ରାଜଧାନୀରେ ବେକାବୁ ହେଲାଣି ଡେଙ୍ଗୁ

ବେକାବୁ ହେଲାଣି ଡେଙ୍ଗୁ-1

ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, କଳ୍ପନା ଅଞ୍ଚଳ ହଟ୍‌ସ୍ପଟ୍‌

ଭୁବନେଶ୍ବର : ରାଜଧାନୀରେ ଏବେ ଡେଙ୍ଗୁ କାୟା ମେଲାଇଲାଣି। ସବୁ ଅଞ୍ଚଳରୁ ଏବେ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ‌ହେଉଛନ୍ତି। କିନ୍ତୁ ବିଏମ୍‌ସି ପାଖରେ ଏ ନେଇ ସବିଶେଷ ତଥ୍ୟ ନାହିଁ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁ ନ ଥିବାବେଳେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସମସ୍ତଙ୍କ ନିଦ ହଜାଇ ଦେଲାଣି। ଏବେ ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, କଳ୍ପନା ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳ, ଚିନ୍ତାମଣିଶ୍ବର ଡେଙ୍ଗୁର ହଟ୍‌ସ୍ପଟ୍ ପାଲଟିଛି। ସରକାରୀ ହିସାବ ଅନୁଯାୟୀ ଏହି ଅଞ୍ଚଳରୁ ପ୍ରାୟ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଏଠାରେ ଏବେ ଗଳି ଗଳିରେ ଡେଙ୍ଗୁ ଆକ୍ରାନ୍ତ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରତିଦିନ ସେମାନଙ୍କ ଅଞ୍ଚଳରୁ ୧୦ରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ବରରେ କେବଳ ସରକାରୀ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ୱାର୍ଡ ହୋଇଥିବାରୁ ଆକ୍ରାନ୍ତ ଏବେ ଘରୋଇ ହସ୍ପିଟାଲ ମୁହାଁ ହେଉଛନ୍ତି। ଏପରିକି ରାଜଧାନୀର ସମସ୍ତ ଘରୋଇ ହସ୍ପିଟାଲରେ ଏବେ ପୁଳାପୁଳା ଡେଙ୍ଗୁ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ନା ଲୋକ ସଚେତନ ହେଉଛନ୍ତି ନା ବିଏମ୍‌ସି ‌କିଛି ଆଖିଦୃଶିଆ ପଦକ୍ଷେପ ନେଉଛି। କେବଳ ଯେଉଁଠି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ ସଚେତନତା ଓ ପ୍ରତି‌ଷେଧକ ବ୍ୟବସ୍ଥା ହେଉଥିବାରୁ ପ୍ରତିଦିନ ନୂଆନୂଆ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ପ୍ରବଣ ରାଜଧାନୀରେ ପ୍ରତିବର୍ଷ ଏହି ସମୟରେ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ହେଁ ବିଏମ୍‌ସି ଏଥର ସ୍ପେସାଲ ଡ୍ରାଇଭ୍ କରିବା ଭୁଲି ଯାଇଛି। ଯାହାର ଫଳ ରାଜଧାନୀବାସୀ ଭୋଗୁଛନ୍ତି। ଯେଉଁ ଏଡିସ୍ ମଶା କାମୁଡ଼ିଲେ ଡେଙ୍ଗୁ ହୁଏ, ତାହା ପରିଷ୍କାର ସ୍ଥିର ପାଣିରେ ଡିମ୍ବ ଦେଇଥାଏ। ଏହି ପରିଷ୍କାର ସ୍ଥିର ପାଣି ଏବେ ରାସ୍ତାଘାଟରୁ ଆରମ୍ଭ କରି ଘରେ ଘରେ ଜମା ହୋଇଥିଲେ ହେଁ ଏ ନେଇ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ୍ ହେଉନି। ସାଧାରଣତଃ କଟା ପଇଡ଼, ଗ୍ୟାରେଜରେ ପଡ଼ିଥିବା ଟାୟାର ଓ ଭଙ୍ଗା ସାମଗ୍ରୀ ଆଦିରେ ବର୍ଷା ପାଣି ଜମିବା ପରେ ଏଥିରେ ଏଡିସ୍‌ ମଶା ଅଣ୍ଡା ଦେଇଥାଏ। ପ୍ରତିବର୍ଷ ଏହି ସମୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ତିନି ବର୍ଷ ତଳେ ବିଏମ୍‌ସି ପକ୍ଷରୁ ଏନେଇ ସ୍ପେସାଲ ଡ୍ରାଇଭ୍ ହୋଇଥିଲା। କିନ୍ତୁ ଦୁଇ ବର୍ଷ ହେଲା ଏହା ହେଉନି। ଯେଉଁଥିପାଇଁ ଏବେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ପେସାଲ ଡ୍ରାଇଭ୍‌ରେ ବିଏମ୍‌ସି ଶିଳ୍ପାଞ୍ଚଳ, ବସଷ୍ଟାଣ୍ଡ, ବିଭିନ୍ନ ଗ୍ୟାରେଜ୍ ଏବଂ ଅବ୍ୟବହୃତ ଅଞ୍ଚଳରେ ଚଢ଼ାଉ କରି ବିଭିନ୍ନ ସାମଗ୍ରୀ ଜବତ କରିବା ସହ ଜରିମାନା ଆଦାୟ କରୁଥିଲା। ଫଳରେ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଲୋକ ସଚେତନ ହେଉଥିଲେ। ଗଳି ଗଳିରେ ବୁଲି ବିଏମ୍‌ସି ଟେମୋଫସ୍ ଓ ଏମ୍‌ଏଲ୍‌ ତେଲ ପକାଉଥିଲା। ଯାହା ଏଡିଶ୍ ମଶାକୁ ଅଣ୍ଡା ଅବସ୍ଥାରେ ମାରି ଦେଉଥିଲା। ହେଲେ ଏବେ ସେହିଭଳି ହେଉନି। ଯେଉଁଠି ଆକ୍ରାନ୍ତ ବାହାରୁଛନ୍ତି ସେଠାରେ ହିଁ ତେଲ ପଡ଼ୁଛି।

ବିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ବସନ୍ତ ମିଶ୍ରଙ୍କ କହିବାନୁଯାୟୀ, ରାଜଧାନୀରେ ଡେଙ୍ଗୁ ପରିସ୍ଥିତି ମୁକାବିଲା ପାଇଁ ଆମର ୨୧୦ଜଣ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ ହୋଇଛି। ଯେଉଁଠି ଆକ୍ରାନ୍ତ ବାହାରୁଛନ୍ତି ସେଠାରେ ତେଲ ଛିଞ୍ଚିବାଠାରୁ ଆରମ୍ଭ କରି ଲୋକଙ୍କୁ ସଚେତନ କରୁଛନ୍ତି। ଲୋକ ଯଦି ସଚେତନ ହେବେ ତେବେ ଡେଙ୍ଗୁ ହେବନି। ଲୋକମାନେ ସେମାନଙ୍କ ଘରେ ଯଦି କୌଣସି ଫୁଲ କୁଣ୍ଡ, ଭଙ୍ଗା ବାଲ୍‌ଟି, ଟିଣ, କୁଲର୍‌, ଭଙ୍ଗା ଡବା, ବୋତଲ ଆଦିରେ ପାଣି ଜମିବାକୁ ଦେବେନି, ତେବେ ଯାଇ ଏଡିସ୍ ମଶା ଅଣ୍ଡା ଦେଇପାରିବନି। ହେଲେ ଲୋକ ସଚେତନ ହେଉନାହାନ୍ତି। ଆମ ନିକଟରେ ଯେତିକି ଅଭିଯୋଗ ହୋଇଛି ସେଠାରେ ଲୋକମାନଙ୍କ ଘରେ କିପରି ପାଣି ଜମି ମଶା ଅଛନ୍ତି ତାହା ଦେଖାଇଛୁ। ଏଡିୟୁପିଏଚ୍‌ଓ ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି ଯେ, ରାଜଧାନୀରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨୩୫ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ କାହାର ଏ ପର୍ଯ୍ୟନ୍ତ ମୃତ୍ୟୁ ହୋଇନି। ଏହା କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ ଏବଂ ଆର୍‌ଏମ୍‌ଆର୍‌ସିରେ ହୋଇଥିବା ଟେଷ୍ଟର ରିପୋର୍ଟ। ଏଠାରେ ଏଲିସା ପଦ୍ଧତିରେ ରକ୍ତ ପରୀକ୍ଷା ହୁଏ। କିନ୍ତୁ ଘରୋଇ ହସ୍ପିଟାଲରେ କିଟ୍‌ ଦ୍ବାରା ଟେଷ୍ଟ କରୁଥିବାରୁ ଆମେ ଉକ୍ତ ରିପୋର୍ଟ ଗ୍ରହଣ କରିନୁ। ଘରୋଇ ହସ୍ପିଟାଲରେ ଅଧିକ ଆକ୍ରାନ୍ତ ଥାଇପାରନ୍ତି। ବର୍ତ୍ତମାନ ସୁଦ୍ଧା ନୀଳାଦ୍ରିବିହାର, ଶୈଳଶ୍ରୀ ବିହାର, କଳ୍ପନା ନିକଟସ୍ଥ ନାଗେଶ୍ବର ଟାଙ୍ଗୀ, ବିଜେବି ନଗର, ଚିନ୍ତାମଣିଶ୍ବର, ଗୌତମନଗର, ମୈତ୍ରୀବିହାର, ବିଜୁ ପଟ୍ଟନାୟକ କଲେଜ ଅଞ୍ଚଳ, କଳିଙ୍ଗ ହସ୍ପିଟାଲ ଅଞ୍ଚଳ, ୟୁନିଟ-୧, ୟୁନିଟ-୨, ୟୁନିଟ-୩ ସରକାରୀ କ୍ବାର୍ଟର୍ସ ଭଳି ଅଞ୍ଚଳରୁ ବହୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ଆମେ ଏହି ଅଞ୍ଚଳରେ ଲୋକଙ୍କୁ ଅଧିକ ସଚେତନ କରୁଛୁ। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଏବେ ସୁଦ୍ଧା ୨୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୨୧ଟି ସ୍ଥାନରୁ ଏଡିଶ୍ ମଶାର ଲାର୍ଭା ମିଳିଛି। ୮୮୮ଟି ସମ୍ବେଦନଶୀଳ ସ୍ଥାନକୁ ପରିଷ୍କାର କରାଯାଇଛି। ୧୬ହଜାର ଲୋକଙ୍କୁ ସଚେତନ କରାଯାଇଥିବାବେଳେ ୧୦୨୬ଟି ବୁକ୍‌ଲେଟ୍ ବଣ୍ଟାଯାଇଛି। ମଙ୍ଗଳବାର ୱାର୍ଡ-୧୬ ଓ ୱାର୍ଡ ୪୦ରେ ବ୍ୟାପକ ସଚେତନତା ଅଭିଯାନ କରାଯାଇଛି। ତେବେ ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ବିଏମ୍‌ସି ଓ ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ କାହିଁକି ଏହାକୁ ଗ୍ରହଣ କରୁନି ସେନେଇ ପ୍ରଶ୍ନ ଉଠିଲାଣି। ‌ଯଦି ସେମାନଙ୍କୁ ଡେଙ୍ଗୁ ହୋଇନି ତେବେ ସେମାନଙ୍କୁ କିପରି ଡେଙ୍ଗୁ ଚିକିତ୍ସା ଯୋଗାଯାଉଛି? ଜଣେ ଆକ୍ରାନ୍ତଙ୍କ କହିବାନୁଯାୟୀ, ଆମ ପରିବାରରୁ ଦୁଇ ଜଣ ଏବେ ଡେଙ୍ଗୁ ଆକ୍ରାନ୍ତ। କ୍ୟାପିଟାଲ ହସ୍ପିଟାଲକୁ ବିଭିନ୍ନ ପ୍ରକାରର ଆକ୍ରାନ୍ତ ଆସୁଥିବାରୁ ଏବଂ କରୋନା ଆକ୍ରାନ୍ତ ଆସୁଥିବାରୁ ଏଠାକୁ ଯିବାକୁ ସୁରକ୍ଷିତ ମଣିଲୁନି। ତେଣୁ ଘରୋଇ ହସ୍ପିଟାଲରେ ଟେଷ୍ଟ କରି ଚିକିତ୍ସିତ ହେଉଛୁ।

Share Now:

Kalinga News Beuro

Next Post

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

Thu Jul 22 , 2021
ପୁରୀ: ଶ୍ରୀକ୍ଷେତ୍ରରେ ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା ନୀତି ଜାରି ରହିଛି। ଏହି ନୀତିରେ ସେବାୟତମାନେ ନିୟୋଜିତ ଅଛନ୍ତି। ଆଉ କିଛି ସମୟ ପରେ ଶ୍ରୀବିଗ୍ରହଙ୍କ ଠାରେ ଅଧରପଣା ଲାଗି ହେବ। ରଥାରୁଢ଼ ଦିଅଁଙ୍କୁ ଅଧରପଣା ଭୋଗ ଲାଗି କରାଯିବ। ଅଧର ଉଚ୍ଚା ତୁମ୍ବାକୃତି ମାଟିପାତ୍ରରେ ପଣା ଲାଗି ହେବ। ପ୍ରତି ରଥରେ ୩ଟି ଲେଖାଏଁ ହାଣ୍ଡିରେ ପଣା ଲାଗି ହେବ। ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି […]
ରଥ ଉପରେ ଶ୍ରୀଜିଉଙ୍କ ଅଧରପଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial