କରୋନାକୁ ବର୍ଷେ: ରାଜଧାନୀରେ ସେଇ ଭୟାନକ ସ୍ମୃତି…

ରାଜଧାନୀରେ କରୋନାକୁ ବର୍ଷେ

ଭୁବନେଶ୍ୱର : ୧୫ ମାର୍ଚ୍ଚ, ୨୦୨୦। ଇଟାଲିରୁ ଫେରିଥିବା ଭୁବନେଶ୍ବର ବଡ଼ଗଡ଼ ଅଞ୍ଚଳର ଜଣେ ଯୁବକଙ୍କ ଦେହରେ ଚିହ୍ନଟ ହୋଇଥିଲା କରୋନା ଭୂତାଣୁ। କେବଳ ରାଜଧାନୀ ନୁହେଁ, ସେ ଥିଲେ ଓଡ଼ିଶାର ପ୍ରଥମ କରୋନା ରୋଗୀ। ଏହାପରେ ରାଜଧାନୀକୁ ଫେରୁଥିବା ଜଣେ ପରେ ଜଣେ ପ୍ରବାସୀ ଓଡ଼ିଆ ଆକ୍ରାନ୍ତ ଚିହ୍ନଟ ହେଲେ। ଦିଲ୍ଲୀର ତବ୍‌ଲିଘ ‌ଜମାତରେ ଯୋଗ ଦେଇ ଫେରିଥିବା ବମିଖାଲର ଏକ ପରିବାର କରୋନା ସଂକ୍ରମିତ ହେବା ଏବଂ ଗୋଟିଏ ଦିନରେ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ସାରା ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ସ୍ଥାନୀୟ ସଂକ୍ରମଣ ବଢ଼ିଗଲା ଯେ, କରୋନା ହଟ୍‌ସ୍ପଟ୍‌ ପାଲଟିଗଲା ପୂରା ଭୁବନେଶ୍ବର। ଆରମ୍ଭ ହୋଇଗଲା ଲକ୍‌ଡାଉନ୍, ସଟ୍‌ଡାଉନ୍। ନିଜ ଘରେ ଗୃହବନ୍ଦୀ ପାଲଟିଗଲେ ଲକ୍ଷଲକ୍ଷ ଜନତା। ରାଜଧାନୀବାସୀଙ୍କ ପାଇଁ ମହାମାରୀ କରୋନା ଆଣିଥିଲା ନାହିଁ ନ ଥିବା ଦୁର୍ଦ୍ଦଶା ଓ ଅକଥନୀୟ ଯାତନା। ଆଜି କରୋନାର ବର୍ଷ ପୂର୍ତ୍ତି ଅବସରରେ ସେହି ଭୟାନକ ସ୍ମୃତିରୁ କିଛି…।
ପ୍ରଥମେ ସୂର୍ଯ୍ୟନଗର, ତା’ପରେ ବମିଖାଲ
ରାଜଧାନୀର ପ୍ରଥମ ହଟ୍‌ସ୍ପଟ୍ ଅଞ୍ଚଳ ଥିଲା ସୂର୍ଯ୍ୟନଗର। ‌େଗାଟିଏ ଘରୁ ପ୍ରାୟ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ବିଏମ୍‌ସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା। ଏହି ଅଞ୍ଚଳକୁ ଯିବାଆସିବା ଉପରେ ଲାଗିଥିଲା ରୋକ୍। ରାଜ୍ୟର ପ୍ରଥମ କଣ୍ଟେନମେଣ୍ଟ୍‌ ଜୋନ୍‌ ପ‌ାଲଟିଥିଲା ସୂର୍ଯ୍ୟନଗର। ଏପରିକି କରୋନା ଆକ୍ରାନ୍ତଙ୍କ ନାମ ସର୍ବସାଧାରଣ ନକରିବାକୁ ନିୟମ ଥିଲେ ବି ରାଜ୍ୟ ସରକାର ପରିବାରର ପ୍ରଥମ କରୋନା ଆକ୍ରାନ୍ତଙ୍କ ନାମ କହି ତାଙ୍କୁ ସୁପରସ୍ପ୍ରେଡର ବୋଲି ଘୋଷଣା କରିଥିଲେ। ଯେଉଁଥିପାଇଁ ପରିବାର ଲୋକ ରାଜ୍ୟ ସରକାରଙ୍କୁ ବିବାଦକୁ ଟାଣିଥିଲେ। ସୂର୍ଯ୍ୟନଗର ପରେ ଦ୍ବିତୀୟ କଣ୍ଟେନମେଣ୍ଟ ଜୋନ୍ ପାଲଟିଥିଲା ବମିଖାଲ। କାରଣ ଏକାଦିନକେ ଏହି ଅଞ୍ଚଳରୁ ଗୋଟିଏ ପରିବାରର ବହୁ ସଦସ୍ୟ ଆକ୍ରାନ୍ତ ହେବା ଜଣାପଡ଼ିଥିଲା। ପରେ ପରେ ସାଲିଆସାହିର ବିଭିନ୍ନ ବସ୍ତି, ନୂଆଗାଁ, ଆଖଣ୍ଡଳମଣି ବସ୍ତି, ସୁବାସନଗର ବସ୍ତି, ଭୁବନେଶ୍ବର କୋର୍ଟ ଅଞ୍ଚଳ ଆଦି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଥିଲା। ରାଜଧାନୀରେ କରୋନା ସଂକ୍ରମଣ ରୋକିବା ଲାଗିଏହିପରି ପ୍ରାୟ ୧୫ଟି ଅଞ୍ଚଳକୁ ବିଏମ୍‌ସି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିଲା।

ଶୂନ୍‌ଶାନ୍‌ ରାସ୍ତା, ମଲ୍‌, ହଲ୍‌ ସବୁ ବନ୍ଦ
ମାର୍ଚ୍ଚ ୨୧ରେ ରାଜ୍ୟ ସରକାର ଦିନକ ପାଇଁ ଲକ୍‌ଡାଉନ୍ କରିବା ପରେ ୨୨ରେ କେନ୍ଦ୍ର ସରକାରଙ୍କ ଲାଗୁ କରିଥିଲେ ଜନତା କର୍ଫ୍ୟୁ। ଏହାପରେ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିଲା ସଟ୍‌ଡାଉନ୍ ଓ ଲକ୍‌ଡାଉନ୍। ଜରିମାନା ଓ ପୁଲିସ ମାଡ଼ ଭୟରେ ଲୋକ ଘରୁ ବାହାରିଲେନି। ଫଳରେ ରାଜଧାନୀର ରାସ୍ତାଘାଟ ପୂରା ଶୂନ୍‌ଶାନ୍ ହୋଇଗଲା। ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଗଳି ରାସ୍ତା ପର୍ଯ୍ୟନ୍ତ ସବୁଠି କର୍ଫ୍ୟୁ ପରିସ୍ଥିତି ସୃଷ୍ଟି ହେଲା। ମାର୍ଚ୍ଚ ୧୫ରୁ ରାଜଧାନୀରେ କୋଭିଡ କଟକଣା ଲାଗୁଲାଗୁ ପ୍ରଥମେ ସମସ୍ତ ମଲ୍‌ ଓ ସିନେମା ହଲ୍‌ ବନ୍ଦ କରି ଦିଆଗଲା। ଦୀର୍ଘ ସାଢ଼େ ଚାରି ମାସ ପରେ ଅଗଷ୍ଟ ୧ରେ ମଲ୍‌ ଖୋଲିବାକୁ ଅନୁମତି ମିଳିଥିବାବେଳେ ସାଢ଼େ ୯ ମାସ ପରେ ଜାନୁଆରିରେ ସିନେମା ହଲ୍‌ ଖୋଲିବାକୁ ଅନୁମତି ମିଳିଥିଲା।
ତିନି ମାସ ନିଦ ହଜାଇ ଦେଇଥିଲା
ମାର୍ଚ୍ଚ ୧୫ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଜୁନ୍ ୫ତାରିଖ ବେଳକୁ ରାଜଧାନୀରେ ୮୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିରୁ ୩ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମାସ ବଢ଼ିବା ସହ ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିଲା। ସବୁଠୁ ଚକିତ କଲା ଭଳି ତଥ୍ୟ ହେଉଛି ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୩୨,୦୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ ୨୬,୩୭୫ଜଣ କେବଳ ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଚିହ୍ନଟ ହୋଇଥିଲେ। ଏଇ ତିନି ମାସରେ ୧୫୦ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲେ। ଅଗଷ୍ଟ୧ ସୁଦ୍ଧା ୨୮୬୧ ଜଣ ଆକ୍ରାନ୍ତ ଥିବାବେଳେ ସେପ୍ଟେମ୍ବର ୧ ବେଳକୁ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୭୩୨ରେ ପହଞ୍ଚିଥିଲା। ଅକ୍ଟୋବର ୧ ବେଳକୁ ୨୨,୨୩୫ ଏବଂ ନଭେମ୍ବର ୧ ବେଳକୁ ୨୯,୨୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କେବଳ ସେପ୍ଟେମ୍ବରରେ ସର୍ବାଧିକ ୧୧୫୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅକ୍ଟୋବରରେ ସର୍ବାଧିକ ୭୧ଜଣଙ୍କର ମୃତ୍ୟୁ ହୋଇଥିଲା।

ମଶାଣି ନିଆଁ ଲିଭିଲାନି
କରୋନା କେତେ ଭୟଙ୍କର ଥିଲା ତାହା ଯିଏ ସତ୍ୟନଗର ଶ୍ମଶାନକୁ ଜୁଲାଇରୁ ନଭେମ୍ବର ମାସ ଯାଏ ଦେଖିଛି, ସେ ଜାଣିଛି। ଏହା ଏମିତି ଏକ ଶ୍ମଶାନ ଯେଉଁଠି ରାଜ୍ୟର ସବୁଠୁ ଅଧିକ କରୋନା ଆକ୍ରାନ୍ତଙ୍କର ଶବଦାହ ହୋଇଛି। ମାସ ମାସ ଧରି ମଶାଣିରୁ ନିଆଁ ଲିଭିନି। ସାଢ଼େ ୩ମାସରେ ଅଢ଼େଇ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କର ଏଠାରେ ଶବଦାହ ହୋଇଥିଲା। ସରକାରୀ ଭାବେ ୧୯୧୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିଲେ ହେଁ କେବଳ ସତ୍ୟନଗରରେ ୩ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କର ଶବଦାହ ହୋଇଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ମାସରେ ଦିନକୁ ଦୁଇ ତିନି ଜଣ କରୋନା ଆକ୍ରାନ୍ତଙ୍କ ଶବଦାହ ହେଉଥିଲା। କିନ୍ତୁ ଜୁନ୍‌, ଜୁଲାଇରୁ ଯେମିତି କରୋନା ପ୍ରକୋପ ବଢ଼ିଲା, ସତ୍ୟନଗର ଶ୍ମଶାନରେ ଭିଡ଼ ସେମିତି ବଢ଼ିଲା। ଅଗ‌ଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ମାସରେ ତ ସ୍ଥିତି ଅଣାୟତ୍ତ ହେଲା। ଦିନକୁ ପ୍ରାୟ ୨୦ରୁ ୩୦ଜଣଙ୍କର ଶବଦାହ ହେଲା। ଏପରିକି ଗୋଟିଏ ଗୋଟିଏ ଦିନରେ ୪୦ରୁ ଅଧିକ ଲୋକଙ୍କର ଜୁଇ ଜଳିଥିଲା। ଯେଉଁଥିପାଇଁ ଶ୍ମଶାନରେ ଚୁଲା ସଂଖ୍ୟା ବଢ଼ା ଯାଇଥିଲା।

Share Now:

Kalinga News Beuro

Next Post

କରୋନା ବିପଦ ଟଳିନି: ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ

Mon Mar 15 , 2021
ଭୁବନେଶ୍ବର : ‘‘ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ। ବିପଦ ଏବେ ବି ଟଳିନାହିଁ। ଏଣୁ ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା। ବେକରେ ଝୁଲାଇକରି ନୁହେଁ, ଠିକ୍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା। ଘରକୁ ଫେରିଲେ ସାବୁନରେ ଭଲ କରି ହାତ ଧୋଇବା। ମୁହଁ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ। ସାମାଜିକ ଦୂରତ୍ବ ରକ୍ଷା କରି ହାଟ ବଜାର ଆଦି […]
କରୋନା ବିପଦ ଟଳିନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial