ଡ୍ରାଇଭ୍‌ ଇନ୍ ଟିକାରେ ଅବ୍ୟବସ୍ଥା: ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକ

ଡ୍ରାଇଭ୍‌ ଇନ୍ ଟିକାରେ ଅବ୍ୟବସ୍ଥା

ଭୁବନେଶ୍ବର: ରାଜଧାନୀରେ ଡ୍ରାଇଭ୍ ଇନ୍ ଟିକା ଅଭିଯାନ ସଫଳ ହେଉଥିବାରୁ ବିଏମ୍‌ସି ପକ୍ଷରୁ ଦିନକୁ ଦିନ ଏହି କେନ୍ଦ୍ର ସଂଖ୍ୟା ବଢ଼ା ଚାଲିଛି। ଏବେ ଚାରିଟି ସ୍ଥାନରେ ଡ୍ରାଇଭ୍ ଇନ୍ ଟିକା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବୁଧବାରଠାରୁ ତମାଣ୍ଡୋସ୍ଥିତ ଡି.ଏନ୍‌ ରେଗାଲିଆ ମଲ୍‌ରେ ତିନି ଶହ ଡୋଜ୍ ଦିଆଯିବ। ହେଲେ ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନିଟି କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଗତକାଲି ସି‌ମ୍ଫୋନି ମଲ୍‌, ଗ୍ୟାଲେରିଆ ମଲ୍‌ ଏବଂ କିଟ୍‌ ଷ୍ଟାଡିୟମ୍‌ରେ ଡ୍ରାଇଭ୍‌-ଇନ୍ ଟିକା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସବୁ କେନ୍ଦ୍ରରେ କିଛି କିଛି ସମସ୍ୟା ଦେଖାଦେଇଥିବା ବେଳେ ସିମ୍ଫୋନି ମଲ୍‌ରେ ବ୍ୟାପକ ଅସୁବିଧା ଦେଖିବାକୁ ମିଳିଥିଲା। ଏଠାରେ ସକାଳ ୮ଟା ୩୦ରୁ ଟିକାଦାନ ଆରମ୍ଭ ହେବ ବୋଲି କହି ସ୍ଲଟ୍ ବୁକିଂ କରାଯାଇଥିଲା। ତେଣୁ ଲୋକମାନେ ସକାଳ ୮ଟାରୁ ଆସି ଗାଡ଼ିକୁ ଧାଡ଼ିରେ ରଖିଥିଲେ। ଘଣ୍ଟାଏ ବିତିବା ପରେ ବି ଟିକାଦାନ ଆରମ୍ଭ ହୋଇପାରି ନଥିଲା। ସକାଳୁ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ଏବଂ କରୋନା ସଂକ୍ରମଣ ଭୟରେ ଲୋକମାନେ ଗାଡ଼ିରୁ ବାହାରୁନଥିଲେ। କିନ୍ତୁ କେତେ ସମୟ ଗାଡ଼ିକୁ ଷ୍ଟାର୍ଟରେ ରଖି ତେଲ ପୋଡ଼ିଥା’ନ୍ତେ। ସ୍ଥିତି ଅସମ୍ଭାଳ ହେବାରୁ ପୂର୍ବାହ୍ନ ୯ଟା ୩୦ ପରେ ଲୋକମାନେ ଗାଡ଼ିରୁ ଓହ୍ଲାଇ ପାଟିତୁଣ୍ଡ କରିଥିଲେ। ହେଲେ ଉପସ୍ଥିତ ପୁଲିସ କର୍ମଚାରୀ କିଛି କହିନଥିଲେ। ଏହାପରେ ପୂର୍ବାହ୍ନ ୧୦ଟା ପରେ ବିଏମ୍‌ସି କର୍ମଚାରୀ ଆସିଥିଲେ। ପୂର୍ବାହ୍ନ ସାଢ଼େ ୧୦ଟା ବେଳକୁ ଟିକାଦାନ ଆରମ୍ଭ ହୋଇଥିଲା।
ଏହି କେନ୍ଦ୍ରକୁ ଟିକା ନେବାକୁ ଯାଇଥିବା ମଞ୍ଜୁଲତା ପାଲ୍‌ଙ୍କ କହିବାନୁଯାୟୀ, ଖରା ହେଉଥିବାରୁ ଆମେ ସକାଳ ୮ଟା ୩୦ରୁ ‌ଟିକା ନେବାକୁ ସ୍ଲଟ୍ ବୁକିଂ କରିଥିଲୁ। ତେଣୁ ସକାଳ ୮ଟାରୁ ଆସି ଧାଡ଼ିରେ ଛିଡ଼ା ହୋଇଥିଲୁ। ବାହାରେ ପ୍ରବଳ ଖରା ହେଉଥିବାରୁ ଗାଡ଼ି ବାହାରକୁ ଯାଇ ଛିଡ଼ା ହେବା କଷ୍ଟକର ଥିଲା। ତେଲ ଲିଟର ପିଛା ପ୍ରାୟ ୧୦୦ ଟଙ୍କା ହୋଇଥିଲେ ବି ଆମେ ଗାଡ଼ିକୁ ‌ଷ୍ଟାର୍ଟରେ ରଖି ଦୁଇ ଘଣ୍ଟା ଗାଡ଼ିରେ ବସିଲୁ। ବିଏମ୍‌ସି ଯଦି କିଛି ନୂଆ ଯୋଜନା କରୁଛି, ତେବେ ତାହାକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବା ଦରକାର। ସୂଚନାଯୋଗ୍ୟ ଯେ ଏବେ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଦିନକୁ ୫ଶହ ଡୋଜ୍ ଦିଆଯାଉଥିବା ବେଳେ ସିମ୍ଫୋନି ମଲ୍‌, ଗ୍ୟାଲେରିଆ ମଲ୍‌ ଓ କିଟ୍‌ ଷ୍ଟାଡିୟମରେ ୩୦୦ଜଣଙ୍କୁ ଟିକା ଦିଆଯାଉଛି। ଡିଏନ୍‌ ରେଗାଲିଆ ମଲ୍‌ରେ ବି ୩୦୦ ଜଣଙ୍କୁ ଟିକା ଦିଆଯିବ। ଏବେ ୧୯ତାରିଖ ପର୍ଯ୍ୟନ୍ତ ବୁକିଂ ରଖାଯାଉଛି। ଗତକାଲି ଡ୍ରାଇଭ୍ ଇନ୍ ଟିକା ଅଭିଯାନରେ ସିମ୍ଫୋନି ମଲ୍‌ରେ ୨୫୩ଜଣ, କିଟ୍ ଷ୍ଟାଡିୟମରେ ୨୮୮ଜଣ, ଉତ୍କଳ ଗ୍ୟାଲେରିଆରେ ୨୮୭ଜଣ, ଏସ୍‌ପ୍ଲାନେଡ୍‌ ମଲ୍‌ରେ ୪୬୦ଜଣ ଟିକା ନେଇଛନ୍ତି।

Share Now:

Kalinga News Beuro

Next Post

ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କ‌ରେ ବୁଝିଲେ ମୁଖ୍ୟମନ୍ତ୍ରୀ

Wed May 12 , 2021
ସର୍ବୋତ୍କୃଷ୍ଟ ଚିକିତ୍ସା ସେବା ଯୋଗାଇବାକୁ କହିଲେ ଭୁବନେଶ୍ବର: କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମ୍‌ସ୍‌ରେ ଚିକିତ୍ସାଧୀନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍‌ଫରେନ୍ସିଂ ଯୋଗେ ଶ୍ରୀ ନାଏକଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଏମ୍‌ସ୍‌ ଓ ଏସ୍‌ସିବି ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ। ଡାକ୍ତରମାନେ ଜଣାଇଥିଲେ ଯେ ଶ୍ରୀ ନାଏକଙ୍କର ବର୍ତ୍ତମାନ କ‌ରୋନା ନେଗେଟିଭ୍ ରହିଛି। କିନ୍ତୁ ଫୁସ୍‌ଫୁସ୍‌ […]
ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କ‌ରେ ବୁଝିଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial