ବାହାର ରାଜ୍ୟରୁ ଘରକୁ ଫେରୁଛନ୍ତି ଶହଶହ ପ୍ରବାସୀ: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ମୁକୁଳା

ବାହାର ରାଜ୍ୟରୁ ଘରକୁ ଫେରୁଛନ୍ତି ଶହଶହ ପ୍ରବାସୀ

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଜାରି ହେଲାଣି। ପଶ୍ଚିମ ଓଡ଼ିଶାର ଛତିଶଗଡ଼ ସଂଲଗ୍ନ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ମଧ୍ୟ ହେଲାଣି। କିନ୍ତୁ କରୋନାର ମାରାତ୍ମକ ଭୂତାଣୁ ଧରି ବସ୍‌ରେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଉପରେ କାହାର ନଜର ନାହିଁ। ନା ସେମାନଙ୍କର କରୋନା ପରୀକ୍ଷା ହେଉଛି ନା ସେମାନଙ୍କୁ ସଙ୍ଗରୋଧରେ ରଖାଯାଉଛି। କୋଲକାତାରୁ ରାଜଧାନୀକୁ ଦିନକୁ ପ୍ରାୟ ୧୦ରୁ ଅଧିକ ବସ୍‌ ଆସୁଛି, ରାଞ୍ଚିରୁ ୫ରୁ ଅଧିକ ବସ୍‌, ହାଇଦ୍ରାବାଦ ଓ ବିଶାଖାପାଟଣାରୁ ୫ରୁ ଅଧିକ ବସ୍‌ ଭୁବନେଶ୍ବର ଆସୁଛି। ଛତିଶଗଡ଼ର ରାୟପୁର ଓ ବିଭିନ୍ନ ସହରରୁ ଭୁବନେଶ୍ବରକୁ ବସ୍‌ ସେବା ବନ୍ଦ ହୋଇଥିଲେ ବି ବାହାର ରାଜ୍ୟରୁ ପ୍ରାୟ ୨୦ଟି ବସ୍‌ ଦୈନିକ ଆସୁଛି। ଏଥିରେ ପ୍ରାୟ ୭୦୦ରୁ ୮୦୦ ଲୋକ ପ୍ରତିଦିନ ଆସୁଛନ୍ତି। କିନ୍ତୁ ଏହା ଉପରେ ବିଏମ୍‌ସିର ନିଘା ନାହିଁ। ବିମାନବନ୍ଦର ଓ ରେଳଷ୍ଟେସନ୍‌ରେ ଚେକିଂ, ଟେଷ୍ଟିଂ ଜୋରଦାର୍ ହେଉଥିଲେ ହେଁ ବରମୁଣ୍ଡା ବସଷ୍ଟାଣ୍ଡ ମୁକୁଳା ପଡ଼ିଛି। ଏବେ ରାଜଧାନୀରେ ବାହାର ରାଜ୍ୟ ଫେରନ୍ତା ବହୁତ ଆକ୍ରାନ୍ତ ହେଲେଣି। କିନ୍ତୁ ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଆକ୍ରାନ୍ତଙ୍କ ଉପରେ ଏ ପର୍ଯ୍ୟନ୍ତ ନଜର ରଖାଯାଇପାରିନି। ଫଳରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପାଇଁ ଏକରକମ ବାଟ ଖୋଲି ଦିଆଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ବିମାନ ଓ ଟ୍ରେନ୍‌ରେ ଆସିଲେ, ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଆଣିବା କିମ୍ବା କୋଭିଡ୍‌ ଟିକାର ଦ୍ବିତୀୟ ଡୋଜ୍ ସାର୍ଟିଫିକେଟ୍ ଦେଖାଇବା ବାଧ୍ୟତାମୂଳକ କରାଯାଇଥିବାରୁ ବହୁ ଲୋକ ଏବେ ଗଳା ବାଟ ଖୋଜୁଛନ୍ତି। ଆନ୍ଧ୍ରପ୍ରଦେଶ, ମହରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, ଦିଲ୍ଲୀ, କର୍ଣ୍ଣାଟକ ଆଦି ରାଜ୍ୟରେ କାମ କରୁଥିବା ଲୋକମାନେ ଏବେ ବସ୍‌ ଯୋଗେ ଭୁବନେଶ୍ବର ଆସୁଛନ୍ତି। ବିଶେଷକରି ବିଶାଖାପାଟଣା, କୋଲକତା ଭାୟା ହୋଇ ଲୋକମାନେ ବସ୍‌ରେ ଓଡ଼ିଶାରେ ପ୍ରବେଶ କରୁଛନ୍ତି। ବସ୍‌ରେ ଆସିବାବେଳେ ହେଉ କି ବସ୍‌ରେ ଓହ୍ଲାଇବା ପରେ କୌଣସି ସ୍ଥାନରେ କିଛି ବି ଯାଞ୍ଚ ହେଉନି। ତେଣୁ ଲୋକମାନେ ଏହାର ଫାଇଦା ଉଠାଉଛନ୍ତି।

ଅନ୍ତଃରାଜ୍ୟ ବସ୍‌ରେ ଭୋର ଭୋର ଭୁବନେଶ୍ବରରେ ପହଞ୍ଚୁଥିବା ଯାତ୍ରୀମାନେ ଯାଞ୍ଚର ସମୁଖୀନ ନ ହେବା ଲାଗି ବରୁମଣ୍ଡାରେ ନ ଓହ୍ଲାଇ ଖଣ୍ଡଗିରି କିମ୍ବା ବାଣୀବିହାର ଆଦି ଛକରେ ଓହ୍ଲାଇ ପଡ଼ୁଛନ୍ତି। ବିଏମ୍‌ସି ପକ୍ଷରୁ ରେଳ ଷ୍ଟେସନ୍ ଓ ବିମାନବନ୍ଦରରେ ୮ରୁ ୧୦ଟି କାଉଣ୍ଟର୍‌ ଖୋଲା ଯାଇଛି, ଥର୍ମାଲ୍ ସ୍କ୍ରିନିଂ ହେଉଛି, ନାମ ପଞ୍ଜୀକରଣ ହେଉଛି, ଆଣ୍ଟିଜେନ୍ ଟେଷ୍ଟ ହେଉଛି। କିନ୍ତୁ ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା ବି ନାହିଁ। ରାଜ୍ୟ ସରକାର କୋଭିଡ୍‌ କଟକଣା ଯେତେ କଡ଼ାକଡ଼ି କଲେ ବି ବସ୍‌ଷ୍ଟାଣ୍ଡରେ ନ ଜଗିଲେ ସବୁ ଫସର ଫାଟିଯିବ, ତାହା କେହି ବୁଝୁ ନାହାନ୍ତି। କେବଳ ନିୟମିତ ଚାଲୁଥିବା ବସ୍‌ରେ ଯାତ୍ରୀ ଆସୁନାହାନ୍ତି; ଏବେ ବହୁ ଠିକାସଂସ୍ଥା, ବିଲଡର୍ ବାହାର ରାଜ୍ୟରୁ ଶ୍ରମିକ, ମିସ୍ତ୍ରିମାନଙ୍କୁ ବାହାର ରାଜ୍ୟରୁ ବସ୍‌ରେ ବୋହି ଆଣୁଛନ୍ତି। ସେମାନଙ୍କର କିଛି ଯାଞ୍ଚ ହେଉନି। ସେମାନେ ବିଭିନ୍ନ ସ୍ଥାନରେ ଟେଣ୍ଟ କରି ରହୁଛନ୍ତି, ନଚେତ୍ ବସ୍ତିରେ ଘର ଭଡ଼ା ନେଇ ରହୁଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କାକୁ ଏଡ଼ାଇ ହେବନି। ଏ ନେଇ ବିଏମ୍‌ସିର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍‌ ଗୋଟିଏ ଜାଗାରେ ରହୁନି। ବାହାର ରାଜ୍ୟରୁ ଆସୁଥିବା ବସ୍‌ ବିଭିନ୍ନ ସ୍ଥାନରେ ରହୁଛନ୍ତି। ତେଣୁ ବିଭିନ୍ନ ସ୍ଥାନରେ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଏହାବାଦ୍ ବସ୍‌ଷ୍ଟାଣ୍ଡ ନବୀକରଣ କାମ ଚାଲୁଥିବାରୁ ଷ୍ଟାଣ୍ଡ ଭିତରେ ବହୁତ ଜାମ୍ ହେଉଛି। ସେଥିରେ ଥର୍ମାଲ୍ ସ୍କ୍ରିନିଂ କରି ଯାତ୍ରୀଙ୍କୁ ଛାଡ଼ିଲେ ଭିଡ଼ ହେବ। ସେଥିପାଇଁ ଆମେ କିଛି ବ୍ୟବସ୍ଥା କରିନୁ। ରାଜଧାନୀକୁ ଯଦି କେହି ବାହାର ରାଜ୍ୟରୁ ଆସୁଛନ୍ତି, ତେବେ ପଡ଼ିଶା ଲୋକ ବିଏମ୍‌ସିକୁ ଜଣାଇବାକୁ କୁହାଯାଇଛି। ବାହାର ରାଜ୍ୟ ଫେରନ୍ତାଙ୍କ ବିଷୟ‌ରେ ବିଏମ୍‌ସିକୁ ଜଣାଇବାକୁ କୁହାଯାଇଥିଲେ ବି କେହି ଏ ନେଇ ବିଏମ୍‌ସିକୁ କିଛି ଜଣାଉନାହାନ୍ତି। କାରଣ କିଏ କେଉଁଠୁ ଆସିଲା, ପଡ଼ିଶା ଲୋକ କିପରି ଜାଣିବେ ଯେ କହିବା ? ଭୁବନେଶ୍ବର ତ ଗାଁ ନୁହେଁ।

Share Now:

Kalinga News Beuro

Next Post

ଆଜିଠୁ ନାଇଟ୍‌ କର୍ଫ୍ୟୁ: ରାତି ୯ରୁ ସକାଳ ୫ ଯାଏ କଟକଣା

Sat Apr 17 , 2021
ବୁଲିଲା ସଚେତନତା ଗାଡ଼ି, ୱାର୍ଡ ଅଫିସ୍‌ରେ ବାର୍ତ୍ତା ଭୁବନେଶ୍ୱର : ରାଜଧାନୀରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ରୋକିବା ଲାଗି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଣ୍ଟା ଭିଡ଼ିଛି। ସ୍ଥିତି ନିୟନ୍ତ୍ରଣକୁ ଆଣିବା ଓ ଜନ ସଚେତନତା ସୃଷ୍ଟି ଦିଗରେ ଅନେକ ପଦକ୍ଷେପ ନିଆଯାଇଛି। ଗୁରୁବାର ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଆଧାରରେ ଶନିବାରଠାରୁ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହେବ। ତାହାକୁ ଦୃଷ୍ଟିରେ ରଖି ଆଜିଠାରୁ ସଚେତନତା […]
ଆଜିଠୁ ନାଇଟ୍‌ କର୍ଫ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial