ଆଜି ବିଶ୍ୱ ହସ୍ତୀ ଦିବସ: ଅସୁରକ୍ଷିତ ହାତୀ, ୧୧ ବର୍ଷରେ ମଲେଣି ୮୬୨

ଆଜି ବିଶ୍ବ ହସ୍ତୀ ଦିବସ

ହାତୀ ଦାନ୍ତ ଉପରେ ଶିକାରୀଙ୍କ ଲୋଲୁପଦୃଷ୍ଟି

ଭୁବନେଶ୍ବର : ଓଡ଼ିଶାକୁ ଏକଦା ହାତୀଙ୍କ ଅନ୍ତୁଡ଼ିଶାଳ ‌ବୋଲି କୁହାଯାଉଥିଲା। ମୌର୍ଯ୍ୟ, ମୋଗଲ ବଂଶ ଶାସନ ସମୟରେ ବି ଓଡ଼ିଶାର ହାତୀଙ୍କ ବ୍ୟବହାର ନେଇ ଇତିହାସରେ ଉଲ୍ଲେଖ ରହିଛି। ଓଡ଼ିଶାରେ ରାଜାମାନେ ହାତୀ ମାନଙ୍କ ଦ୍ୱାରା ସେନାବାହିନୀ କରୁଥିଲେ,ସେଥିପାଇଁ ଓଡ଼ିଶାର ରାଜାମାନଙ୍କୁ ଗଜପତି ମଧ୍ୟ କୁହାଯାଏ। କିନ୍ତୁ ଯେଉଁ ହାତୀ ମାନଙ୍କର ପାଇଁ ଏକଦା ଆମ ରାଜ୍ୟ ଗର୍ବ ଅନୁଭବ କରୁଥିଲା ସେହି ଅନ୍ତୁଡ଼ିଶାଳରେ ହାତୀ ଆଜି ଅସୁରକ୍ଷିତ। କିଛିଦିନ ବ୍ୟବଧାନରେ ରାଜ୍ୟର କେଉଁଠି ନା କେଉଁଠି ହାତୀଙ୍କ ମୃତ୍ୟୁ ହେଉଛି। ରେଳ ଦୁର୍ଘଟଣା, ବିଦ୍ୟୁତ ଆଘାତ, ଶିକାର ସମେତ ଦ୍ରୁତ ସହରୀକରଣ ଯୋଗୁଁ ହାତୀଙ୍କ ଜୀବନ ପ୍ରତି ପଦପାତରେ ବିପଦ ସୃଷ୍ଟି ହେଉଛି। ସେମାନଙ୍କ ବାସସ୍ଥାନ ତଥା ପାରମ୍ପାରିକ ଯାତାୟାତ ପଥ ଉପରେ ଏସବୁର ଘୋର ପ୍ରଭାବ ପଡ଼ିଛି। ପରିମାଣ ସ୍ବରୂପ ଗତ ୧୧ ବର୍ଷ ୪ ମାସରେ ୮୬୨ ହାତୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଟ୍ରେନ୍ ଦୁର୍ଘଟଣାରେ ୩୧ଟି, ସଡ଼କ ଦୁର୍ଘଟଣାରେ ୬ଟି, ବିଦ୍ୟୁତ୍ ଆଘାତରେ ୧୩୫ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ୮୬ଟି ହାତୀଙ୍କୁ ଶିକାର କରାଯାଇଥିବା ବେଳେ ୩୭ଟି ବିଷକ୍ରିୟା ଦ୍ବାରା ମୃତ୍ୟୁମୁଖରେ ପଡ଼ିଛନ୍ତି। ଗତ ୨୦ ଦିନ ମଧ୍ୟରେ ରାଜ୍ୟରେ ୫ଟି ହାତୀଙ୍କ ମୃତ୍ୟୁ ଆହୁରି ଚିନ୍ତା ବଢ଼ାଇ ଦେଇଛି। ଏକ ଦଶନ୍ଧିରେ ଓଡ଼ିଶାରେ ହାତୀଙ୍କ ସ୍ଥିତି ଏଭଳି ହୋଇଥିଲେ ମଧ୍ୟ କାହାର ନିଘା ନାହିଁ। ବିଭାଗୀୟ ମନ୍ତ୍ରୀ, ସଚିବ ସବୁ ଜାଣି ନିଘୋଡ଼ ନିଦରେ ଶୋଇଥିବା ବେଳେ ସରକାରୀ ବାବୁମାନେ ଚୁପ୍‌ ବସିପଡ଼ିଛନ୍ତି। ଏଭଳି ସମୟ ଓଡ଼ିଶାର ଅନ୍ୟତମ ପରିଚୟ ହାତୀଙ୍କୁ ସୁରକ୍ଷା ଦେବ କିଏ? ୧୯୭୯ରେ ଓଡ଼ିଶାରେ ୨୦୪୪ଟି ହାତୀ ରହିଥିଲେ ମଧ୍ୟ ୪ ଦଶନ୍ଧି ପରେ ବି ସଂଖ୍ୟା ବଢ଼ିପାରିନି। ୨୦୧୭ ଗଣନା ବେଳେ ରାଜ୍ୟର ୨୬ଟି ଜିଲ୍ଲାରେ ହାତୀଙ୍କ ଉପସ୍ଥିତି ଥିବା ବେଳେ ୧୯୭୬ଟି ହାତୀ ଚିହ୍ନଟ ହୋଇଥିଲେ। ତେବେ ଦନ୍ତା ହାତୀଙ୍କ ସଂଖ୍ୟା କମିବା ହାତୀ ବଂଶ ବୃଦ୍ଧିରେ ବଡ଼ ପ୍ରତିବନ୍ଧକ ସାଜିଥିବା ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ୱାଇଲ୍ଡଲାଇଫ୍‌ ସୋସାଇଟ ଅଫ୍‌ ଓଡ଼ିଶାର ସମ୍ପାଦକ ବିଶ୍ବଜିତ୍‌ ମହାନ୍ତି ମତପ୍ରକାଶ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ୨୦୧୭ରେ ଚିହ୍ନଟ ହୋଇଥିବା ୧୯୭୬ ହାତୀଙ୍କ ମଧ୍ୟରେ ମାତ୍ର ୩୪୪ଟି ଦନ୍ତା ହାତୀ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୦ଟି ହାତୀଙ୍କ ବୟସ ୨୦ ବର୍ଷରୁ ଅଧିକ ରହିଥିଲା। ସେମାନଙ୍କର ପ୍ରଜନନ କ୍ଷମତା ଅଧିକ ରହିଛି। ତେବେ ପ୍ରତିବର୍ଷ ଶିକାର ଓ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨୦ଟି ଦନ୍ତା ହାତୀଙ୍କର ମୃତ୍ୟୁ ହେଉଛି। ଦନ୍ତା ହାତୀଙ୍କ ଦାନ୍ତର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ବହୁ ଅଧିକ ହୋଇଥିବାରୁ ଶିକାରୀମାନେ ସେମାନଙ୍କୁ ହତ୍ୟା କରୁଥିବା ନଜରକୁ ଆସିଛି। ଗତ ୯ ବର୍ଷ ମଧ୍ୟରେ ୪୪ରୁ ଅଧିକ ହାତୀଦାନ୍ତ ଜବତ ହୋଇଛି। ତେବେ ଦୁଇ ବର୍ଷ ହେଲା ଏସ୍‌ଟିଏଫ୍‌, କ୍ରାଇମବ୍ରାଞ୍ଚ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରୁ ହାତୀଦାନ୍ତ ଜବତ କରାଯାଉଛି। କେବଳ ୨୦୨୧ରେ ଏପର୍ଯ୍ୟନ୍ତ ୧୦ଟି ହାତୀଦାନ୍ତ ଜବତ ହୋଇଛି। ଜାନୁଆରି ୧୪ରେ ଏସ୍‌ଟିଏଫ୍ ପକ୍ଷରୁ ସମ୍ବଲପୁରରୁ ୨ଟି ହାତୀଦାନ୍ତ ଜବତ ହୋଇଥିବା ବେଳେ ଫେବୃଆରୀ ୭ରେ କେନ୍ଦୁଝରରୁ, ମାର୍ଚ୍ଚ ୨୬ରେ‌ ଦେବଗଡ଼ର ଖମାର ରେଞ୍ଜରୁ ଏବଂ ଏପ୍ରିଲ ୨୪ରେ ନୟାଗଡ଼ା ଜିଲ୍ଲାର ଗଣିଆ ରେଞ୍ଜରୁ ୨ଟି ଲେଖାଏଁ ହାତୀଦାନ୍ତ ଜବତ ହୋଇଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ହାତୀଙ୍କ ପ୍ରତି କିଭଳି ବିପଦ ମାଡ଼ି ଆସୁଛି। ଏବେଠାରୁ ହାତୀ ପରି ଐତିହ୍ୟ ପ୍ରାଣୀଙ୍କୁ ସୁରକ୍ଷା ନ ଦେଲେ ଭବିଷ୍ୟତର ପିଲାମାନେ ଏହାକୁ କେବଳ ପଢ଼ାବହିରେ ପାଇବେ।
କବେଳ ଏତିକି ନୁହେଁ; ହାତୀ-ମଣିଷ ସଂଘର୍ଷ ବି ୧୧ ବର୍ଷ ମଧ୍ୟରେ ଶୀର୍ଷରେ ପହଞ୍ଚିଛି। ଲୋକେ ଜଙ୍ଗଲ କାଟି ବାସସ୍ଥଳୀ ଗଢ଼ୁଥିବା ବେଳେ ହାତୀମାନେ ବି ଏବେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି। ହାତୀ ସହ ସଂଘର୍ଷରେ ୧୧ ବର୍ଷ ୪ ମାସ ମଧ୍ୟରେ ରାଜ୍ୟରେ ୯୨୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୯୨ ଜଣ ଆହତ ହୋଇଛନ୍ତି। ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ହାରାହାରି ୩୩ଟି ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୦୧ରୁ ୨୦୧୦ ମଧ୍ୟରେ ହାରାହାରି ୪୬ଟି ହାତୀଙ୍କ ମୃତ୍ୟୁ ହେଉଥିଲା। ‌ତେବେ ଗତ ଏକ ଦଶନ୍ଧିରେ ପ୍ରତିବର୍ଷ ହାରାହାରି ୭୬ଟି ହାତୀ ମୃତ୍ୟୁମୁଖରେ ପଡ଼ୁଥିବା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ହାତୀଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କିଛି ବି ସୁଫଳ ମିଳୁନି। ତେଣୁ ହାତୀଙ୍କୁ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେବାକୁ ବିଶେଷଜ୍ଞମାନେ ନିବେଦନ କରିଛନ୍ତି।

Share Now:

Kalinga News Beuro

Next Post

୨୪ ଘଣ୍ଟାରେ ୧୧୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭

Thu Aug 12 , 2021
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୪ […]
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୭

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial