ପଶ୍ଚିମ ବଙ୍ଗରେ ପୁଣି ହାଇଡ୍ରାମା : ୨ ମନ୍ତ୍ରୀଙ୍କୁ ଗିରଫ କଲା ସିବିଆଇ

ପଶ୍ଚିମ ବଙ୍ଗରେ ପୁଣି ହାଇଡ୍ରାମା

ପ୍ରତିବାଦ ଜଣାଇଲେ ମମତା,ଶେଷରେ ମନ୍ତ୍ରୀଙ୍କୁ ମିଳିଲା ଜାମିନ

କୋଲକାତା : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ସରଗରମ ଥିବା ବେଳେ କୋଲକାତାରେ ସୋମବାର ଆଉ ଏକ ନାଟକୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସିବିଆଇ ଅଧିକାରୀମାନେ ଆଜି ସକାଳେ କେନ୍ଦ୍ରୀୟ ଫୋର୍ସ ଧରି ମମତା ବାନାର୍ଜୀଙ୍କ ଦୁଇ ଜଣ ମନ୍ତ୍ରୀଙ୍କ ସମେତ ୪ ଜଣ ନେତାଙ୍କୁ ଗିରଫ କରିବାରୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଅଫିସରେ ପହଂଚିଥିଲେ। ତାଙ୍କର ମନ୍ତ୍ରୀଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ବୋଲି ଅଭିଯୋଗ କରି ଏହାର ପ୍ରତିବାଦ କରିଥିଲେ। ସିବିଆଇ ତାଙ୍କୁ ମଧ୍ୟ ଗିରଫ କରୁ ବୋଲି କହି ସେଠାରେ ୬ ଘଣ୍ଟା ଧରି ବସି ରହିଥିଲେ। ସିବିଆଇ ଅଫିସ ବାହାରେ ମମତାଙ୍କ ସମର୍ଥକ ବିକ୍ଷୋଭ କରିବା ସହିତ ଟେକାମାଡ଼ କରିଥଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ସନ୍ଧ୍ୟା ବେଳେ ଏହି ମନ୍ତ୍ରୀମାନଙ୍କୁ ଜାମିନ ମିଳିବା ପରେ ମମତା ସିବିଆଇ ଅଫିସ ଛାଡ଼ିଥିଲେ। ଶାସକ ତୃଣମୂଳ କଂଗ୍ରେସର ନେତାମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ପରାଜୟକୁ ହଜମ କରିପାରୁ ନାହାନ୍ତି ବିଜେପି ନେତା। ସେମାନେ ରାଜ୍ୟପାଳ ଏବଂ ସିବିଆଇକୁ ଅସ୍ତ୍ର କରି ମମତାଙ୍କୁ ହଇରାଣ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ଏହାକୁ କେବେହେଲେ ସଫଳ ହେବାକୁ ଦିଆଯିବ ନାହିଁ।
ସିବିଆଇ ଅଧିକାରୀମାନେ ଯେଉଁ ଢଙ୍ଗରେ ମନ୍ତ୍ରୀମାନଙ୍କୁ ଗିରଫ କରିଥିଲେ, ତାହା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ସେମାନଙ୍କୁ କାହିଁକି ଗିରଫ କରାଗଲା? ଏହି ମାମଲାରେ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ଅନ୍ୟ ବିଜେପି ନେତା ସାମିଲ ଥିଲେ ମଧ୍ୟ ସେମାନଙ୍କୁ କାହିଁକି ଗିରଫ କରାଗଲା ନାହିଁ? ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ସିବିଆଇ ଅଦାଲତ ସନ୍ଧ୍ୟାରେ ଗିରଫ ମନ୍ତ୍ରୀ ଓ ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଗିରଫ ବ୍ୟକ୍ତିମାନେ ପ୍ରଭାବଶାଳୀ ହୋଇଥିବାରୁ ସେମାନଙ୍କୁ ଜାମିନ ମିଳିଲେ ତଦନ୍ତ ପ୍ରଭାବିତ ହେବ। ତେଣୁ ସେମାନଙ୍କୁ ଜାମିନ ନଦେବା ଲାଗି ସିବିଆଇ ଓକିଲ ଯୁକ୍ତି ବାଢ଼ିଥିଲେ। ଏଥିସହିତ ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ୧୪ ଦିନିଆ ରିମାଣ୍ଡରେ ‌ନେବାକୁ ମଧ୍ୟ ସିବିଆଇ ଆବେଦନ କରିଥିଲା। ତେବେ ସିବିଆଇର ଏହି ଆବେଦନକୁ ଅଦାଲତ ଗ୍ରହଣ ନକରି ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆଜିର ସମଗ୍ର ଘଟଣା କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଛି ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସକାଳେ ସିବିଆଇର ଏକ ସ୍ବତନ୍ତ୍ର ଟିମ୍‌ କେନ୍ଦ୍ରୀୟ ବାହିନୀ ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ପରିବହନ ମନ୍ତ୍ରୀ ତଥା କୋଲକାତା ନଗର ନିଗମ ଅଧ୍ୟକ୍ଷ ଫିର୍‌ଦ ହାକିମ୍‌, ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର, ପୂର୍ବତନ ବିଧାୟକ ତଥା କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କ ଘରେ ପହଞ୍ଚିଥିଲେ। ନାରଦା ଷ୍ଟିଂ ଅପରେସନ୍‌ (ଉତ୍କୋଚ) ମାମଲାରେ ସେମାନଙ୍କୁ ଗିରଫ କରିଥିଲେ। ଏହାର ପ୍ରତିବାଦ ଜଣାଇ ତୃଣମୂଳ କଂଗ୍ରେସର ସମର୍ଥକମାନେ ସିବଆଇ ଅଫିସ ଆଗରେ ବି‌କ୍ଷୋଭ କରିଥିଲେ। ସେମାନେ ସିବିଆଇ ଅଫିସ ଏବଂ କେନ୍ଦ୍ରୀୟ ଫୋର୍ସ ଉପରେ ଟେକାମାଡ଼ କରିଥିଲେ। ସିବିଆଇ ସାମନା ରଣକ୍ଷେତ୍ର ପାଲଟିଥିଲା। ଏହାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ପରିସ୍ଥିତିକୁ ଆୟତ୍ତ କରିବାକୁ କହିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଭୁଶୁଡ଼ୁଥିବା ନେଇ ‌ମଧ୍ୟ ଧମକ ଦେଇଥିଲେ। ରାଜ୍ୟପାଳଙ୍କ ଧମକର ତୃଣମୂଳ ନେତାମାନେ ତୀବ୍ର ପ୍ରତିବାଦ କରିଥିଲେ।
ସୂଚନାଯୋଗ୍ୟ ଯେ ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ନାରଦା ଷ୍ଟିଂ ଅପରେସନ୍‌ର ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ଶାସକ ତୃଣମୂଳର କେତେକ ବଡ଼ ନେତା ଲାଞ୍ଚ ନେଇ ଏକ ନକଲି କମ୍ପାନିକୁ ସାହାଯ୍ୟ କରିବା ପାଇଁ ଆଶ୍ବାସନା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଗତକାଲି ଗିରଫ ହୋଇଥିବା ନେତାମାନେ ସାମିଲ ଥିଲେ। ନକଲି କମ୍ପାନିର ସିଇଓ ନାରଦା ନ୍ୟୁଜ୍‌ ପୋର୍ଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାଥ୍ୟୁ ସାମୁଏଲ୍‌ ଏହି ଷ୍ଟିଂ ଅପରେସନ୍‌ ଭିଡିଓ ଜାରି କରିଥିଲେ। ଗତ ପାଞ୍ଚ ବର୍ଷ ହେଲା ଏହି ମାମଲାର ତଦନ୍ତ ସିବିଆଇ କରୁଥିଲା। ନାରଦା ଷ୍ଟିଂ ଅପରେସନ୍‌ରେ ଫସିଥିବା ତତ୍କାଳୀନ ତୃଣମୂଳ ନେତାଙ୍କ ମଧ୍ୟରେ ମୁକୁଳ ରାୟ ଏବଂ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଥିଲେ। ଏ ଦୁହେଁ ଏବେ ବିଜେପିରେ ଏବଂ ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳ ନେତା ଅଛନ୍ତି। ଏହି ମାମଲାରେ ଯଦି ମନ୍ତ୍ରୀଙ୍କୁ ଗିରଫ କରାଗଲା, ତାହା‌ ହେଲେ ବିଜେପି ନେତାମାନଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ତୃଣମୂଳ ପକ୍ଷରୁ ଦାବି ହେଉଛି।

Share Now:

Kalinga News Beuro

Next Post

କୁଲିଙ୍କୁ କରୋନା ମାଡ଼: ଦିନକୁ ଟଙ୍କା ଶହେ ବି ମିଳୁନି

Tue May 18 , 2021
ଭୁବନେଶ୍ବର : ବାରମ୍ବାର ମହାମାରୀ କରୋନା କଟକଣା ମାଡ଼ରେ ରେଳ ଷ୍ଟେସନର କୁଲିମାନେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ରେଳଯାତ୍ରୀଙ୍କ ବୋଝ ବୋହି ନିଜର ଗୁଜୁରାଣ ମେଣ୍ଟାଉଥିବା କୁଲିମାନେ ଏବେ ଦିନ ସାରା ଷ୍ଟେସନ ବସି ବସି ଖାଲି ହାତରେ ଘରକୁ ଫେରୁଛନ୍ତି। ଟ୍ରେନ୍‌ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଯାତ୍ରୀ କମି ଯାଇଛନ୍ତି ଓ ଯେତିକି ବି ଯାତ୍ରୀ ଆସୁଛନ୍ତି କରୋନା ସଂକ୍ରମଣ ଭୟରେ ସେମାନେ ନିଜ ଜିନିଷ ନିଜେ ବୋହୁଥିବାରୁ କୁଲିମାନଙ୍କ […]
କୁଲିଙ୍କୁ କରୋନା ମାଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial