ମହଙ୍ଗା ପଡ଼ିଲା ଲୁଚାଛପା ବେପାର : ବିଏମ୍‌ସିର ଚଢ଼ଉ ଜୋରଦାର, ୮୦ ଦୋକାନ ସିଲ୍

ମହଙ୍ଗା ପଡ଼ିଲା ଲୁଚାଛପା ବେପାର

ତାରିଣୀ ବସ୍ତ୍ରାଳୟକୁ ୭୫ହଜାର ଟଙ୍କା ଜରିମନା

ଭୁବନେଶ୍ବର : ଲକ୍‌ଡାଉନ୍ ସତ୍ତ୍ବେ ‌‌ବହୁ ରାଜଧାନୀରେ ବ୍ୟବସାୟୀ ବେଆଇନ ଭାବେ ଦୋକାନ ଖୋଲୁଛନ୍ତି। ଏପରିକି ସଟର୍ ପକାଇ ଭିତରେ ଗ୍ରାହକଙ୍କୁ ପୂରାଇ ଲୁଚାଛପାରେ ବେପାର କରୁଛନ୍ତି। ଗ୍ରାହକ ବି କଟକଣା ନ ମାନି କିଣାକିଣି କରିବାକୁ ଭିଡ଼ କରୁଛନ୍ତି। ଏଭଳି ଲୁଚାଛପା ବେପାର ଆଜି ଉଭୟ ବେପାରୀ ଓ ଗ୍ରାହକଙ୍କୁ ମହଙ୍ଗା ପଡ଼ିଛି। ବିଏମ୍‌ସିର ତିନି ଜୋନ୍‌ର ସ୍କ୍ବାଡ୍‌ ଆଜି ଜୋରଦାର୍ ଚଢ଼ଉ କରିଛନ୍ତି। ଗୋଟିଏ ଦିନରେ ପ୍ରାୟ ୮୦ଟି ଦୋକାନ ସିଲ୍‌ କରିବା ସହ ୧ଲକ୍ଷ ୨୩ହଜାର ଟଙ୍କା ଜରିମାନା ଆଦାୟ କରିଛି। ଏଥିରେ ସବୁଠୁ ଅଧିକ ଜରିମାନା ୭୫ହଜାର ଟଙ୍କା କଳ୍ପନା ଛକସ୍ଥିତ ତାରିଣୀ ବସ୍ତ୍ରାଳୟରୁ ଆଦାୟ ହୋଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟ କୋଭିଡ୍‌ କଟକଣା ଉଲ୍ଲଂଘନ କରି ଦୋକାନ ଖୋଲିବା ସହ ଶତାଧିକ ଗ୍ରାହକଙ୍କୁ ଦୋକାନରେ ପୂରାଇଥି‌ଲେ। ସେଠାରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ନ ଥିଲା, ବହୁ ଲୋକ ମାସ୍କ ବି ପିନ୍ଧିନଥିଲେ। ସ୍ବତନ୍ତ୍ର ରିଲିଫ କମିସନରଙ୍କ ନିୟମ ଅନୁଯାୟୀ, ଲକ୍‌ଡାଉନ୍‌ରେ କୌଣସି ବସ୍ତ୍ରାଳୟ ଖୋଲି ପାରିବନି। କିନ୍ତୁ ଏହି ଦୋକାନ ଖୋଲିବା ସହ ଲୁଚାଛପାରେ କିଣାବିକା ଚାଲିଥିଲା। ଦୋକାନର ପଛପାର୍ଶ୍ବରୁ ଗ୍ରାହକଙ୍କୁ ଦୋକାନରେ ଭର୍ତ୍ତି କରାଯାଉଥିଲା। ତେଣୁ ଏହି ଦୋକାନକୁ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍ ସିଲ୍‌ କରିବା ସହ ୭୫ହଜାର ଟଙ୍କା ଜରିମାନା କରିଥିଲେ। ଅନ୍ୟପକ୍ଷରେ ଏହି ଦୋକାନରେ ଯେଉଁମାନେ ନିୟମ ଉଲ୍ଲଂଘନ କରି କିଣାକିଣି କରୁଥିଲେ ସେଳିଭଳି ୫୦ଜଣ ଗ୍ରାହକଙ୍କଠାରୁ ମଧ୍ୟ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି। ସବୁ ମିଶାଇ କେବଳ ଗ୍ରାହକଙ୍କଠାରୁ ୨୫ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ତାରିଣୀ ବସ୍ତ୍ରାଳୟ ଚଳିତବର୍ଷ ଲକ୍‌ଡାଉନ୍ ଭିତରେ ଦୁଇ ଥର ଏହିଭଳି ନିୟମ ଉଲ୍ଲଂଘନ କରି ଦୋକାନ ଖୋଲିଥିବାବେଳେ ବିଏମ୍‌ସି ପକ୍ଷରୁ ଚଢ଼ଉ କରି ବନ୍ଦ କରାଯାଇଥିଲା। ତେଣୁ ଏବେ ଦୋକାନ ସିଲ୍‌ କରିବା ସହ ଜରିମାନା କରାଯାଇଛି।

ସେହିପରି ବାପୁଜୀନଗର ମାର୍କେଟ୍ ଜୁଲାଇ ୧ ପର୍ଯ୍ୟନ୍ତ ବନ୍ଦ ହୋଇଥିବାବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଗୋଟିଏ ମୋବାଇଲ୍‌ ଦୋକାନ ଓ ଗୋଟିଏ ଇଲେକ୍ଟ୍ରୋନିକ୍ସ ଦୋକାନ ନିୟମ ଉଲ୍ଲଂଘନ କରି ଦୋକାନ ଖୋଲିଥିବାରୁ ସେମାନଙ୍କୁ ୫ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଏହାବାଦ୍ ବିଭିନ୍ନ ଓମଫେଡ୍ ଦୋକାନ, ଚା’ ଦୋକାନରେ ଗୁଟ୍‌ଖା ଏବଂ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଥିବାରୁ ସେଗୁଡ଼ିକୁ ସିଲ୍‌ କରାଯାଇଛି। ଏଥିରେ ଦକ୍ଷିଣ-ପୂର୍ବ ଜୋନ୍‌ରେ ବିଭିନ୍ନ ସ୍ଥାନରେ ୧୫ଟି ଓମ୍‌ଫେଡ୍‌ ଓ ଚା’ ଦୋକାନ, ଉତ୍ତର ଜୋନ୍‌ରେ ଅର୍ଥାତ୍ ଚନ୍ଦ୍ରଶେଖରପୁର ଅଞ୍ଚଳରେ ୪୦ଟି ଓମଫେଡ୍‌ ଓ ଚା‌’ ଦୋକାନ ସିଲ୍‌ କରାଯାଇଛି। ଦକ୍ଷିଣ-ପଶ୍ଚିମ ଜୋନ୍‌ ପକ୍ଷରୁ ସିରିପୁର ଓ ଆଇଡି ମାର୍କେଟରେ ଚଢ଼ଉ କରି ୧୩ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

Share Now:

Kalinga News Beuro

Next Post

କଟକଣା ଭିତରେ ଚା’ ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି

Tue Jun 29 , 2021
ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ୍ କଟକଣା ଲଗାଇଛନ୍ତି। ଫଳରେ ବିଭିନ୍ନ ଦୋକାନ ଖୋଲିବା ଉପରେ ଅଙ୍କୁଶ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବାଦ୍ ଆଉକେହି ବ୍ୟବସାୟ କରିପାରୁ ନାହାନ୍ତି। ଏହାକୁ ନେଇ ନାନା ପ୍ରକାର ହଇରାଣ ହେଉଛନ୍ତି ଛୋଟ ଛୋଟ ଦୋକାନୀ। ବିଶେଷ କରି ଚା’ ଦୋକାନ କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଗତ ଦୁଇମାସ ହେଲା ହାତବାନ୍ଧି ବସିଛନ୍ତି।ଗତବର୍ଷ ପ୍ରଥମ ଲହର ସମୟରେ ମଧ୍ୟ […]
ଚା’ ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial