ପୁଲିସ ମାଡ଼‌‌ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ପୁଲିସ ମାଡ଼‌‌ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅଭିଯୋଗ ଭିତ୍ତିହୀନ-ନୂଆପଲ୍ଲୀ ଥାନା

ଭୁବନେଶ୍ୱର : ପୁଲିସ୍‌ ମାଡ଼ରେ ସାଲିଆ ସାହିସ୍ଥିତ ଏକାମ୍ରବିହାର ବସ୍ତିର ଜଣେ ଯୁବକଙ୍କ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଲେ, କଟକ ମଙ୍ଗରାଜପୁରର କୈଳାସ ନାୟକଙ୍କ ପୁଅ ବାପି ନାୟକ ଓରଫ ରଞ୍ଜନ (୨୫)। ଏ ସଂପର୍କରେ ବାପିଙ୍କ ମା’ ନୟନ ଗତକାଲି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ତେବେ ନୂଆପଲ୍ଲୀ ପୁଲିସ୍‌ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି।
ନୟନ ଗୁରୁବାର ଦିନ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ଗତ ଏପ୍ରିଲ୍‌ ମାସରେ ତାଙ୍କ ନାବାଳକ ସାନପୁଅ ଜଣେ ନାବାଳିକାକୁ ନେଇ କେଉଁଆଡ଼େ ଫେରାର୍‌ ହୋଇଯାଇଛି। ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ଗତ ଶୁକ୍ରବାର ଦିନ ତାଙ୍କୁ ଓ ତାଙ୍କ ବଡ଼ ପୁଅ ରଞ୍ଜନକୁ ଥାନାକୁ ଡକାଇଥିଲା। ସେଠାରେ ପୁଲିସ୍‌ ରଞ୍ଜନକୁ ନିସ୍ତୁକ ମାଡ଼ ମାରିବା ସହ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା। ତେବେ ରଞ୍ଜନର ହୃଦ୍‌ ଓ ଯକୃତ ରୋଗ ଥିବାରୁ ପୁଲିସ୍‌ର ମାଡ଼ ଓ ଭୟରେ ତା’ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହି କାରଣରୁ ଗତ ରାତିରେ ହଠାତ୍‌ ତା’ର ମୃତ୍ୟୁ ଘଟିଥିଲା। ‌‌ତେବେ ନୟନଙ୍କ ଏହି ଅଭିଯୋଗକୁ ନୂଆପଲ୍ଲୀ ଥାନା ପୁଲିସ୍‌ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଛି। ଥାନାଧିକାରୀ ଶରତ ଚନ୍ଦ୍ର ସାହୁ କହିଛନ୍ତି, ଗତ ଏପ୍ରିଲ୍ ୧୬ତାରିଖରେ ଥାନାରେ ନାବାଳିକା ଅପହରଣ ହୋଇଥିବା ନେଇ ଏକ ଅଭିଯୋଗ ହୋଇଥିଲା। ଏନେଇ ଘଟଣାର ତଦନ୍ତ କରିବା ପାଇଁ ପୁଲିସ୍ ଅଭିଯୁକ୍ତ ନାବାଳାକର ପରିବାରଲୋକଙ୍କୁ ଥାନାକୁ ଡାକିଥିଲା। ଗତ ମେ’ ୭ ତାରିଖରେ ତାଙ୍କ ଭାଇ ରଞ୍ଜନ ଥାନାକୁ ଆସିଥିଲେ। ତେବେ ତା’ର ମା’ କାକୁତିମିନତି ହୋଇ କହିଥିଲେ ଯେ ରଞ୍ଜନର ଯକୃତ ଓ ହୃଦ୍‌ରୋଗ ଅଛି। ବେଶି ସମୟ ଥାନାରେ ବସିଲେ ତା’ର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାର ସମ୍ଭାବନା ରହିଛି। ତେଣୁ ପୁଲିସ୍‌ ଉଭୟ ମା’-ପୁଅ ପାଖରୁ ଏକ ଲିଖିତ ପତ୍ର ରଖି ଛାଡ଼ି ଦେଇଥିଲା। ଯଦି ପୁଲିସ୍ ରଞ୍ଜନକୁ ମାଡ଼ ମାରିଥିଲା, କାହିଁକି ଗତ ୫ଦିନ ମଧ୍ୟରେ ସେମାନେ ଏସିପି, ଡିସିପି, ସିପି ବା ମାନବାଧିକାର ଆୟୋଗ ପାଖରେ ଅଭିଯୋଗ କଲେ ନାହିଁ ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।

Share Now:

Kalinga News Beuro

Next Post

ଜୁନ୍‌ ୧୫ ପୂର୍ବରୁ ସମସ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କର: ଜଳସମ୍ପଦ ସଚିବ

Fri May 14 , 2021
ଭୁବନେଶ୍ବର : ଆଗାମୀ ମୌସୁମୀ ଋତୁ ପୂର୍ବରୁ ରାଜ୍ୟରେ ଥିବା ବିଭିନ୍ନ ନଦୀବନ୍ଧଗୁଡ଼ିକର ସୁରକ୍ଷା ଓ ତଦାରଖ ନେଇ ସମୀକ୍ଷା କରାଯାଇଛି। ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଚଳିତମାସ ୧୫ ତାରିଖ ସୁଦ୍ଧା ବିଭିନ୍ନ ଡ୍ୟାମ୍‌ଗୁଡ଼ିକର ସ୍ଥିତି, ଆବଶ୍ୟକୀୟ ମରାମତି, ଜଳ ନିଷ୍କାସନ ଓ ଜଳ ପରିଚାଳନା ଗେଟ୍‌ଗୁଡ଼ିକରେ ମକ୍‌ ଡ୍ରିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। […]
ଜୁନ୍‌ ୧୫ ପୂର୍ବରୁ ସମସ୍ତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial