ଆଜିଠାରୁ ଲକ୍‌ଡାଉନ୍: ଟିକାକରଣ, ଟେଷ୍ଟିଂ ଜାରି ରହିବ

ଆଜିଠାରୁ ଲକ୍‌ଡାଉନ୍

ଭୁବନେଶ୍ବର: ରାଜ୍ୟରେ କରୋନାର ଦ୍ବିତୀୟ ଲହରକୁ ରୋକିବା ପାଇଁ ସରକାର ଗତ ମାସରେ ଅନେକ ପଦକ୍ଷେପ ‌ନେଇଥିଲେ। କିନ୍ତୁ ସଂକ୍ରମଣ ନଅଟକିବାରୁ ଏବେ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ପୂର୍ବ ଘୋଷଣା ଅନୁଯାୟୀ ୫ ତାରିଖ ବୁଧବାର ଠାରୁ ରାଜ୍ୟରେ ଲକ୍‌ଡାଉନ୍ ଆରମ୍ଭ ହେବ। ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି‌ଦେଲେ ୧୯ ତାରିଖ ଯାଏ ସାରା ରାଜ୍ୟ ବନ୍ଦ ରହିବ। ପୂର୍ବ ପରି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍ ରହିବ। ଲକ୍‌ଡାଉନ୍ ସମୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସକାଳ ୬ଟାରୁ ୧୨ଟା ଯାଏ ଅତ୍ୟାବଶ୍ୟକ ରାସ୍ତାକଡ଼ ଖାଦ୍ୟ ଦୋକାନ, ଗୋଟିକିଆ ପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ। କିନ୍ତୁ ଗୋଟିଏ ଦୋକାନରୁ ଅନ୍ୟ ଦୋକାନର ଦୂରତା ଅତି କମ୍‌ରେ ୩୦ ଫୁଟ ହେବ। ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ, ପରିମଳ ସେବା, ଟେଲିଫୋନ୍ ଓ ଇଣ୍ଟର୍‌ନେଟ୍‌ ସେବା, ଡିଟିଏଚ୍‌ ସେବା, ଗ୍ୟାସ୍‌ ବିତରଣ ଓ ପେଟ୍ରୋଲ ପମ୍ପ ଆଦି ସ୍ବାଭାବିକ ଭାବେ ଚାଲୁ ରହିବ। ବ୍ୟାଙ୍କ ଓ ଏଟିଏମ୍‌ ‌ସେବା ମଧ୍ୟ ପ୍ରଭାବିତ ହେବ ନାହିଁ। ସ୍ବାସ୍ଥ୍ୟ ସେବା ସଂକ୍ରାନ୍ତୀୟ ସମସ୍ତ କାରବାର ବିନା ବାଧାରେ ଚାଲିବ। ‌ତେବେ ସପ୍ତାହାନ୍ତ ସଟ୍‌ଡାଉନ୍ ସମୟରେ କେବଳ ଔଷଧ ଦୋକାନକୁ ବାଦ୍ ଦେଲେ ଅନ୍ୟ ସବୁ ଅତ୍ୟାବଶ୍ୟକ ‌ସାମଗ୍ରୀ ଦୋକାନ ବନ୍ଦ ରହିବ।
ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍‌ରେ ପ୍ରଭାବିତ ହେବ ‌ନାହିଁ ବୋଲି ପୂର୍ବରୁ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ବିନା ବାଧାରେ ଯାଇପାରିବେ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ। ବିବାହ କାର୍ଯ୍ୟ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ। ବିବାହରେ ସର୍ବାଧିକ ୫୦ ଜଣ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ଉପସ୍ଥିତ ରହିପାରିବେ।

Share Now:

Kalinga News Beuro

Next Post

ଟିକା ମୂଲ୍ୟନୀତି ବଦଳାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

Wed May 5 , 2021
ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ସଂକ୍ରମଣ ବୃଦ୍ଧି ମାମଲା ଏବେ ଘୋର ଉଦ୍‌ବେଗର କାରଣ ହୋଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଗୁରୁତ୍ବ ଦେଉଛନ୍ତି। ଏଭଳି ସ୍ଥିତିରେ ଟିକା ଅଭାବ ଏବଂ ଟିକାର ଭିନ୍ନ ଭିନ୍ନ ମୂଲ୍ୟକୁ ନେଇ ମଧ୍ୟ ସମସ୍ୟା ଉପୁଜିଛି। ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ହସ୍ତକ୍ଷେପ କରି ସରକାରଙ୍କ ସାଂପ୍ରତିକ ଟିକା ମୂଲ୍ୟ ନୀତିକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇବା […]
ଟିକା ମୂଲ୍ୟନୀତି ବଦଳାଇବାକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial