ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ-ଜଳିଗଲା ୪ ବସ

ପୁରୀ ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ

ପୁରୀ : ପୁରୀ ବସଷ୍ଟାଣ୍ଡରେ ସୋମବାର ସଂଧ୍ୟାରେ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ବସ୍‌ ଜଳି ଯାଇଥିବାବେଳେ ଏକ ବଡ଼ ଅଘଟଣରୁ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ବସ୍‌ଷ୍ଟାଣ୍ଡ୍‌ରେ ଥିବା ଶହ ଶହ ବସ୍‌ରେ ନିଆଁ ଲାଗିବା ପୂର୍ବରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କାରଣ ସ୍ପଷ୍ଟ ହୋଇନଥିଲେ ବି ସଟ୍‌ସର୍କିଟ୍‌ରୁ କିମ୍ବା କେହି ଦୁର୍ବୃତ୍ତ ବସ୍‌ରେ ନିଆଁ ଲଗାଇ ଦେବାରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅନ୍ୟପଟେ ତାଳବଣିଆ ଥାନା, କୁମ୍ଭାରପଡ଼ା ଥାନା ଓ ଟ୍ରାଫିକ୍‌ ଥାନାର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି। ଅଗ୍ନିକାଣ୍ଡ ବେଳେ ବସ୍‌ରେ କେହି ଯାତ୍ରୀ ନଥିବାରୁ ନିଆଁ ଲାଗିବା କାରଣ ସନ୍ଦେହ ସୃଷ୍ଟି କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ସୋମବାର ସଂଧ୍ୟା ପ୍ରାୟ ୬ଟା ୫ରେ ପ୍ରଥମେ ହଠାତ୍‌ ଭୁବନେଶ୍ବରୀ ଯାତ୍ରୀବାହୀ ବସ (ଓଆର-୦୨ବିସି-୬୩୪୪)ରେ ନିଆଁ ଲାଗି ଯାଇଥିଲା। କିଛି କ୍ଷଣ ଭିତରେ ନିଆଁ ପ୍ରାୟ ୪୦ ଫୁଟ ଉଚ୍ଚରେ ଉଠିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଗୋଟିଏ ପରେ ଗୋଟିଏ, ଏପରି ତିନିଟି ବସ ଜଳିଯାଇଥିଲା। ଯେଉଁଥିରେ ମା’ ଶାରଳା ନାମକ ଏକ ଏସି ବସ୍‌ (ଓଡି-୦୨ଏଏଫ-୯୮୨୫) ଓ ମା’ ଜୟଦୁର୍ଗା ବସ୍‌ (ଓଆର-୧୩ସି-୧୬୭୭) ଜଳିଯାଇଛି। ଅନ୍ୟ ଏକ ବସ୍‌ (ଓଡି-୧୩ଏ-୨୪୫୬) ଜଳିଯିବା ପୂର୍ବରୁ ଏହାକୁ ସ୍ଥାନୀୟ ଲୋକେ ଠେଲି ଅନ୍ୟ ସ୍ଥାନକୁ ‌ନେଇଯିବାରୁ ଅଳ୍ପକେ ବର୍ତ୍ତିଯାଇଛି। ତଥାପି ଏହି ବସ୍‌ର କିଛି ଅଂଶ ଅଗ୍ନିକାଣ୍ଡରେ ଜଳିଯାଇଛି। ପୁରୀ ଅଗ୍ନିଶମ ବିଭାଗର ୪ଟି ଦମକଳ ଗାଡ଼ି ସହ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଏକ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛନ୍ତି।

ବଡ଼କଥା ହେଉଛି, ସଂଧ୍ୟା ସମୟ ଥିବାରୁ ପୁରୀ ବସଷ୍ଟାଣ୍ଡ୍‌ ଗହଳଚହଳ ଥିଲା। ବହୁ ଯାତ୍ରୀ ଫେରୁଥିଲେ ଓ ଅନେକ ଫେରିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। କିନ୍ତୁ ଅଗ୍ନିକାଣ୍ଡର ଭୟାବହତାକୁ ଦେଖି କିଛି ସମୟ ପାଇଁ ପୁଲିସ ଉପସ୍ଥିତ ଲୋକଙ୍କୁ ବସଷ୍ଟାଣ୍ଡ୍‌ରୁ ଘଉଡ଼ାଇ ଦେବାରୁ ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଥିଲା। ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ବି ବସ୍‌ର ବ୍ୟାଟେରି ସଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ଅନୁମାନ କରିଛି। ଅନ୍ୟପଟେ ଭୁବନେଶ୍ବରୀ ବସ୍‌ ପଛପଟେ ବିଦ୍ୟୁତ ତାର ଯାଇଥିବାରୁ ଏଥିରେ ସଟ୍‌ସର୍କିଟ୍‌ ଫଳରେ ନିଆଁ ଝୁଲା ଖସି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କେହି ଦୁର୍ବୃତ୍ତ ବି ଏଥିରେ ନିଆଁ ଲଗାଇ ଦେଇଥିବା ମଧ୍ୟ ଅନୁମାନ କରାଯାଉଛି। ଘଟଣାର ତଦନ୍ତ ଚାଲିଥିବାରୁ କାରଣ ସ୍ପଷ୍ଟ ହୋଇପାରିନି। ପୁରୀ ବସ୍‌ଷ୍ଟାଣ୍ଡ୍‌ ଏକ ପ୍ରମୁଖ ବସ୍‌ଷ୍ଟାଣ୍ଡ୍‌ ହୋଇଥିବାବେଳେ ଦୈନିକ ଏଠାକୁ ଶହ ଶହ ବସ୍‌ ଯାତାୟାତ କରୁଛି। ଭୁବନେଶ୍ବର, କଟକ, ଯାଜପୁର, ବାଲେଶ୍ବର ସହର ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏଠାରୁ ବସ୍‌ ଯାତାୟାତ କରୁଛି। ଯଦି ନିଆଁ ବ୍ୟାପକ ରୂପ ନେଇଥାନ୍ତା, ଅନେକ କ୍ଷୟକ୍ଷତି ହେବାର ଆଶଙ୍କା ଥିଲା। କିନ୍ତୁ ଏତେ ବଡ଼ ବସଷ୍ଟାଣ୍ଡ୍‌ ସତ୍ତ୍ବେ ଏଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share Now:

Kalinga News Beuro

Next Post

ବିଏମ୍‌ସିର ହୋଲଡିଂ ଟିକସ ଜୁଲମ୍ : ଅସନ୍ତୋଷ ବଢ଼ିବାରୁ ହାଇକୋର୍ଟକୁ ଢାଲ

Tue Mar 16 , 2021
ବର୍ଦ୍ଧିତ ନିଷ୍ପତ୍ତି ସ୍ଥଗିତ-ନଗର ଉନ୍ନୟନ ମନ୍ତ୍ରୀ ଭୁବନେଶ୍ବର : ବିଏମ୍‌ସିର ହୋଲ୍‌ଡିଂ ଟିକସ ଜୁଲମ୍ ବିରୋଧରେ ରାଜଧାନୀବାସୀଙ୍କ ଅସନ୍ତୋଷ ବଢ଼ିବା ପରେ ଆଜି ହାଇକୋର୍ଟଙ୍କ ଆଦେଶ ଦର୍ଶାଇ ନଗର ଉନ୍ନୟନ ମନ୍ତ୍ରୀ ବର୍ଦ୍ଧିତ ହୋଲ୍‌ଡିଂ ଟିକସ ଆଦାୟକୁ ସ୍ଥଗିତ ରଖାଗଲା ବୋଲି କହିଛନ୍ତି। ତେବେ ବିଏମ୍‌ସି ଓ ରାଜସ୍ବ ବିଭାଗ କିପରି ବିଭିନ୍ନ ଆଳରେ ହୋଲ୍‌ଡିଂ ଟିକସ ବଢ଼ାଇ ଚାଲିଛନ୍ତି ଏବଂ ଅସନ୍ତୋଷ ବଢ଼ିଲେ ହାଇକୋର୍ଟକୁ ଢାଲ କରି ସାମୟିକ […]
ବିଏମ୍‌ସି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial