ଚନ୍ଦକାର ୧୩ଟି ସ୍ଥାନରେ ନିଆଁ : ଡମପଡ଼ା ରେଞ୍ଜରେ ସ୍ଥିତି ସାଂଘାତିକ, ୩୫ ଦିନରେ ୫୦ ଥର ଲାଗିଲାଣି

ଚନ୍ଦକାର ୧୩ଟି ସ୍ଥାନରେ ନିଆଁ

ଭୁବନେଶ୍ବର : କେବଳ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିନି; ଓଡ଼ିଶାର ଅଧିକାଂଶ ଜଙ୍ଗଲ ଏବେ ଜଳୁଛି। କେଉଁଠି ବଡ଼ଧରଣର ବନାଗ୍ନି ହୋଇଛି ତ ଆଉ କେଉଁଠି ଛୋଟ। ତେବେ ଏଥିରୁ ବାଦ୍‌ ପଡ଼ିନି ରାଜଧାନୀକୁ ଲାଗିରହିଥିବା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ। ଏଠାରେ ବି ନିଆଁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଆଜି ଅପରାହ୍ଣ ୧ଟା ୩୦ରୁ ୨ଟା ମଧ୍ୟରେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ର ୧୩ଟି ସ୍ଥାନରେ ଜଙ୍ଗଲ ଜଳୁଛି। କ୍ଷୟକ୍ଷତି ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ରିପୋର୍ଟ ଆସି ନ ଥିଲେ ମଧ୍ୟ ବହୁ ଗଛ ଜଳିପୋଡ଼ି ପାଉଁଶ ହୋଇଥିବା ସୂଚନା ମିଳିଛି। ତଥ୍ୟ ଅନୁଯାୟୀ ଡମପଡ଼ା ରେଞ୍ଚର ଅଧିକ ସ୍ଥାନରେ ନିଆଁ ଲାଗିଛି। ରେଞ୍ଚର ୧୧ଟି ସ୍ଥାନରେ ଚିହ୍ନଟ ହୋଇଥିବା ନିଆଁ ମଧ୍ୟରୁ ଡମପଡ଼ା ବିଟ୍‌ରେ ସର୍ବାଧିକ ନିଆଁ ଲାଗିଥିବା ଜଣାପଡ଼ିଛି। ଏହା ବ୍ୟତୀତ ଗୋବିନ୍ଦପୁର ବିଟ୍‌, ଭାଗଲପୁର ବ୍ଲକ ବିଟ୍‌ ଓ ବଅଁର ବିଟ୍‌ରେ ବି ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଛି। ଚନ୍ଦକା ରେଞ୍ଜର ଗୋଟିଏ ସ୍ଥାନରେ ନିଆଁ ଚିହ୍ନଟ କରାଯାଇଥିବା ବେଳେ ହଳଦିଆ ରେଞ୍ଜର ଆମ୍ବିଲୋ ବିଟ୍‌ ଓ ମିନ୍‌ଚିନ୍‌ପାଟଣା ବିଟ୍‌ର ଗୋଟିଏ ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲିଭାଇବାକୁ ବନ ବିଭାଗ ଅଧିକାରୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ବି ନିଆଁ ଲିଭାଇବାକୁ ପଦକ୍ଷେପ ନିଆଯାଉଛି। ତେବେ ସନ୍ଧ୍ୟା ସୁଦ୍ଧା କେତେକ ସ୍ଥାନରେ ଜଙ୍ଗଲ ନିଆଁ ଆୟତ୍ତକୁ ଆସିପାରି ନ ଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି; ଚଳିତବର୍ଷ ଫେବ୍ରୁଆରି ପହିଲାରୁ ଆଜି ପର୍ଯ୍ୟନ୍ତ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ୫୦ଟି ସ୍ଥାନରେ ନିଆଁ ଲାଗିସାରିଲାଣି। ଯାହାକି ଏକ ରେକର୍ଡ। ପୂର୍ବ ଦୁଇ ବର୍ଷରେ ‌ଏତେ ସଂଖ୍ୟାରେ ନିଆଁ ଲାଗି ନ ଥିଲା। ୨୦୧୯ ଜାନୁଆରି ୧ରୁ ମେ’ ୧୩ ମଧ୍ୟରେ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ରେ ମୋଟ ୮ଟି ସ୍ଥାନରେ ନିଆଁ ଲାଗିଥିଲା। ସେଥିମଧ୍ୟରୁ ୫ଟି ଜଙ୍ଗଲ ଭିତରେ ଲାଗିଥିବା ବେଳେ ବାକି ୩ଟି ଜଙ୍ଗଲ ଅଞ୍ଚଳ ବାହାରେ ଲାଗିଥିଲା। ୨୦୨୦ ଫେବ୍ରୁଆରି ୧୩ରୁ ଜୁନ୍‌ ୧୧ ମଧ୍ୟରେ ଅଭୟାରଣ୍ୟର ଜଙ୍ଗଲ ଭିତରେ ୩୯ଟି ଓ ଜଙ୍ଗଲ ବାହାରେ ୩ଟି ସ୍ଥାନ ଏହିପରି ଭାବେ ମୋଟ ୪୨ଟି ସ୍ଥାନରେ ନିଆଁ ଲାଗିଥିଲା। ମାତ୍ର ଏଥର ୩୫ ଦିନ ମଧ୍ୟରେ ୫୦ଟି ସ୍ଥାନରେ ନିଆଁ ଲାଗିବାକୁ ନେଇ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ଭୁବନେଶ୍ବର ସିଟି ଡିଭିଜନ୍‌ରେ ଏବେ ସୁଦ୍ଧା ମାତ୍ର ୩ଟି ସ୍ଥାନରେ ନିଆଁ ଲାଗି ଥିବା ଏଫ୍‌ଏସ୍‌ଆଇ କହିଛି। ତେବେ ୨୦୧୯ରେ ୭ଟିରେ ଲାଗିଥିଲା। ଯେଉଁଥିରୁ ଜଙ୍ଗଲ ଭିତରେ ୨ଟି ଓ ଜଙ୍ଗଲ ବାହାର ଅଞ୍ଚଳରେ ୫ଟି ସ୍ଥାନରେ ନିଆଁ ଲାଗିଥିଲା। ୨୦୨୦ରେ ଜଙ୍ଗଲ ବାହାର ଅଞ୍ଚଳରେ ମାତ୍ର ଦୁଇଟି ନିଆଁ ଲାଗିଥିଲା। ହଠାତ୍‌ କାହିଁକି ଜଙ୍ଗଲ ନିଆଁ ବଢ଼ିଚାଲିଛି ତାହାର ସମୀକ୍ଷା କରାଯାଇ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଥିବା ସେମାନେ କହିଛନ୍ତି। ଏଫ୍‌ଏସ୍‌ଆଇ ତଥ୍ୟ ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୧୩ଟି ସ୍ଥାନକୁ ଛାଡ଼ି ଗତ ୫ ଓ ୬ ତାରିଖରେ ୪ଟି ଲେଖାଏ ସ୍ଥାନରେ ନିଆଁ ଚିହ୍ନଟ ହୋଇଥିଲା। ମାର୍ଚ୍ଚ ୧ ଓ ୨ ତାରିଖରେ ଗୋଟିଏ ଲେଖାଏ ସ୍ଥାନରେ ନିଆଁ ଲାଗିଥିଲା। କେବଳ ଫେବ୍ରୁଆରି ୨୮ରେ ଏହି ଅଭୟାରଣ୍ୟର ୧୫ଟି ସ୍ଥାନରେ ଜଙ୍ଗଲ ଜଳିଥିଲା। ତେବେ ତୁରନ୍ତ ପଦକ୍ଷେପ ନିଆଯାଇଥିବାରୁ ୨୪ ଘଣ୍ଟା ମଧ୍ୟରେ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ବାକି ୧୨ଟି ସ୍ଥାନରେ ଫେବ୍ରୁଆରି ୧ରୁ ୨୭ ତାରିଖ ମଧ୍ୟରେ ନିଆଁ ଲାଗିଥିବା ଏଫ୍‌ଏସ୍‌ଆଇ ସୂଚନା ଦେଇଛି।

Share Now:

Kalinga News Beuro

Next Post

ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

Mon Mar 8 , 2021
ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ମହିଳାମାନଙ୍କ କୃତିତ୍ୱରେ ଭାରତ ଗୌରବାନ୍ଵିତ। ଦେଶବ୍ୟାପୀ ବ୍ୟାପକ କ୍ଷେତ୍ରରେ ମହିଳା ସଶକ୍ତିକରଣର ଅଗ୍ରଗତି ନିମନ୍ତେ କାର୍ଯ୍ୟକରି ତାଙ୍କ ସରକାର ସମ୍ମାନିତ ବୋଲି ସେ କହିଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆମର ଦୁର୍ବାର ନାରୀଶକ୍ତିକୁ ଅଭିବାଦନ! ନାରୀମାନଙ୍କର ଅନେକ କୃତିତ୍ୱ ପାଇଁ ଭାରତ ଗୌରବାନ୍ଵିତ। […]
ଆନ୍ତର୍ଜାତିକ ମହିଳା ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial