ପ୍ରଥମ ଦିନିକିଆ: ଶ୍ରୀଲଙ୍କା ବିପକ୍ଷରେ ୭ ୱିକେଟରେ ବିଜୟୀ ହେଲା ଭାରତ

ଶ୍ରୀଲଙ୍କା ବିପକ୍ଷରେ ଚମକିଲା ଭାରତ

ଶିଖର ଧୱନ, ଈଷନ କିଷନଙ୍କ ଅର୍ଦ୍ଧଶତକ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ସଫଳତାର ସହିତ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି। ଶ୍ରୀଲଙ୍କା ଗସ୍ତରେ ଅଧିନାୟକ ଶିଖର ଧୱନ୍ (ଅପରାଜିତ ୮୬ ରନ୍, ୯୫ ବଲ, ୬ ଚୌକା ଓ ୧ ଛକା), ଯୁବ କ୍ରିକେଟର ଈଷନ କିଷନ (୫୯ ରନ୍) ଓ ପୃଥ୍ୱୀ ସ(୪୩ ରନ୍)’ଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୩ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାକୁ ୭ ୱିକେଟ୍ରେ ପରାସ୍ତ କରିଛି। କଲମ୍ବୋସ୍ଥିତ ଆର୍ ପ୍ରେମ୍ଦାସା ଷ୍ଟାଡିୟମ୍ରେ ଆୟୋଜକ ଶ୍ରୀଲଙ୍କା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ ହରାଇ ୨୬୨ ରନ୍ କରିଥିଲା। ଭାରତ ୨ୟ ଇନିଂସରେ ୨୬୩ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ଟିମ୍ ୩୬.୪ ଓଭରରେ ୩ଟି ୱିକେଟ ହରାଇ ୨୬୩ ରନ୍ ସଂଗ୍ରହ କରିଥିଲା। ଯୁବ କ୍ରିକେଟର ପୃଥ୍ୱୀ ସ’ ଏବଂ ଶିଖର ଧ୍ୱାଓନ ଭାରତର ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟରେ ୫୮ ରନ୍ ସଂଗ୍ରହ କରିଥିଲେ। ପୃଥ୍ୱୀ ଆଉଟ୍ ହୋଇ ପାଭଲିଅନ୍ ଫେରିବା ପୂର୍ବରୁ ୪୩ ରନ୍ ସଂଗ୍ରହ କରିଥିଲେ। ନିଜର ଏହି ବିସ୍ଫୋରକ ବ୍ୟାଟିଂ ବଳରେ ସେ ୨୪ଟି ବଲ ଖେଳି ୯ଟି ଚୌକା ମାରିଥିଲେ। ପୃଥ୍ୱୀ ପଡ଼ିଆରୁ ବିଦାୟ ନେବା ପରେ ଈଷନ କିଷନ ବ୍ୟାଟିଂ କରିବାକୁ ଆସିଥିଲେ। ସେ ଦ୍ୱିତୀୟ ୱିକେଟରେ ଧୱନଙ୍କ ସହିତ ୮୫ ରନ୍ର ଭାଗିଦାରୀ ହୋଇପାରିଥିଲେ। ୪୨ଟି ବଲର ସମ୍ମୁଖୀନ ହୋଇ ୮ଟି ଚୌକା ଓ ୨ଟି ଛକା ବଳରେ ୫୯ରନ୍ ସଂଗ୍ରହ କରିଥିଲେ। ଭାରତ ୩ୟ ୱିକେଟ ଭାବେ ମନୀଷ ପାଣ୍ଡେ(୨୬ ରନ୍)ଙ୍କୁ ହରାଇଥିଲା। ସୂର୍ଯ୍ୟକୁମାର ଯାଦବ ଅପରାଜିତ ୩୧ ରନ୍ କରିଥିଲେ। ଶିଖର ଧୱନଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଆଜି ଭଲ ବୋଲିଂ କରିଥିଲା। ଦଳରେ ଏକାଧିକ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଶ୍ରୀଲଙ୍କାକୁ ୨୬୨ ରନ୍ରେ ଅଟକାଇପାରିଥିଲା। ଦୀପକ ଚହର, ୟୁଜବେନ୍ଦ୍ର ଚହଲ ଓ କୁଳଦୀପ ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁଣାଳ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଅଭିଶିକା ଫର୍ଣ୍ଣାଡୋଜ୍ ଓ ମିନୋଦ୍ ଭାନୁକା ଶ୍ରୀଲଙ୍କାର ଇନିଂସ ଆରମ୍ଭ କରିଥିଲେ। ଉଭୟ ଓପନର ପ୍ରଥମ ୱିକେଟରେ ୪୯ ରନ୍ କରିଥିଲେ। ଅଭିଶିକା ଫର୍ଣ୍ଣାଡୋଜ୍ ୩୫ଟି ବଲ୍ ସମ୍ମୁଖୀନ ହୋଇ ୩୨ ରନ୍ ସଂଗ୍ରହ କରିଥିଲେ। ସେ ୟୁଜବେନ୍ଦ୍ର ଚହଲଙ୍କ ବଲ ମନୀଷ ପାଣ୍ଡେଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ। ସେହିପିର ତାଙ୍କର ସାଥୀ ଖେଳାଳି ମିନୋଦ ୪୪ଟି ବଲ ଖେଳି ଦଳ ପାଇଁ ୨୭ ରନ୍ର ଯୋଗଦାନ ଦେଇଥିଲେ। କୁଳଦୀପ ଯାଦଙ୍କ ବଲ ପୃଥ୍ୱୀ ସ’ଙ୍କୁ କ୍ୟାଚ ଦେଇ ପାଭଲିଅନକୁ ଫେରିଥିଲେ। ଶ୍ରୀଲଙ୍କା ୮୫ ରନ୍ରେ ନିଜର ୨ୟ ୱିକେଟ୍ ହରାଇଥିଲା। ଶ୍ରୀଲଙ୍କା ପାଇଁ ଆଜି ଚାମିକା କରୁଣାରତ୍ନେ ସର୍ବାଧିକ ୪୩ (ଅପରାଜିତ) ରନ୍ ଯୋଡ଼ିଥିଲେ । ସେ ୩୫ଟି ବଲ୍ର ସମ୍ମୁଖୀନ ହୋଇ ଗୋଟିଏ ଚୌକା ଏବଂ ୨ଟି ଛକା ବଳରେ ଏହି ରନ୍ ସଂଗ୍ରହ କରିଥିଲେ। ସେହିପରି ଚରିଥ ଆସଲଙ୍କାଙ୍କ ୩୮ ରନ୍, ଦାସୁନ ଶନଙ୍କାଙ୍କ ୩୯ ରନ୍ ଓ ଭାନୁକା ରାଜପକ୍ଷେଙ୍କ ୨୪ ରନ୍ ବଳରେ ଶ୍ରୀଲଙ୍କାର ସ୍କୋର ୨୬୨ ରନରେ ପହଞ୍ଚିଥିଲା।

Share Now:

Kalinga News Beuro

Next Post

ଆସନ୍ତା ୨୩ରେ ବଙ୍ଗୋପସାଗରରେ ଲଘୁଚାପ

Tue Jul 20 , 2021
ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି। ଦୁଇଦିନ ପୂର୍ବରୁ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ୨୧ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବ। କିନ୍ତୁ ଆଜି ପ୍ରକାଶିତ ନୂଆ ପାଣିପାଗ ବୁଲେଟିନ ଅନୁସାରେ ଏହି ଲଘୁଚାପ ୨୩ ତାରିଖରେ ସୃଷ୍ଟି ହେବ। କିନ୍ତୁ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି […]
୨୩ରେ ବଙ୍ଗୋପସାଗରରେ ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial