ଅଶାନ୍ତ ବସ୍ତି, ଗଡ଼ୁଛି ମୁଣ୍ଡ : ଫେଲ ମାରିଛି ‘ବସ୍ତିକୁ ଚାଲ’ ଅଭିଯାନ

ଅଶାନ୍ତ ବସ୍ତି ଗଡ଼ୁଛି ମୁଣ୍ଡ

ନିଶା କାରବାର ଯୋଗୁଁ ବଢ଼ୁଛି ଅପରାଧ

ଭୁବନେଶ୍ବର : ଜୁନ୍ ୨୦୧୫ । ହଠାତ୍ ଦିନେ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତି ପାଲଟି ଯାଇଥିଲା ରଣକ୍ଷେତ୍ର। ନିଶା କାରବାର ପେଣ୍ଠରେ ଚଢ଼ଉ କରିବାକୁ ଯାଇ ନିଶା‌ ବେପାରୀଙ୍କ ଆକ୍ରମଣରୁ ବର୍ତ୍ତି ପାରି ନଥିଲା ପୁଲିସ। ସାମ୍ନାକୁ ଆସିଥିଲା ଦୀର୍ଘ ଦିନ ଧରି ସେଠାରେ ବ୍ରାଉନସୁଗାର କାରବାରର ମଙ୍ଗ ଧରିଥିବା ଲେଡି ଡନ୍ ଶୈଳ ରଣସିଂ ଓ ତା’ ପରିବାରଲୋକଙ୍କ କାରନାମା। ଗୋଟିଏ ପରିବାର ପୂରା ବସ୍ତିରେ ଆତଙ୍କ ଖେଳାଇବା ସହ ଚଢ଼ଉ କରିବାକୁ ଯାଇଥିବା ପୁଲିସ ସ୍କ୍ବାଡ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଆକ୍ରମଣରୁ ବର୍ତ୍ତିବାକୁ ଯାଇ ପୁଲିସ ଟିମ୍‌ ଡ୍ରେନ୍‌ରେ ପଡ଼ି ଉଠି ପଳାଇ ଆସିଥିଲା। ସେଦିନ ସାରା ରାଜଧାନୀରେ ଘଟଣାଟି ଆଲୋଡ଼ନ ସୃଷ୍ଟି କରିଥିଲା। ପୁଲିସକୁ ଆକ୍ରମଣ କରିବାକୁ ସାହସ କରୁଥିବା ବସ୍ତିବାସିନ୍ଦାମାନେ ବସ୍ତିରେ ଘଟାଉଥିବା ଅପରାଧର ଚିତ୍ର କେତେ ଭୟଙ୍କର ହୋଇପାରେ, ତାହା ଏକ ଉଦାହରଣ ଥିଲା। ଏହି ଘଟଣାକୁ ପାଖାପାଖି ୬ବର୍ଷ ବିତି ଗଲାଣି। କିନ୍ତୁ ଏବେ ବି ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳର ଆଇନଶୃଙ୍ଖଳା ଚିତ୍ରରେ ସେପରି କୌଣସି ବଡ଼ ସୁଧାର ଆସିନି। ଗତ ୩ ତାରିଖରେ ସେହି ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର କଦଳୀଗୋଦାମ ବସ୍ତିରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଭରତପୁର ହରପାର୍ବତୀ ବସ୍ତିରେ ଅବକାରୀ ସ୍କ୍ବାଡ୍‌କୁ ଆକ୍ରମଣ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହା ପୂର୍ବରୁ ଗତ ଫେବୃଆରୀରେ ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରେ ମହିଳାଙ୍କୁ ହତ୍ୟା କରିବା ପରେ ମୁଣ୍ଡକୁ କାଟି ଅଲଗା ଫିଙ୍ଗିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏମିତି ରାଜଧାନୀର ଅଧିକାଂଶ ବସ୍ତି ପାଲଟି ଯାଇଛି ଅପରାଧୀଙ୍କ ଆଡ଼ା। ଗତ କିଛି ବର୍ଷ ହେଲା, ସାଲିଆସାହିର ବିଭିନ୍ନ ବସ୍ତିରେ ତ ଏହା ଏକ ମାମୁଲି ପ୍ରସଙ୍ଗ ପାଲଟି ସାରିଲାଣି। ବସ୍ତିମାନଙ୍କରେ ବେଧଡ଼କ ନିଶା କାରବାର ସାଙ୍ଗକୁ ଯୁବକମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ପାଲଟି ଯାଉଛନ୍ତି କୁଖ୍ୟାତ ଅପରାଧୀ। ଖାଲି ସେତିକି ନୁହେଁ, ଅପରାଧୀ ପାଲଟିଥିବା ସେମାନଙ୍କ ସମ୍ପର୍କୀୟମାନେ ବି ଏଠାରେ ଆତ୍ମଗୋପନ କରୁଛନ୍ତି। ଚୋରା ନିଶା କାରବାର ଅପରାଧର ମୂଳ ଉତ୍ସ ପାଲଟି ଯାଇଛି। ମଦ, ବ୍ରାଉନସୁଗାର ଓ ଗଞ୍ଜେଇ କାରବାରରୁ ବିପୁଳ ଟଙ୍କା ରୋଜଗାର କରୁଛନ୍ତି। ଟଙ୍କା ମୋହରେ କିଛି ଦିନ ମଧ୍ୟରେ ପାଲଟି ଯାଉଛନ୍ତି ପେସାଦାର ଅପରାଧୀ। ବଡ଼ କଥା ହେଉଛି, ବସ୍ତି ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି କମିସନରେଟ୍‌ ପୁଲିସ ଯେତେ ଯୋଜନା କଲେ ମଧ୍ୟ ତାହା ଫେଲ୍ ମାରୁଛି। ୨୦୧୯ରେ ଆରମ୍ଭ ହୋଇଥିଲା ‘ଆପୋସ’। ଏହା ମାଧ୍ୟମରେ ପୁଲିସ ବସ୍ତିରୁ ଅପରାଧ ରୋକିବା ଲକ୍ଷ୍ୟ ରଖିଥିଲା। କିନ୍ତୁ ଫେଲ୍ ମାରିଥିଲା ଏହି ଯୋଜନା। ସେହିପରି ଗତବର୍ଷ ଆରମ୍ଭ ହୋଇଥିଲା ‘ବସ୍ତିକୁ ଚାଲ ଅଭିଯାନ’। ବସ୍ତିରେ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା, ରକ୍ତଦାନ ଶିବିର ଆୟୋଜନ କରିବା, ସାମାଜିକ କାର୍ଯ୍ୟକ୍ରମ କରି ବସ୍ତିବାସିନ୍ଦାଙ୍କ ନିକଟତର ହେବା ମୂଳ ଲକ୍ଷ୍ୟ ଥିଲା। କିନ୍ତୁ ତାହା ବି ସଫଳ ହୋଇପାରିନାହିଁ। କରୋନା ଯୋଗୁଁ ଏହି କାର୍ଯ୍ୟକ୍ରମ ଅଟକି ଯାଇଛି ବୋଲି ପୁଲିସ ପକ୍ଷରୁ ସଫେଇ ଦିଆଯାଉଛି। କିନ୍ତୁ ଅଭିଯାନରୁ କିଛି ବି ସୁଫଳ ମିଳିବା ଆଶା କରାଯାଉନାହିଁ। ବସ୍ତିବାସିନ୍ଦାଙ୍କ ପକ୍ଷରୁ ପୁଲିସକୁ ସହଯୋଗ ମିଳିଥିଲେ ହୁଏତ ଲକ୍ଷ୍ମୀସାଗର ଥାନା କଦଳୀ ଗୋଦାମ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡକୁ ରୋକା ଯାଇପାରିଥାନ୍ତା। ସେହିଭଳି ବସ୍ତିରେ ବଢ଼ୁଥିବା ଚୋରା ନିଶା କାରବାର ଧୀରେଧୀରେ ହ୍ରାସ ପାଉଥା’ନ୍ତା। ବସ୍ତି ସହ ପୁଲିସର ସମ୍ପର୍କ ବୃଦ୍ଧି ପାଇଁ ହେଉଥିବା ବିଭିନ୍ନ ଅଭିଯାନରେ କେଉଁଠି ତ୍ରୁଟି ରହୁଥିବାରୁ ବସ୍ତିରେ ଘଟୁଥିବା ଅପରାଧ କମିବା ନାଁ ଧରୁନାହିଁ।
‌‌‌‌ଆଉ ଏକ କଥା‌ ହେଲା, ପତିଆରା ପାଇଁ ବସ୍ତିରେ ବିଭିନ୍ନ ସମୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେଉଛି। ପେଟ ପାଇଁ ସଂଘର୍ଷ କରୁଥିବା ଏହି ମଣିଷମାନେ ବି କେତେବେଳେ ରାଜନୈତିକ ଶକ୍ତି ଓ କେତେବେଳେ ନିଶାମାଫିଆଙ୍କ ପାଇଁ ଭିନ୍ନଭିନ୍ନ ଗୋଷ୍ଠୀରେ ବିଭାଜିତ ହେଉଛନ୍ତି। ବସ୍ତିରେ ଦବଦବା ବଜାୟ ରଖିବା ପାଇଁ ଓ ବସ୍ତି ଲୋକଙ୍କୁ ହାତମୁଠାରେ ରଖିବା ପାଇଁ କିଛି ଗୋଷ୍ଠୀ ରକ୍ତପାତ କରିବାକୁ ପଛାଉ ନାହାନ୍ତି। ତେଣୁ ମୁଣ୍ଡ ଗଡ଼ିଲେ ବି କିଛି ଫରକ ପଡ଼ୁନି। ବଡ଼ କଥା ହେଉଛି ଏଭଳି ଗୋଷ୍ଠୀ ସଂଘର୍ଷରେ ଅସଲି ଖଳନାୟକମାନେ ବଳି ପଡ଼ିବା କମ୍ ଦେଖିବାକୁ ମିଳେ।

Share Now:

Kalinga News Beuro

Next Post

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪,୮୫୨ ଜଣ କରୋନା ପଜିଟିଭ ଚିହ୍ନଟ

Sat Jun 12 , 2021
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪,୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୬୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୦୮୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୭୫ଜଣ, […]
ରାଜ୍ୟରେ ୪,୮୫୨ ଜଣ କରୋନା ପଜିଟିଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial