ଆଜି ପୃଥିବୀ ଦିବସ :ଚିନ୍ତା ବଢ଼ାଉଛି ପ୍ଲାଷ୍ଟିକ୍‌ ବର୍ଜ୍ୟ

ରାଜଧାନୀ ପରିବେଶ ପ୍ରତି ବଡ଼ ବିପଦ, ଗୁରୁତର ସହ ନେଉନି ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀରେ ଦିନକୁ ବାହାରୁଛି ପାଖାପାଖି ୬୦୦ ଟନ୍‌ କଠିନ ବର୍ଜ୍ୟବସ୍ତୁ। ସେଥିରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ ୩୫ ଟନ୍‌ରୁ ଅଧିକ। ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିବେଶ ପାଇଁ ସାଂଘାତିକ କ୍ଷତିକାରକ। ନିୟମ କହୁଛି, ଏଗୁଡ଼ିକୁ ଅଲଗା କରି ରିସାଇକ୍ଲିଂ କରିବା ଓ ଏହାର ବ୍ୟବହାରକୁ ପ୍ରୋତ୍ସାହିତ ନ କରିବା। କିନ୍ତୁ ବିଏମ୍‌ସି ଏହାକୁ ଏ ଯାଏଁ ଗୁରୁତର ସହ ନେଇ ନାହିଁ। ଫଳରେ ସମସ୍ତଙ୍କ ଅଦୃଶ୍ୟରେ ଭୁବନେଶ୍ୱରର ପରିବେଶ ପ୍ରତି ଏକ ବଡ଼ ବିପଦ ମାଡ଼ି ଆସୁଛି। ଏପ୍ରିଲ୍‌ ୨୨ରେ ପାଳନ କରାଯାଉଛି ‘ପୃଥିବୀ ଦିବସ’। ଏହାର ଥିମ୍‌ ରହିଛି ‘ପ୍ଲାଷ୍ଟିକ୍‌ ପ୍ରଦୂଷଣର ଶେଷ’। ସାରା ବିଶ୍ୱ ପାଇଁ ପ୍ଲାଷ୍ଟିକ୍‌ ବର୍ଜ୍ୟ ଚିନ୍ତାର କାରଣ ହୋଇଥିବାରୁ ଏପରି ଏକ ସମୟୋପଯୋଗୀ ଥିମ୍‌କୁ ନିଆଯାଇଛି। ଉଦ୍ଦେଶ୍ୟ ରହିଛି ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଏହି ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବେ ଭୁବନେଶ୍ୱରର ଚିନ୍ତାର କାରଣ ପାଲଟିଯାଇଛି। ବହୁ ପୂର୍ବରୁ ପରିବେଶବିତ୍‌ମାନେ ବିଏମ୍‌ସି କର୍ତୃପକ୍ଷଙ୍କୁ ସତର୍କ କରାଉଥିଲେ ବି ଏ ଦିଗରେ କେହି ଆବଶ୍ୟକ ପ୍ରକ୍ରିୟା ତ୍ୱରାନ୍ଵିତ କରି ନାହାନ୍ତି। ଆଇନ୍‌ ଅନୁଯାୟୀ ବିଏମ୍‌ସି ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ରହିଛି। କର୍ତ୍ତୃପକ୍ଷ ସବୁବେଳେ ଏ ନେଇ ଘୋଷଣା କରୁଥିଲେ ବି ତାହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ନା ସଚେତନତା ସୃଷ୍ଟି କରାଯାଉଛି ନା ଚଢ଼ଉ ବ୍ୟାପକ କରାଯାଇ ଲୋକଙ୍କ ମନରେ ଭୟ ସୃଷ୍ଟି କରାଯାଉଛି। ବିଏମ୍‌ସିର ଏପରି ନିଷ୍କ୍ରିୟତା ଯୋଗୁଁ ସହରରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ବ୍ୟବହାର ବଢ଼ିବାରେ ଲାଗିଛି। ଫଳରେ ପରିବେଶ ପ୍ରଦୂଷଣ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି।

ଭୁବନେଶ୍ୱରରେ ୫୦ ମାଇକ୍ରନ୍‌ରୁ କମ୍‌ ପ୍ଲାଷ୍ଟିକ ବ୍ୟାଗ୍‌ ବା ପଲିଥିନ ବ୍ୟବହାର ନିଷେଧ କରାଯାଇଛି। ଏଥି ପାଇଁ ସପିଙ୍ଗ୍‌ ମଲ୍‌ ଓ ଛୋଟବଡ଼ ବ୍ୟବସାୟିକ ପ୍ରତିଷ୍ଠାନକୁ ପଞ୍ଜୀକରଣ କରିବାକୁ କୁହାଯାଇଛି। ଗ୍ରାହକମାନଙ୍କ ସଚେତନତା ପାଇଁ ଦୋକାନରେ ନୋଟିସ୍‌ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ନିୟମ ୨୦୧୬ ଅନୁସାରେ ପ୍ଳାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟାଗ୍‌ ବ୍ୟବହାରକାରୀଙ୍କ ପାଇଁ ଅନେକ କଟକଣା ଜାରି କରାଯାଇଛି। ଏହି ନିୟମର ବିଶେଷତ୍ୱ ହେଲା ଯିଏ ପ୍ଲାଷ୍ଟିକ୍‌ ବ୍ୟବହାର କରିବ, ସେ ତାହାର ପରିଚାଳନା ପାଇଁ ମହାନଗର ନିଗମକୁ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବ। ଗ୍ରାହକଙ୍କୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଦେଉଥିବା ଦୋକାନୀଙ୍କ ଠାରୁ ବିଏମ୍‌ସି ମାସକୁ ୪୦୦୦ ଟଙ୍କା ଆଦାୟ କରିିବ। ଏଥିରେ ପ୍ଲାଷ୍ଟିକ ବର୍ଜ୍ୟ ବିଶୋଧନ କରାଯିବ। ପଲିଥିନ୍‌ ବ୍ୟବହାର କରୁଥିବା ବ୍ୟବସାୟୀମାନେ ନିଜ ଅର୍ଥରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ବର୍ଜ୍ୟ ପାଇଁ ଅଲଗା ଡଷ୍ଟବିନ୍‌ ରଖିବେ। କିନ୍ତୁ ଅଧିକାଂଶ ସ୍ଥାନରେ ଏହି ନିୟମ କେହି ମାନୁ ନ ଥିବା ଦେଖିବାକୁ ମିଳୁଛି। ବିଏମ୍‌ସିର ଡେପୁଟି କମିସନର୍‌ ଶ୍ରୀମନ୍ତ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆମେ ପଲିଥିନ୍‌ ବ୍ୟବହାରକୁ ବ୍ୟାନ୍‌ କରୁନାହୁଁ। କିନ୍ତୁ ୫୦ ମାଇକ୍ରନରୁ କମ୍‌ ପଲିଥିନ ବ୍ୟାଗ ବ୍ୟବହାର ଉପରେ କଟକଣା ଜାରି କରିଛୁ। ଯଦି ଏହାଠାରୁ ଅଧିକ ପଲିଥିନ୍‌ ବ୍ୟବହାର କରାଯିବ ତା’ହାଲେ ଜରିମାନା ଦେବାକୁ ପଡ଼ିବ। ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ତାହା ପରେ ସ୍କ୍ଵାଡ୍‌ ଗଠନ କରାଯାଇ ନିୟମିତ ଯାଞ୍ଚ୍‌ କରାଯିବ।
ଖାଲି ବୋତଲ ବଦଳରେ ୧୦ ଟଙ୍କାର ରିଚାର୍ଜ
ପାଣି ପିଇ ସାରିବା ପରେ ବୋତଲ ଏଣେତେଣେ ପକାନ୍ତୁ ନାହିଁ। ତାହା ବଦଳରେ ମିଳିବ ୧୦ ଟଙ୍କାର ମୋବାଇଲ ରିଚାର୍ଜ। ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଏଭଳି ଏକ ଅଭିନବ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଯାତ୍ରୀମାନେ ପାଣି ପିଇ ସାରିବା ପରେ ଖାଲି ବୋତଲକୁ ବାହାରେ ନ ଫିଙ୍ଗି ଏହି ମେସିନ୍‌ରେ ପକାଇ ୧୦ ଟଙ୍କାର ମୋବାଇଲ ରିଚାର୍ଜ ପାଉଛନ୍ତି। ଫଳରେ ଭୁବନେଶ୍ୱର ଷ୍ଟେସନ୍‌ରେ ଆଉ ପ୍ଲାଷ୍ଟିକ ପାଣି ବୋତଲ ବାହାରେ ଗଡ଼ୁ ନାହିଁ। ପ୍ରଦୂଷଣ ରୋକିବା ତଥା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ରିସାଇକ୍ଲିଂ କରିବା ଉଦ୍ଦେଶ୍ୟରେ ରେଳବାଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଚଳିତ ମାସରେ ପୁରୀ ଷ୍ଟେସନ୍‌ରେ ଏହି ମେସିନ୍‌ ଲାଗିଲା ପରେ ଏବେ ଭୁବନେଶ୍ୱର ଷ୍ଟେସନ୍‌ରେ ଲାଗିଛି। ପ୍ଲାଟଫର୍ମ ନମ୍ବର ୧ ଓ ୬ରେ ଲାଗିଥିବା ଏହି ମେସିନ୍‌ରେ ବ୍ୟବହୃତ ବୋତଲ ପକାଇଲେ ଏକ ମୋବାଇଲ ଆପ ଦ୍ୱାରା ଏଠାରୁ ୧୦ ଟଙ୍କା ମୋବାଇଲ ଇ-ରିଚାର୍ଜ ପାଇପାରୁଛନ୍ତି। ପ୍ରଥମେ ବୋତଲକୁ ମେସିନ୍‌ରେ ପକାଇବା ପରେ ଏଥିରେ ଥିବା କି-ପ୍ୟାଡ୍‌ରେ ନିଜ ମୋବାଇଲ ନମ୍ବର ଚିପିବାକୁ ପଡ଼େ। ସେହି ନମ୍ବରକୁ ୨୦ ସେକେଣ୍ଡ ମଧ୍ୟରେ କୋଡ୍‌ ନମ୍ବର ଥିବା ଏକ ମେସେଜ୍‌ ଆସିବ। ଆସିଥିବା କୋଡ୍‌ ନମ୍ବରକୁ ପୂର୍ବରୁ ପ୍ଲେ ଷ୍ଟୋର୍‌ରୁ ଡାଉନ୍‌ଲୋଡ୍‌ କରିଥିବା ଫ୍ରି ରିଚାର୍ଜ ଆପ୍ଲିକେସନ୍‌ରେ ଟାଇପ୍‌ କରିବାକୁ ପଡ଼ିବ। ଏହା ପରେ ଆପଣଙ୍କ ଫ୍ରିଚାର୍ଜ ଆକାଉଣ୍ଟ୍‌ରେ ୧୦ ଟଙ୍କା ବାଲାନ୍ସ ଆସିଯିବ। ଏହି ମେସିନ୍‌ର ଆଉ ଏକ ବିଶେଷତ୍ୱ ହେଲା ଏଥିରେ ପ୍ଲାଷ୍ଟିକ ବୋତଲର ରିସାଇକ୍ଲିଂ ହେଉଛି, ଯାହା କି ପରିବେଶ ସୁରକ୍ଷା ଦିଗରେ ସହାୟକ ହେଉଛି। ୨୦୦ ମିଲି ଠାରୁ ଆରମ୍ଭ କରି ୨ ଲିଟର ପର୍ଯ୍ୟନ୍ତ ପ୍ଲାଷ୍ଟକ ବୋତଲ ଏଠାରେ ପକାଯାଇ ପାରିବ।

Share Now:

Kalinga News Beuro

Leave a Reply

Next Post

୨ ମାସର ପୁତ୍ରକୁ ହତ୍ୟାକଲା ନାବାଳକ ପିତା

Sun Apr 22 , 2018
ନୂଆଦିଲ୍ଲୀ: ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ପୁଅକୁ ମାରି ଦେଲା ନାବାଳକ ସ୍ୱାମୀ। ଏମିତି ଏକ ଘଟଣା ଘଟିଛି ଦିଲ୍ଲୀର ମଙ୍ଗଲପୁରୀ ଅଞ୍ଚଳରେ। ଅଭିଯୁକ୍ତକୁ ମାତ୍ର ୧୭ ବର୍ଷ ହୋଇଥିବା ବେଳେ ସେ ତା’ର ଦୁଇ ମାସର ପୁଅକୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି। ତା’ ସ୍ତ୍ରୀ ବି ନାବାଳିକା। ତାଙ୍କୁ ମାତ୍ର ୧୬ ବର୍ଷ ହୋଇଛି। ଅଭିଯୁକ୍ତର ତା’ ସ୍ତ୍ରୀ ଉପରେ ସନ୍ଦେହ ଥିଲା। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial