ରାଜଧାନୀରୁ ଲକ୍‌ଡାଉନ୍‌ ଶୀଘ୍ର ଉଠିବା ନେଇ ଆଶଙ୍କା

ରାଜଧାନୀରୁ ଲକ୍‌ଡାଉନ୍‌ ଶୀଘ୍ର ଉଠିବା ନେଇ ଆଶଙ୍କା

ଭୁବନେଶ୍ବର : ଜନସଂଖ୍ୟା ଅନୁପାତରେ ଟିକାକରଣରେ ଭୁବନେଶ୍ବର ଦେଶର ବଡ଼ବଡ଼ ସହରକୁ ପଛରେ ପକାଇ ଦେଇଛି। ସିମ୍‌ଲା, ରାୟପୁର, ଇନ୍ଦୋର, ଅହମ୍ମଦାବାଦ ଭଳି ସହରର ଲୋକସଂଖ୍ୟା ତୁଳନାରେ ଭୁବନେଶ୍ବରରେ ଅଧିକ ଲୋକଙ୍କୁ ଟିକା ଦିଆସରିଲାଣି। ୯ଲକ୍ଷ ୭ହଜାର ୧୯୪ଜଣଙ୍କୁ ଟିକା ଦେବାକୁ ଯୋଜନା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆ ସରିଲାଣି। କିନ୍ତୁ ଭୁବନେଶ୍ବରରେ ଦୈନିକ ସଂକ୍ରମଣ ଆଶାନୁରୂପ ଭାବେ କମୁନି। ଏପରିକି ଟେଷ୍ଟ ପଜିଟିଭିଟି ରେଟ୍‌ (ଟିପିଆର୍‌) ୫%ରୁ ତଳକୁ ଖସୁନଥିବାରୁ ଭୁବନେଶ୍ବରରେ ଲକ୍‌ଡାଉନ୍ ଶୀଘ୍ର ଉଠିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟ ସହରରେ ଯେପରି କୋଭିଡ କଟକଣା କୋହଳ ହୋଇଛି, ଭୁବନେଶ୍ବରରେ ବି ସେହିପରି କୋହଳ ହୋଇଛି। ହେଲେ ବାକି ସହରରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ ଟିପିଆର୍‌ କମୁଥିବାବେଳେ ଭୁବନେଶ୍ବରରେ ନା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ନା ଟିପିଆର୍‌ କମୁଛି। ଟିପିଆର୍‌ କମାଇବା ପାଇଁ ବିଏମ୍‌ସି ଦିନକୁ ଦିନ ଟେଷ୍ଟିଂ ସଂଖ୍ୟା ବଢ଼ାଇ ଚାଲିଛି। ଦୈନିକ ୫ରୁ ୬ହଜାର ଲୋକଙ୍କର ଟେଷ୍ଟିଂ କରୁଛି, ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ରୁ ତଳକୁ ଖସୁନି। ରାଜଧାନୀରେ ଟିକାକରଣ ଯେତିକି ସଫଳ ହୋଇଛି ଓଡ଼ିଶାର କୌଣସି ସହରରେ ଏପରି ହୋଇନି। କେବଳ ଓଡ଼ିଶା ନୁହେଁ; ସାରା ଦେଶରେ ଭୁବନେଶ୍ବର ଟିକାକରଣରେ ଅଗ୍ରଣୀ ସହର ପାଲଟିଛି। କିନ୍ତୁ ଲକ୍‌ଡାଉନ୍ କଟକଣା ଉଠିବା ସ୍ଥିତିକୁ ଆସୁନି। ବହୁ ଲୋକ ଟିକା ନେବା ପରେ ଆକ୍ରାନ୍ତ ହେଉଥିବାରୁ ଏବଂ ଟିକାକରଣ ଜୋର୍‌ଦାର ହେବା ପରେ ବି କଟକଣା କୋହଳ ହେଉନଥିବାରୁ ଏବେ ଟିକାକରଣର ସଫଳତା ନେଇ ଲୋକ ପ୍ରଶ୍ନ ଉଠାଇଲେଣି। ଯଦି ରାଜଧାନୀରେ ପ୍ରାୟ ସମସ୍ତେ ଟିକା ନେବା ପରେ ବି କଟକଣା ଉଠୁନି, ସଂକ୍ରମଣ ନିୟନ୍ତ୍ରଣକୁ ଆସୁନି, ତେବେ ଏହା କେବେ ସ୍ବାଭାବିକ ହେବ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଲାଣି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆମେ ଏବେ ଟିପିଆର୍‌କୁ ୫% ତଳକୁ ଆଣିବାକୁ ବହୁ ଉଦ୍ୟମ କଲୁଣି। କିନ୍ତୁ କମୁନି। ହାଟ, ବଜାର, ଜନଗହଳି ସ୍ଥାନ, ନିୟମ ଉଲ୍ଲଂଘନକାରୀ, ଟିକାଦାନ କେନ୍ଦ୍ରକୁ ଆସୁଥିବା ଲୋକଙ୍କର କୋଭିଡ ଟେଷ୍ଟ କରୁଛୁ। ‌ହେଲେ ଯେତେ ଟେଷ୍ଟ କରୁଛୁ ସେତେ ଆକ୍ରାନ୍ତ ବାହାରୁଛନ୍ତି। ଅଧିକ ଆକ୍ରାନ୍ତ ବାହାରୁଥିବାରୁ ଟେଷ୍ଟ ସଂଖ୍ୟା ବଢ଼ାଉଛୁ। ୭ଦିନରେ ୩୭ହଜାର ୪୦୦ ଲୋକଙ୍କର ଟେଷ୍ଟିଂ ହେଲାଣି। ଏଥିରୁ ୨୨୭୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିପାଇଁ ହାରହାରି ଟିପିଆର୍‌ ୬.୦୭% ରହିଛି। ବିଏମ୍‌ସି ଏବେ ୩ ‘ଟ’ କୁ ଗୁରୁତ୍ବ ଦେଉଛି। ଟ୍ରେସିଂ, ଟେଷ୍ଟିଂ, ଟିକା। ଲକ୍‌ଡାଉନ୍ କୋହଳ ହେବ କି ନାହିଁ ତାହା ସରକାର ନିଷ୍ପତ୍ତି ‌ନେବେ। ଆମେ କେବଳ ଭୁବନେଶ୍ବରରେ ଯେପରି କରୋନା ନିୟନ୍ତ୍ରଣକୁ ଆସିବ ସେନେଇ ପଦକ୍ଷେପ ନେଉଛୁ। ଯଦି ଭୁବନେଶ୍ବରରେ ଲକ୍‌ଡାଉନ୍ ନିୟମ କୋହଳ ହୁଏ ତେବେ ଏହା ସଂଧ୍ୟା ୬ଟା ପର୍ଯ୍ୟନ୍ତ କୋହଳ ହେବ। କିନ୍ତୁ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

Share Now:

Kalinga News Beuro

Next Post

ଭାଇଭଉଣୀଙ୍କ ସହ ମିଶି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ ଜଗନ୍ନାଥ

Mon Jul 12 , 2021
ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ଶ୍ରୀଜିଉଙ୍କ ରଥ। ଅପରାହ୍ନ ୪.୩୦ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିଥିବା ବେଳେ ୫.୦୦ଟା ସମୟରେ ଭଉଣୀ ହଳଦୀମୁହିଁ ସୁଭଦ୍ରାଙ୍କ ରଥ ଦର୍ପଦଳନ ଓ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋ‌ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି। ସେବାୟତମାନେ ଶ୍ରୀଜିଉମାନଙ୍କୁ ହର୍ଷୋଲ୍ଲାସରେ ଟାଣି ନେଇ ଶରଧାବାଲି ଅଭିମୁଖେ ବାହାରିଥିଲେ। ଆଜି ବଳଭଦ୍ରଙ୍କ ରଥ ଟଣା କାର୍ଯ୍ୟ ଠିକ୍ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହୋଇଥିଲା। […]
ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲେ ମହାପ୍ରଭୁ ଜଗନ୍ନାଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial