ଏକାମ୍ର କାନନ ଫାର୍ମ ଜମି ବିବାଦ ପ୍ରସଙ୍ଗ : ଫାର୍ମ ପରିଦର୍ଶନ କଲେ ୪ ଜଣିଆ ଟିମ୍

ଏକାମ୍ର କାନନ ଫାର୍ମ ଜମି ବିବାଦ ପ୍ରସଙ୍ଗ

ଭୁବନେଶ୍ବର: ବହୁଚର୍ଚ୍ଚିତ ଏକାମ୍ରକାନନ ଫାର୍ମର ମୋଟ ୨୫.୯୬୭ଏକର ଜମିରୁ ୨୦.୧୯୨ଏକର ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବା ମାମଲାରେ ଆଜି ଜାତୀୟ ଗ୍ରିନ୍ ଟ୍ରିବୁନାଲ୍‌ ନିର୍ଦ୍ଦେଶ କ୍ରମେ ଗଠିତ ୪ଜଣିଆ ଟିମ୍ ଆଜି ଫାର୍ମ ବୁଲି ଦେଖିଛନ୍ତି। ପ୍ରାୟ ୪ରୁ ୫ଘଣ୍ଟାର ଆଲୋଚନା ସହ ଏକାମ୍ରକାନନ ଫାର୍ମର କ୍ଷେତ୍ର ପରିଦର୍ଶନ ହୋଇଥିଲେ ହେଁ ଜମି ହସ୍ତାନ୍ତର ହେବ କି ନାହିଁ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଏହି ୪ଜଣିଆ କମିଟିରେ ଉଦ୍ୟାନ ଓ କୃଷି ବିଭାଗର ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ପୂର୍ବାଞ୍ଚଳ ପରିବେଶ ଓ ଜଙ୍ଗଲ ବିଭାଗର ବୈଜ୍ଞାନିକ ଏମ୍‌ ରାଜେଶ୍ବର ପ୍ରସାଦ, ଚନ୍ଦକା ଡିଏଫ୍‌ଓ ଏମ୍‌ଡି ଜମିଲ୍‌ ଏବଂ ସବ୍‌ କଲେକ୍ଟର୍ ଦେବବ୍ରତ ସାହୁ ସଦସ୍ୟ ରହିଛନ୍ତି। ତେବେ ଆଜି ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ଯେ ଆଗାମୀ ବୈଠକରେ ଏକାମ୍ରକାନନ ଫାର୍ମ ଅଧୀନରେ ଥିବା ପ୍ରାୟ ୨୬ଏକର ଜମିର ସ୍ଥିତି ସମ୍ବନ୍ଧରେ ଖୋର୍ଦ୍ଧା ଜିଲ୍ଲାପାଳ ତଥ୍ୟ ଦେବେ। ସେହିଭଳି ପୂର୍ବାଞ୍ଚଳ ପରିବେଶ ଓ ଜଙ୍ଗଲ ବିଭାଗ ଏକାମ୍ରକାନନ ଫାର୍ମର ଏକ ପୁରୁଣା ନିଷ୍ପତ୍ତିର ନ୍ୟାୟାଳୟ ଦ୍ବାରା ବିଚାରର ତଥ୍ୟ ଦେବାକୁ ସ୍ଥିର ହୋଇଥିବା ବେଳେ ଏକାମ୍ରକାନନ ପକ୍ଷରୁ ବର୍ତ୍ତମାନ ଫାର୍ମ ଥିବା ବିଭିନ୍ନ ଔଷଧୀୟ ବୃକ୍ଷ, ନର୍ସରି ଓ ଅନ୍ୟାନ୍ୟ ଫଳନ୍ତି ବୃକ୍ଷ ଉପରେ ସବିଶେଷ ତଥ୍ୟ ଦିଆଯିବ। ସମସ୍ତ ରିପୋର୍ଟ ସଂଗ୍ରହ ପରେ ଆଗାମୀ ବୈଠକର ତାରିଖ ଧାର୍ଯ୍ୟ ହେବ ଏବଂ ଏହା ପରେ ଜମି ସାଧାରଣ ବିଭାଗକୁ ସ୍ଥାନାନ୍ତର ହେବ କି ନାହିଁ ତା’ର ବିଚାର କରାଯିବ ବୋଲି ଜଣାପଡ଼ିଛି। ପରିଦର୍ଶନରେ ଆସିଥିବା ୪ଜଣିଆ ଦଳ ମୁଖ୍ୟତଃ ଏକାମ୍ରକାନନ ଫାର୍ମର ୪ଟି ଦିଗ ଉପରେ ଗୁରୁତ୍ବ ଦେଉଛନ୍ତି। ଏଥିରେ ଉକ୍ତ ଜମି ଜଙ୍ଗଲ ବୋଲି ବିବେଚନା କରାଯାଉଛି କି ନାହିଁ; ଏହି ଜମିର କିଛି ଅଞ୍ଚଳ ଜଙ୍ଗଲ କିସମ/ରାଜସ୍ବ ଜଙ୍ଗଲ ଜମିରେ ଯାଉଛି କି; ହସ୍ତାନ୍ତର ହେବାକୁ ଥିବା ଜମିରେ ବହୁ ଗୁରୁତ୍ବପୂର୍ଣ୍ଣ ଫଳ ଗଛ ଏବଂ ଜୈବ ବିଜ୍ଞାନ ଦୃଷ୍ଟିରୁ ଗୁରୁତ୍ବ ଅଛି କି ନାହିଁ; ଏହି ହସ୍ତାନ୍ତର ଜଙ୍ଗଲ ସଂରକ୍ଷଣ ଆଇନ୍, ୧୯୮୦ ଅଧୀନରେ ଯାଉଛି କି ନାହିଁ; ସେ ନେଇ ରିପୋର୍ଟ ଦେବାକୁ କୁହାଯାଇଛି।
ଫାର୍ମକୁ ଉଦ୍ୟାନକୃଷି ବିଭାଗର ଅବହେଳା
ଏକାମ୍ର କାନନ ଫାର୍ମକୁ ସାଧାରଣ ବିଭାଗ ନେବା ପାଇଁ ୨୦୧୯ରୁ ପ୍ରକ୍ରିୟା ଆରମ୍ଭ କରିବା ପରେ ଉଦ୍ୟାନକୃଷି ବିଭାଗ ପାଇଁ ଏକାମ୍ର କାନନ ଫାର୍ମକୁ କ୍ରମାଗତ ଅବହେଳା କରି ଚାଲିଛି। ଫନି ବାତ୍ୟାରେ ଫାର୍ମରେ ଯାହା ନଷ୍ଟ ହୋଇଥିଲା, ତାହାର ପୁନରୁଦ୍ଧାର ପାଇଁ ବିଭାଗ ପକ୍ଷରୁ ସାମାନ୍ୟ ପ୍ରୟାସ କରାଯାଇ ନାହିଁ। ଏହାର ଏକ ସଦ୍ୟ ଉଦାହରଣ ହେଉଛି, ଗତ ୪ମାସ ତଳେ ଫାର୍ମ ପାଚେରିକୁ ଲାଗି ରାସ୍ତା ପାର୍ଶ୍ବ ଚଲାପଥରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା। ଏହାକୁ ନେଇ ଅଭିଯୋଗ ହେବା ପରେ ବିଏମ୍‌ସି ଗତ ୪ରୁ ୫ମାସ ତଳେ ଏହାକୁ ଉଚ୍ଛେଦ କରିଥିଲା। ଉଚ୍ଛେଦ ସମୟରେ ଫାର୍ମର ପ୍ରାୟ ୧୦ଫୁଟ୍‌ରୁ ଅଧିକ ଜାଗାର ପାଚେରି ଭାଙ୍ଗିଯାଇଥିଲା। ପାଚେରି ଭାଙ୍ଗିବାକୁ ୫ମାସ ବିତିଥିଲେ ହେଁ ଏପର୍ଯ୍ୟନ୍ତ ନିର୍ମାଣ ହେବା ତ ଦୂରର କଥା; ଉଚ୍ଛେଦ ସମୟରେ ବିଏମ୍‌ସି ଦ୍ବାରା ଭାଙ୍ଗିଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ପାଚେରି ମରାମତି ପାଇଁ ଚିଠିଟିଏ ବି ଲେଖିନାହାନ୍ତି। ସେହିଭଳି ଫନି ସମୟରେ ପଲି ଗ୍ରିନ୍ ହାଉସ୍ ଭାଙ୍ଗିଯାଇଥିଲା। ଯାହାକୁ ଏବେ ବି ପୁନଃ ମରାମତି କରାଯାଇନଥିବା ବେଳେ ନିକଟରେ ଅଗ୍ନିକାଣ୍ଡ ଘଟି ପଲି ଗ୍ରିନ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଅପରପକ୍ଷରେ ଫାର୍ମ ପରିସରରେ ଥିବା କାକ୍‌ଟସ୍ ହାଉସ୍ ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ବର୍ଷ ବର୍ଷ ଧରି ରକ୍ଷଣାବେକ୍ଷଣ ଅଭାବରୁ ଅର୍କାଡିୟମ୍‌ ଶେଷକୃତ୍ୟ ହେବାକୁ ବାକି ରହିଛି। ଫାର୍ମରେ ଥିବା ମାସନୋରିର ୭ଶହ ମିଟର ଜାଗା ଭାଙ୍ଗିରୁଜି ଯାଇଛି।

Share Now:

Kalinga News Beuro

Next Post

ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କଲେ ରେସଲର ରବି ଦହିଆ

Wed Aug 4 , 2021
ଟୋକିଓ: ରେସଲର ରବି ଦହିଆ ଟୋକିଓ ଅଲିମ୍ପିକର ୫୭ କିଲୋଗ୍ରାମ ବର୍ଗର ସେମିଫାଇନାଲ ମ୍ୟାଚରେ ଜିତି ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ରବି କାଜାଖୀସ୍ଥାନର ରେସଲର ସାନାୟେଭ ନୁରିସଲାମଙ୍କୁ ହରାଇ ଭାରତ ପାଇଁ ସ୍ବର୍ଣ୍ଣ କିମ୍ବା ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ସୂଚନା ମୁତାବକ ଭାରତୀୟ ରେସଲର ରବି କୁମାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ବର୍ଗରେ ଫାଇନାଲରେ ପ୍ରବେଶ କରିଛନ୍ତି।ରବି ସେମିଫାଇନାଲରେ […]
ଫାଇନାଲରେ ପହଁଚିଲେ ରେସଲର ରବି ଦହିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial