କୋଭିଡ୍‌ କଟକଣା ମାନୁନାହାନ୍ତି ରାଜଧାନୀବାସୀ : ମାର୍କେଟ୍‌ ବିଲ୍‌ଡିଂରେ ଚଢ଼ଉ

ମାର୍କେଟ୍‌ ବିଲ୍‌ଡିଂରେ ଚଢ଼ଉ

ଗୋଟିଏ ସପିଂ ମଲ୍‌ ସିଲ, ଖାଓଗଳିରେ ତନାଘନା ଓ ଅମାନିଆଙ୍କୁ ତଣ୍ଡ

ଭୁବନେଶ୍ବର : ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବା ପରେ ଚଢ଼‌ଉକୁ ଜୋରଦାର କରିଛି ବିଏମ୍‌ସି। ବିଏମ୍‌ସିର କେନ୍ଦ୍ରୀୟ ଓ ଦକ୍ଷିଣ ପୂର୍ବ ଜୋନ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଆଜି ମାର୍କେଟ୍‌ ବିଲଡିଂରେ ଥିବା ବିଭିନ୍ନ ସୋ’ରୁମ୍‌ ଓ ଦୋକାନଗୁଡ଼ିକୁ ଯାଞ୍ଚ କରାଯାଇଛି। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଥିବାରୁ ‌େଗାଟିଏ ମଲ୍‌କୁ ସିଲ୍‌ କରାଯାଇଥିବାବେଳେ ମାର୍କେଟ୍‌ ବିଲଡିଂରେ ଥିବା ଆଉ ୩ଟି ମଲ୍‌ରୁ ୨୦ ହଜାର ଟଙ୍କର ଜରିମାନା ଆଦାୟ କରାଯାଇଛି। ଅନ୍ୟାନ୍ୟ ଦୋକାନଗୁଡ଼ିକଠାରୁ ଦୁଇ ହଜାର ଟଙ୍କା‌ କରି ଜରିମାନା ଆଦାୟ ହୋଇଛି। ବିଏମ୍‌ସି ଅତିରିକ୍ତ କମିସନର୍‌ ଲକ୍ଷ୍ମୀକାନ୍ତ ସେଠୀ, ଜେଡିସି ଅଂଶୁମାନ ରଥ ଓ ଆସିଷ୍ଟାଣ୍ଟ କମିସନର(ଏନ୍‌ଫୋ‌ର୍ସମେଣ୍ଟ) ଲିଲନ୍‌ ପ୍ରସାଦ ସାହୁଙ୍କ ଉପସ୍ଥିତିରେ ଚଢ଼ଉ କରାଯାଇଥିଲା।

ଅନ୍ୟପକ୍ଷରେ ରାମମନ୍ଦିର ପଛପାର୍ଶ୍ବରେ ଥିବା ଖାଓ ଗଳିରେ ବି ବିଏମ୍‌ସି ଟିମ୍‌ ଚଢ଼ାଉ କରିଛି। ସନ୍ଧ୍ୟାରେ ଏହି ଚଢ଼ଉ ସମୟରେ ଅଧିକାଂଶ ବ୍ୟବସାୟୀ ମାସ୍କ ପିନ୍ଧି ନ ଥିବା ନଜରକୁ ଆସିଥିଲା। ଦୋକାନରେ କାର୍ଯ୍ୟ କରୁଥିବା ରୋଷେୟା, ୱେଟରଙ୍କ ମୁହଁରେ ବି ମାସ୍କ ନ ଥିଲା। ଗ୍ରାହକଙ୍କ ମଧ୍ୟରେ ଆଦୌ ସାମାଜିକ ଦୂରତା ନ ଥିଲା। ଖାଦ୍ୟ ସଂଗ୍ରହ କରିବା ସମୟରେ ପରସ୍ପର ଉପରେ ଚଢ଼ି ଯାଉଥିବା ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ବିଏମ୍‌ସି ସ୍କ୍ବାଡ୍‌ ପକ୍ଷରୁ ଖାଓଗଳିରେ ଥିବା ବ୍ୟବସାୟୀମାନଙ୍କଠାରୁ ୧୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ କହିବାନୁଯାୟୀ, ରାଜଧାନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଚଢ଼ଉକୁ ଆହୁରି କଡ଼ାକଡ଼ି କରାଯିବ। ବିମାନବନ୍ଦର, ରେଳଷ୍ଟେସନ, ମାର୍କେଟ୍ ଆଦି ସ୍ଥାନରେ ବିଏମ୍‌ସି ପକ୍ଷରୁ ନଜର ରଖାଯାଇଛି। ବିମାନବନ୍ଦରରେ ଟେଷ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି। ରେଳ ଷ୍ଟେସନ୍‌ରେ ସ୍କ୍ରିନିଂ ଚାଲିଛି। ୨ରୁ ୩ଟି ଟିମ୍‌ ସେଠାରେ ରହି ନିୟମିତ ଭାବେ ଯାତ୍ରୀଙ୍କ ଉପରେ ନଜର ରଖିଛନ୍ତି। ଏବେ ମାର୍କେଟ୍‌ ଉପରେ ଚଢ଼ଉ କରିବାକୁ ବ୍ୟବସ୍ଥା ହୋଇଛି। କମିସନରେଟ୍‌ ପୁଲିସ ଓ ବିଏମ୍‌ସି ମିଳିତ ଭାବେ ଏହି ଚଢ଼ଉରେ ସାମିଲ ହେବେ। ଯେଉଁଠାରେ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ହେଉଥିବା ନଜରକୁ ଆସିବ, ସିଲ୍‌ କରାଯିବ। ରାଜଧାନୀବାସୀ ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

Share Now:

Kalinga News Beuro

Next Post

ଆସାମରେ ବିଜେପି ନେତାଙ୍କ ଇଭିଏମ ଚୋରି : ୪ ଅଧିକାରୀ ନିଲମ୍ବିତ

Sat Apr 3 , 2021
ପୁନର୍ବାର ଭୋଟିଂ ପାଇଁ ଇସିଙ୍କ ନିର୍ଦ୍ଦେଶ ଗୌହାଟୀ : ଆସାମର ରତାବରୀ ଆସନରେ ନିର୍ବାଚନ କମିସନ୍‌ ଆଜି ପୁନର୍ବାର ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିଜେପି ପ୍ରାର୍ଥୀଙ୍କ କାର୍‌ରେ ନିର୍ବାଚନ କମିସନ୍‌ ଅଧିକାରୀମାନେ ଇଭିଏମ୍‌ ନେଉଥିବା ଘଟଣାକୁ ନେଇ ବିବାଦ ହେବାପରେ କମିସନ୍‌ ଉକ୍ତ ଆସନ‌ରେ ପୁନର୍ବାର ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାରେ ୪ ଜଣ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଘଟଣାକୁ ନେଇ କରିମଗଂଜ ଜିଲ୍ଲାରେ […]
ଆସାମ ବିଜେପି ନେତାଙ୍କ କାର୍‌ରେ ଇଭିଏମ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial