ପୁଲିସ ହାତରେ ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ : ନିଶାଜନିତ ବିଷକ୍ରିୟା ଯୋଗୁଁ ହୃଦ୍‌ଘାତରେ ମୃତ୍ୟୁ

ପୁଲିସ ହାତରେ ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ବିଳମ୍ବିତ ରାତିରେ ଗେଷ୍ଟହାଉସ୍‌ରେ ଯାଇଛି ଜୀବନ

ଭୁବନେଶ୍ବର/ ଯାଜପୁରଟାଉନ୍ : ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ତଦନ୍ତକାରୀ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ମୃତ୍ୟୁର କାରଣ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ତେବେ ପୁଲିସ ଏ ସମ୍ପର୍କରେ ମୁହଁ ଖୋଲିନାହିଁ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ହିଁ ଝରାଫୁଲଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍ ଗେଷ୍ଟହାଉସ୍‌ରେ ହିଁ ଝରାଫୁଲଙ୍କ ଜୀବନ ଯାଇଛି। ଝରାଫୁଲଙ୍କ ମୃତ୍ୟୁ ବେଳେ ପାଟି ଓ ନାକରୁ ଫେଣ ବାହାରୁଥିଲା। ତେବେ ତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନଥିଲା। ତେଣୁ ଖାଦ୍ୟରେ ବିଷକ୍ରିୟା କିମ୍ବା ତାଙ୍କୁ ବିଷ ଦିଆଯାଇ ଥାଇପାରେ ବୋଲି କୁହାଯାଉଛି। ତେଣୁ ଖାଦ୍ୟ ବା ନିଶାଦ୍ରବ୍ୟଜନିତ ବିଷକ୍ରିୟା ଓ ହୃଦ୍‌ଘାତ ମୃତ୍ୟୁର କାରଣ ହୋଇଥାଇପାରେ। ତେବେ ନିଶାଦ୍ରବ୍ୟଜନିତ ବିଷକ୍ରିୟା କେମିତି ହୋଇଛି ତାକୁ ନେଇ ଅଧିକ ତର୍ଜମା ଚାଲିଛି। ଝରାଫୁଲ କୌଣସି ଉତ୍ତେଜକ ଔଷଧ କିମ୍ବା ନିଶାଦ୍ରବ୍ୟ ସେବନ କରିଥିଲେ ନା ନାହିଁ, ସେ ନେଇ ଡାକ୍ତରଙ୍କ ସହ ପୁଲିସ ଅଧିକ ଆଲୋଚନା ଜାରି ରଖିଥିବାବେଳେ ଭିସେରା ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଏହା ବ୍ୟତୀତ ସେଦିନ ରାତିରେ ରାକେଶଙ୍କ ସହ ଆଉ କେଉଁମାନେ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟହାଉସ୍‌ରେ ଥିଲେ ଏବଂ ଝରାଫୁଲ ସହ ସେମାନଙ୍କ କି ପ୍ରକାର ସଂପର୍କ ଥିଲା ସେ ନେଇ ପୁଲିସ ଅନେକ ତଥ୍ୟ ପାଇଥିବା ସୂଚନା ମିଳିଛି। ସେପଟେ ମୁଖ୍ୟ ଅଭିଯୁକ୍ତ ଝରାଫୁଲଙ୍କ ପ୍ରେମିକ ରାକେଶ ସ୍ବାଇଁଙ୍କ ରିମାଣ୍ଡ ଆବେଦନର ଶୁଣାଣି ଆଜି (ସୋମବାର) କୋର୍ଟରେ ହେବ। ଯଦି ରାକେଶର ରିମାଣ୍ଡ ମଞ୍ଜୁର ହୋଇଯାଏ, ତାହେଲେ ପୁଲିସ ତାକୁ ଭୁବନେଶ୍ବରକୁ ଆଣି ଅଧିକ ପଚରାଉଚରା କରିବ। ଲିଙ୍ଗରାଜ ଷ୍ଟେସନ ନିକଟରେ ଥିବା ଫାଷ୍ଟଫୁଡ୍‌ ଦୋକାନରୁ ଖଣ୍ଡଗିରି ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସ୍ ପର୍ଯ୍ୟନ୍ତ ସେମାନେ ବାଟରେ ଆଉ କିଛି ଖାଇଥିଲେ କି? କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ସେବନ କରିଥିଲେ କି? କିମ୍ବା ଗେଷ୍ଟହାଉସ୍‌ରେ ଏ ସବୁ ସେବନ କରିଥିଲେ କି? ରାତି ବିତାଇଥିବା ରୁମ୍‌ରେ କଣ ଘଟିଥିଲା? ଏ ସବୁର ତଥ୍ୟ ପ୍ରମାଣ ହାସଲ କରିବା ଲାଗି ରାକେଶକୁ ନେଇ ସିନ୍ ରିକ୍ରିଏଟ୍ (ଡେମୋ) ମଧ୍ୟ କରିବାକୁ ଯୋଜନା ରଖିଛି ପୁଲିସ। ଦିନେ ଦୁଇଦିନ ଭିତରେ ଏ ସବୁ ପ୍ରକ୍ରିୟା ଶେଷ ହେବ ଏବଂ ଖୁବଶୀଘ୍ର ମୃତ୍ୟୁ ଉପରୁ ରହସ୍ୟ ଉଠିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ରାକେଶର ସହଯୋଗୀ ଶେଖରକୁ ଧରିବା ପାଇଁ ଯାଜପୁର ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ ଜାରି ରଖିଛି। ଶେଖର ଧରାପଡ଼ିବା ପରେ ଆହୁରି ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ମୃତଦେହକୁ ଫିଙ୍ଗିବା ପାଇଁ ଯେଉଁ ନାଲିରଙ୍ଗର ସ୍କୁଟି ବ୍ୟବହାର ହୋଇଥିଲା, ତାହାକୁ ଜବତ କରିବା ଲାଗି ପୁଲିସ ଛାନଭିନ୍ ଚଳାଇଛି। ସୂଚନାଯୋଗ୍ୟ, ଗତକାଲି ତଦନ୍ତକାରୀ ଟିମ୍ ସାଇଣ୍ଟିଫିକ୍ ଟିମ୍ ସହ ଗେଷ୍ଟ ହାଉସରେ ଚଢ଼ଉ କରି ବେଡ୍‌ସିଟ୍, ଫିଙ୍ଗରପ୍ରିଣ୍ଟ, କିଛି ନମୁନା ସଂଗ୍ରହ କରିଛି। ଏହାକୁ ଅଧିକ ପରୀକ୍ଷା ଲାଗି ରାଜ୍ୟ ଫରେନସିକ୍ ଲାବରେଟାରିକୁ ପଠାଯାଇଛି।
ଅସୁସ୍ଥ ସତ୍ତ୍ୱେ ରାକେଶ ହସ୍ପିଟାଲ ନେଲେନି କାହିଁକି?
କୁହାଯାଏ ପ୍ରେମ ଶାଶ୍ବତ। ପ୍ରେମ ସୁନ୍ଦର। ରାକେଶଙ୍କ ପ୍ରେମରେ ଅନ୍ଧ ହୋଇ ଯାଇଥିଲେ ଝରାଫୁଲ। ୨୬ ତାରିଖ ମଧ୍ୟାହ୍ନରେ ରାକେଶ ରୂପାଲି ଛକରୁ ଝରାଫୁଲଙ୍କୁ ନେଇ ଲିଙ୍ଗରାଜ ଷ୍ଟେସନ ନିକଟରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନକୁ ଯାଇଥିଲା। ସେଠାରେ ରାକେଶ ବିରିୟାନି ଖାଇଥିଲେ ମଧ୍ୟ ଝରାଫୁଲ ଦେହ ଅସୁସ୍ଥ ଥିବା କହି ଖାଇ ନ ଥିଲେ। ମୁଣ୍ଡ ବୁଲାଉଥିବା କହି ବାନ୍ତି କରିଥିଲେ। ରାକେଶ ଖାଇ ସାରିବା ପରେ ତାଙ୍କୁ ନେଇ ଧର୍ମ ବିହାର ଶିବସାଇ ଗେଷ୍ଟ ହାଉସରେ ପହଞ୍ଚିଥିଲା। ଫାଷ୍ଟଫୁଡ ଦୋକାନରେ ଝରାଫୁଲ ଅସୁସ୍ଥ ଥିବା, ବାନ୍ତି କରିବା ଓ ମୁଣ୍ଡ ବୁଲାଇବା ଘଟଣା ରାକେଶ ଜାଣିବା ପରେ ମଧ୍ୟ କାହିଁକି ତାଙ୍କୁ ହସ୍ପିଟାଲ ନେଇ ନ ଥିଲେ? କେବଳ ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରେମର ବାହାନା କରୁଥିଲେ କି ରାକେଶ? ଗେଷ୍ଟହାଉସରେ ରାତି ବିତାଇବା ପରେ ଝରାଫୁଲଙ୍କ ମୃତଦେହକୁ ଧରି କେମିତି ଫିଙ୍ଗିବାକୁ ହାତ ଗଲା? ଯଦି ଅଚେତ ବୋଲି ଭାବିଥିଲେ ଭୁବନେଶ୍ବରରେ ଏକାଧିକ ହସ୍ପିଟାଲ ଥିଲେ ମଧ୍ୟ କାହିଁକି ଦୁଇ ଜିଲ୍ଲା ଡେଇଁ ପ୍ରାୟ ଶହେ କିଲୋମିଟର ଯିବା ପରେ ମୃତଦେହକୁ ଫିଙ୍ଗିଥିଲେ? ପୂରା ଘଟଣା ରାକେଶଙ୍କୁ ସନ୍ଦେହ ଭିତରକୁ ଟାଣି ଆଣିଛି।
ମାମଲା ଭୁବନେଶ୍ବର ସ୍ଥାନାନ୍ତର ହୋଇପାରିବ
ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଓ ଏହାର ପୂର୍ବର ସବୁ ଘଟଣା ଭୁବନେଶ୍ବରରେ ହିଁ ଘଟିଥିବା ସ୍ପଷ୍ଟ ହୋଇଛି। ଉଭୟ ରୂପାଲି ଛକରୁ ଲିଙ୍ଗରାଜ ରେଳ ଷ୍ଟେସନ ଦେଇ ଖଣ୍ଡଗିରି ଧର୍ମବିହାର ଶିବସାଇ ଗେଷ୍ଟହାଉସ୍‌ରେ ରାତି କଟାଇଛନ୍ତି। ଆଉ ସେଠାରେ ହିଁ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଏହି ରାସ୍ତା ପ୍ରାୟ ୧୫ କିଲୋମିଟର ହେବ। ପୂରା ଘଟଣା ଭୁବନେଶ୍ବରରେ ଘଟିଥିବା ବେଳେ କେବଳ ମୃତଦେହକୁ ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳରେ ଫିଙ୍ଗାଯାଇଛି। ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି; ପୂରା ଘଟଣା ଯେହେତୁ ଗୋଟିଏ ଅଞ୍ଚଳରେ ଘଟିଛି, ସୀମା ଇଲାକା କ୍ଷେତ୍ର ନିୟମ ଦୃଷ୍ଟିରୁ ଯାଜପୁର ପୁଲିସ ମାମଲାକୁ ଭୁବନେଶ୍ବରକୁ ସ୍ଥାନାନ୍ତର କରିପାରିବ। ଧର୍ମବିହାର ଗେଷ୍ଟହାଉସରେ ଘଟଣା ଘଟିଥିବାରୁ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇପାରିବ। କୁଆଖିଆ ଥାନା ପୁଲିସ ଏଫ୍ଆଇଆର୍‌, ତଦନ୍ତର ସମସ୍ତ କାଗଜପତ୍ର, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଜବତ ସାମଗ୍ରୀ କମିସନରେଟ ପୁଲିସକୁ ହସ୍ତାନ୍ତର କରିପାରିବ। ଯେଉଁ ପର୍ଯ୍ୟନ୍ତ ତଦନ୍ତ ହୋଇଛି, ସେଠାରୁ ଖଣ୍ଡଗିରି ପୁଲିସ ତଦନ୍ତ ଆରମ୍ଭ କରିବ। ତେବେ ସେମାନେ ମାମଲା ସ୍ଥାନାନ୍ତର କରିବେ କି ନାହିଁ, ତାହା ଯାଜପୁର ପୁଲିସ ଉପରେ ନିର୍ଭର କରୁଛି।

Share Now:

Kalinga News Beuro

Next Post

ବାବୁଙ୍କ ସହ ରାତି ବିତାଇଲେ ୫ ହଜାର: ସୁରେଶଙ୍କ ବିରୋଧରେ ପୀଡ଼ିତାଙ୍କ ସଂଗିନ‌ ଅଭିଯୋଗ

Mon Feb 1 , 2021
ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍‌ ବିରୋଧରେ ଭିଜିଲାନ୍ସକୁ ଲେଖିବ ସଂସ୍ଥା ଭୁବନେଶ୍ବର : ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲାରେ ନୂଆନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଫେରାର ଥିବା ଅଭିଯୁକ୍ତ ସମ୍ପାଦକ ସୁରେଶ ବେହେରାଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ବାବୁଙ୍କ ସହ ରାତି ବିତାଇଲେ ୫ ହଜାର ଟଙ୍କା ମିଳିବ ବୋଲି ସୁରେଶ ଓ ସମ୍ପୃକ୍ତ ଲେଡି ଇନ୍‌ଷ୍ଟ୍ରକ୍ଟର […]
ବାବୁଙ୍କ ସହ ରାତି ବିତାଇଲେ ୫ ହଜାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial