କାମପିପାସୁ ଆଶାରାମ ବାପୁଙ୍କୁ ଆଜୀବନ ଜେଲ

ଯେଉଁ ଯୁବତୀ ମୁହଁରେ ଆଶାରାମଙ୍କ ଟର୍ଚ୍ଚ ଆଲୋକ ପଡ଼ୁଥିଲା, ସେଦିନ ସେଇ ଯୁବତୀଟି ହିଁ ଦରକାର ହେଉଥିଲା ତାଙ୍କୁ ପ୍ରସାଦ ରୂପେ

ଯୋଧପୁର (ରାଜସ୍ଥାନ): ଏକ ନାବାଳିକା ଦୁଷ୍କର୍ମ ଅପରାଧରେ ବୁଧବାର ଦିନ ଯୋଧପୁରର ଏକ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ‘ଆତ୍ମଘୋଷିତ ଭଗବାନ’ ଆଶାରାମ ବାପୁ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି। ତେବେ, ଆଶାରାମଙ୍କ ବିରୋଧରେ ବିଚାରପତି ଦେଇଥିବା ୪୫୩ ପୃଷ୍ଠା ସମ୍ବଳିତ ରାୟରେ, ସାକ୍ଷୀମାନେ ଆଶାରାମଙ୍କ ବିରୋଧରେ କୋର୍ଟରେ ଯେଉଁସବୁ ସାକ୍ଷ୍ୟ ଦେଇଥିଲେ, ତାହାର ଅଂଶବିଶେଷ ମଧ୍ୟ ଲିପିବଦ୍ଧ ହୋଇ ରହିଛି ।

ଆଶାରାମଙ୍କ ଆଶ୍ରମରେ ଏକଦା ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଶିଷ୍ୟ ତଥା ଅଙ୍ଗରକ୍ଷୀ ଥିବା ରାହୁଲ କେ ସଚ୍ଚାର କୋର୍ଟରେ ସାକ୍ଷ୍ୟ ପ୍ରଦାନ କାଳରେ ଆଶାରାମଙ୍କ ରଙ୍ଗିନ୍‌ ଦୁନିଆ ସଂପର୍କରେ ଯେଉଁ ଖୁଲାସା କରିଥିଲା, ତାହା ଯେତିକି ସଂଗୀନ୍‌ ଥିଲା, ତା’ଠାରୁ ଥିଲା ଅଧିକ ଭୟଙ୍କର। ସଚ୍ଚାରର ପ୍ରବେଶ ଅନୁମତି ଆଶାରାମଙ୍କ ଆଶ୍ରମ ମଧ୍ୟରେ ଥିବା କୁଟ୍ଟିଆ (ଶୟନକକ୍ଷ ବା ରଙ୍ଗମହଲ) ଭିତର ପର୍ଯ୍ୟନ୍ତ ରହିଥିଲା। କାରଣ, ସଚ୍ଚାର ଥିଲା ଆଶାରାମଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଶିଷ୍ୟ ଏବଂ ଅଙ୍ଗରକ୍ଷୀ।

ଆଶାରାମ ସବୁବେଳେ ତାଙ୍କ ସହ ତିନିଜଣ ଯୁବତୀଙ୍କୁ ଧରି ବୁଲୁଥିଲେ। ଆଶାରାମ ଯୁଆଡ଼େ ବି ଯାଉଥିଲେ ଏହି ତିନି ଯୁବତୀ ତାଙ୍କ ଅନୁଧାବନ କରୁଥିଲେ। ତେବେ, ପ୍ରତ୍ୟେକ ଦିନ ଆଶାରାମଙ୍କର ଲୋଡ଼ା ପଡ଼ୁଥିଲେ ନୂଆନୂଆ ଯୁବତୀ। ଏଥିପାଇଁ ପୁଷ୍କର (ରାଜସ୍ଥାନ), ଭିଓ୍ଵାନୀ (ହରିୟାଣା) ଓ ଅହମ୍ମଦାବାଦ (ଗୁଜୁରାଟ) ପ୍ରଭୃତି ଭିନ୍ନ ଭିନ୍ନ ଆଶ୍ରମରେ ଭିନ୍ନ ଭିନ୍ନ ଦିନ ଯାଇ ବିତାଉଥିଲେ। ଆଶାରାମ ଯୁବତୀ ବିଶେଷ କରି ନାବାଳିକା ଯୁବତୀମାନଙ୍କୁ ନିଜର ଶଯ୍ୟା ସଙ୍ଗିନୀ ସଜାଇ ସେମାନଙ୍କୁ ଦୁଷ୍କର୍ମ କରିବାକୁ ଅଧିକ ପସନ୍ଦ କରୁଥିଲେ।

ଆଶାରାମ ଥିଲେ ଯୌନ ବିକାରଗ୍ରସ୍ତ। ଆଶାରାମଙ୍କ ପ୍ରବଚନ ଶୁଣିବାକୁ ଆଶ୍ରମକୁ ଆସିଥିବା ବା ଆଶ୍ରମରେ ଥିବା କୌଣସି ଯୁବତୀ ଯଦି ଆଶାରାମଙ୍କୁ ପସନ୍ଦ ଆସିଗଲେ, ତେବେ ସେ ପର ମୁହୁର୍ତ୍ତରେ ସଂପୃକ୍ତା ଯୁବତୀକୁ କଳେ ବଳେ କୌଶଳେ ନିଜ କୁଟ୍ଟିଆ ମଧ୍ୟକୁ ନେଇ ଆସୁଥିଲେ ଓ ତାକୁ ଦୁଷ୍କର୍ମ କରୁଥିଲେ। ଏଥିରେ ଆଶାରାମଙ୍କୁ ସହାୟତା କରୁଥିଲେ, ତାଙ୍କର ସେହି ତିନି ଯୁବତୀ। ଏହି ହୀନ ଉଦ୍ଦେଶ୍ୟ ସାଧନ ପାଇଁ ଆଶାରାମ ସବୁବେଳେ ନିଜ ପାଖରେ ଏକ ଛୋଟିଆ ଶକ୍ତଶାଳୀ ଟର୍ଚ୍ଚ ରଖୁଥିଲେ। ଯେଉଁ ଯୁବତୀ ମୁହଁରେ ଆଶାରାମଙ୍କ ଟର୍ଚ୍ଚ ଆଲୋକ ପଡ଼ୁଥିଲା, ସେଦିନ ସେଇ ଯୁବତୀଟି ହିଁ ଦରକାର ହେଉଥିଲା ପ୍ରସାଦ ରୂପେ। ଯୁବତୀ ମୁହଁରେ ଟର୍ଚ୍ଚ ଆଲୋକ ପକାଇ ଆଶାରାମ ସଙ୍କେତ ଦେଉଥିଲେ ଆଉ ତାଙ୍କର ଏଇ ସଙ୍କେତକୁ ଅବିଳମ୍ବେ କାର୍ଯ୍ୟକାରୀ କରୁଥିଲେ ସେଇ ତିନି ଯୁବତୀ। ଏହି ତିନି ଯୁବତୀ ମଧ୍ୟ ଆଶାରାମଙ୍କ ଦ୍ୱାରା ଗର୍ଭବତୀ ହେଉଥିବା ଯୁବତୀମାନଙ୍କର ଗର୍ଭପାତ ମଧ୍ୟ କରୁଥିଲେ। ନିଜର ଯୌନ କ୍ଷମତା ଓ ଲାଳସା ବଢ଼ାଇବା ପାଇଁ ଆଶାରାମ ନିୟମିତ ଭାବେ ପ୍ରଚୁର ପରିମାଣର ଯୌନ ଉଦ୍ଦୀପକ ଔଷଧ ସବୁର ସେବନ କରୁଥିଲେ। ଆଶାରାମ ଈଶ୍ୱରଙ୍କର ଓ ଧର୍ମର ଭୟ ଦେଖାଇ ନାବାଳିକାମାନଙ୍କୁ କୁଟ୍ଟିଆ ମଧ୍ୟରେ ଦୁଷ୍କର୍ମ କରୁଥିଲେ। ଯିଏ ପ୍ରତିବାଦ କରୁଥିଲା ଆଶାରାମ ତାକୁ କହୁଥିଲେ, ସେ ହେଉଛନ୍ତି ବ୍ରହ୍ମଜ୍ଞାନୀ। ବ୍ରହ୍ମଜ୍ଞାନୀ ଦୁଷ୍କର୍ମ କଲେ ତାହା ପାପ ନୁହେଁ। ବରଂ ବ୍ରହ୍ମଜ୍ଞାନୀ ଦୁଷ୍କର୍ମ କଲେ ପୀଡ଼ିତାର ପ୍ରଭୁକୃପା ଲାଭ ସହ ଅଶେଷ କଲ୍ୟାଣ ସାଧିତ ହେବ। ଏହି ସବୁ ମିଥ୍ୟା କଥା ଓ ପ୍ରବଞ୍ଚନା ସହ ସେ ଦୁଷ୍କର୍ମ କରୁଥିଲେ ଯୁବତୀମାନଙ୍କୁ।

ତେବେ, ସଚ୍ଚାରଙ୍କ ପାଇଁ ଏହା କ୍ରମେ ଅସହ୍ୟ ହେବାରୁ ସେ ଏହାର ପ୍ରତିବାଦ କରିବା ସହ ଆଶାରାମ କାହିଁକି ଏପରି ଅପକର୍ମ କରୁଛନ୍ତି ବୋଲି ପଚାରିଥିଲେ। ତେବେ, ଏହା ସଚ୍ଚାରଙ୍କ ପାଇଁ ବିପଦ ସାଜିଥିଲା। ଆଶାରାମ ସଚ୍ଚାରଙ୍କୁ ଆଶ୍ରମରୁ ବିତାଡ଼ିତ କରିବା ସହ ତାଙ୍କ ପୋଷା ଗୁଣ୍ଡାମାନଙ୍କୁ ଲଗାଇ ତାଙ୍କୁ ହତ୍ୟା କରିବାକୁ ସୁଦ୍ଧା ଚେଷ୍ଟା କରିଥିଲେ ବୋଲି ବିଚାରପତିଙ୍କୁ କହିଥିଲେ।

Share Now:

Kalinga News Beuro

Leave a Reply

Next Post

କ୍ୟାପିଟାଲ ହସ୍ପିଟାଲ ସର୍ଜରି, ସ୍ତ୍ରୀ ଓ ପ୍ରସୂତି ବିଭାଗ : ବୀମା କାର୍ଡ ଥାଇ ଶୋଷଣର ଶିକାର ରୋଗୀ

Sat Apr 28 , 2018
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ଶୋଷଣ କରାଯାଉଛି। ସର୍ଜରି, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ରୋଗୀଙ୍କ ସ୍ୱାସ୍ଥ୍ୟବୀମା କାର୍ଡ ଥିବା ସତ୍ତ୍ୱେ ସେମାନଙ୍କଠାରୁ ଟଙ୍କା ନିଆଯାଉଛି। ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର କଲେ ଅସ୍ତ୍ରୋପଚାରର ପରବର୍ତୀ ସମୟରେ ବହୁ ସମସ୍ୟା ଉପୁଜିବ ବୋଲି କହି ହସ୍ପିଟାଲ କର୍ମଚାରୀ ରୋଗୀଙ୍କୁ ଭୁଅାଁ ବୁଲାଉଛନ୍ତି। ସର୍ଜରି ବିଭାଗକୁ ଆସୁଥିବା ରୋଗୀଙ୍କୁ ଡାକ୍ତର ଓ କିଛି କର୍ମଚାରୀ ସ୍ୱାସ୍ଥ୍ୟ ବୀମା କାର୍ଡ ବ୍ୟବହାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial