ପିଲାଙ୍କୁ ମାନସିକ ଅବସାଦରୁ ଦୂରେଇ ରଖନ୍ତୁ- ବିଶେଷଜ୍ଞ

ପିଲାଙ୍କୁ ମାନସିକ ଅବସାଦରୁ ଦୂରେଇ ରଖନ୍ତୁ

ଭୁବନେଶ୍ବର : ଖରାଛୁଟି ଆସିଲେ ପିଲାଙ୍କ ମନରେ ଖୁସି ଉଙ୍କିମାରେ। ପାଠରୁ ବିରାମ ମିଳିବ, ଛୁଟିରେ ସମର୍‌କ୍ୟାମ୍ପ୍‌, ମାମୁଁ ଘର ବୁଲା ଓ ଗ୍ରୀଷ୍ମ ଭ୍ରମଣରେ ବହୁ ନୂଆ ନୂଆ ସ୍ଥାନ ବୁଲି ଦେଖିବାର ଅବକାଶ ସୃଷ୍ଟି ହେବ। ଏଥିସହ ସୁଇମିଂ କ୍ଲାସ୍‌, ସ୍କେଟିଂ, କରାଟେ, ନୃତ୍ୟ ଓ ଯୋଗ ଆଦି କେତେ କ’ଣ ନୂଆ କଥା ଶିଖିବାରେ ଖରା ଗରମର ବିରକ୍ତିକର ଦିନଗୁଡ଼ିକ ବେଶ୍‌ ଆରାମରେ କଟିଯିବ। କିନ୍ତୁ ଗତ ୨ ବର୍ଷ ହେଲା ଏ ସବୁ ସତେ ଯେମିତି ପରୀ ରାଇଜର କାହାଣୀ ଭଳି ମନେ ହେଉଛି। ଆଉ ଗୃହବନ୍ଦୀ ଏ ଜୀବନର ସବୁଠୁ ଅଧିକ ପ୍ରଭାବ ପଡ଼ୁଛି ଶିଶୁମାନଙ୍କ ଉପରେ। ଘରେ ବସି ବସି ବିରକ୍ତ ହେଉଥିବା ଶିଶୁମାନେ ଅନେକ ସମୟରେ ମାନସିକସ୍ତରରେ ଚାପରେ ରହୁଥିବା ବେଳେ ମେଦବହୁଳତାର ଶିକାର ହେଉଛନ୍ତି। ତେବେ ଏସବୁରୁ ପିଲାମାନଙ୍କୁ କିଭଳି ଦୂରେଇ ରଖିବା ଓ ସୁସ୍ଥ ମାନସିକତା ବିକାଶ କରିପାରିବା ସେ ନେଇ କିଛି ମାନସିକ ରୋଗ ବିଶେଷଜ୍ଞଙ୍କ ସହ ଆମର ଆଲୋଚନା।
ଦୌଡ଼ାଦୌଡ଼ି ଖେଳରେ ଛୁଆଙ୍କୁ ବ୍ୟସ୍ତ ରଖନ୍ତୁ
ଗତ ଦୁଇ ବର୍ଷ ହେଲା ପିଲାମାନଙ୍କ ପାଇଁ ପ୍ରାୟ ସମସ୍ତ ପ୍ରକାର କାର୍ଯ୍ୟକଳାପ ବନ୍ଦ ରହିଛି। ପିଲାମାନେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ। ଏଭଳି ପରସ୍ଥିତିରେ ପିଲାମାନଙ୍କ ମଧ୍ୟରେ ଚିଡ଼ିଚିଡ଼ା ଗୁଣ, ବ୍ୟସ୍ତତା, ଆଙ୍ଗ୍‌ଜାଇଟି, ମାନ୍ଦା ରହିବା, ନିଦ ନ ହେବା, ମୋଟାପଣ ବଢ଼ିବା, ଅଳସୁଆ ହେବା ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯିବା ଆଦି ଗୁଣ ବଢ଼ିବାରେ ଲାଗିବ। ଏଣୁ ଏହି ସମୟରେ ଅଭିଭାବକମାନେ ପିଲାମାନଙ୍କୁ ଅନ୍‌ଲାଇନ୍‌ ଗେମ୍‌ ଅପେକ୍ଷା ଦୌଡ଼ାଦୌଡ଼ି ଖେଳରେ ବ୍ୟସ୍ତ ରଖିବା ଉଚିତ। ସକାଳ, ସଞ୍ଜ ୱାକିଂ, ବ୍ୟାୟାମ କରିବା ଅଭ୍ୟାସ କରାଇବା ଦ୍ବାରା ସେମାନଙ୍କ ମନ ସତେଜ ରହିବ। ଏଥିସହ ବିଭିନ୍ନ ନୂଆ ନୂଆ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବା ଉଚିତ। ତେବେ ଯାଇ ଏହି ମହାମାରୀ ସମୟରେ ଛୁଆମାନେ ମାନସିକ ସ୍ତରରେ ସତେଜ ଓ ସୁସ୍ଥ ରହିପାରିବେ।
ପ୍ରଶାନ୍ତ କୁମାର ମହାପାତ୍ର, ମାନସିକ ରୋଗ ବିଶେଷଜ୍ଞ,
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କଟକ

ପିଲାଙ୍କ ଚତୁପାର୍ଶ୍ବରେ ସକାରାତ୍ମକ ପରିବେଶ ରହୁ
ସବୁବେଳେ ଆମେ ପିଲାମାନଙ୍କ କିଛି ନି କିଛି କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ କରି ରଖିଥାଉ। କିନ୍ତୁ ଗତ ଦୁଇ ବର୍ଷ ହେଲା ସବୁ ବନ୍ଦ ହୋଇଯାଇଛି। ଫଳରେ ଘରେ ବସି ବସି ପିଲାମାନଙ୍କ ଭିତରେ ଏକ ମାନସିକ ବିଶୃଙ୍ଖଳା ସୃଷ୍ଟି ହେବା ସ୍ବାଭାବିକ। ପୁଣି କରୋନାର ଦ୍ବିତୀୟ ଲହରି ପିଲାମାନଙ୍କୁ ବି ବହୁମାତ୍ରାରେ ପ୍ରଭାବିତ କରୁଛି। ଏଭଳି ସ୍ଥଳେ ଆମେ ଏବେ ଘରେ ଓ ପିଲାମାନଙ୍କ ଚତୁପାର୍ଶ୍ବରେ ଏକ ସକରାତ୍ମକ ପରିବେଶ ସୃଷ୍ଟି କରିବା ଆବଶ୍ୟକ। ଫଳରେ ସେମାନଙ୍କ ସେମାନଙ୍କ କୋମଳ ମନ ଦୁନିଆର ଏହି ନକାରାତ୍ମକ ପରିବେଶରୁ ଦୂରେଇ ରହିବ। ସେମାନେ ସୁରକ୍ଷିତ ଅଛନ୍ତି ଓ ଏଭଳି ସମୟ ବେଶୀ ଦିନ ରହିବ ନାହିଁ ସେ ନେଇ ସେମାନଙ୍କୁ ବିଶ୍ବାସ ଦେବାର ଆବଶ୍ୟକତା ରହିଛି।
ଡାକ୍ତର ତନ୍ମୟିନୀ ଦାସ, ସିନିୟର୍‌ କନ୍‌ସଲ୍‌ଟାଣ୍ଟ୍‌, ମେଣ୍ଟାଲ ହେଲ୍‌ଥ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ଏସ୍‌ସିବି ମେଡିକାଲ୍‌ କଲେଜ
କ’ଣ କରିବା
ପିଲାମାନଙ୍କୁ କେବେ ଏକୁଟିଆ ଛାଡ଼ିବା ନାହିଁ।
ପାଠପଢ଼ା, ଟିଭିଦେଖା ଏବଂ ବିଭିନ୍ନ ଖେଳ ଖେଳିବା ପର୍ଯ୍ୟନ୍ତ ଅଭିଭାବକମାନେ ଛୁଆମାନଙ୍କ ସହ ସବୁଥିରେ ସାମିଲ ହେବା।
ପିଲାମାନଙ୍କୁ ଅନ୍‌ଲାଇନ୍‌ ଗେମ୍‌ ଅଧିକ ଖେଳିବାକୁ ଦେବା ନାହିଁ।
ପିଲାମାନଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ସନ୍ତୁଳିତ ଖାଦ୍ୟ ଦେବା।
ସକାଳ ଓ ସଂଧ୍ୟାରେ ସେମାନଙ୍କୁ ସବୁଜ ପରିବେଶରେ ବୁଲାଇବା, ୱାକିଂ, ଜଗିଂ ଓ ବ୍ୟାୟାମ ଆଦି କରାଇବା।
ଏକାଥରେ ଅଧିକ ନ ଖୁଆଇ କମ୍‌ କମ୍‌ କରି ପିଲାମାନଙ୍କୁ ଅଧିକ ଥର ଖାଇବାକୁ ଦିଅନ୍ତୁ।
ପିଲାମାନଙ୍କୁ ଯେତେ ସମ୍ଭବ ମୋବାଇଲ ଓ ନକାରାତ୍ମକ ଖବରରୁ ଦୂରେଇ ରଖନ୍ତୁ।
ପରୀକ୍ଷା ନ ହେଉଥିଲେ ସୁଦ୍ଧା ପ୍ରତିଯୋଗିତା ମନୋଭାବ ପିଲାମାନଙ୍କ ମନରେ ବଳବତ୍ତର ରଖନ୍ତୁ।

Share Now:

Kalinga News Beuro

Next Post

କେବେ କାମରେ ଲାଗିବ ମଶାଣି ?

Tue May 11 , 2021
ସତ୍ୟନଗର ସ୍ଥିତି ଅସମ୍ଭାଳ, କୋଭିଡ୍‌-ଅଣକୋଭିଡଙ୍କ ପାଇଁ ଗୋଟିଏ ମଶାଣିକୁ ଆସୁଛନ୍ତି ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବଢ଼ୁଛି, ମୃତକଙ୍କ ସଂଖ୍ୟା ମଧ୍ୟ ସେହିପରି ବଢ଼ୁଛି। ‌ରାଜଧାନୀରେ ଏବେ କୋଭିଡ୍‌, ଅଣକୋଭିଡ୍‌, କୋଭିଡ୍‌ ସନ୍ଦିଗ୍ଧ ମୃତକଙ୍କ ସଂଖ୍ୟା ୫୦ରୁ କମ୍‌ ନାହିଁ। କିନ୍ତୁ ପ୍ରାୟ ସମସ୍ତ ଶବ ସତ୍କାର ସତ୍ୟନଗର ଶ୍ମଶାନରେ ହେଉଛି। ରାଜଧାନୀରେ ପ୍ରାୟ ୨୦ଟି ମଶାଣି ଥିଲେ ବି କିଛି କାମରେ ଲାଗୁନି। ଯାହା […]
ମଶାଣି କେବେ କାମରେ ଲାଗିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial