ଗ୍ରାମାଞ୍ଚଳ ପାଇଁ କେନ୍ଦ୍ରର ନୂଆ ମାର୍ଗଦର୍ଶିକା : ଘର ଘର ବୁଲି ଟେଷ୍ଟିଂ

ଗ୍ରାମାଞ୍ଚଳ ପାଇଁ କେନ୍ଦ୍ରର ନୂଆ ମାର୍ଗଦର୍ଶିକା

ପୃଥକବାସ ପାଇଁ କିଟ୍‌, ପଲ୍‌ସ ଅକ୍ସିମିଟର ଓ ଥର୍ମୋମିଟର ଯୋଗାଣ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଏବେ କେବଳ ସହରାଞ୍ଚଳରେ ସୀମିତ ରହିନାହିଁ। ଦେଶର ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳକୁ ଏହା ବହୁମାତ୍ରାରେ ବ୍ୟାପିଗଲାଣି। ତେଣୁ ଏସବୁ ଅଞ୍ଚଳରେ କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ନୂଆ ମାର୍ଗଦର୍ଶିକା (ଏସ୍‌ଓପି) ଜାରି କରାଯାଇଛି। କରୋନା ରୋଗୀଙ୍କ ନିରୀକ୍ଷଣ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଟେଲି-ପରାମର୍ଶ ଭଳି କାର୍ଯ୍ୟ କରିବାକୁ ଏସ୍‌ଓପିରେ କୁହାଯାଇଛି।
ଇନ୍‌ଫ୍ଲୁଏଞ୍ଜା ଭଳି ରୋଗ କିମ୍ବା ଶ୍ବାସନଳୀରେ ଅତି ଗୁରୁତର ସଂକ୍ରମଣର ସକ୍ରିୟ ନିରୀକ୍ଷଣ ପ୍ରତ୍ୟେକ ଗ୍ରାମରେ କରିବା ଲାଗି ପରାମର୍ଶ ଦିଆଯାଇଛି। ଗ୍ରାମୀଣ ସ୍ବାସ୍ଥ୍ୟ ପରିମଳ ଏବଂ ପୌଷ୍ଟିକ କମିଟି ସହଯୋଗରେ ଆଶା କର୍ମୀ ସମୟକୁ ସମୟ ଏହାର ନିରୀକ୍ଷଣ କରିବେ। ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ ଟେଲି ପରାମର୍ଶର ବ୍ୟବସ୍ଥା କରାଯିବା ଉଚିତ। କୌଣସି ବ୍ୟକ୍ତି ଯଦି କିଛି ଜଟିଳ ରୋଗ (କୋମର୍ବିଡିଟି)ରେ ପୀଡ଼ିତ ଥିବେ କିମ୍ବା ରୋଗୀଙ୍କର ଅମ୍ଳଜାନ ସ୍ତର କମି ଯାଉଥିବ ତାହେଲେ ସେହି ମାମଲାକୁ ଉଚ୍ଚ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ପଠାଯିବ। ରୋଗର ମାତ୍ରା ଏବଂ ରୋଗୀଙ୍କ ସଂଖ୍ୟାକୁ ଦେଖି ଯଥାସମ୍ଭବ କଣ୍ଟାକ୍ଟ ଟ୍ରେସିଂ ବା ସଂସ୍ପର୍ଶ ଠାବ କରାଯିବ। ସମନ୍ବିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ ଗାଇଡଲାଇନ ଆଧାରରେ ଉକ୍ତ କାର୍ଯ୍ୟ କରାଯିବ। କୋଭିଡ ରୋଗୀଙ୍କ ଅମ୍ଳଜାନ ସ୍ତର ଉପରେ ନଜର ରଖିବା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ପର୍ଯ୍ୟାପ୍ତ ସଂଖ୍ୟକ ପଲ୍ସ ଅକ୍ସିମିଟର ଓ ଥର୍ମୋମିଟର ରଖାଯିବା ଉଚିତ।
ଘରେ ଏକାନ୍ତବାସରେ ଥିବା ସକ୍ରିୟ କରୋନା ରୋଗୀଙ୍କୁ କିଟ୍ ପ୍ରଦାନ କରାଯିବ। ପ୍ରତ୍ୟେକ କିଟ୍‌ରେ ପାରାସିଟାମଲ, ଆଇଭରମେକ୍‌ଟିନ୍‌, କଫ ସିରପ୍‌, ମଲ୍ଟି ଭିଟାମିନ୍‌ ଭଳି ଔଷଧ ରହିବ। ଏଥିସହିତ ରୋଗୀ କି କି ସତର୍କତା ଅବଲମ୍ବନ କରିବେ ସେ ସଂକ୍ରାନ୍ତ ବିସ୍ତୃତ ଲେଖା ଥିବା କାଗଜ (ପାମ୍ଫଲେଟ୍‌) କିଟ୍‌ରେ ରହିବ। ଗୁରୁତର ଲକ୍ଷଣ ରହିଥିଲେ କିମ୍ବା ସ୍ବାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିଲେ ରୋଗୀଙ୍କ ବିସ୍ତୃତ ଠିକଣା, ସ୍ଥିତି ଅନୁଧ୍ୟାନ ପାଇଁ ସେଥିରେ ‌ଏକ ପ୍ରୋଫର୍ମା ରହିବ। ସେହିଭଳି ଏକାନ୍ତବାସରେ ଥିବା ରୋଗୀ ଅତିକମ୍‌ରେ ଲକ୍ଷଣ ଦେଖାଦେବା ଦିନଠାରୁ ୧୦ ଦିନ ଘରେ ରହିଥିଲେ ଏବଂ ୩ ଦିନ ପାଇଁ ଜ୍ବର ହୋଇ ନଥିଲେ ତାଙ୍କର ଏକାନ୍ତବାସ ‌ଶେଷ ବା ଡିସଚାର୍ଜ ବୋଲି ଧରାଯିବ। ଲକ୍ଷଣ ନଥିବା ରୋଗୀଙ୍କ କ୍ଷେତ୍ରରେ ଏଥିପାଇଁ ନମୁନା ସଂଗ୍ରହ ଦିନଠାରୁ ୧୦ ଦିନ ଧରାଯିବ। ଘରେ ଏକାନ୍ତବାସ ‌ଶେଷ ହେବା ପରେ ଆଉ କୌଣସି ପରୀକ୍ଷାର ଆବଶ୍ୟକତା ନାହିଁ ବୋଲି ନୂଆ ମାର୍ଗଦର୍ଶିକାରେ କୁହାଯାଇଛି।

Share Now:

Kalinga News Beuro

Next Post

ହରିୟାଣାରେ ପାନିପଥ ରିଫାଇନାରି ପକ୍ଷରୁ ବୃହତ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

Mon May 17 , 2021
ହସ୍ପିଟାଲ୍‌କୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ : ଧର୍ମେନ୍ଦ୍ର ହରିୟାଣା : କୋଭିଡ-୧୯ର ଦ୍ୱିତୀୟ ଲହରର ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ହରିୟାଣାବାସୀଙ୍କୁ ଠିକ୍ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପାନିପଥଠାରେ ଇଣ୍ଡିଆନ ଅଏଲ୍‌ ରିଫାଇନାରି ପକ୍ଷରୁ ୫୦୦ ଶଯ୍ୟା ବିଶିଷ୍ଟ ବୃହତ କୋଭିଡ୍ କେୟାର ସେଣ୍ଟର ତଥା ଗୁରୁ ତେଜ୍ ବାହାଦୂର ସଞ୍ଜିବନୀ ହସ୍ପିଟାଲ୍‌ ଲୋକାର୍ପିତ ହୋଇଯାଇଛି। ରବିବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ହରିୟାଣାର ସ୍ୱାସ୍ଥ୍ୟ […]
ପାନିପଥ ରିଫାଇନାରି ପକ୍ଷରୁ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial