ବିପଦରେ ଐତିହାସିକ କିର୍ତ୍ତୀରାଜି : ସଂସ୍କୃତି ବିଭାଗ ଓ ସରକାର ନିରବଦ୍ରଷ୍ଟା

ବିପଦରେ ଐତିହ୍ୟ

ଘରୋଇ କବ୍‌ଜାରେ ପାଣ୍ଡରା ସତରନଳା

ଭୁବନେଶ୍ବର: ଐତିହାସିକ ପାଣ୍ଡରା ସତରନଳା ଏବେ ଘରୋଇ କବ୍‌ଜାକୁ ଚାଲିଯିବାକୁ ବସିଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ପାଇଁ ରାଜଧାନୀର ଏହି ପ୍ରାଚୀନ କୀର୍ତ୍ତିରାଜିକୁ ଅସାମାଜିକ ବ୍ୟକ୍ତିମାନେ ଜବରଦଖଲ କରିବାକୁ ବସିଛନ୍ତି। ତୁରନ୍ତ ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନ ନେଲେ, ଏହି ଐତିହାସିକ କୀର୍ତ୍ତିରାଜି ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ ଗବେଷକମାନେ ଏହାର ସୁରକ୍ଷା ପାଇଁ ଦାବି କରିଛନ୍ତି। କଟକ-ପୁରୀ ବାଇପାସ୍ ତଥା ଜଗନ୍ନାଥ ସଡ଼କ ନିକଟରେ ଥିବା ପାଣ୍ଡରା ଗାଁରେ ବହୁ ପୁରାତନ ସତରନଳାକୁ କିଛି ସ୍ଥାନୀୟ ବ୍ୟକ୍ତି ଜବରଦଖଲ କରୁଛନ୍ତି। କଂକ୍ରିଟ୍‌ ପିଲାର ନିର୍ମାଣ କରି ଏହାର ପ୍ରମୁଖ ଅଂଶକୁ ମାଡ଼ି ବସିବାକୁ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର ଏଥିପ୍ରତି ପ୍ରଶାସନ ଆଖି ବୁଜି ଦେଇଛି। ଏହି ନଳାଟି ବିଏମ୍‌ସିର ୧୮ନମ୍ବର ୱାର୍ଡ ଅର୍ନ୍ତଗତ ପାଣ୍ଡରା ବାଇପାସ୍ ନିକଟରେ ରହିଛି। କିନ୍ତୁ ଜବରଦଖଲ ହେଉଥିଲେ ମଧ୍ୟ ବିଏମ୍‌ସି ବି ଚୁପ୍ ରହିଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ମାତ୍ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ଭୟରେ କେହି ମୁହଁ ଖୋଲିପାରୁନାହାନ୍ତି। ସୂଚନାଯୋଗ୍ୟ ଏହା ପୁରୀର ୧୮ ନଳା ଶୈଳୀରେ ନିର୍ମିତ। ଏହା ମାଙ୍କଡ଼ା ପଥରରେ ନିର୍ମିତ ହୋଇଛି। ବିନା ସିମେଣ୍ଟରେ କେବଳ ଖିଲଣ କାମ ଦ୍ବାରା ଏହି ପୋଲ ନିର୍ମାଣ କରାଯାଇଛି। ଏବେ ବି ଏହା ଅକ୍ଷୁଣ୍ଣ ଥିବାରୁ ଐତିହାସିକ ଦୃଷ୍ଟିରୁ ପୋଲଟି ଅଧିକ ଗୁରୁତ୍ବପୂର୍ଣ୍ଣ। ଏଥିରେ ୧୭ଟି ନଳା ରହିଛି। ତେଣୁ ପୁରୀର ଅଠରନଳା ସହ ଜଗନ୍ନାଥ ସଡ଼କରେ ଥିବା ଏହି ସତରନଳାକୁ ଯୋଡ଼ି ବହୁ ଲୋକ କଥା ଏବେ ବି ରହିଛି। ପୂର୍ବରୁ ଏଠାରେ ପୁରାତନ ସପ୍ତସତୀ ମୂର୍ତ୍ତି ପୂଜା ପାଉଥିଲେ। କାଳକ୍ରମେ ଦଳିତ ସମ୍ପ୍ରଦାୟର ଲୋକମାନେ ଏହି ମୂର୍ତ୍ତିକୁ ଏବେ ନେଇ ଜାତୀୟ ରାଜପଥ ନିକଟ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଏହି ନଳା କେବେ ଏବଂ କେଉଁ ରାଜାଙ୍କ ସମୟରେ ତିଆରି ହୋଇଛି, କେହି ସ୍ପଷ୍ଟ ଭାବେ କହି ପାରୁନାହାନ୍ତି। ତେବେ ଐତିହାସିକ ଚକ୍ରଧର ମହାପାତ୍ରଙ୍କ ଦ୍ବାରା ଲିଖିତ ପୁସ୍ତକ ‘ରିଅଲ୍ ବାର୍ଥ ପ୍ଲେସ ଅଫ୍ ଗୌତମ ବୁଦ୍ଧ’ ଅନୁସାରେ ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାଦ୍ଦୀରେ ଏହା ନିର୍ମିତ ହୋଇଥିଲା। ମାଦଳା ପାଞ୍ଜି ଅନୁସାରେ ଦଶମ ଶତାଦ୍ଦୀ ଅର୍ଥାତ ସୋମବଂଶୀ ରାଜତ୍ବ ସମୟରେ ଏହା ନିର୍ମିତ ହୋଇଥିଲା। ବଙ୍ଗଳାର ଐତିହାସିକ ଡ.ଦିନେଶ କୁମାର କହିଛନ୍ତି ଏହା ମରହଟ୍ଟା ସମୟର। ବ୍ରିଟିଶ ଇତିହାସ କହେ ଏହି ପୋଲ ଦେଇ ସେମାନେ ଶ୍ରୀକ୍ଷେତ୍ର ପୁରୀକୁ ଯାତାୟାତ କରୁଥିଲେ। ସେହିଭଳି ଲୋକକଥା ଅନୁସାରେ ଦ୍ବାପର ଯୁଗରେ ପାଣ୍ଡବଙ୍କ ଅଜ୍ଞାତବାସ, ପଣ୍ଡୁଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା ଭଳି ଘଟଣାର ମୁଖସାକ୍ଷୀ ହେଉଛି ଏହି ସତରନଳା। କିମ୍ବିରିଆ ନାଳ, ଜଗନ୍ନାଥ ସଡ଼କ, କୁଆଖାଇ ନଦୀ, ଚଣ୍ଡୀ ମନ୍ଦିର ଆଦି ଅନେକ ସ୍ଥାନର କିଂବଦନ୍ତି ସହିତ ଏହି ସତରନଳା ଜଡ଼ିତ ରହିଛି।
ଏହା ଅତୀତ ଇତିହାସର ସ୍ମାରକୀ କହିଲେ ଭୁଲ୍ ହେବ ନାହିଁ ବୋଲି ଗବେଷକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ କହିଛନ୍ତି। ତାଙ୍କ କହିବା ଅନୁସାରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ତତ୍କାଳୀନ ଅଧ୍ୟକ୍ଷ ବିଜୟ ରଥ ଏହି ଐତିହାସିକ ପୋଲ ଏବଂ ବୌଦ୍ଧ ମୂର୍ତ୍ତି ସଂରକ୍ଷିତ କରିଥିଲେ। ବର୍ତ୍ତମାନ ଏହି ପୋଲଟି ଅସୁରକ୍ଷିତ ହୋଇ ପଡ଼ିଥିବାରୁ ଏହାର ସୁରକ୍ଷା ଦିଗରେ ପ୍ରତ୍ନତତ୍ତ୍ବ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯିବା ଅତ୍ୟନ୍ତ ଜରୁରୀ। ଏନେଇ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସହ ଯୋଗାଯୋଗ କରିବା ପରେ ସେ ଏହି ପୋଲର ଗୁରୁତ୍ବ କ’ଣ ଅଛି ଜାଣିବାକୁ ବିଭାଗୀୟ ଅନ୍ୟ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିବେ ବୋଲି କହିଥିଲେ।

Share Now:

Kalinga News Beuro

Next Post

କୋଭିଡ୍‌ କଟକଣା ମାନୁନାହାନ୍ତି ରାଜଧାନୀବାସୀ : ମାର୍କେଟ୍‌ ବିଲ୍‌ଡିଂରେ ଚଢ଼ଉ

Sat Apr 3 , 2021
ଗୋଟିଏ ସପିଂ ମଲ୍‌ ସିଲ, ଖାଓଗଳିରେ ତନାଘନା ଓ ଅମାନିଆଙ୍କୁ ତଣ୍ଡ ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବା ପରେ ଚଢ଼‌ଉକୁ ଜୋରଦାର କରିଛି ବିଏମ୍‌ସି। ବିଏମ୍‌ସିର କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ଜୋନ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଆଜି ମାର୍କେଟ୍‌ ବିଲଡିଂରେ ଥିବା ବିଭିନ୍ନ ସୋ’ରୁମ୍‌ ଓ ଦୋକାନଗୁଡ଼ିକୁ ଯାଞ୍ଚ କରାଯାଇଛି। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବାରୁ ‌େଗାଟିଏ ମଲ୍‌କୁ ସିଲ୍‌ କରାଯାଇଥିବାବେଳେ ମାର୍କେଟ୍‌ ବିଲଡିଂରେ ଥିବା […]
ମାର୍କେଟ୍‌ ବିଲ୍‌ଡିଂରେ ଚଢ଼ଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial