ଚିନ୍ତା ବଢାଉଛି ଡେଙ୍ଗୁ : ରାଜଧାନୀରେ ପ୍ଲେଟଲେଟ୍ ଚାହିଦା ଅଢ଼େଇଗୁଣ ବୃଦ୍ଧି

ଚିନ୍ତା ବଢାଉଛି ଡେଙ୍ଗୁ

ଭୁବନେଶ୍ବର : ରାଜଧାନୀରେ ଡେଙ୍ଗୁ ମାଡ଼ି ଚାଲିଥିବାବେଳେ ପ୍ରତିଦିନ ଭିନ୍ନଭିନ୍ନ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ଅନେକ ଡେଙ୍ଗୁ ଆକ୍ରାନ୍ତଙ୍କ ଶରୀରର ରକ୍ତରେ ପ୍ଲେଟ୍‌ଲେଟ୍ ସଂଖ୍ୟା ଅଚାନକ ହ୍ରାସ ପାଉଥିବାରୁ ରୋଗୀ ଗୁରୁତର ହୋଇଯାଉଛନ୍ତି। ଏଭଳି ସ୍ଥିତିରେ ରୋଗୀଙ୍କୁ ବଞ୍ଚାଇବା ଲାଗି ବାରମ୍ବାର ପ୍ଲେଟ୍‌‌ଲେଟ୍‌ ଦେବାକୁ ପଡ଼ୁଛି। ଏହି କାରଣରୁ ଏମ୍ସ, କ୍ୟାପିଟାଲ ହସ୍ପିଟାଲଠାରୁ ଆରମ୍ଭ କରି ଘରୋଇ ଡାକ୍ତରଖାନା ସବୁଠି ପ୍ଲେଟ୍‌ଲେଟର ଆବଶ୍ୟକତା ପ୍ରାୟ ଅଢ଼େଇ ଗୁଣ ବୃଦ୍ଧି ପାଇଛି। ଏପରିକି କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ବେଳେବେଳେ ଚାହିଦା ଅନୁଯା‌ୟୀ ପ୍ଲେଟ୍‌ଲେଟ୍‌ ଯୋଗାଇ ଦେବାକୁ ଅକ୍ଷମତା ପ୍ରକାଶ କରୁଛି। ଯଦିଓ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନାହିଁ; ମାତ୍ର ଏବେଠାରୁ ସତର୍କ ନ ହେଲେ ଆଗାମୀ ଦିନରେ ଅବସ୍ଥା ଜଟିଳ ହେବା ଆଶଙ୍କା କରାଯାଉଛି। ଏମ୍ସର ଡାକ୍ତର ସ୍ବୟଂପ୍ରଜ୍ଞାଙ୍କ କହିବା ଅନୁଯାୟୀ, ପ୍ଲେଟ୍‌ଲେଟ୍‌ ରକ୍ତ ଜମାଟରେ ସହାୟତା କରେ। ପ୍ଲେଟ୍‌ଲେଟ୍‌ କମିଗଲେ, ରକ୍ତ ବାନ୍ଧି ହୋଇପାରେ ନାହିଁ। ଶରୀରର ବିଭିନ୍ନ ସ୍ଥାନରୁ ବୋହିଯାଏ। ଅଧିକାଂଶ ରୋଗୀଙ୍କ ପାଇଁ ରକ୍ତର ଯେତେ ଚାହିଦା ଥାଏ, ପ୍ଲେଟ୍‌ଲେଟ୍‌ର ସେତେ ଆବଶ୍ୟକତା ନଥାଏ। ମୁଖ୍ୟତଃ କର୍କଟ, ହୃଦରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଏହା ଦରକାର ପଡ଼େ। ରକ୍ତ ପୃଥକୀକରଣ ପ୍ରକ୍ରିୟାରେ ପ୍ଲେଟଲେଟ୍‌ ବାହାର କରାଯାଇ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ଦିଆଯାଉଥିବାବେଳେ ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲ, ଏମ୍ସ ସହିତ କେତେକ ସୀମିତ ଘରୋଇ ଡାକ୍ତରଖାନାରେ ଥିବା ରକ୍ତଭଣ୍ଡାରରେ ପ୍ଲେଟ୍‌ଲେଟ୍‌ ସଂରକ୍ଷିତ ରହିଥାଏ। ତେବେ ଡେଙ୍ଗୁରେ ପ୍ଲେଟ୍‌ଲେଟ୍‌ କମିବା ସବୁଠାରୁ ବଡ଼ ସମସ୍ୟା। ବିଭିନ୍ନ ସମୟରେ ଡେଙ୍ଗୁ ରୋଗୀଙ୍କୁ ୪ରୁ୫ ୟୁନିଟ୍ ପ୍ଲେଟ୍‌ଲେଟ୍‌ର ଆବଶ୍ୟକତା ପଡ଼େ।
ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲର ରକ୍ତଭଣ୍ଡାରରେ ଥିବା ଫ୍ରିଜରରେ ୧୫୦ ୟୁନିଟ୍ ପ୍ଲେଟ୍‌ଲେଟ୍‌ ରଖିବାର କ୍ଷମତା ରହିଛି। ଏବେକାର ସ୍ଥିତିରେ ପ୍ଲେଟ୍‌ଲେଟ୍‌ ସଂଗୃହୀତ ହେବାର ୪୮ରୁ ୭୨ ଘଣ୍ଟା ମଧ୍ୟରେ ରୋଗୀଙ୍କ ପାଖକୁ ଚାଲି ଯାଉଛି। ସାଧାରଣ ସମୟରେ ଦିନକୁ ପ୍ରାୟ ୨୦ଟି ପ୍ଲେଟ୍‌ଲେଟ୍‌ର ରିକ୍ୟୁଜିସନ୍‌ ଆସିଥାଏ। କ୍ୟାପିଟାଲ ହସ୍ପିଟାଲର ନିଜସ୍ବ ରୋଗୀଙ୍କ ଅପେକ୍ଷା ସହରରେ ସ୍ଥିତ ଘରୋଇ କର୍କଟ ଡାକ୍ତରଖାନାରୁ ହିଁ ସର୍ବାଧିକ ରିକ୍ୟୁଜିସନ୍ ଆସେ। ବର୍ତ୍ତମାନ କିନ୍ତୁ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୫୦ରୁ ଅଧିକ ପ୍ଲେଟ୍‌ଲେଟ୍‌ର ରିକ୍ୟୁଜିସନ ଆସୁଛି। ତାହା ମୁଖ୍ୟତଃ ଡାକ୍ତରଖାନାରେ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କଠାରୁ ଆସୁଛି। ତେବେ ସେମାନଙ୍କୁ ଆବଶ୍ୟକତା ଅନୁସାରେ ପ୍ଲେଟ୍‌ଲେଟ୍‌ ଯୋଗାଇ ଦିଆଯାଇ ପାରୁନାହିଁ। ଏଥିଯୋଗୁଁ ବାହାର ଡାକ୍ତରଖାନାରୁ ଆସୁଥିବା ଆବେଦନପତ୍ରକୁ କ୍ୟାପିଟାଲ ଡାକ୍ତରଖାନାର ରକ୍ତଭଣ୍ଡାର ମନା କରିବାକୁ ବାଧ୍ୟ ହେଉଛି। କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାରରୁ ଥାଲାସେମିଆ, ସିକଲିନ, ସ୍ତ୍ରୀ-ପ୍ରସୂତି ରୋଗୀଙ୍କୁ ବିନା ଦାତାରେ ରକ୍ତ ଦିଆଯାଏ। ଏଥିଯୋଗୁଁ ପ୍ଲେଟ୍‌ଲେଟ୍‌ ପାଇଁ ରକ୍ତଦାନ ଶିବିର କିମ୍ବା ସ୍ବେଚ୍ଛାକୃତ ରକ୍ତ ଦେଉଥିବା ବ୍ୟକ୍ତିଙ୍କ ଉପରେ ନିର୍ଭର କରିବାକୁ ପଡ଼େ। ଜଣେ ବ୍ୟକ୍ତି ଏକ ୟୁନିଟ୍‌ ରକ୍ତ ଦେଲେ; ସେଥିରୁ ଗୋଟିଏ ୟୁନିଟ୍ ପ୍ଲେଟ୍‌ଲେଟ୍‌ ବାହାରିଥାଏ। ରକ୍ତଦାନ ପରେ ରକ୍ତ ପରୀକ୍ଷା ପାଇଁ ୬ରୁ୮ ଘଣ୍ଟା ସମୟ ଲାଗୁଥିବାବେଳେ ପ୍ଲେଟ୍‌ଲେଟ୍‌ ପୃଥକୀକରଣ ପାଇଁ ଆଉ ୪ ଘଣ୍ଟା ସମୟ ଲାଗେ। ଗୋଟିଏ ପ୍ଲେଟ୍‌ଲେଟ୍‌ ସର୍ବାଧିକ ୫ ଦିନ ସଂରକ୍ଷିତ ରଖାଯାଇପାରେ। ଏସବୁ କାମ ପାଇଁ ବର୍ତ୍ତମାନ କ୍ୟାପିଟାଲ ଡାକ୍ତରଖାନା ରକ୍ତ ଭଣ୍ଡାରରେ ୬ ଜଣ ବୈଷୟିକ କର୍ମଚାରୀ ଅଛନ୍ତି। ମାତ୍ର ବର୍ତ୍ତମାନ ସ୍ଥିତିରେ ଏହା ଯଥେଷ୍ଟ ହେଉ ନାହିଁ। ଏଥିଯୋଗୁଁ ସଂଧ୍ୟା ୬ଟା ପରେ ରକ୍ତ ସଂଗ୍ରହ ହେଲେ ପ୍ଲେଟ୍‌‌ଲେଟ୍‌ ବାହାର କରାଯାଇ ପାରୁନାହିଁ। ତେଣୁ ଆବଶ୍ୟକତା ଅନୁଯାୟୀ, ଅତିରିକ୍ତ କର୍ମଚାରୀ ନିଯୁକ୍ତି କରାଯାଇ ରକ୍ତ ଭଣ୍ଡାରକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ କରିବା ପାଇଁ ସ୍ବେଚ୍ଛାସେବୀ ଓ ସାମାଜିକ କର୍ମୀମାନେ ଦାବି କରିଛନ୍ତି।
ଏମ୍ସ ରକ୍ତଭଣ୍ଡାର ପକ୍ଷରୁ କୁହାଯାଇଛି, ପୂର୍ବରୁ ଦୈନିକ ୧୫ରୁ ୨୦ ୟୁନିଟ ପ୍ଲେଟ୍‌‌ଲେଟ୍‌ ଦିଆଯାଉଥିଲା, ବର୍ତ୍ତମାନ ପ୍ରାୟ ୨ ଗୁଣ ଚାହିଦା ବଢିଛି। ଡେଙ୍ଗୁ ଓ ଅନ୍ୟା‌ନ୍ୟ ରୋଗରେ ପୀଡ଼ିତ ରୋଗୀ ୩୫ରୁ ୪୦ ୟୁନିଟ ପ୍ଲେଟ୍‌‌ଲେଟ୍‌ ମାଗୁଛନ୍ତି। ପୂର୍ବରୁ କେବଳ କର୍କଟ ରୋଗୀଙ୍କୁ ଏହା ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ କର୍କଟ ସହିତ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କୁ ପ୍ଲେଟ୍‌‌ଲେଟ୍‌ ଦେବାକୁ ପଡ଼ୁଛି। ଏମ୍ସ ସହିତ ଘରୋଇ ଡାକ୍ତରଖାନାର ରୋଗୀଙ୍କୁ ମଧ୍ୟ ଦିଆଯାଉଛି। ବର୍ତ୍ତମାନ ସ୍ଥିତିରେ ଯଦିଓ ଏମ୍ସ ରକ୍ତଭଣ୍ଡାର ଆବଶ୍ୟକତା ପୂରଣ କରୁଛି, କିନ୍ତୁ ଆଗାମୀ ଦିନରେ ପ୍ଲେଟ୍‌‌ଲେଟ୍‌ ସଙ୍କଟର ଆଶଙ୍କା କରାଯାଉଛି। ତେବେ ପ୍ରଶାସନ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଥିବା ରକ୍ତ ଭଣ୍ଡାରରେ ପ୍ଲେଟ୍‌‌ଲେଟ୍‌ ସଙ୍କଟ ନାହିଁ, କମ୍ପୋନେଣ୍ଟ ହେଉଥିବା ସ୍ଥାନରେ ପର୍ଯ୍ୟାପ୍ତ ପ୍ଲେଟ୍‌‌ଲେଟ୍‌ ରଖିବାକୁ ନିର୍ଦ୍ଦେଶ ରହିଛି।

Share Now:

Kalinga News Beuro

Next Post

ଆଜି ପୃଥିବୀ ନିକଟତର ହେବ ଶନି

Mon Aug 2 , 2021
ଭୁବନେଶ୍ବର : ବର୍ତ୍ତମାନ ଆକାଶରେ ଶନି ଗ୍ରହ ଆକର୍ଷଣୀୟ ଭାବରେ ଦୃଶ୍ୟମାନ ହେଉଛି। ଶନି ଏବଂ ପୃଥିବୀ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଘୂରିବା ସମୟରେ ଅଗଷ୍ଟ ୨ ତାରିଖ ଅର୍ଥାତ୍ ଆସନ୍ତାକାଲି ସବୁଠାରୁ ଅଧିକ ନିକଟତର ହେବେ। ଶନି ଗ୍ରହ ପୃଥିବୀର ଅତି ନିକଟତର ହେଉଥିବାରୁ ଏହା ବହୁତ ଉଜ୍ଜ୍ୱଳ ଦେଖାଯାଉଛି। ଶନି ପୃଥିବୀର ଅତି ନିକଟତର ହୋଇଥିବାରୁ ଖାଲି ଆଖିରେ ସାଧାରଣ ଦିନ ତୁଳନାରେ ଅଧିକ ଉଜ୍ଜଳ […]
ଆଜି ପୃଥିବୀ ନିକଟତର ହେବ ଶନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial