଆ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ତତ୍କାଳୀନ ଜୁନାଗଡ଼ ତହସିଲଦାର ମଧ୍ୟ ବିନା ଯାଞ୍ଚରେ ତାଙ୍କୁ ଆଦିବାସୀ ବୋଲି ଦର୍ଶାଇ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପ୍ରମାଣପତ୍ର ଦାଖଲ କରି ସଂରକ୍ଷଣ ବର୍ଗରେ ଲକ୍ଷ୍ମୀପ୍ରିୟା ନିଯୁକ୍ତି ପାଇଥିଲେ। ଏ ନେଇ ମାଲକାନଗିରି ଜିଲ୍ଲାପାଳ ଜାଣିବା ପରେ ଲକ୍ଷ୍ମୀପ୍ରିୟାକୁ ବହିଷ୍କୃତ କରିଛନ୍ତି। ଏଥିସହ ଚାକିରି କାଳରେ ସେ ଦରମା ବାବଦରେ ନେଇଥିବା ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତତ୍କାଳୀନ ଜୁନାଗଡ଼ ତହସିଲଦାର କେଉଁ ଆଧାରରେ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କଲେ ତାହାର ତଦନ୍ତ କରିବାକୁ ବି କଳାହାଣ୍ଡି ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ଆଜି ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମାଳକାନଗିରି ଜିଲ୍ଲାପାଳ ୱାଇ.ବିଜୟ। ଡେପୁଟି କଲେକ୍ଟର ଦୁର୍ଗା ପ୍ରସାଦ ଦୋରା ଘଟଣା ସଂପର୍କରେ ବିସ୍ତୃତ ସୂଚନା ଦେବା ସହ ଲକ୍ଷ୍ମୀପ୍ରିୟାଙ୍କୁ ନୋଟିସ୍ କରାଯାଇଥିବା କହିଛନ୍ତି। ତେବେ ଲକ୍ଷ୍ମୀପ୍ରିୟା ଛୁଟିରେ ରହିଥିବାରୁ ନୋଟିସ୍ ଗ୍ରହଣ କରିନାହାନ୍ତି। ତେଣୁ ତାଙ୍କ ଘର କାନ୍ଥରେ ମରାଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ ଲକ୍ଷ୍ମୀପ୍ରିୟା ଜିଲ୍ଲା ବାହାରେ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏହା ଘଟଣା ମାଲକାନଗିରି ଜିଲ୍ଲାରେ ପ୍ରଥମ ନୁହେଁ। ପୂର୍ବରୁ କିଛି ଶିକ୍ଷକ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ନିଯୁକ୍ତି ପାଇଥିବା ଜଣାପଡ଼ିଥିଲା। ଗଣଶିକ୍ଷା ବିଭାଗ ପକ୍ଷରୁ ସେହି ସମୟରେ ତନାଘନା କରାଯାଇଥିବା ବେଳେ ଜାତିଆତି କରି ନିଯୁକ୍ତି ପାଇଥିବା ଅନେକ ଶିକ୍ଷକ ଗିରଫ ଭୟରେ ଫେରାର ହୋଇଯାଇଥିଲା। ତେଣୁ ଖୋଳତାଡ଼ କରାଗଲେ ଆହୁରି କିଛି ସରକାରୀ କର୍ମଚାରୀ ଜାଲିଆତି କରି ନିଯୁକ୍ତି ପାଇଥିବା ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ପୁଲିସ ହାତରେ ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ : ନିଶାଜନିତ ବିଷକ୍ରିୟା ଯୋଗୁଁ ହୃଦ୍‌ଘାତରେ ମୃତ୍ୟୁ

Mon Feb 1 , 2021
ବିଳମ୍ବିତ ରାତିରେ ଗେଷ୍ଟହାଉସ୍‌ରେ ଯାଇଛି ଜୀବନ ଭୁବନେଶ୍ବର/ ଯାଜପୁରଟାଉନ୍ : ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ତଦନ୍ତକାରୀ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ମୃତ୍ୟୁର କାରଣ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ତେବେ ପୁଲିସ ଏ ସମ୍ପର୍କରେ ମୁହଁ ଖୋଲିନାହିଁ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ହିଁ ଝରାଫୁଲଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍ ଗେଷ୍ଟହାଉସ୍‌ରେ ହିଁ […]
ପୁଲିସ ହାତରେ ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial