‘ବ୍ଲାକସ୍ପଟ୍’ ହଂସପାଳ ଛକରେ ଆଣ୍ଠେଇଛି ଫ୍ଲାଏଓଭର କାମ

‘ବ୍ଲାକସ୍ପଟ୍’ ହଂସପାଳ ଛକ

ଭୁବନେଶ୍ବର : ଜାତୀୟ ରାଜପଥର ହଂସପାଳ ଛକରେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିଲା। ଏକାଧିକ ମୁଣ୍ଡ ଗଡ଼ିବା ପରେ ଏଠାରେ ଅଣ୍ଡରପାସ୍‌ ବଦଳରେ ଫ୍ଲାଇଓଭର୍ ନିର୍ମାଣ ପାଇଁ ଦାବି ଜୋର୍ ଧରିଥିଲା। ଉତ୍ତର ଭୁବନେଶ୍ବର ପରିଷଦର ଦୀର୍ଘ ଦିନର ସଂଘର୍ଷ ସାଙ୍ଗକୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ୟମ ଯୋଗୁଁ ହଂସପାଳରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷ ଫ୍ଲାଏଓଭର୍ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାୟ ୨୪କୋଟି ଟଙ୍କା ଖର୍ଚ୍ଚରେ ତିଆରି ହେବାକୁ ଥିବା ଏହି ଫ୍ଲାଏଓଭର୍ ୧୮ମାସରେ ଶେଷ ହେବାକୁ ଧାର୍ଯ୍ୟ କରାଯାଇଥିଲା। ୨୦୨୦ ଜୁନ୍ ୫ରୁ କାମ ଆରମ୍ଭ ହୋଇଥିବା ବେଳେ ଇତିମଧ୍ୟରେ ୧୩ମାସରୁ ଅଧିକ ସମୟ ବିତିଗଲାଣି। ହେଲେ କାମ ଆଗେଇ ପାରୁନି। ୧୩ମାସରେ ମାତ୍ର ୫.୧୧ପ୍ରତିଶତ କାମ ସରିଛି ବୋଲି ଖୋଦ୍ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ କହିଛନ୍ତି। ଯାହା ଫଳରେ ଆଉ ୫ମାସରେ ଅବଶିଷ୍ଟ ୯୫ପ୍ରତିଶତ କାମ କେମିତି ସରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ କର୍ତ୍ତୃପକ୍ଷଙ୍କ କହିବା କଥା ହେଉଛି, କରୋନା କଟକଣା ପାଇଁ କାମ ସଠିକ୍ ଭାବରେ ହୋଇପାରିଲାନି। ଏହା ସହିତ ହରିଜନ ସାହି ଓ ପାଇପ୍ ଲାଇନ୍ ଉଠିବାକୁ ୬ମାସ ଲାଗିଗଲା। ଫଳରେ କାମର ଅଗ୍ରଗତି ହୋଇପାରିଲାନି। ତେଣୁ ଡିସେମ୍ବର ମାସରେ ସରିବାକୁ ଥିବା ଏହି କାମ ଆହୁରି ୯ମାସ ବିଳମ୍ବ ହେବ। ଅର୍ଥାତ୍ ହଂସପାଳ ଫ୍ଲାଏଓଭର୍ ୧୮ମାସ ନୁହେଁ; ୨୭ମାସରେ ସରିବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ହଂସପାଳ ଫ୍ଲାଏଓଭର୍‌ରେ ଉତ୍ତର ଭୁବନେଶ୍ବରର ନହରକଣ୍ଟା, ହରିଦାସପୁର, ରୁଦ୍ରପୁର, ସୁନ୍ଦରପାଟଣା, ବଙ୍ଗୁଆରୀ, ହଂସପାଳ, ବାଲିଅନ୍ତା, ଭିଙ୍ଗାରପୁର ପ୍ରମୁଖ ଅଞ୍ଚଳର ଲୋକମାନେ ନିର୍ଭରଶୀଳ। ତେଣୁ ଏନ୍‌ଏଚ୍ଏଆଇ ଫ୍ଲାଏଓଭର୍‌ରେ ୩ଟି ସ୍ପାନ୍ ନିର୍ମାଣ କରିବାକୁ ସ୍ଥିର କରିଛି। ପ୍ରତିଟି ସ୍ପାନ ୨୫ମିଟର ହିସାବରେ ମୋଟ ୭୫ ମିଟର ସ୍ପାନ ରହିବ। ପ୍ରାୟ ୬୨୫ମିଟରର ଜାତୀୟ ରାଜପଥ କାମ ହେବାକୁ ଥିବା ବେଳେ ସେଥିମଧ୍ୟରୁ ବ୍ରିଜ୍ ୪୮୦ମିଟର ଲମ୍ବା ରହିବ। ବ୍ରିଜ୍‌ର ଚଉଡ଼ା ୩୩ମିଟର ରହିଥିବା ବେଳେ ଗାଡ଼ି ଯାତାୟାତ ପାଇଁ ଉଭୟ ପାର୍ଶ୍ବରେ ୧୦.୫ମିଟର ଚଉଡ଼ାର ରାସ୍ତା ନିର୍ମାଣ କରାଯିବ। ଏହା ସହିତ ଭୁବନେଶ୍ବରରୁ ଚଣ୍ଡିଖୋଲ ଯିବା ରାସ୍ତାରେ ବାମ ପାର୍ଶ୍ବରେ କୁଆଖାଇ ସେତୁର ୭.୫ମିଟର ଲମ୍ବର ଏକ ରାମ୍ପ୍ ନିର୍ମାଣ କରାଯିବ। ଏହି ରାମ୍ପ୍‌କୁ ବାମ ପାର୍ଶ୍ବରେ ଥିବା ଫ୍ଲାଏଓଭର୍ ସହିତ ସଂଯୁକ୍ତ କରାଯିବ। ସେହିଭଳି ଫ୍ଲାଏଓଭର୍‌ର ଉଭୟ ପାର୍ଶ୍ବରେ ୭.୫ମିଟର ଚଉଡ଼ାର ସର୍ଭିସ୍ ରୋଡ୍ ରହିବ। ବର୍ଷାଜଳ ନିଷ୍କାସନ ପାଇଁ ଉଭୟ ପାର୍ଶ୍ବରେ ଡ୍ରେନ୍ ମଧ୍ୟ ନିର୍ମାଣ କରାଯିବ। ସେହିଭଳି ବ୍ରିଜ୍‌ରେ ସର୍ବମୋଟ ୪ଟି ପିୟର୍ ଓ ୪ ଆବେଟମେଣ୍ଟ୍ ନିର୍ମାଣ କରାଯିବ।

Share Now:

Kalinga News Beuro

Next Post

ଇମ୍ରାନ ଖାନଙ୍କୁ କାରଣ ଦର୍ଶାଅ ନୋଟିସ

Fri Jul 30 , 2021
କରାଚୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନୋଟିସ ଦେଲେ ନିର୍ବାଚନ ଆୟୋଗ। ନିର୍ଦ୍ଧାରିତ ସମୟ ମଧ୍ୟରେ ଇମ୍ରାନ ଖାନ ତାଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ରେ ଆଭ୍ୟନ୍ତରୀଣ ନିର୍ବାଚନ କରିନଥିବାରୁ ପାକିସ୍ତାନ ନିର୍ବାଚନ ଆୟୋଗ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଡନ୍ ଖବରକାଗଜ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ନିର୍ବାଚନ କମିଶନ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ନିର୍ବାଚନ ଅଧିନିୟମ, ୨୦୧୭ […]
ଇମ୍ରାନ ଖାନଙ୍କୁ କାରଣ ଦର୍ଶାଅ ନୋଟିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial