କରୋନା ବଦଳାଇଲା ନକ୍ସଲ ଇଲାକା ଚିତ୍ର: ଝଟକୁଛି ନକ୍ସଲ ଉପଦ୍ରୁତ ଅଞ୍ଚଳ

କରୋନା ବଦଳାଇଲା ନକ୍ସଲ ଇଲାକାର ଚିତ୍ର-1

ରାଉରକେଲା : ବର୍ଷ ବର୍ଷ ଧରି ନକ୍ସଲଙ୍କ ଗୁଳି, ବୋମା, ଗ୍ରେନେଡ୍‌ ମାଡର ଛାତିଥରା ଶବ୍ଦରେ ଆତଙ୍କିତ ସୀମାନ୍ତ ଅଞ୍ଚଳବାସୀଙ୍କ ମୁହଁରେ ଫୁଟିଛି ହସ। ସଞ୍ଜ ନଇଁଲେ ଯେଉଁମାନେ ଘରେ ତାଟି କବାଟ ପକାଇ ଦେଉଥିଲେ। ସେମାନେ ଏବେ ରାତି ପର୍ଯ୍ୟନ୍ତ ନିର୍ଭୟରେ ବୁଲି ପାରୁଛନ୍ତି। ଯେଉଁ ଗାଁରେ ବିକାଶ ପାଦ ଚିହ୍ନର ପଡି ନଥିଲା। ସେହିସବୁ ଗାଁରେ ବିକାଶ ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ି ଚାଲିଛି। ନିରୀହ ଆଦିବାସୀ ଲୋକଙ୍କୁ ମିଳୁଛି ମୌଳିକ ସୁବିଧା। ରାସ୍ତାଘାଟ, ପାନୀୟ ଜଳ, ବିଜୁଳି, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ବିକାଶ ମୂଳକ କାମ ଆଗଇେ ଚାଲିଛି। ଏସବୁ କେବଳ ସମ୍ଭବ ହୋଇ ପାରିଛି କରୋନା ସଂକ୍ରମଣ ଭୟର ପ୍ରଭାବରେ। କାରଣ କରୋନାର ପ୍ରଥମ ଓ ଦ୍ବିତୀୟ ଲହର ଭୟରେ ହିଂସାକାଣ୍ଡରୁ ଦୂରେଇ ଯାଇଛନ୍ତି ନକ୍ସଲ ସଙ୍ଗଠନ। ସୁନ୍ଦରଗଡ ଜିଲ୍ଲା ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଇଲାକାରେ ନକ୍ସଲଙ୍କ ଗତିବିଧିର ପୂର୍ଣ୍ଣଚ୍ଛେଦ ପଡିଛି।

୨୦୦୮ରୁ ୨୦୧୮ ପର୍ଯ୍ୟନ୍ତ ପ୍ରାୟ ୧୦ ବର୍ଷ ଧରି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତର ଯେଉଁସବୁ ଗାଁରେ ନକ୍ସଲଙ୍କ ବେଶ୍‌ ଦବ୍‌ଦବା ରହିଥିଲା। ସେସବୁ ଅଞ୍ଚଳରେ ନକ୍ସଲଙ୍କ ହିଂସା ଆଉ ନାହିଁ। ଏସବୁ କାରଣରୁ ଗତ ଦୁଇ ବର୍ଷ ଧରି ଲୋକଙ୍କ ମଧ୍ୟରେ ରହିଥିବା ଭୟ ସମ୍ପୂର୍ଣ୍ଣ ଦୂର ହୋଇଯାଇଛି। ବିଶ୍ରା ବ୍ଲକ ଅନ୍ତର୍ଗତ ୧୭ ପଞ୍ଚାୟତ ଯଥା ମନକୋ, ବରସୁଆଏ ତୁଳସିକାନୀ, ଝାରବେଡା, କାଳିଆପୋଷ, ରାମଲୋଇ, ଚିରୁବେଡା, ଭାଲୁଲତା, ଜରାଇକେଲା ଆଦି ନକ୍ସଲ ଉପଦ୍ରୁତ ଗାଁରେ ଏବେ ଚାଲିଛି ଜୋର୍‌ସୋର୍‌ରେ ଚାଲିଛି ବିକାଶମୂଳକ କାମ। ସ୍ଥାନୀୟ ଲୋକଙ୍କ ସହାୟତାରେ ଠିକାଦାରମାନେ ନିର୍ଭରରେ କାମ କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ସଡ଼କ, ପାନୀୟ ଜଳ ଆଦି କାମ ଚାଲିଛି। ମହାମାରୀର ସଙ୍କଟ ସମୟରେ ହାତବାନ୍ଧି ବସିଥିବା ଶହ ଶହ ଲୋକ କାମ ପାଉଛନ୍ତି। ବେଶ୍‌ ଦି’ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି।

ଦୀର୍ଘ ଦିନ ମାଟି, କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଥିବା ଝାଡ଼ଖଣ୍ଡକୁ ଲାଗିଥିବା ରାମଲୋଇ, ମନ୍‌କୋ, ଚିରୁବେଡା ଆଦି ନକ୍ସଲ ଉପଦ୍ରୁତ ଗାଁରେ ସଂଯୋଗ କରୁଛି ପିଚୁ ସଡ଼କ। କୂଅ, ପାହାଡର ଝରଣା ଓ କେନାଲର ଦୂଷିତ ପାଣି ବ୍ୟବହାର କରୁଥିବା ଏସବୁ ଗାଁରେ ଚାଲିଛି ଓଭରହେଡ୍‌ ପାଣି ଟାଙ୍କି। ଗାଁରେ ଗାଁରେ ବସୁଛି ଷ୍ଟାଣ୍ଡପୋଷ୍ଟ। ଘରକୁ ଘର ବିଛାଚାଲିଛି ପାଇପ୍‌। ରାତିରେ ଡିବିର, ଲଣ୍ଠନ ଆଲୁଅରେ ରାତି କାଟୁଥିବା ଗାଁରେ ଏବେ ଚାଲିଛି ଚକାଚକ୍‌ ଏଲ୍‌ଇଡି ଲାଇଟ୍‌ କାମ। ପାଠରେ ଡୋରି ବାନ୍ଧିଥିବା ପିଲାମାନଙ୍କୁ ସ୍କୁଲ ମୁହାଁ କରିବାକୁ ଗାଁରେ ଗାଁରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ। ନକ୍ସଲଙ୍କ ଭୟରେ ଅଧିକାଂଶ ସମୟରେ ସ୍କୁଲକୁ ଯାଉନଥିବା ଶିକ୍ଷକଶିକ୍ଷୟିତ୍ରୀ ଘରେ ଘରେ ବୁଲି ପିଲାକୁ ପାଠ୍ୟପୁସ୍ତକ, ୟୁନିଫର୍ମ, ମଧ୍ୟାହ୍ନ ‌ଭୋଜନ ପାଇଁ ଆବଶ୍ୟକ ଶୁଖିଲା ଖାଦ୍ୟ ଦେଉଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସବୁ ଗାଁରେ ଲୋକଙ୍କ ‌ଅର୍ଥନୈତିକ ବୃଦ୍ଧିକୁ ଗୁରୁତ୍ବ ଦେଇଛନ୍ତି ସ୍ଥାନୀୟ ପ୍ରଶାସନ। ମନରେଗା ଯୋଜନାରେ ଏମାନଙ୍କୁ କାମ ଦିଆଯାଉଛି। ବନ ବିଭାଗ ମଧ୍ୟ ଚାରାରୋପଣ ସମେତ ଅନ୍ୟାନ୍ୟ କାମ ଦେଇଛନ୍ତି।

ଝାଡ଼ଖଣ୍ଡ ସରକାର ଓଡ଼ିଶା ସୀମାନ୍ତକୁ ଲାଗିଥିବା ଗାଁଗୁଡ଼ିକରେ ଅନୁରୂପ ବିକାଶ କରୁଛନ୍ତି। ଓଡ଼ଗାଁ, ଜଲଡେଗା, ପରବା, ହୁର୍ଦ୍ଦା, ରୁଙ୍ଘି, ଟମ୍‌ରୋ, ରାଇକେରା, ମନୋହରପୁର ଆଦି ନକ୍ସଲ ଉପଦ୍ରୁତ ଅଞ୍ଚଳବାସୀ ମନରୁ ଭୟ ଦୂର ହୋଇଛି। ଓଡ଼ିଶା ସୀମାନ୍ତ ଗାଁର ହାଟ, ବଜାର ଉପରେ ନିର୍ଭର କରି ସେମାନେ ଜୀବନ ଅତିବାହିତ କରୁଛନ୍ତି। ମୋଟାମୋଟି କରୋନା ସଂକ୍ରମଣ ଭୟରେ ନକ୍ସଲମାନେ ହିଂସା କାର୍ଯ୍ୟକଳାପରୁ ଦୂରେଇ ଯିବା ପରେ ସୀମାନ୍ତ ଅଞ୍ଚଳବାସୀଙ୍କ ମୁହଁରେ ଖୁସି ଫେରିଛି।

Share Now:

Kalinga News Beuro

Next Post

ବିଧାୟକଙ୍କ ପୁଅ ଧମକ ଦେବା ଘଟଣା: ଏସ୍‌ପିଙ୍କୁ ଭେଟି ସୁରକ୍ଷା ମାଗିଲେ ପୀଡ଼ିତା

Fri Jun 18 , 2021
ମୁଖ୍ୟ ଅଭିଯୁକ୍ତ ଗିରଫ, ଅନ୍ୟମାନଙ୍କ ସମ୍ପର୍କରେ ତଦନ୍ତ ଚାଲିଛି : ଏସ୍‌ପି କେନ୍ଦୁଝର : ପ୍ରେମ ପ୍ରତାରଣାର ଶିକାର ହୋଇଥିବା କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଦନପୁର ଗ୍ରାମର ଜଣେ ଯୁବତୀ ଗତକାଲି ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ତାଙ୍କ ଜୀବନ ପ୍ରତି ବିପଦ ଅଛି, ତାଙ୍କୁ ସୁରକ୍ଷା ସହ ନ୍ୟାୟ ପ୍ରଦାନ କରାଯାଉ ବୋଲି ନିବେଦନ କରିଛନ୍ତି। ଅନ୍ୟମାନଙ୍କ ସହ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ […]
ଏସ୍‌ପିଙ୍କୁ ଭେଟି ସୁରକ୍ଷା ମାଗିଲେ ପୀଡ଼ିତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial