ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଭୁବନେଶ୍ବର-କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି

ଜୁଲାଇ ପୂର୍ବରୁ ନିସ୍ତାର ନାହିଁ: ‘ସୂତ୍ର’ ମଡେଲ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ଓ କଟକରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଲାଣି। ଏହି ଦୁଇ ସହରରେ ଅଧିକ ସଂଖ୍ୟାରେ ପ୍ରବାସୀ ରହୁଥିବାରୁ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଲୋକମାନଙ୍କୁ ଏଥିପାଇଁ ଅଧିକ ସତର୍କ ହେବାକୁ ପଡ଼ିବ। ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ଆଜି ଡରାଇବା ଭଳି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଲୋକମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଡା. ମହାପାତ୍ର କହିଛନ୍ତି ଯେ ଏହି ଦୁଇ ସହରରେ ବାହାର ଅଞ୍ଚଳର ବହୁ ସଂଖ୍ୟାରେ ଲୋକ ରହୁଛନ୍ତି। ଏହି ଲୋକମାନେ ନିଜ ନିଜ ଅଞ୍ଚଳରୁ ଏଠାକୁ ଆସିବା ଫଳରେ ସଂକ୍ରମଣ ବଢ଼ୁଛି। ଏହାସହ ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟାରେ ଲୋକ ହସ୍ପିଟାଲରେ ଆଡମିଟ୍‌ ହେଉଛନ୍ତି। ଆବଶ୍ୟକ ଅନୁଯାୟୀ କୋଭିଡ୍‌ ଶଯ୍ୟା ବୃଦ୍ଧି କରାଯାଉଥିବା ସେ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଆସନ୍ତା ଜୁଲାଇ ବେଳକୁ ରାଜ୍ୟରେ ‌ଗତ ଫେବୃଆରୀ ମାସର ସ୍ଥିତି ଦେଖିବାକୁ ମିଳିବ ବୋଲି ଆକଳନ କରିଛି ଆଇଆଇଟି କାନପୁରର ‘ସୂତ୍ର’ ମଡେଲ। ଆସନ୍ତା ମାସ ପ୍ରଥମ ସପ୍ତାହରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ଖସିବାକୁ ଆରମ୍ଭ କରିବ। ମାତ୍ର ସ୍ଥିତି ନିୟନ୍ତ୍ରଣକୁ ଆସିବା ଲାଗି ବେଶ୍‌ କିଛି ସମୟ ନେବ ବୋଲି କହିଛନ୍ତି ‘ସୂତ୍ର’ ମଡେଲ ପ୍ରସ୍ତୁତ କରିଥିବା ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ। ରାଜ୍ୟରେ କୋଭିଡ୍‌ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥିତି ଆଡ଼କୁ ଗତି କରୁଛି। ଗତ ୨୪ଘଣ୍ଟାରେ ୮,୩୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୬ଦିନ ପରେ ରାଜ୍ୟରେ ହଠାତ୍ ଏଭଳି ବୃଦ୍ଧି ଦେଖିବାକୁ ମିଳିଛି। ଗୋଟିଏ ଦିନରେ କରୋନା ରୋଗୀଙ୍କ ସଂଖ୍ୟା ୩୮ ପ୍ରତିଶତ ବୃଦ୍ଧି ହୋଇଛି। କେବଳ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇନାହିଁ, ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୨୦ ପ୍ରତିଶତ ଛୁଇଁଛି। ଯାହାକି ଆଜି ପର୍ଯ୍ୟନ୍ତ ସର୍ବାଧିକ। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୨,୪୦୧ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଏଥିରେ ଆର୍‌ଟି-ପିସିଆର ନମୁନା ୧୫,୬୪୮ ରହିଛି। ଯାହାକି ସମୁଦାୟ ପରୀକ୍ଷଣର ୩୬ ପ୍ରତିଶତ। ତେବେ ଟ୍ରୁନାଟ୍ ପରୀକ୍ଷା ପୂର୍ବାପେକ୍ଷା ବଢ଼ିଥିବା ନଜରକୁ ଆସିଛି। ରାଜ୍ୟରେ ମୋଟ ନମୁନା ପରୀକ୍ଷଣ କୋଟିଏ ନିକଟତର ହୋଇଛି। ଖୋର୍ଦ୍ଧାରେ ଗତକାଲି ରାଜ୍ୟର ସର୍ବାଧିକ ସଂକ୍ରମଣ ଦେଖିବାକୁ ମିଳିଛି। ଜିଲ୍ଲାରେ ୧୮୪୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାକି ଗତବର୍ଷ ଓ ଚଳିତବର୍ଷ ସଂକ୍ରମଣର ସର୍ବାଧିକ। ସେହିପରି ‌ସୁନ୍ଦରଗଡ଼ ଜିଲ୍ଲାରେ ୯୩୩, କଟକ ୪୯୬, ଝାରସୁଗୁଡ଼ା ୪୩୩, ନବରଙ୍ଗପୁର ୩୮୮, ବଲାଙ୍ଗୀର ୩୫୮, ଅନୁଗୁଳ ୩୪୭, ସମ୍ବଲପୁର ୩୦୭, ମୟୂରଭଞ୍ଜ ୨୮୯, ଯାଜପୁର ୨୭୦, ପୁରୀ ୨୫୯ ଓ ‌ଷ୍ଟେଟ୍‌ ପୁଲରୁ ୩୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୨୮ହଜାର ୫୧୫ରେ ପହଞ୍ଚି ଯାଇଛି। ରାଜ୍ୟର ୧୭ଟି ଜିଲ୍ଲା ଏବେ ରେଡ୍ ଜୋନ୍‌ରେ ସାମିଲ ହୋଇସାରିଛି। ଲଗାତାର ଦ୍ବିତୀୟ ଦିନ ଲାଗି ରାଜ୍ୟରେ କରୋନାରେ ୧୦ଜଣ ସଂକ୍ରମିତ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ, ରାୟଗଡ଼ାରେ ୩ଜଣ ଲେଖାଏଁ, ସୁନ୍ଦରଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ବୌଦ୍ଧ‌ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି। ଚଳିତମାସରେ ଏ ପର୍ଯ୍ୟନ୍ତ ସରକାରୀ ଭାବେ ୯୫ଜଣଙ୍କର କରୋନାରେ ମୃତ୍ୟୁ ହୋଇ ସାରିଲାଣି। ରାଜ୍ୟରେ ଆଜି ୪୫୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୭୫ହଜାର ୭୨୧ରେ ପହଞ୍ଚିଯାଇଛି। ମାତ୍ର ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୦,୭୨୪କୁ ବୃଦ୍ଧି ପାଇଛି। ଯାହାକି ସମୁଦାୟ ସଂକ୍ରମଣର ୧୨ ପ୍ରତିଶତ। ତହିଁରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୫୧୫, ସୁନ୍ଦରଗଡ଼ରେ ୫୬୦୯, କଟକ‌ରେ ୩୦୯୨ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

Share Now:

Kalinga News Beuro

Next Post

ହାଓଲା ଗ୍ୟାଙ୍ଗ୍‌ରେ ପୁଲିସ ସାମିଲ୍ ମାମଲା: ସ୍ପେସାଲ ସ୍କ୍ବାଡ୍ ଏସ୍ଆଇଙ୍କୁ ବଞ୍ଚାଇଲେ କାହିଁକି?

Thu Apr 29 , 2021
ଭୁବନେଶ୍ବର: ଆଜି ରାଜଧାନୀରେ ଧରା ପଡ଼ିଥିବା ଅଙ୍ଗାଡ଼ିଆ ଠକ ଗ୍ୟାଙ୍ଗ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଉକ୍ତ ଗ୍ୟାଙ୍ଗ୍‌ରେ ସାମିଲ୍ ଥିବା ୩ ପୁଲିସ କର୍ମଚାରୀଙ୍କ ଗିରଫଦାରୀ କଥା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମାମଲାରୁ ସ୍ପେଶାଲ୍‌ ସ୍କ୍ବାଡ୍‌ର ଜଣେ ଏସ୍‌ଆଇଙ୍କୁ ଖସାଇ ଦିଆଯାଇଥିବା ଘଟଣା ଉପରିସ୍ଥ ଅଧିକାରୀମାନଙ୍କୁ ଅଧିକ ଚର୍ଚ୍ଚାକୁ ଟାଣି ନେଇଛି। ଲୁଟେରା ଗ୍ୟାଙ୍ଗ୍‌ରେ ପୁଲିସ କର୍ମଚାରୀ ସାମିଲ୍ ହେବା ଭଳି କଳଙ୍କିତ ଘଟଣାରୁ […]
ହାଓଲା ଗ୍ୟାଙ୍ଗ୍‌ରେ ପୁଲିସ ସାମିଲ୍ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial