ଜୟପୁର: କରୋନା ଭୟ ପାଇଁ ଦିନରେ ଗାଁ ଛାଡ଼ୁଛନ୍ତି ଲୋକ, ଆଉ ସନ୍ଧ୍ୟାରେ ପୁଣି ଗାଁ କୁ ଫେରୁଛନ୍ତି। ରାତି କାଟିବା ପରେ ସକାଳ ହେଲେ ପୁଣି ଜଙ୍ଗଲକୁ ଯାଉଛନ୍ତି। ଜଙ୍ଗଲରେ ଦିନ ଯାକ ରୋଷେଇ କରି ହୋମ ଯଜ୍ଞ କରୁଛନ୍ତି। ରାଜସ୍ଥାନ-ମଧ୍ୟପ୍ରଦେଶ ସୀମାନ୍ତ ଏକ ଗାଁରେ ଏବେ କିଛି ଏଭଳି ଚାଲିଛି। ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶ ସୀମାବର୍ତ୍ତୀ ରାଜସ୍ଥାନର ଝାଲାୱାର ଜିଲ୍ଲାର ଗ୍ରାମବାସୀଙ୍କ ମଧ୍ୟରେ କରୋନାକୁ ନେଇ ଭୟ ଏତେ ମାତ୍ରାରେ ବଢିଯାଇଛି ଯେ ସେମାନେ ଘର ଛାଡି ଜଙ୍ଗଲକୁ ଯିବା ଆରମ୍ଭ କରିଛନ୍ତି। କରୋନାର ଦ୍ୱିତୀୟ ଲହରୀରେ ମଙ୍ଗଳବାର ଦିନ ଝାଲୱାର ଜିଲ୍ଲାରେ ୫୦୫ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଅକାଳରେ କିଛି ଲୋକଙ୍କ ଜୀବନ ଯାଉଛି। ଆଉ ଏଭଳି ସ୍ଥିତିକୁ ଦେଖି ଗ୍ରାମାଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସୂଚନା ଅନୁଯାୟୀ, ଜିଲ୍ଲାର ଡଗ ଅଞ୍ଚଳର ଗ୍ରାମବାସୀମାନେ ଗ୍ରାମାଞ୍ଚଳରେ କରୋନାକୁ ରୋକିବା ପାଇଁ ଚିକିତ୍ସା ବ୍ୟତୀତ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବାରେ ଲାଗିପଡିଛନ୍ତି। ଗ୍ରାମବାସୀମାନେ ସମଗ୍ର ଗାଁ ଖାଲି କରିବା ପରେ ଜଙ୍ଗଲକୁ ଯାଉଛନ୍ତି। ସେମାନେ ସେଠାରେ ରୋଷେଇ ବାସ କରୁଥିବାବେଳେ ଦିନସାରା ଜଙ୍ଗଲରେ ପୂଜାର୍ଚ୍ଚନା କରୁଛନ୍ତି। ଜଙ୍ଗଲ ଭିତରେ ହୋମ ଯଜ୍ଞ କରାଯାଉଥିବାବେଳେ ଗାଁର ମହିଳାମାନେ ଜଙ୍ଗଲରେ ରୋଷେଇ କରୁଛନ୍ତି। ଜଙ୍ଗଲରେ ଭଜନ କୀର୍ତ୍ତନ କରି କରୋନାକୁ ଘଉଡାଇବା ପାଇଁ ପ୍ରାର୍ଥନା କରାଯାଉଛି। ଗ୍ରାମବାସୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ଜଙ୍ଗଲକୁ ଯାଇ ସୂର୍ଯ୍ୟାସ୍ତବେଳକୁ ଫେରିଆସୁଛନ୍ତି। ଗ୍ରାମବାସୀ କହିଛନ୍ତି ଯେ ଗାଁରେ କାହାକୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ କିମ୍ବା କାହାକୁ ଗାଁ ବାହାରକୁ ଯିବାକୁ ଅନୁମତି ନାହିଁ। ଏଥିପାଇଁ ବିଶେଷକରି ଗାଁର ଯୁବକମାନେ ଗାଁ ସୀମା ବାହାରେ ବାଡି ଧରି ଜଗୁଛନ୍ତି।
କରୋନା ଭୟରେ ଦିନବେଳେ ଗାଁ ଛାଡ଼ି ଜଙ୍ଗଲକୁ ପଳାଉଛନ୍ତି ଗ୍ରାମବାସୀ

Share Now: