ଗୋଟିଏ ଦିନରେ ଏମ୍‌ସର ୭ କର୍ମଚାରୀ ପଜିଟିଭ୍‌, ବିନା ଚିକିତ୍ସାରେ ଫେରିଲେ ରୋଗୀ

ଗୋଟିଏ ଦିନରେ ଏମ୍‌ସର ୭ କର୍ମଚାରୀ ପଜିଟିଭ୍‌

ଭୁବନେଶ୍ୱର: ଶୁକ୍ରବାର ଗୋଟିଏ ଦିନରେ ଏକସଙ୍ଗରେ ୭ ଜଣ ଏମ୍‌ସ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେଲେ। ଏହାପରଠାରୁ ଅଧିକାଂଶ ଅଣକୋଭିଡ୍‌ ରୋଗୀଙ୍କୁ ଫେରାଇ ଦେଲେ ଡାକ୍ତର। ଏହାଛଡ଼ା ଗତ ତିନି ଦିନ ହେଲା ଆଇପିଡିର ରୋଗୀଙ୍କୁ ଡିସଚାର୍ଜ କରାଯାଉଛି। ବିନା ଚିକିତ୍ସାରେ ରୋଗ ଯନ୍ତ୍ରଣା ସହିତ ସଟ୍‌ଡାଉନ ସ୍ଥିତି ରୋଗୀ, ପରିଜନଙ୍କ ଦୁଃଖ କାହିଁରେ କେତେ ବଢ଼ାଇ ଦେଇଛି। ବର୍ତ୍ତମାନ ସ୍ଥିତିରେ କୋଭିଡ୍‌ ଯୋଗୁଁ ରୋଗୀଙ୍କ ଦୁଃଖ ଯେତିକି ବଢ଼ୁଛି, ଅଣକୋଭିଡ୍‌ ରୋଗୀଙ୍କ ଅବସ୍ଥା ଆହୁରି ଜଟିଳ ହୋଇ ପଡ଼ିଛି। ସୋମବାରଠାରୁ ୧୦ ଜରୁରୀ ସେବା ବ୍ୟତୀତ ଓପିଡି ବନ୍ଦ ପାଇଁ ଘୋଷଣା କରିଥିଲେ ଏମ୍‌ସ କର୍ତ୍ତୃପକ୍ଷ। ଏହା ପୂର୍ବରୁ ରୋଗୀଙ୍କୁ ଏହିଭଳି ଫେରାଇ ଦେବା ସେମାନଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ବିଡ଼ମ୍ବନା ହେଲା, ରୋଗୀଙ୍କ ଏଭଳି ଦୁର୍ଦ୍ଦଶାରୁ ଫାଇଦା ଉଠାଇ ଦୁଇରୁ ତିନି ଗୁଣ ଅଧିକ ଭଡ଼ା ଆଦାୟ କରିଛନ୍ତି ଅନେକ ଗାଡ଼ି, ଅଟୋ ଚାଳକ। କାନ ପାଚି ଯାଇଥିବାରୁ ଚିକିତ୍ସା ପାଇଁ ଏମ୍‌ସ ଆସିଥିଲେ ବାଲେଶ୍ବର ଜିଲ୍ଲାର ସସ୍ମିତା ଜେନା(୩୪)। ଘରୋଇ ଡାକ୍ତରଖାନାରେ ଚିକିତ୍ସା କଲେ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏମ୍‌ସରେ ସ୍ବଳ୍ପ ଖର୍ଚ୍ଚରେ ଉନ୍ନତମାନର ଚିକିତ୍ସା ପାଇଁ ଦୌଡ଼ି ଆସିଥିଲେ। ଅସ୍ତ୍ରୋପଚାର ପାଇଁ ୨୪ ତାରିଖର ଦିନ ଧାର୍ଯ୍ୟ ହୋଇଥିଲା। ନିର୍ଦ୍ଧାରିତ ଦିନରେ ପହଞ୍ଚିବା ବେଳକୁ ଡାକ୍ତର ଫେରାଇ ଦେବା ପରେ ଯେଉଁଭଳି ଅବସ୍ଥା ହେଲା ତାହାକୁ ସସ୍ମିତା ଓ ତାଙ୍କ ସ୍ବାମୀ ଭୁଲି ପାରିବେ ନାହିଁ। ସଟ୍‌ଡାଉନ ଯୋଗୁଁ ଦୀର୍ଘ ୪ ଘଣ୍ଟା ଟାଉନ ବସ୍ ପାଇଁ ଅପେକ୍ଷା କରିବା ପରେ ମଧ୍ୟ ତାଙ୍କୁ ବସ୍ ମିଳି ନଥିଲା। ଅସୁବିଧାର ଫାଇଦା ଉଠାଇ ଅଟୋ ଚାଳକମାନେ ଷ୍ଟେସନ ନେବା ପାଇଁ ୫୦୦ ଟଙ୍କା ଦାବି କରିଥିଲେ। ଅନୁରୋଧ ପରେ ସେମାନେ ୩୦୦ ଟଙ୍କା ଦେଇ ଷ୍ଟେସନ ଯାଇଥିଲେ। ଭଦ୍ରକ ଜିଲ୍ଲାରୁ ଆସିଥିବା ଯୁଧିଷ୍ଠିର ଦାସ( ୫୬ )ଙ୍କ ସ୍ଥିତି ମଧ୍ୟ ଆହୁରି ଦୁଃଖଦ ଥିଲା। ପେଟରେ ଷ୍ଟୋନ୍ ହୋଇଥିବାରୁ ସେ ମାର୍ଚ୍ଚ ୧ ତାରିଖରେ ଏମ୍‌ସ ଆସିଥିଲେ। ସବୁ ପରୀକ୍ଷା କରି ଆସିଲେ ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର କହିଥିଲେ। ସେ ୭ ଦିନ ଆଗରୁ ଆସି ଯାତ୍ରୀ ବିଶ୍ରାମାଗାରରେ ରହି ପରୀକ୍ଷା କରାଇଥିଲେ। ଆଜି ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ତାରିଖ ଦେଇଥାନ୍ତେ, ହେଲେ ତାଙ୍କୁ ମଧ୍ୟ ନିରାଶ ହେଇ ଫେରିବାକୁ ପଡ଼ିଛି। ଅସ୍ତ୍ରୋପଚାର ତାରିଖ ଦେବେ କ’ଣ ଘରକୁ ଫେରିଯିବା ପାଇଁ କହିଥିଲେ। ପୂର୍ବାହ୍ନ ୧୧ ଟାରୁ ୩ ଟା ଯାଏ ସେ ମଧ୍ୟ ଟାଉନ ବସ୍ ପାଇଁ ଅପେକ୍ଷା କରିଥିଲେ। ହେଲେ ବସ୍ ପାଇ ନଥିଲେ। ଶେଷରେ ସେ ଅଟୋ ଭଡ଼ା କରି ଷ୍ଟେସନ ଯାଇଥିଲେ। ଏହା କେବଳ କିଛି ଉଦାହରଣ ମାତ୍ର। ଏମ୍‌ସର ଅନେକ ଅଣକୋଭିଡ୍‌ ରୋଗୀ ଆଜି ଏହିଭଳି ସ୍ଥିତିର ସାମ୍ନା କରିଛନ୍ତି।

Share Now:

Kalinga News Beuro

Next Post

ମଦ ବଦଳରେ ସାନିଟାଇଜର ପିଇ ୭ଜଣଙ୍କ ମୃତ୍ୟୁ

Sun Apr 25 , 2021
ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଦେଶର ବିଭିନ୍ନ ରାଜ୍ୟରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହି କର୍ଫ୍ୟୁ ସମୟରେ ଜରୁରୀ ସେବାକୁ ଛାଡ଼ି ଦେଲେ ଅନ୍ୟ ସବୁ ସେବା ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି। ଏଭଳି ସମୟରେ ମହାରାଷ୍ଟ୍ରର ୟବତମାଲ ଜିଲ୍ଲାରେ ଦୁଇଟି ଭିନ୍ନଭିନ୍ନ ଘଟଣାରେ ସାନିଟାଇଜର ପିଇ ୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତ ସମସ୍ତଙ୍କ ବୟସ […]
ସାନିଟାଇଜର ପିଇ ୭ଜଣଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial