ଦୟାୱେଷ୍ଟ କେନାଲର ୮.୫୭କିମି ରାସ୍ତା ହେବ ଦୁଇ ଥାକିଆ : ଖର୍ଚ୍ଚ ହେବ ୧୮.୭୩ କୋଟି ଟଙ୍କା

ଦୟାୱେଷ୍ଟ କେନାଲର ରାସ୍ତା ହେବ ଦୁଇ ଥାକିଆ

ଭୁବନେଶ୍ବର : ଜୟଦେବବିହାର-ନନ୍ଦନକାନନ ରାସ୍ତାର ଟ୍ରାଫିକ୍‌ ଭିଡ଼ କମାଇବା ପାଇଁ ପୂର୍ତ୍ତ ବିଭାଗ ଓ ବିଡିଏ ମିଳିତ ଭାବେ ଏହି ରାସ୍ତାର ଦୁଇଟି ସମାନ୍ତରାଳ ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏହି ଦୁଇଟି ରାସ୍ତା ଏବେ ଅଧାପନ୍ତରିଆ ଥିବାରୁ ଏହା କେବେ ସରିବ କେହି ଠିକ୍ ଭାବେ କହିପାରୁନାହାନ୍ତି। ତେଣୁ ଏହି ରାସ୍ତାର ଆଉ ଏକ ବିକଳ୍ପ ରାସ୍ତା ଭାବେ ଦୟା‌ୱେଷ୍ଟ କେନାଲର ଦକ୍ଷିଣ ପାର୍ଶ୍ବ ରାସ୍ତାକୁ ନିର୍ମାଣ କରାଯିବ। ବାରଙ୍ଗରୁ ପଳାସୁଣି ପର୍ଯ୍ୟନ୍ତ ପ୍ରାୟ ୮.୫୭ କିମିର ରାସ୍ତାକୁ ଦୁଇଥାକିଆ କରିବାକୁ ପୂର୍ତ୍ତ ବିଭାଗ ନିଷ୍ପତ୍ତି ନେଇଛି। ଏହାକୁ ବୁଧବାର ପ୍ରଶାସନିକ ଅନୁମତି ମିଳିଥିବା ନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ତ୍ତ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ବାରଙ୍ଗରୁ ପଳାସୁଣି ପର୍ଯ୍ୟନ୍ତ ୮.୫୭ କିମିର ଦୁଇ ଥାକିଆ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧୮କୋଟି ୭୩ଲକ୍ଷ ୫୨ହଜାର ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ ପୂର୍ତ୍ତ ବିଭାଗକୁ ୨୦୨୧-୨୨ ଅତିରିକ୍ତ ବଜେଟ୍‌ରୁ ଅର୍ଥ ଦିଆଯିବ। ତେଣୁ ଯେପର୍ଯ୍ୟନ୍ତ ଏଥିପାଇଁ ପୂରା ଅର୍ଥ ନ ମିଳିଛି, ସେତେଦିନ ପର୍ଯ୍ୟନ୍ତ କାମ ଆରମ୍ଭ ନକରିବାକୁ କୁହାଯାଇଛି। ଯେବେ କାମ ଆରମ୍ଭ ହେବ ତାହାକୁ ଧାର୍ଯ୍ୟ ସମୟରେ ଶେଷ କରାଯିବ। ଏହି ରାସ୍ତା ନିର୍ମାଣ ସମୟରେ ଅତିରିକ୍ତ ଅର୍ଥ ବରାଦ ହେବନି କି ଠିକା ସଂସ୍ଥା‌ ଅଧିକ ଖର୍ଚ୍ଚର ହିସାବ ଦେ‌ବନି।
ଏହି ପ୍ରକଳ୍ପରେ କେବଳ ରାସ୍ତା ନିର୍ମାଣ ପାଇଁ ୧୧କୋଟି ୭ଲକ୍ଷ ୩୦ହଜାର ୩୯୨ଟଙ୍କା ଖର୍ଚ୍ଚ ହେବ। ୭୮୫ମିଟରର ଟି-ୱାଇ ଜଙ୍କସନ୍ ପାଇଁ ୧୯ଲକ୍ଷ ୮୯ହଜାର ୬୦ଟଙ୍କା, ୬୨୦ମିଟରର ଟୋ ୱାଲ୍‌ ପାଇଁ ୨୪ଲକ୍ଷ ୪୪ହଜାର ୫୧୭ଟଙ୍କା, ୬୩୫ମିଟରର ରିଟେନିଂ ୱାଲ୍‌ ପାଇଁ ୨କୋଟି ୯୫ଲକ୍ଷ ୪୪ହଜାର ୯୧୭ଟଙ୍କା, ୧୪.୩୦ମିଟରର କ୍ରାସ୍‌ ବ୍ୟାରିଅର୍‌ ପାଇଁ ୫୪ଲକ୍ଷ ୩୬ହଜାର ୩୭୪ଟଙ୍କା, ୮ଟି ହ୍ୟୁମ୍ ପାଇପ୍ ପାଇଁ ୫୪ଲକ୍ଷ ୧୦ହଜାର ୬୫୬ଟଙ୍କା, ୨ଟି ବକ୍ସ କଲଭର୍ଟ ପାଇଁ ୩୫ଲକ୍ଷ ୨୫ହଜାର ୩୪ଟଙ୍କା, କ୍ବାଲିଟି କଣ୍ଟ୍ରୋଲ ପାଇଁ ୧୫ଲକ୍ଷ ୯୦ହଜାର ୧୮୦ଟଙ୍କା, ଗଛ କାଟିବା ଓ ଲଗାଇବା ପାଇଁ ୧୦ଲକ୍ଷ ଟଙ୍କା, ବିଦ୍ୟୁତ ଖୁଣ୍ଟ ଓ ପାଇପ୍ ଲାଇନ୍ ସ୍ଥାନାନ୍ତର ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ବାକି ଅର୍ଥ ଟିକସ ଓ ଅନ୍ୟାନ୍ୟ ବାବଦକୁ ଖର୍ଚ୍ଚ ହେବ। ସୂଚନାଯୋଗ୍ୟ ଯେ ଏବେ ପଳାସୁଣିରୁ ଗ୍ୟାରେଜ୍ ଛକ ପର୍ଯ୍ୟନ୍ତ ଏହି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଜବରଦଖଲ ସମସ୍ୟା ଯୋଗୁଁ କାମ ଆଗେଇ ପାରୁନି।

Share Now:

Kalinga News Beuro

Next Post

ଇସ୍ରାଏଲଠାରୁ ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତ

Sat Jul 3 , 2021
ନୂଆଦିଲ୍ଲୀ : କିଛି ଦିନ ତଳେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଦ୍ବାରା ଛୋଟ ଛୋଟ ଡ୍ରୋନ ବ୍ୟବହାର କରି ଜମ୍ମୁ ସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ବୋମା ବିସ୍ଫୋରଣ କରିବା ପରେ ଭାରତୀୟ ସେନାର ଚେତା ପଶିଛି। ଭବିଷ୍ୟତରେ କିପରି ଏଭଳି ଚ୍ୟାଲେଞ୍ଜର ମୁକାବିଲା କରାଯିବ ତାହାକୁ ନେଇ ଭାରତୀୟ ସାମରିକ ବାହିନୀ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମିଳିଥିବା ସୂଚନା ଅନୁସାରେ ଭାରତ ଇସ୍ରାଏଲଠାରୁ ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା ଖରିଦ […]
ଇସ୍ରାଏଲଠାରୁ ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial