ପିପିଲି ଆସନ ଦଖଲ ପାଇଁ ମହାଲଢ଼େଇ

ପିପିଲି ଉପନିର୍ବାଚନ

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ରୁଦ୍ର ମହାରଥୀ ଓ ଅଜିତ ମଙ୍ଗରାଜ

ଭୁବନେଶ୍ବର : ପୁରୀ ଜିଲ୍ଲା ସଭାପତି ଅଜିତ ମଙ୍ଗରାଜ କଂଗ୍ରେସରୁ ଲଢ଼ିବେ ବୋଲି ହାଇକମାଣ୍ଡ ଘୋଷଣା କରିବା ପରେ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପ୍ରାର୍ଥିତ୍ବକୁ ନେଇ ସୃଷ୍ଟି ହୋଇଥିବା ଉତ୍କଣ୍ଠାର ଆପାତତଃ ଅବସାନ ଘଟିଛି। ମଇଦାନରେ ବିଜେଡିର ରୁଦ୍ର ମହାରଥୀଙ୍କୁ ବାଦ୍‌ଦେଲେ ଅନ୍ୟ ଦୁଇ ପ୍ରାର୍ଥୀ ଅର୍ଥାତ୍ ଶ୍ରୀ ମଙ୍ଗରାଜ ଏବଂ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପୁରୁଣା ମୁହଁ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ନିଜ ନିଜ ଦଳରୁ ପ୍ରାର୍ଥୀ ହୋଇଥିଲେ। ଇତିମଧ୍ୟରେ ଆଶ୍ରିତ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ। ଅନ୍ୟପକ୍ଷରେ ଆସନ୍ତାକାଲି ଠାରୁ ପିପିଲିରେ ଘମାଘୋଟ ଲଢ଼େଇ ଆରମ୍ଭ ହେବ। ଦୋଳପୂର୍ଣ୍ଣମୀ ଓ ହୋଲି ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପିପିଲି ଫେରି ପୁଣି ଥରେ ଡେ଼ରା ପକାଇବାକୁ ନିର୍ଦେଶ ଯାଇଛି। ୨୦୧୯ ନିର୍ବାଚନରେ ପିପିଲିରେ ୧ଲକ୍ଷ ୭୪ ହଜାର ୮୭୫ ଜଣ ମତଦାନ କରିିଥିଲେ। ଦିବଂଗତ ବିଧାୟକ ପ୍ରଦୀପ କୁମାର ମହାରଥୀଙ୍କ ନିକଟକୁ ୮୮ ହଜାର ୫୧୮ ଖଣ୍ଡ ଭୋଟ ଯାଇଥିଲା ଓ ସେ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଆଶ୍ରିତ ସେବେ ୭୨ ହଜାର ୭୩୧ ଖଣ୍ଡ ଓ ପିପିଲି ଆସନରେ ପ୍ରଥମ ଥର ପାଇଁ ତୃତୀୟ ସ୍ଥାନକୁ ଖସିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ୯୮୩୦ ଖଣ୍ଡ ଭୋଟ ପାଇଥିଲେ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ସଂପ୍ରତି ଉପନିର୍ବାଚନରେ ବିଜେଡି ସମସ୍ତ ଶକ୍ତି ପିପିଲିରେ ଖଟାଇ ଏହି ଆସନକୁ ନିଜ ଅକ୍ତିଆରକୁ ଆଣିବାକୁ ଚାହିଁବ। ଏମିତିରେ ବି ସାଧାରଣ ନିର୍ବାଚନ ପରେ ସମସ୍ତ ଉପନିର୍ବାଚନରେ ଦଳ ଜିତିଆସିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ପରିପ୍ରେକ୍ଷୀରେ ଏହି ଧାରା ବଜାୟ ରଖିବା ଏବେ ବିଜେଡି ପାଇଁ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି। ଦ୍ବିତୀୟତଃ ମହାରଥୀଙ୍କ ପରିବାରରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଯେଉଁ ବିତର୍କ ମୁଣ୍ଡ ଟେକିଥିଲା, ତାହାର ଆପାତତଃ ପରିସମାପ୍ତି ଘଟିଛି। ମହାରଥୀଙ୍କ ଅଧ୍ୟାପିକା ପତ୍ନୀ ପ୍ରତିଭା ମହାରଥୀଙ୍କ ଆଶୀର୍ବାଦ ନେଇ ପୁଅ ରୁଦ୍ର ଇତିମଧ୍ୟରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ଯଦିଓ ରୁଦ୍ର ନିର୍ବାଚନ ମଇଦାନରେ ସମ୍ପୂର୍ଣ୍ଣ ନବାଗତ, ଏଥର କିନ୍ତୁ ତାଙ୍କ ସହିତ ପୂରା ବିଜେଡି ଟିମ୍ ରହିଛି। ସବୁ ପଞ୍ଚାୟତରେ ବିଜେଡି ନେତାମାନେ ଛାଇଯାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହା ସତ୍ତ୍ବେ ବିଜେଡି ପାଇଁ ଯେଉଁ ଗୋଟିଏ ଆହ୍ବାନ ରହିଛି, ତାହା ହେଉଛି, ଉପନିର୍ବାଚନ ଅନୁକମ୍ପା ଭୋଟ ମହାରଥୀଙ୍କ ପରିବାର ସପକ୍ଷରେ ଶତ ପ୍ରତିଶତ ନାହିଁ। ଯେଉଁଥିପାଇଁ ବିଜେଡିକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିପାରେ। କଂଗ୍ରେସ ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ହୋଇଛି। ଶ୍ରୀ ମଙ୍ଗରାଜ ଗତଥର ଯେତିକି ଭୋଟ ପାଇଥିଲେ, ଏଥର ଯଦି ତା ଠାରୁ ଅଧିକ ଭୋଟ ନ ପାଆନ୍ତି, ନେତୃତ୍ବ ସମାଲୋଚିତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଏଠାରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପ୍ରାର୍ଥୀ ହେବେ ବୋଲି ଗୋଟିଏ ବାତାବରଣ ସୃଷ୍ଟି ହୋଇଥିଲା। ହେଲେ ହାଇକମାଣ୍ଡ ଶ୍ରୀ ମଙ୍ଗରାଜଙ୍କୁ ବାଛିଛନ୍ତି। ଯଦିଓ ଅଜିତ ତୁରନ୍ତ ଗଣମାଧ୍ୟମକୁ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ସେଥିରେ କହିଛନ୍ତି ଯେ ସେ ଲଢ଼ିବା ଯାହା, ପୂର୍ଣ୍ଣ ସ୍ବାଇଁ ଲଢ଼ିବା ତାହା। ସେମାନେ ନିଜ ଭାଇଭଳି। ତଥାପି ପ୍ରଶ୍ନ ଉଠୁଛି, ଶ୍ରୀ ସ୍ବାଇଁ ଏବଂ ଅନ୍ୟତମ ଦାବିଦାର ଆଇନଜୀବୀ ନିଶିକାନ୍ତ ମିଶ୍ର କିଭଳି ସମର୍ଥନ ଦେଉଛନ୍ତି, ତାହା ଉପରେ କଂଗ୍ରେସର ଭୋଟ ରାଜନୀତି ନିର୍ଭର କରୁଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି, ଦଳର ୩୦ଜଣ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ ହୋଇସାରିଛି। ଦଳ ସେଠାରେ ଜୋରଦାର ପ୍ରଚାର କରିବ। ଜିତିବା ପାଇଁ ଲଢ଼ିବ। ଏହା ସତ୍ତ୍ୱେ ସମୀକ୍ଷକ ମତ ରଖୁଛନ୍ତି ଯେ କଂଗ୍ରେସ ରଣନୀତି ଉପରେ ହିଁ ବିଜେଡି-ବିଜେପିର ଭୋଟ ମୁଖ୍ୟତଃ ନିର୍ଭର କରିବ। ଗତ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପୂର୍ବତନ ବିଧାୟକ ଯୁଧିଷ୍ଠିର ସମାନ୍ତରାୟ ଓହରିଯାଇଥିଲେ। ଏହାର ଏକ ବଡ଼ ପ୍ରଭାବ ନିର୍ବାଚନ ଉପରେ ପ୍ରଭାବ ପଡ଼ିଥିଲା। କଂଗ୍ରେସ ତୃତୀୟ ସ୍ଥାନକୁ ଯାଇଥିଲା ଓ ଦଳର ଗୋଟିଏ ଭଲ ପରିମାଣର ଭୋଟ ବିଜେଡି ପାଖକୁ ଆଉଜିଥିଲା। ଏବେ କିନ୍ତୁ ଏହା ରୁଦ୍ରଙ୍କ ସପକ୍ଷରେ ରହିବ ନା ଅଜିତ ପୁଣି ତାକୁ ଫେରାଇଆଣିବେ, ତାହା ଦେଖିବାର କଥା।
ବିଜେପି ପାଇଁ ଏହି ନିର୍ବାଚନ ବେଶି ଚ୍ୟାଲେଞ୍ଜ ହୋଇଛି। ଏଇଥିପାଇଁ ଯେ ବାଲେଶ୍ବର ସଦର ଆସନ ହରାଇଥିବା ବିଜେପି ଏଠାରେ ଜିତିଲେ ଯାଇ ବିଧାନସଭାରେ ତାର ପୂର୍ବ ସଂଖ୍ୟାକୁ ଫେରିବ। ବିଜେପି ୨୦୧୯ରେ ୨୩ ଆସନ ଜିତିଥିଲା। ହେଲେ ବାଲେଶ୍ବର ଉପନିର୍ବାଚନରେ ବିଜେଡିର ଜିତାପଟ ପରେ ଏହି ସଂଖ୍ୟା ୨୨କୁ ଖସିଛି। ସେତିକି ନୁହେଁ, ଏହି ନିର୍ବାଚନ ହାରିଲେ, ରାଜ୍ୟ ବିଜେପି ଭାବମୂର୍ତି ସଙ୍କଟ ଭିତରକୁ ଚାଲିଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ସବୁ ଉପନିର୍ବାଚନରେ ଦଳକୁ ବିଫଳତାର ସ୍ବାଦ ଚାଖିବାକୁ ପଡ଼ୁଥିବା କାରଣରୁ ନେତାମାନେ ସରକାର ବିରୋଧରେ ଯେତେ ହୁଂକାର ଦେଲେ ବି ତାହା ଆଉ ପୂର୍ବଭଳି ଗ୍ରହଣୀୟ ହେବନାହିଁ। ତେବେ ବିଜେପି ପାଇଁ ଆଶ୍ବସ୍ତିର କଥା ହେଲେ, ଆଶ୍ରିତଙ୍କର ନିଜସ୍ବ ପତିଆରା ନିର୍ବାଚନମଣ୍ଡଳୀରେ ରହିଛି। ଏହା ହିଁ ବିଜେପି ପାଇଁ ସବୁଠାରୁ ବଡ଼ ପୁଞ୍ଜି ବୋଲି ବିଚାର କରାଯାଉଛି। ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ସମ୍ମିଳିତ ଭାବେ ଏଠାରେ ଲଢ଼ନ୍ତି, ତେବେ ଲଢ଼େଇ ଅତି ଆକର୍ଷଣୀୟ ସ୍ତରକୁ ଯାଇପାରେ। ରାଜନୈତିକ ମହଲର କହିବା କଥା, ପାଞ୍ଚ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଲକାତାର ନନ୍ଦିଗ୍ରାମ ଭଳି ଗୁରୁତ୍ବପୂର୍ଣ୍ଣ ଆସନ ଦାୟିତ୍ବରେ ଅଛନ୍ତି। ସେ ପିିପିଲି ପାଇଁ କେତେ ସମୟ ଦେଇପାରିବେ,ସର୍ବୋପରି କେଉଁ କେଉଁ କେନ୍ଦ୍ରୀୟ ନେତାଙ୍କୁ ସେ ଓଡ଼ିଶାକୁ ପଠାଇ ଅଣବିଜେପି ଭୋଟରଙ୍କୁ ପ୍ରଭାବିତ କରିବେ, ସେସବୁ ଆସନ୍ତା ଦିନରେ ବିଜେପି ରଣନୀତିର ଗୋଟିଏ ବଡ଼ ଅଙ୍ଗ ହେବ।

Share Now:

Kalinga News Beuro

Next Post

ସୀମା ଟପିଲା ପ୍ରଦୂଷଣ: ଆନ୍ଦୋଳନ ପାଇଁ ୫ ପଞ୍ଚାୟତବାସୀ ସଜବାଜ

Tue Mar 30 , 2021
ରାଜଗାଙ୍ଗପୁର : ରାଜଗାଙ୍ଗପୁର ବ୍ଲକ୍‌ର ୫ଟି ପଞ୍ଚାୟତର ଲୋକେ ବାୟୁ ପ୍ରଦୂଷଣରେ ଅତିଷ୍ଠ ହେଲେଣି। ବାୟୁ ପ୍ରଦୂଷଣରେ ବର୍ତ୍ତମାନ ଲାଇଙ୍ଗ, କେଶ୍ରାମାଲ, ଢ଼େଲୁଆ, ପାନପୋଷ, ଚୁଙ୍ଗିମାଟି, ଝଗରପୁରର ଲୋକେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଯାହାଫଳରେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି। ରାଜଗାଙ୍ଗପୁର ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍‌ ୱେ’ ପାର୍ଶ୍ବରେ ୪ଟି ସ୍ପଞ୍ଜ୍‌ ଆଇରନ କାରଖାନା ରହିଛି। ୪ଟି ଯାକ କେଶ୍ରାମାଲ ଝଗରପୁର ଏବଂ ଲାଇଙ୍ଗ ପଞ୍ଚାୟତରରେ […]
ସୀମା ଟପିଲା ପ୍ରଦୂଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial