ସାଧାରଣ ନିର୍ବାଚନର ଦୁଇ ବର୍ଷ ଭିତରେ ଗଞ୍ଜାମ ରାଜନୈତିକ ଦୃଶ୍ୟପଟ୍ଟ

୨୦୧୯ ନିର୍ବାଚନର ଦୁଇ ବର୍ଷ ଭିତରେ ଗଞ୍ଜାମ

ଶଙ୍ଖ ନିରବ, ପାଖୁଡ଼ା ମେଲିପାରୁନି ପଦ୍ମ ଓ ପୁରୁଣା ଗଡ଼ ଉପରେ ହାତର ପତିଆରା

ବ୍ରହ୍ମପୁର : ୨୦୧୯ ସାଧାରଣ ନିର୍ବାଚନକୁ ଦୁଇ ବର୍ଷ ବିତିବାକୁ ଯାଉଛି। ୨୦୨୨ ପଞ୍ଚାୟତ ନିର୍ବାଚନ ତାତି ଆରମ୍ଭ ହୋଇଯାଇଛି। ଏମିତିରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ କଂଗ୍ରେସ ଯେଉଁ ହାଇପ୍ରୋଫାଇଲ୍‌ ଢଙ୍ଗରେ ପାଳିଲା ତା’ପରେ ଗଞ୍ଜାମ ରାଜନୀତି ପାଣିପାଗରେ ଏବେ ଏକ ରୋଚକ ସ୍ଥିତି ଉପୁଜିଛି। ସତ୍ତା ହରାଇଥିବା କଂଗ୍ରେସ ତୃଣମୂଳସ୍ତରରୁ ସଂଗଠନକୁ ସୁଦୃଢ କରି ପୁଣି ତାର ପୁରୁଣା ଗଡ଼ ଦଖଲ ଲାଗି ବଳ ଗୋଟାଇବା ସୂଚନା ଦେଇଛି। ଏଣେ ଜିଲ୍ଲାରେ ରାଜ୍‌ ଚଳାଇଥିବା ଶାସକ ବିଜେଡି ଶିବିରରେ କୋଭିଡ୍‌ ପରବର୍ତ୍ତୀ ଚଳଚଞ୍ଚଳ ଆଉ ନାହିଁ, ଏକ ପ୍ରକାର ନିରବତା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ମନ୍ତ୍ରୀ ନେତାଙ୍କ ଅନୁପସ୍ଥିତି କାରଣରୁ ଜିଲ୍ଲାରେ ଦଳର ଆଖିଦୃଶିଆ କାର୍ଯ୍ୟପନ୍ଥା ନାହିଁ। ୨୦୧୭ ପଞ୍ଚାୟତ ନିର୍ବାଚନ ପରଠୁ ପ୍ରଦର୍ଶନ ଉନ୍ନତ କରି ଆସିଥିବା ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଭୋଟହାରରେ ଆଖିଦୃଶିଆ ଲମ୍ଫ ମାରି ଦ୍ବିତୀୟ ସ୍ଥାନ ଦଖଲ କଲା। କିନ୍ତୁ ନିର୍ବାଚନ ପର ଠାରୁ ପଦ୍ମ ପାଖୁଡ଼ା ଆଉ ଖୋଲୁ ନଥିବା ଆଲୋଚନା ହେଉଛି। ଜିଲ୍ଲାରେ ବିଜେପିର ରୀତିମତ ବିକ୍ଷୋଭ, ଦାବିପତ୍ର ପ୍ରଦାନ ଭଳି ଛୋଟ ମୋଟ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ଆଖିଦୃଶିଆ ମେଗା କାର୍ଯ୍ୟକ୍ରମ ନାହିଁ। ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଜିଲ୍ଲାରେ ବିଜେପି କୌଣସି ଇସ୍ୟୁ କରିପାରି ନାହିଁ। ଅବିଭକ୍ତି ଗଞ୍ଜାମ ଜିଲ୍ଲାରେ ୧୫ଟି ବିଧାନସଭା କ୍ଷେତ୍ର ଓ ୨ଟି ସଂସଦୀୟ କ୍ଷେତ୍ର ରହିଛି। କେବଳ ଗଞ୍ଜାମରେ ୧୩ ବିଧାନସଭା ଆସନ। ରାଜ୍ୟରେ ବିଜେଡି ସରକାର ଆସିବା ପରେ ଗଞ୍ଜାମକୁ କବ୍‌ଜା କରି ରଖିଥିବା କଂଗ୍ରେସ ମୁଣ୍ଡ ଉପରେ କଳାବାଦଲ ଘୋଟି ଆସିଥିଲା। ପଞ୍ଚାୟତସ୍ତରରେ କଂଗ୍ରେସ ୧ ନମ୍ବର ସ୍ଥାନ ବଜାର ରଖି ଆସୁଥିଲେ ସୁଦ୍ଧା କ୍ରମଶଃ ସତ୍ତା ହରାଇ ଚାଲିଲା, ୨୦୧୭ ପଞ୍ଚାୟତ ନିର୍ବାଚନରେ ତୃତୀୟ ସ୍ଥାନକୁ ଖସିଲା। ଗତ ସାଧାରଣ ନିର୍ବାଚନରେ ସାନଖେମୁଣ୍ଡି ବିଧାନସଭା ଆସନ ଦଖଲ କରି କଂଗ୍ରେସ ଜିଲ୍ଲାରେ ସ୍ଥିତି ଜାହିର କଲା। ୨୦୨୦ ଶେଷ ଭାଗରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଜିଲ୍ଲା କଂଗ୍ରେସ ସଭାପତି ହେବା ପରେ ସଂଗଠନକୁ ତୃଣମୂଳ ସ୍ତରରୁ ସଜାଡ଼ିବା ଆରମ୍ଭ କରିଛି ଦଳ। ବ୍ରହ୍ମପୁରରେ ସହିଦ ଦିବସରେ ଗୋଟିଏ ମଞ୍ଚରେ ରାଜ୍ୟସ୍ତର ବରିଷ୍ଠ ନେତୃମଣ୍ଡଳୀକୁ ଏକାଠି କରି ଶକ୍ତି ପ୍ରଦର୍ଶନ କରିଛି କଂଗ୍ରେସ। ଆଗାମୀ ପୌର, ପଞ୍ଚାୟତ ଓ ୨୦୨୪ରେ ସାଧାରଣ ନିର୍ବାଚନରେ ପୁଣି ପୁରୁଣା ଗଡ଼ ଦଖଲ କରିବା ଇଙ୍ଗିତ ଦେଇଛନ୍ତି ପିସିସି ସଭାପତିଙ୍କ ସମେତ ରାଜ୍ୟ ଓ କେନ୍ଦ୍ରୀୟ ନେତୃବର୍ଗ। କଂଗ୍ରେସ ଛାଡ଼ି ଯାଇଥିବା ନେତାଙ୍କୁ ଫେରାଇ ଆଣିବା ଲାଗି ଉଦ୍ୟମ କରିବୁ ବୋଲି ମଧ୍ୟ ପିସିସି ସଭାପତିଙ୍କ ସନ୍ଦେଶ ମଧ୍ୟ ଗୁରୁତ୍ବ ବହନ କରୁଛି। ଏହାକୁ ପ୍ରତିଦ୍ବନ୍ଦ୍ବୀ ଅଣଦେଖା କରିବା ମଧ୍ୟ ବିସ୍ମୟକର ବୋଲି ରାଜନୈତିକ ବି‌ଶ୍ଲେଷକଙ୍କ ମତ, କାରଣ କଂଗ୍ରେସର ଶକ୍ତି ପ୍ରଦର୍ଶନ ପରେ ବି ଜିଲ୍ଲାରେ ବିଜେଡି ଓ ବିଜେପି ପ୍ରତିକ୍ରିୟାଶୂନ୍ୟ। ସାଂଗଠନିକ ଦୃଷ୍ଟିରୁ ଗଞ୍ଜାମକୁ ଦୁଇଟି ଜିଲ୍ଲାର ମାନ୍ୟତା ଦେଇଛି ବିଜେପି। ସାଧାରଣ ନିର୍ବାଚନ ପରେ ଦୁଇ ସାଂଗଠନିକ ଜିଲ୍ଲା ନୂଆ ସଭାପତି ଚୟନ କରାଯାଇଛି। ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଜେନା ଓ ଘୁମୁସର ଜିଲ୍ଲା ସଭାପତି ଭାବେ ଗୋକୁଳାନନ୍ଦ ମଲ୍ଲିକ ଦଳର ମଙ୍ଗ ଧରିଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଲା ଜିଲ୍ଲାରେ ଦଳର ପରିବର୍ତ୍ତିତ ନେତୃତ୍ବ କର୍ମୀ ମହଲରେ ଗ୍ରହଣୀୟ ହୋଇପାରୁନି। ସାଧାରଣରେ ହେଉଥିବା ଆଲୋଚନା ଓ ନେତାଙ୍କ ଆଚରଣରୁ ଲକ୍ଷ୍ୟ କରାଯାଉଛି, ଏଠି ସମସ୍ତେ ନେତା, କର୍ମୀ କେହି ନାହାନ୍ତି। ଜିଲ୍ଲାରେ ୨ ନମ୍ବର ଦଳ ବିଜେପିର ଆଖିଦୃଶିଆ କାର୍ଯ୍ୟପନ୍ଥା ନାହିଁ। ଜିଲ୍ଲା ସଭାପତି ଚୟନର ଦୀର୍ଘ ଦିନ ପରେ ଗତ ଦୁଇ ଦିନ ତଳେ ଜିଲ୍ଲାର କାର୍ଯ୍ୟକାରିଣୀ ଗଠନ ହୋଇଛି।
ସଂପ୍ରତି ଗଞ୍ଜାମ ଜିଲ୍ଲା‌ରେ ବିଜେପିର ସ୍ଥିତି କହିଲେ ୪ଜଣ ଜିଲ୍ଲା ପରିଷଦ ଓ ଜଣେ ବ୍ଲକ ଅଧ୍ୟକ୍ଷ। କେହି ବିଧାୟକ ଓ ସାଂସଦ ନାହାନ୍ତି। ପୂର୍ବରୁ ତୃତୀୟ ସ୍ଥାନରେ ଥିବା ବିଜେପି ଜିଲ୍ଲାରେ ହଠାତ୍‌ ମୁଖ୍ୟ ବିରୋଧୀ ଭୂମିକାକୁ ଆସିଛି। କିନ୍ତୁ ଠିକ୍‌ ଭାବେ ଏହି ଭୂମିକା ନିର୍ବାହ କରିପାରୁ ନାହିଁ। ଜିଲ୍ଲା ସଂଗଠନ କେନ୍ଦ୍ର ଓ ରାଜ୍ୟ ସଂଗଠନର ନିର୍ଦ୍ଦେଶକୁ କେବଳ ପାଳନ କରୁଥିବା ବେଳେ ସ୍ଥାନୀୟ ସମସ୍ୟାକୁ ନେଇ ବଡ଼ ପ୍ରସଙ୍ଗ ଉଠାଇ ପାରିନାହିଁ। ହିଞ୍ଜଳିକାଟୁ ନିର୍ବାଚନମଣ୍ଡଳୀରେ ବାଲିମାଫିଆ-ଗ୍ରାମବାସୀ ମୁହାମୁହିଁ ଘଟଣାରେ ବିଜେପି ପ୍ରତିନିଧି ଦଳ କେବଳ ଘଟଣାସ୍ଥଳ ଅନୁଧ୍ୟାନ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ମଧ୍ୟରେ କାର୍ଯ୍ୟକ୍ରମ ସୀମିତ ରଖିଲା, ଇସ୍ୟୁ କରିପାରିଲା ନାହିଁ। ବେଆଇନ ମଦ ଓ ବାଲି କାରବାର ବୃଦ୍ଧି ପାଉଛି। ଜିଲ୍ଲାରେ ଜଳସେଚନ, ଦାଦନ ସମସ୍ୟା, କୃଷି ଭଳି ବହୁ ସମସ୍ୟା ରହିଥିଲେ ହେଁ ବିଜେପି ଏ ଯାବତ୍‌ ଗୋଟିଏ ବି ଇସ୍ୟୁରେ ପ୍ରଶାସନ ଓ ସରକାରଙ୍କୁ ଘେରି ପାରିନାହିଁ। ୨୦୧୨‌ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ରାଜ୍ୟରେ ୩୬ଟି ଜିଲ୍ଲା ପରିଷଦ ଆସନ ଜିତିଥିଲା। ଏଥିରେ ଗଞ୍ଜାମର ୨ଟି ଜିଲ୍ଲା ପରିଷଦ ଥିଲା। କିନ୍ତୁ ୨୦୧୭ରେ ରାଜ୍ୟରେ ବିଜେପି ପ୍ରାୟ ୩ଶହରୁ ଜିଲ୍ଲା ପରିଷଦ ଜିତିଥିଲା ଗଞ୍ଜାମରେ ମାତ୍ର ୪ଟି ଆସନ ଜିତିଲା। ରାଜ୍ୟରେ ବିଜେପି ଦଶଗୁଣ ବଢିଲା ବେଳେ ଗଞ୍ଜାମ ମାତ୍ର ଦ୍ବିଗୁଣିତ ହେଲା। ‌ସେହିପରି ୨୦୦୦ ପରବର୍ତ୍ତୀ ସାଧାରଣ ନିର୍ବାଚନ ଚିତ୍ର ଅନୁଧ୍ୟାନ ନିର୍ବାଚନରେ ବିଜେଡ଼ି-ବିଜେପି ମେଣ୍ଟ ଶାସନ ସମୟରେ ବିଜେପି ଜିଲ୍ଲାରେ ୨୦୦୦ରେ ଛତ୍ରପୁର ଏବଂ ୨୦୦୪ରେ ସୋରଡ଼ା ବିଧାନସଭା ଆସନ ଜିତିଥିଲା। ମେଣ୍ଟ ଭାଙ୍ଗିବା ପ‌ର ଠାରୁ ଆଉ ଜିଲ୍ଲାରେ ଖାତା ଖୋଲିପାରୁ ନାହିଁ। ସାଧାରଣ ନିର୍ବାଚନ ପରବର୍ତ୍ତୀ ସମୟରେ ନାଗରିକତା ସଂଶୋଧନ ଆଇନକୁ ବିଜେପି ବିଶାଳ ରାଲି କରିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋ ଓ ପ୍ରାକ୍ତନ ଏମ୍‌ପି ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ଏହାପରେ ବିଜେପି ଆଉ ଜିଲ୍ଲାରେ ଆଖିଦୃଶିଆ ସମାବେଶ କରିପାରି ନାହିଁ। ବିଭିନ୍ନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି ଓଡ଼ିଶା ପ୍ରଭାରୀ ପୁ‌ରନ୍ଦେଶ୍ବରୀ ଗଞ୍ଜାମ ଆସି ଦଳର ସାଂଗଠନିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଛନ୍ତି। ପଶ୍ଚିମବଙ୍ଗକୁ ଫୋକ୍‌ସରେ ରଖିଥିବା ବିଜେପି କେନ୍ଦ୍ରୀୟ ନେତା ଓଡ଼ିଶାକୁ କିଛି ଦିନ ଲାଗି ଭୁଲି ଯାଇଥିବା ଚର୍ଚ୍ଚା ଧରିଛି।
ଗଞ୍ଜାମକୁ ବିଜେଡି ନିଜ ଗଡ଼ରେ ପରିଣତ କରିବା ପଛରେ ଆଉ ଏକ ବଡ଼ କାରଣ ହେଲା, ଖୋଦ୍‌ ମୁଖ୍ୟମନ୍ତ୍ରୀ ୫ଥର ଏହି ଜିଲ୍ଲାରୁ ନିର୍ବାଚିତ ହେଲେଣି। ଗଲାଥର ପ୍ରଥମ କରି ବିଜେପୁରରୁ ମଧ୍ୟ ଲଢ଼ି ସେ ଜିତିଥିବା ବେଳେ ହିଞ୍ଜିଳି ରଖି ବିଜେପୁର ଛାଡ଼ି ଗଞ୍ଜାମବାସୀଙ୍କ ହୃଦୟ ଜିଣିଛନ୍ତି। ବିଜେଡି ସଂଗଠନକୁ ୨୧ବର୍ଷ ହେଲାଣି। ବୟସ ବଢ଼ିବା ସାଙ୍ଗକୁ ଆଶାୟୀଙ୍କ ସ˚ଖ୍ୟା ବଢ଼ିଛି। ସଂଗଠନରେ ନେତୃତ୍ବ ଓ କ୍ଷମତା ଲାଗି ସନ୍ତୁଷ୍ଟ ଓ ଅସନ୍ତୁଷ୍ଟଙ୍କ ସଂଖ୍ୟା ମଧ୍ୟ ବଢିଛି। ଗତ ପଞ୍ଚାୟତ ଓ ସାଧରଣ ନିର୍ବାଚନରେ ଜିଲ୍ଳାରେ ବିଜେଡି ବାଜିମାତ୍‌ କରିଛି। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପର ଠାରୁ ଜିଲ୍ଲାରେ ଶଙ୍ଖଦଳ ଏକରକମ ନିରବି ଯାଇଛି। ଟାଟା ମୋଟର୍ସ ନାଁରେ ଚାକିରି ଠକେଇ ମାମଲାରେ ଛନ୍ଦି ହୋଇ ଦଳର ହେଭିୱେଟ୍‌ ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍‌ ଯିବା ପରେ ଜିଲ୍ଲାରେ ଦଳର ଭାବମୂର୍ତ୍ତିରେ ଆଞ୍ଚ ଆସିଛି। ଏହା ଭରଣା ହୋଇପାରି ନଥିବା ବେଳେ ବିଜେଡିର ଜିଲ୍ଲା କମିଟି ଏ ଯାବତ୍‌ ଗଠନ ହୋଇନାହିଁ, ଦଳର ଆଖିଦୃଶିଆ କାର୍ଯ୍ୟକ୍ରମ ମଧ୍ୟ ଜିଲ୍ଲାରେ ହୋଇନାହିଁ। ସାଧାରଣ ନିର୍ବାଚନ ପର ଠାରୁ ମୁଖ୍ୟମନ୍ତ୍ରୀ ବି ନିଜ ନିର୍ବାଚନମଣ୍ଡଳୀକୁ ଆସି ନାହାନ୍ତି। ନିଜ ଗଡ଼ରେ ଶଙ୍ଖ ଏକରକମ ନିରବି ଯାଇଥିବା ଚର୍ଚ୍ଚା ଧରିଛି। ଅନ୍ୟପକ୍ଷରେ ୨୦୧୯ ସାଧାରଣ ନିର୍ବାଚନ ପରେ ୨୦୨୦ ମାର୍ଚ୍ଚରୁ କରୋନା ମହା‌ମାରୀରେ ଜର୍ଜରିତ ଥିଲା ଗଞ୍ଜାମ। ଲକ୍‌ଡାଉନ ଯୋଗୁଁ ସବୁ କିଛି ଠପ୍‌ ହୋଇ ଯାଇଥିଲା। ଏଥିଲାଗି ସବୁ ଦଳର ଆଖିଦୃଶିଆ କାର୍ଯ୍ୟକ୍ରମ ହୋଇପାରୁ ନ ଥିବା ଦଳୀୟ ନେତୃବର୍ଗ ବାହାନା କରୁଥିବା ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Next Post

ସପ୍ତସତୀ ମନ୍ଦିରରୁ ଲିଙ୍ଗିପୁର ଛକ ଯାଏ ଝଲସିଲା ପୁରୀ ବାଇପାସ୍‌

Thu Feb 4 , 2021
୨.୮୫କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର : ବହୁପ୍ରତୀକ୍ଷିତ ଭୁବନେଶ୍ବର-ପୁରୀ ବାଇପାସ୍‌ ରାସ୍ତା ଶେଷରେ ଆଲୋକିତ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଏମ୍‌ସି ସହାୟତାରେ ୨.୮୫ କୋଟି ଟଙ୍କାରେ ସପ୍ତସତୀ ମନ୍ଦିର ନିକଟରୁ ଲିଙ୍ଗିପୁର ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ହୋଇଥିବା ଆଲୋକୀକରଣ ପ୍ରକଳ୍ପକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ସନ୍ଧ୍ୟାରେ ଟଙ୍କପାଣି ରୋଡ୍‌ ନିକଟସ୍ଥ ସାଇ ମନ୍ଦିର ଛକରେ ସୁଇଚ୍‌ ଟିପି ଏହି […]
ଝଲସିଲା ପୁରୀ ବାଇପାସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial