ଯାନ୍ତ୍ରିକ ସଫେଇ କାହା ସ୍ବାର୍ଥରେ?

ଯାନ୍ତ୍ରିକ ସଫେଇ କାହା ସ୍ବାର୍ଥରେ

ବହୁ ରାସ୍ତା ବାଲିରେ ପୋତି ହୋଇଗଲାଣି, ଗାଡ଼ି ଯାଉନି

ଭୁବନେଶ୍ବର : ରାଜଧାନୀରେ ୮୦କିମି ରାସ୍ତାରେ ଯାନ୍ତ୍ରିକ ସଫେଇ କରିବା ପାଇଁ ବିଏମ୍‌ସି ବର୍ଷକୁ ପ୍ରାୟ ୩୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛି। ହେଲେ ବଡ଼ ବିଚିତ୍ର ଢ଼ଙ୍ଗରେ ସଫେଇ ହେଉଛି। ରାସ୍ତାରେ ବାଲି ଥାଉ କି ନଥାଉ ପ୍ରତିଦିନ ସମାନ ରାସ୍ତାରେ ସଫେଇ ଗାଡ଼ି ବୁଲୁଛି। କିନ୍ତୁ ଅଧିକାଂଶ ପ୍ରମୁଖ ରାସ୍ତା ଓ ନିକଟବର୍ତ୍ତୀ ରାସ୍ତାରେ ପାଦେ ଉଚ୍ଚର ବାଲି। ହେଲେ ଯାନ୍ତ୍ରିକ ସଫେଇ ଗାଡ଼ି ଏହାକୁ ସଫା କରୁନି। ରାଜଧାନୀରେ ଅଳିଆ ଉଠାଇବା ଓ ସ୍ବଚ୍ଛ ଭୁବନେଶ୍ବର ନାଁରେ ବିଏମ୍‌ସି ଲୋକଙ୍କ ଉପରେ ୟୁଜର୍ସ ଫି’ ବୋଝ ଲଦୁଥିବାବେଳେ ରାସ୍ତାରୁ କାହିଁକି ବାଲି ଉଠାଇବନି ବୋଲି ଏବେ ପ୍ରଶ୍ନ ଉଠିଲାଣି। ରାଜଧାନୀରେ ଏବେ ନିଳାଦ୍ରୀବିହାର, ଶୈଳଶ୍ରୀବିହାର, ଜଗନ୍ନାଥନଗର, ଝାରପଡ଼ା, ଜୟଦୁର୍ଗାନଗର, ପୁରୁଣା ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ, କଳିଙ୍ଗନଗର, ଜାଗମରା, ସରକାରୀ କ୍ବାର୍ଟର୍ସ ଥିବା ଅଞ୍ଚଳରେ ରାସ୍ତା ଉପରେ ପରସ୍ତ ପରସ୍ତ ବାଲି ପଡ଼ିଥିବାରୁ ପ୍ରତିଦିନ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି। ବର୍ଷ ବର୍ଷ ଧରି ରାସ୍ତାରୁ ବାଲି ଉଠୁନଥିବାରୁ ୩୦ଫୁଟ୍‌ ଓସାରର ରାସ୍ତା ପୋତି ହୋଇ ୨୫ଫୁଟ୍‌ ହୋଇଗଲାଣି। ବାଇକ୍ ଓ ସ୍କୁଟିରେ ଯାଉଥିବା ଲୋକ ଯଦି ହଠାତ୍ କୌଣସି କାରଣରୁ ବ୍ରେକ୍ ମାରୁଛନ୍ତି ତେବେ ରାସ୍ତାରେ ଛିଟିକି ପଡ଼ୁଛନ୍ତି। ଅଧିକାଂଶ ଅଞ୍ଚଳରେ ଏବେ କଙ୍କ୍ରିଟ ରାସ୍ତା ନିର୍ମାଣ ହୋଇଥିବାରୁ ରାସ୍ତା ଉପରେ ଜମିଥିବା ବାଲି ଲୋକଙ୍କ ଜୀବନ ନେଇଯାଉଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଆଖିକୁ ଏହା ଦେଖାଯାଉନି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ଉତ୍ତର ମିଳୁଛି ସଫେଇ ସଂସ୍ଥାଗୁଡ଼ିକୁ ବିଭିନ୍ନ ଅଞ୍ଚଳରେ ଅଳିଆ ଉଠାଇବା ଦାୟିତ୍ବ ଦିଆଯାଇଛି। ସେମାନେ ରାସ୍ତାରୁ ବାଲି ସଫା କରିବେ। ଯଦି ସଫେଇ ସଂସ୍ଥା ବାଲି ସଫା କରିବାର ନିୟମ ଅଛି ତେବେ ରାସ୍ତା କଡ଼ରୁ କାହିଁକି ବାଲି ଉଠୁନି? କେଉଁ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପଚାରିବାରୁ ଉତ୍ତର ମିଳିନଥିଲା। ସଫେଇ କର୍ମଚାରୀ ରାସ୍ତାରୁ କେବଳ ଜରି, ପ୍ଲାଷ୍ଟିକ, କାଠି ଓ ଅନ୍ୟାନ୍ୟ ଅଳିଆ ଉଠାଉଥିଲେ ହେଁ ଝାଡ଼ୁ ମାରି ବାଲି ଉଠାଉନାହାନ୍ତି। ପ୍ରମୁଖ ରାସ୍ତାରେ ଏହି ସମସ୍ୟା ହେବାରୁ ଅକ୍ଟୋବର ୨, ୨୦୧୮ରେ ୮୦କିମି ରାସ୍ତାରେ ଯାନ୍ତ୍ରିକ ସଫେଇ ଆରମ୍ଭ ହୋଇଥିଲା। ଏହାପରେ ପୂରା ରାଜଧାନୀରେ ଯାନ୍ତ୍ରିକ ସଫେଇ ହେବାର ଥିଲା। ଏଥିପାଇଁ ବିଏମ୍‌ସିର ଏସ୍‌ବିଏ ସେଲ୍‌ରେ ବି ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଗଲା। ହେଲେ ଆଜି ପର୍ଯ୍ୟନ୍ତ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ଲୋକଙ୍କୁ ସୁଫଳ ଦେଇପାରିଲାନି। ବିଏମ୍‌ସିର ପରିମଳ ବିଭାଗର ଜଣେ ଅଧିକାରୀଙ୍କ ଯୁକ୍ତି ଯେ, ଯାନ୍ତ୍ରିକ ସଫେଇ ପାଇଁ ଓସାରିଆ ଓ ଚକାଚକ୍ ରାସ୍ତା ଦରକାର। ରାଜଧାନୀରେ ବହୁ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଓ ରାସ୍ତାର ମାନ ଠିକ୍ ନଥିବାରୁ ସବୁ ଅଞ୍ଚଳରେ ଯାନ୍ତ୍ରିକ ସଫେଇ କରିବା ସମ୍ଭବ ନୁହେଁ। ପ୍ରଥମତଃ ରାଜଧାନୀରେ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରୁଛନ୍ତି। ଯଦି ରାସ୍ତାର ମାନ ଭଲ ନାହିଁ ତେବେ ଏହାକୁ ଭଲ କିଏ କରିବ? ଯଦି ପୂର୍ତ୍ତ ବିଭାଗର ରାସ୍ତା ଭଲ ନାହିଁ ତେବେ ବିଏମ୍‌ସି ପୂର୍ତ୍ତ ବିଭାଗକୁ କହି ଚକାଚକ୍ ରାସ୍ତା ନିର୍ମାଣ କରିପାରନ୍ତା। ଯଦି ବିଏମ୍‌ସିର ରାସ୍ତା ଭଲ ନାହିଁ ତେବେ ଇଞ୍ଜିନିୟରିଂ ବିଭାଗକୁ କହି ଉନ୍ନତମାନର ରାସ୍ତା ନିର୍ମାଣ କରାଯାଇପାରନ୍ତା। କିନ୍ତୁ ସେତିକି କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ନାରାଜ। ନିଜେ କହିବେନି କି କରିବେନି। ଦ୍ବିତୀୟରେ ରାଜଧାନୀରେ ଅଧିକାଂଶ ରାସ୍ତା ୩୦ଫୁଟ, ୪୦ଫୁଟର ଥିବାବେବେଳେ ଏହି ରାସ୍ତାରେ ବିଏମ୍‌ସି ଯାନ୍ତ୍ରିକ ସଫେଇ କରୁନି। ଏପରିକି ଯାନ୍ତ୍ରିକ ସଫେଇ ଗାଡ଼ିରେ ଲାଗିଥିବା ବ୍ରସ୍‌ ଓ ଏହାର ଓସାରକୁ ମିଶାଇଲେ ଗାଡ଼ିର ଓସାର ୧୦ଫୁଟ ଭିତରେ ରହୁଛି। ତେଣୁ ବିଏମ୍‌ସିକୁ ସବୁ ପ୍ରମୁଖ ରାସ୍ତା ଓ ୨୦ଫୁଟରୁ ଅଧିକ ଓସାର ରାସ୍ତାରେ ଯାନ୍ତ୍ରିକ ସଫେଇ କରିପାରନ୍ତା କିନ୍ତୁ ତାହା ହେଉନି। ଏବେ ବିଏମ୍‌ସି ଅଧୀନରେ ଦୁଇଟି ସଂସ୍ଥା ଜାଗୃତି ଓ ପ୍ରୋ-ପାୱାର ସୁଇପିଂ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ସଂସ୍ଥା ଯାନ୍ତ୍ରିକ ସଫେଇ କରୁଛନ୍ତି। ସେମାନଙ୍କୁ ନିର୍ଦ୍ଦିଷ୍ଟ ରୁଟ୍‌ ଦିଆଯାଇଛି। ସେହି ରାସ୍ତାରେ ଅଳିଆ, ବାଲି ଥାଉ କି ନଥାଉ ସବୁଦିନ ଏହି ରାସ୍ତାରେ ଯାନ୍ତ୍ରିକ ସଫେଇ ଗାଡ଼ି ବୁଲୁଛି। ଗାଡ଼ି ବୁଲୁଛି କି ନାହିଁ ବିଏମ୍‌ସିର ଏସ୍‌ବିଏ ସେଲ୍‌ କର୍ମଚାରୀ ଜିପିଏସ୍‌ରେ ଟ୍ରାକିଂ କରୁଛନ୍ତି। କିନ୍ତୁ ଗାଡ଼ି ବ୍ରସ୍‌ ଉଠାଇ ବୁଲୁଛି କି ନାହିଁ ତାହା ଜାଣିପାରୁନାହାନ୍ତି। ଯଦି ବିଏମ୍‌ସି କର୍ତ୍ତୃପକ୍ଷ ଦୁଇ ସଫେଇ ସଂସ୍ଥାଙ୍କୁ ପାଳିକରି ପ୍ରତିଦିନ ବିଭିନ୍ନ ରାସ୍ତା ଦିଅନ୍ତେ ତେବେ ପୂରା ରାଜଧାନୀରେ ଯାନ୍ତ୍ରିକ ସଫେଇହୋଇପାରନ୍ତା। ସଫେଇ ସଂସ୍ଥା ଚୁକ୍ତି ଅନୁଯାୟୀ ଦିନକୁ ୮୦କିମି ରାସ୍ତା ସଫେଇ କରନ୍ତେ, ସେମାନଙ୍କ ପ୍ରାପ୍ୟ ପାଆନ୍ତେ। କୌଣସି ରାସ୍ତାରେ ବାଲି ଜମନ୍ତାନି। କିନ୍ତୁ ବାବୁମାନଙ୍କୁ ସବୁଦିନ ଏହି କାମ କରିବାକୁ କଷ୍ଟ ଲାଗୁଛି। ଯାନ୍ତ୍ରିକ ସଫେଇ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ବଦଳରେ ଏହାକୁ ବିଗାଡ଼ି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଯେପରି ଦାନା ବାନ୍ଧିବ ସେଭଳି କାମ କରୁଛନ୍ତି। ବିଏମ୍‌ସିର ବାବୁମାନଙ୍କର ଦୂରଦୃଷ୍ଟି ଅଭାବରୁ ରାଜଧାନୀରେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ଅଧିକ ସୁଫଳ ଦେଇପାରୁନି।
ସୂଚନାଯୋଗ୍ୟ ଯେ, ରାଜଧାନୀରେ ଏବେ କିଟ୍‌ ଛକରୁ ଜୟଦେବ ବିହାର ଛକ, ସିଆର୍‌ପିରୁ ପାୱାରହାଉସ୍‌, ଷ୍ଟିୱାର୍ଟ ସ୍କୁଲରୁ ଡେଲ୍‌ଟା, ଗଭର୍ଣ୍ଣର ହାଉସରୁ ଗୋପବନ୍ଧୁ ଛକ, ଗୋପବନ୍ଧୁ ଛକରୁ ଶିରିପୁର, ଗୋପବନ୍ଧୁ ଛକରୁ ପାଇକନଗର, ଡେଲ୍‌ଟାରୁ ଫାୟାରଷ୍ଟେସନ୍‌ ଛକ, ଡେଲ୍‌ଟାରୁ ଗଙ୍ଗନଗର, ଗଭର୍ଣ୍ଣର ହାଉସ୍‌ରୁ ଗଙ୍ଗନଗର ଛକ, ଜୟଦେବବିହାରରୁ ଗଭର୍ଣ୍ଣର ହାଉସ, କିଟ୍‌ ଛକରୁ ଶିଖରଚଣ୍ଡୀ, ଶିଖରଚଣ୍ଡୀରୁ ଇନ୍‌ଫୋସିସ୍‌ ଛକ, ପଟିଆ ଛକରୁ ଇନ୍‌ଫୋସିସ୍‌, ଆଇଆର୍‌ସି ଭିଲେଜ୍‌ ରିଙ୍ଗ୍‌ରୋଡ୍‌ (ସିଆର୍‌ପି ଛକ-ଏକାମ୍ରକାନନ-ଜୟଦେବ ବିହାର), ଖଣ୍ଡଗିରିରୁୁ ରସୁଲଗଡ଼ ଜାତୀୟ ରାଜପଥର ସର୍ଭିସ୍‌ ରୋଡ୍‌ ପର୍ଯ୍ୟନ୍ତ ପ୍ୟାକେଜ୍‌-୧ରେ ସଫେଇ ହେଉଛି। ପ୍ୟାକେଜ୍‌-୨ରେ ରାଜ୍ୟ ସଂଗ୍ରହାଳୟରୁ ଗ୍ୟାରେଜ୍‌ ଛକ, ବାଣୀବିହାରରୁ ଶିଶୁଭବନ, ଶିଶୁଭବନରୁ କ୍ୟାପିଟାଲ ହସ୍ପିଟାଲ, ନୂଆ ବିମାନବନ୍ଦର ଛକରୁ ବିମାନବନ୍ଦର ଗୋଲେଇ, କଳ୍ପନା ଛକରୁ ଗଭର୍ଣ୍ଣର ହାଉସ୍‌, ରାଜ୍ୟ ସଂଗ୍ରହାଳୟରୁ ରସୁଲଗଡ଼, ଗଙ୍ଗନଗରରୁ ଶିଶୁଭବନ, ଶିଶୁଭବନରୁ ମାଉସୀ ମା’ ଛକ, ସଂଗ୍ରହାଳୟ ଛକରୁ ମାଉସୀମା’ ଛକ-ବଢ଼େଇବାଙ୍କ ହୋଇ ପୁନାମା ଗେଟ୍‌ ଛକ, ପୁନାମା ଗେଟରୁ ଫରେଷ୍ଟ ପାର୍କ ବସ୍‌ଷ୍ଟାଣ୍ଡ, ବଢ଼େଇବାଙ୍କ ଛକରୁ ଗ୍ୟାରେଜ୍‌ ଛକ, ଗଙ୍ଗନଗରରୁ ଏଲ୍‌ଆଇସି ଛକ, ପଟେଲମାର୍ଗ, ମଧୁସୂଦନ ମାର୍ଗ, ରବୀନ୍ଦ୍ରମଣ୍ଡପ ଛକରୁ ୧୨୦ ବାଟାଲିୟନ୍‌ ଛକ, ନିକୋ ପାର୍କରୁ ମହର୍ଷି କଲେଜ ଛକ, ଖଣ୍ଡଗିରିରୁ ଲିଙ୍ଗରାଜ ଷ୍ଟେସନ୍‌ ଗେଟ୍‌- ପୁନାମାଗେଟ୍‌ ଫ୍ଲାଇ-ଓଭର, ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗହସ୍ପିଟାଲ୍‌ ଏବଂ ପ୍ରେସ୍‌ ଛକରୁ ଓମଫେଡ୍‌ ଛକ ପର୍ଯ୍ୟନ୍ତ ଯାନ୍ତ୍ରିକ ସଫେଇ ହେଉଛି।

Share Now:

Kalinga News Beuro

Next Post

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍: ଆସାମ, ପଶ୍ଚିମବଙ୍ଗରେ ସୁରକ୍ଷା କଡ଼ାକଡ଼ି

Sat Mar 27 , 2021
ନୂଆଦିଲ୍ଲୀ : ଆଜି ପଶ୍ଚିମବଙ୍ଗ ଏବଂ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୩୦ ଆସନରେ ଭୋଟ୍‌ ଗ୍ରହଣ ହେବ। ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ମୋଟ୍‌ ୭.୩୨ କୋଟି ଭୋଟର ୧,୦୧,୯୧୬ ନିର୍ବା‌ଚନୀ ବୁଥ୍‌ରେ ଭୋଟ୍‌ ଦେବେ। ତେବେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷରୁ ଅଧିକ ଭୋଟର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ନିର୍ବାଚନ ଥିବା ଜିଲ୍ଲାମାନଙ୍କରେ ୬୮୪ କମ୍ପାନି କେନ୍ଦ୍ରୀୟ ବାହିନୀ […]
ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial