ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ସ୍ଥାନାନ୍ତର ପ୍ରସଙ୍ଗ: ତେଜିଲା ପ୍ରତିବାଦର ସ୍ବର

ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା

ଭୁବନେଶ୍ବର : ମାଷ୍ଟରକ୍ୟାଣ୍ଟିନ ଛକରୁ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର ନିଷ୍ପତ୍ତି ବିରୋଧରେ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ଶୁକ୍ରବାର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ ସଭା କରାଯାଇଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ଅନ୍ୟ ନେତାମାନେ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ କୀର୍ତ୍ତିରାଜିର ପ୍ରତୀକ ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ରାଜ୍ୟ ସରକାର ସୁରକ୍ଷିତ ରଖିବା ସହ ସ୍ଥାନାନ୍ତରଣ ନକରି ଏହି ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ପାଇଁ ବିଚାର କରନ୍ତୁ ବୋଲି ସେ ଟୁଇଟ୍‌ କରି କହିଛନ୍ତି। ‌ଘୋଡ଼ା ସ୍ଥାନାନ୍ତର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲିଥିବାରୁ ଆଗାମୀ ଦିନରେ ବିଜେପି ଏ ନେଇ ବଡ଼ ଧରଣର ଆନ୍ଦୋଳନ କରିବ ବୋଲି ଜଣାପଡ଼ୁଛି। ଟୁଇଟରରେ ଶ୍ରୀ ପ୍ରଧାନ ଲେଖିଛନ୍ତି ଯେ, ୧୯୬୪ ମସିହାରେ କୋଣାର୍କ ଘୋଡ଼ା ଓ ଯୋଦ୍ଧାକୁ ଓଡ଼ିଶା ଶାସନର ପ୍ରତୀକ ରୂପେ ଗ୍ରହଣ କରାଯାଇଥିଲା। ୧୯୮୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଦ୍ବାରା ଓଡ଼ିଶାର ପ୍ରଖ୍ୟାତ ସ୍ଥପତି ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଅନନ୍ୟ ସୃଷ୍ଟି ‌ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ କରାଯାଇଥିଲା। ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି କୀର୍ତ୍ତିରାଜିର ସ୍ଥାନାନ୍ତରଣ ବ୍ୟଥିତ କରିଛି। ଏହି କୀର୍ତ୍ତିରାଜି ଆମ ଐତିହ୍ୟର ପରିଚୟ। ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ସବୁ ମହଲରୁ ନାପସନ୍ଦ କରାଯାଉଛି। ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ଏହାକୁ ସୁରକ୍ଷିତ ରଖନ୍ତୁ ବୋଲି ସେ କହିଛନ୍ତି।
ଅପରପକ୍ଷେ କଂଗ୍ରେସ ଦୁଇ ଦିନ ହେଲା ବିକ୍ଷୋଭ ଜାରି ରଖିଛି। ଗତକାଲି ଭୁବନେଶ୍ବର ଜିଲ୍ଲା ସଭାପତି ବିଶ୍ବଜିତ ଦାଶଙ୍କ ଅଧ୍ୟକ୍ଷତାରେ ଏଠାରେ ଆୟୋଜିତ ପ୍ରତିବାଦ ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ; ଏହି ଘୋଡ଼ାକୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଭୁବନେଶ୍ବର ସହରର ମୁଖ୍ୟଦ୍ବାରରେ ସ୍ଥାପନ କରାଯାଇଥିଲା। ଏହି ଘୋଡ଼ାଟି କେବଳ ଏକ ପଥର ନିର୍ମିତ ଆକୃତି ନୁହେଁ, ଏହା ଓଡ଼ିଶା ସରକାରଙ୍କ ଶାସନର ଚିହ୍ନ। ଏହି ଘୋଡ଼ା କଳିଙ୍ଗର ବୀରତ୍ବ ଗାଥାକୁ ବହନ କରେ। ଏହି ସଭାରେ କଂଗ୍ରେସ ନେତା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ରାଜ୍ୟ କଂଗ୍ରେସର ମୁଖପାତ୍ର ରଜନୀ ମହାନ୍ତି ପ୍ରମୁଖ କହିଥିଲେ ଯେ, ୨୧ ବର୍ଷ ହେଲା ରାଜ୍ୟବାସୀଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ ଓ ରୋଜଗାର ଦେଇପାରୁନଥିବା ସରକାର ଗତ ୫ବର୍ଷ ହେଲା ସ୍ମାର୍ଟ ସିଟି ପରିକଳ୍ପନା ନାଁରେ ଏକ ଭାଣ୍ଡାମି ଚଲାଇଛନ୍ତି। ସାରା ବିଶ୍ବରେ ପ୍ରତ୍ୟେକ ରାଷ୍ଟ୍ର ନିଜର ଐତିହ୍ୟ, କଳା, ସଂସ୍କୃତିକୁ ରକ୍ଷା କରୁଥିବାବେଳେ ଓଡ଼ିଶା ସରକାର ଏହାକୁ ନଷ୍ଟ କରିବାରେ ଲାଗିପଡ଼ିଛନ୍ତି। ତେଣୁ ତୁରନ୍ତ ରାଜ୍ୟ ସରକାର ଘୋଡ଼ା ସ୍ଥାନାନ୍ତର ପ୍ରସଙ୍ଗରୁ ଓହରନ୍ତୁ। ନଚେତ୍ ଆନ୍ଦୋଳନକୁ ଆହୁରି ଜୋରଦାର୍‌ କରାଯିବ। ଏହି ପ୍ରତିବାଦ ସଭାରେ କଂଗ୍ରେସ ନେତା କିଶୋର ‌ଜେନା, ମନୋରଞ୍ଜନ ଦାଶଙ୍କ ସମେତ ବହୁ କଂଗ୍ରେସ ନେତା ଯୋଗ ଦେଇଥିଲେ। ସେହିପରି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଘୋଡ଼ା ସ୍ଥାନାନ୍ତରକୁ ବିରୋଧ କରିଛନ୍ତି। ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ମାଷ୍ଟରକ୍ୟାଣ୍ଟିନରେ ଦୀର୍ଘ ୪୨ ବର୍ଷ ଧରି ଶୋଭା ପାଉଥିବା ମହାନ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ସ୍ବର୍ଗତଃ ରଘୁନାଥ ମହାପାତ୍ରଙ୍କ ଦ୍ବାରା ନିର୍ମିତ ଘୋଡ଼ା ଓ ଯୋଦ୍ଧାଙ୍କ ପ୍ରସ୍ତରମୂର୍ତ୍ତି ସ୍ଥାନାନ୍ତରଣକୁ ମୁଁ ଦୃଢ଼ ବିରୋଧ କରୁଛି। ପୁରୀର ଗର୍ବ ସ୍ବର୍ଗତଃ ମହାପାତ୍ରଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ତାଙ୍କୁ ସମ୍ମାନ ଜଣାଇ ଏହାର ରକ୍ଷଣାବେକ୍ଷଣ କରିବା ପରିବର୍ତ୍ତେ ଏହାକୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ମହାନ ଶିଳ୍ପୀଙ୍କ ପ୍ରତି ଅସମ୍ମାନ। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି, ସେ ଏହି ନିଷ୍ପତ୍ତିକୁ ବାତିଲ୍‌ କରି ଏହି କଳାକୃତିର ସରଂକ୍ଷଣ ଓ ଉନ୍ନତୀକରଣ କରନ୍ତୁ। ଆମେ ବିକାଶକୁ ବିରୋଧ କରୁନୁ,କିନ୍ତୁ କୀର୍ତ୍ତିରାଜିକୁ ନଷ୍ଟ କରାନଯାଉ।

Share Now:

Kalinga News Beuro

Next Post

କୋଭିଡ୍‌-୧୯ରେ ଚାଲିଗଲେ କିମ୍ବଦନ୍ତୀ ଧାବକ ଉଡ଼ନ୍ତା ଶିଖ

Sat Jun 19 , 2021
ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେବ ମିଲ୍‌ଖା ସିଂହଙ୍କ ଅନ୍ତିମ ସଂସ୍କାର ନୂଆଦିଲ୍ଲୀ: ପଞ୍ଜାବ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଜ୍ଞାପନ ପୂର୍ବକ କିମ୍ବଦନ୍ତୀ ଧାବକ ମିଲ୍‌ଖା ସିଂହଙ୍କର ଅନ୍ତିମ ସଂସ୍କାର କରିବା ସହ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି। ଟୁଇଟ୍‌ କରି ଅମରିନ୍ଦର ସିଂହ ଲେଖିଛନ୍ତି, ଆମ ସରକାରଙ୍କ ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ସ୍ବର୍ଗତ ମିଲ୍‌ଖା ସିଂହଜୀଙ୍କ […]
ମିଲ୍‌ଖା ସିଂହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial