ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍‌ ବୋର୍ଡ ଗଠନ: ଷ୍ଟାଫ୍ ସିଲେକସନ୍‌ କମିସନ୍‌ ହାତରୁ ଗଲା ଦାୟିତ୍ବ

ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍‌ ବୋର୍ଡ ଗଠନ

ସ୍ବଚ୍ଛତା ନେଇ ଉଠିଲା ପ୍ରଶ୍ନ,ବୋର୍ଡରେ ନାହାନ୍ତି ଅଣପୁଲିସ ଅଧିକାରୀ

କଟକ : ରାଜ୍ୟରେ ଦୀର୍ଘବର୍ଷ ଧରି ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାରେ ପରିବର୍ତ୍ତନ ଘଟିଛି। ୧୯୯୪ ପରଠାରୁ ଓଡ଼ିଶା ଷ୍ଟାଫ୍ ସିଲେକସନ କମିସନ (ଓଏସଏସସି) ପୁଲିସ ଏସ୍‌ଆଇ ପରୀକ୍ଷା କରି ଆସୁଥିବା ବେଳେ ଚଳିତ ବର୍ଷ ଏହି ଦାୟିତ୍ବ ପୁଣି ଏକପ୍ରକାର ସଂପୂର୍ଣ୍ଣ ଭାବେ ପୁଲିସ ବିଭାଗ ହାତକୁ ଚାଲିଆସିଛି। ଓଡ଼ିଶା ଷ୍ଟାଫ୍ ସିଲେକସନ୍‌ କମିସନ୍‌ ପରୀକ୍ଷା ପରିଚାଳନାରେ ବିଳମ୍ବ, ତ୍ରୁଟିକୁ ଆଳ କରି ସରକାର ଓଡ଼ିଶା ପୁଲିସର ପ୍ରସ୍ତ‌ାବ ଅନୁସା‌ରେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍‌ ବୋର୍ଡ ଗଠନ ପାଇଁ ଅନୁମତି ଦେଇଛନ୍ତି। ଗତ ୧୨ ତାରିଖରେ ୪୭୭ଟି ସବ୍‌ ଇନସ୍‌ପେକ୍ଟର(ଏସ୍‌ଆଇ) ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସେହି ପରୀକ୍ଷା ପରିଚାଳନା ଦାୟିତ୍ବ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡ ହାତରେ ରହିଛି। କିନ୍ତୁ ଯେଉଁ ଦୁର୍ନୀତି ଓ ଅନିୟମିତତା ପାଇଁ ୨୭ ବର୍ଷ ତଳେ ସରକାର ଏସ୍‌ଆଇ ନିଯୁକ୍ତି ଭାର ଷ୍ଟାଫ୍ ସିଲେକସନ୍‌ କମିସନ୍‌କୁ ଦେଇଥିଲେ ଏବେ ପୁଣି କେଉଁ ବିଶ୍ବାସର ଆଧାରରେ ଏସ୍‌ଆଇ ନିଯୁକ୍ତି ଭାର ସେହି ପୁଲିସ ବିଭାଗକୁ ଦିଆଯାଉଛି, ତାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ରିକ୍ରୁଟମେଣ୍ଟ୍‌ ବୋର୍ଡ ବା କମିଟିରେ କେବଳ ତିନି ଜଣ ପୁଲିସ ଅଧିକାରୀ ରହିଥିବା ବେଳେ କୌଣସି ଅଣପୁଲିସ ଅଧିକାରୀଙ୍କୁ ଏଥିରେ ସାମିଲ କରା ନଯିବା ଘଟଣା ବି ସନ୍ଦେହର କାରଣ ହୋଇଛି।
ଗତ ୧୨ ତାରିଖରେ ୪୭୭ ପୁଲିସ ଏସ୍‌ଆଇ ପଦବି ପୂରଣ ପାଇଁ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଏଥିପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। ଏଡିଜି ଆଇନଶୃଙ୍ଖଳା ଯଶୋବନ୍ତ ଜେଠୱା ଏହାର ଅଧ୍ୟକ୍ଷ ଥିବା ବେଳେ ଜଣେ ଆଇଜି ଓ ଏସ୍‌ପି ପାହ୍ୟାର ଅଧିକାରୀ ଏହି କମିଟିରେ ରହିଛନ୍ତି। ଏଭଳି ନିଷ୍ପତ୍ତି ଗତ ଫେବ୍ରୁଆରି ମାସରୁ ହୋଇ ସାରିଥିଲେ ବି ଏବେ ନିଯୁକ୍ତି ବିଜ୍ଞାପନ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଘଣ୍ଟାଚକଟା ଆରମ୍ଭ ହୋଇଛି।ପୂର୍ବରୁ ପୁଲିସ ରିକ୍ରୁଟମେଣ୍ଟ୍‌ ବୋର୍ଡ ‌ଏହି ପରୀକ୍ଷା କରୁଥି‌ବା ବେଳେ ଅନିୟମିତତା ଅଭିଯୋଗ ହେବାରୁ ୧୯୯୪ ପର ଠାରୁ ଷ୍ଟାଫ୍ ସିଲେକସନ୍ କମିସନ୍‌ ଦ୍ବାରା ପରୀକ୍ଷା ପରିଚାଳନା ହେଉଥିଲା। କିନ୍ତୁ ୨୦୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଏସ୍‌ଆଇ ନିଯୁକ୍ତି ପ୍ରକ୍ରିୟା ୨୦୨୦ରେ ସରିବା ଘଟଣାକୁ ନେଇ ପୁଲିସ ବିଭାଗରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏ ନେଇ ପୁଲିସ ଡିଜି ସରକାରଙ୍କୁ ଏକ ପ୍ରସ୍ତାବ ଦେବା ପରେ ସରକାର ଏହାକୁ ଗ୍ରହଣ କରିଥିଲେ। ଡିଜିଙ୍କ ପ୍ରସ୍ତାବ ଆଧାରରେ ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ଗଠନ ସହ ଏସ୍‌ଆଇ ପଦବି ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ନିଯୁକ୍ତି ପ୍ରକ୍ରିୟାରେ କେବଳ ପୁଲିସ ବିଭାଗର ଅଧିକାରୀ ରହିବା ଦ୍ବାରା ପ୍ରକ୍ରିୟା କେତେ ସ୍ବଚ୍ଛ ରହିବ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏହାକୁ ସରକାର ଗୁରୁତ୍ବର ସହ ବିଚାର କରିବାକୁ ମତ ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

ଆତଙ୍କ ସୃଷ୍ଟି କରୁଛି ବ୍ଲାକ୍‌ ଫଙ୍ଗସ୍‌: ୩ ଶିଶୁଙ୍କ ଜୀବନ ବଞ୍ଚାଇବାକୁ ବାହାର କରାଗଲା ଆଖି

Fri Jun 18 , 2021
ମୁମ୍ବାଇ : ମୁମ୍ବାଇରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତ ହୋଇଥିବା ୩ ଶିଶୁଙ୍କ ଜୀବନ ବଞ୍ଚାଇବା ଲାଗି ସେମାନଙ୍କ ଆଖି ବାହାର କରାଯାଇଛି। ୪, ୬ ଏବଂ ୧୪ ବର୍ଷର ୩ ଜଣ ଶିଶୁଙ୍କର ମୁମ୍ବାଇର ଦୁଇଟି ହସ୍ପିଟାଲ୍‌ରେ ଅସ୍ତ୍ରୋପଚାର କରାଯାଇଥିବା ଜଣାପଡ଼ିଛି। ଦୁଇ ଜଣ ଶିଶୁଙ୍କର ଡାଇବେଟିସ୍ ନଥିବା ବେଳେ ୧୪ ବର୍ଷୀୟ ଶିଶୁର ଡାଇବେଟିସ୍‌ ଅଛି। ଅନ୍ୟପକ୍ଷେ ଆଉ ଜଣେ ୧୬ ବର୍ଷର ଶିଶୁ କୋଭିଡ୍‌ରୁ ସୁସ୍ଥ ହେବାପରେ […]
ବ୍ଲାକ୍‌ ଫଙ୍ଗସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial