ସହରସାରା ଅମାନିଆ: କରୋନାକୁ ଭୟ ନାହିଁ, ଧରପଗଡ଼କୁ ଖାତିର ନାହିଁ

ସହରସାରା ଅମାନିଆ

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଆପାର୍ଟମେଣ୍ଟ ଆଦି ସଂସ୍ଥାରେ ବହୁ ସଂଖ୍ୟାରେ କରୋନା ପଜିଟିଭି ଚିହ୍ନଟ ହେଉଛନ୍ତି। ତଥାପି ରାଜଧାନୀରେ ଅମାନିଆଙ୍କ ସଂଖ୍ୟା କମିବା ନାଁ ଧରୁନାହିଁ। ହାଟ ବଜାର ସବୁଠି ଲୋକେ ଦେଳଦଳ ହୋଇ ବୁଲିବା ସହ କରୋନା କଟକଣାକୁ ଫୁ’ କରି ଉଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି। ଗତକାଲି ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ବିଶେଷ କରି ବିଭିନ୍ନ ରାସ୍ତାକଡ଼ ଖାଦ୍ୟ ଦୋକାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଏହି ଦୋକାନମାନଙ୍କ ଆଗରେ ଉଭୟ ଗ୍ରାହକ ଏବଂ ଦୋକାନୀମାନେ କୋଭିଡ୍ କଟକଣାକୁ ଖୁଲମ୍‌ଖୁଲା ଉଲ୍ଲଘଂନ କରୁଥିଲେ। ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିଲା କି ସେମାନେ ସାମାଜିକ ଦୂରତା ମାନୁନଥିଲେ। ସେହିଭଳି ଘରକରଣା ସାମଗ୍ରୀ, କସ୍‌ମେଟିକ୍ ଦୋକାନ ଓ ଡ୍ରେସ୍ ଦୋକାନରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସମାନ ଅବସ୍ଥା ଥିଲା ୟୁନିଟ-୧ କ୍ୟାପିଟାଲ ହାଟରେ। ପରିବା ଦୋକାନଗୁଡ଼ିକରେ ଅସମ୍ଭାଳ ଭିଡ଼ ହୋଇଥିଲା। ଅଧିକାଂଶ ଗ୍ରାହକ ବିନା ମାସ୍କରେ ପରିବା କିଣୁଥିଲେ। ସେଠାରେ ସାମାଜିକ ଦୂରତାର ଚିହ୍ନବର୍ଣ୍ଣ ନଥିଲା। ଲୋକେ ଠେଲାପେଲା ହୋଇ ଚଳପ୍ରଚଳ ହେଉଥିଲେ। ଏଭଳି ଗହଳି ଦେଖି କମିସନରେଟ୍ ପୁଲିସର ବଡ଼ ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ। ସେମାନେ ଲୋକଙ୍କୁ ସଚେତନ କରିବା ସହ କେତେକ ଦୋକାନୀ ଓ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରିଥିଲେ। ମାତ୍ର ଲୋକଙ୍କ ଉପରେ ସେମାନଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିଲା ଭଳି ମନେ ହୋଇ ନ ଥିଲା।

ଲଗାତାର ଦୁଇ ଦିନ ହେଲା ରାଜଧାନୀରେ ‌ସଂକ୍ରମଣ ୧୦୦ ପାର୍ କରିଛି। ଶିକ୍ଷାନୁଷ୍ଠାନଠୁ ନେଇ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ପ୍ରାୟ ସବୁ ଇଲାକାରୁ ବାହାରୁଛନ୍ତି ଆକ୍ରାନ୍ତ। ସ୍ଥିତି କମ୍ରଶଃ ଚିନ୍ତାଜନକ ହେଉଥିବାବେଳେ ବିଏମ୍‌ସି ଓ ପୁଲିସ ସଚେତନ କରୁଛି, ଧରପଗଡ଼ କରୁଛି, ସ୍ଥଳବିଶେଷରେ ଜରିମାନା ବି ଆଦାୟ କରୁଛି। ହେଲେ ହାଟ, ବଜାର, ମଲ୍‌, ବ୍ୟାଙ୍କ୍‌, ଶିକ୍ଷାନୁଷ୍ଠାନରେ ଅମାନିଆଙ୍କ ଭିଡ଼ କମୁନି। ସାମାଜିକ ଦୂରତା ଦୂରେ ଥାଉ, ଅଧିକାଂଶଙ୍କ ମୁହଁରେ ମାସ୍କଟିଏ ମଧ୍ୟ ନାହିଁ। ବୁଧବାର ଆମର ଏକ ଟିମ୍ ଏକ ନମ୍ବର ହାଟ, ମାର୍କେଟ ବିଲ୍‌ଡିଂ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, କୋର୍ଟ ପରିସରର ବୁଲି ଆଜି ସ୍ଥିତି ପରଖିଲା ବେଳେ ମନେ ହୋଇଥିଲା ସତେ ଯେମିତି ପୂରା ରାଜଧାନୀରେ କରୋନା ବାଣ୍ଟିଦେବାକୁ ସମସ୍ତେ ପଣ କରିଛନ୍ତି।

କୋର୍ଟ ପରିସରରେ କଟକଣା ଢିଲା
ଭୁବନେଶ୍ବର କୋର୍ଟ ପରିସରରେ ମଧ୍ୟ କରୋନା କଟକଣାକୁ ଅଧିକାଂଶ ଲୋକ ମାନୁନଥିବା ଦେଖିବାକୁ ମିଳିଥିଲା। ଏଠାରେ ଶହ ଶହ ଲୋକ ବିନା ମାସ୍କରେ ବୁଲୁଥିଲେ। ସାମାଜିକ ଦୂରତା କେଉଁଠି ନ ଥିଲା କହିଲେ ଚଳେ। କୋର୍ଟ ପରିସରରେ ଥିବା ମୁଖ୍ୟତଃ ସବ୍‌ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଜମି କିଣାବିକା ପାଇଁ ଆସିଥିବା ଲୋକେ କଟକଣା କଥା ସତେ ଯେପରି ଭୁଲି ଯାଇଥିଲେ। ଲୋକେ ମୁହଁକୁ ମୁହଁ ଯୋଡ଼ି କଥା ହେଉଥିବା ବେଳେ ଠେଲାପେଲା ହୋଇ ଯା’ଆସ କରୁଥିଲେ। କେବଳ ଉପନିବନ୍ଧକଙ୍କ ସମୁଖକୁ ଗଲା ବେଳେ ଲୋକେ ମୁହଁରେ ମାସ୍କ ପିନ୍ଧି ଯାଉଥିଲେ। ମାତ୍ର ବାହାରେ ଅଧିକାଂଶ ଲୋକ ବିନା ମାସ୍କରେ ବୁଲୁଥିବା ପରିଲକ୍ଷିତ ହୋଇଥିଲା।

Share Now:

Kalinga News Beuro

Next Post

ଶୋପିଆଁ ଓ ଅବନ୍ତୀପୋରାରେ ଏନ୍‌କାଉଣ୍ଟର୍‌: ୪ ଆତଙ୍କବାଦୀ ନିହତ ଓ ୪ ଯବାନ ଆହତ

Fri Apr 9 , 2021
ଶ୍ରୀନଗର: ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆଁ ଏବଂ ପୁଲୱାମା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଘଟିଥିବା ଦୁଇଟି ପୃଥକ୍‌ ‘ଏନ୍‌କାଉଣ୍ଟର୍‌’ରେ ଚାରିଜଣ ଆତଙ୍କବାଦୀ ନିହତ ଓ ଚାରିଜଣ ଯବାନ ଆହତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଶୋପିଆଁ ସହରରେ ହୋଇଥିବା ଗୁଳିବିନିମୟ ଘଟଣାରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଜନ୍‌ ମୋହଲ୍ଲାସ୍ଥିତ ଆଞ୍ଚଳିକ ମସ୍‌ଜିଦ୍‌ରେ ଆତ୍ମଗୋପନ କରିଥିବା ମନେହେଉଛି। ଜଣେ ସେନା ଅଧିକାରୀଙ୍କ […]
୪ ଆତଙ୍କବାଦୀ ନିହତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial