ଡେଙ୍ଗୁ ମଶାଙ୍କ ଉତ୍ସ ପାଲଟିଛି ପାର୍କ : ଚେତୁ ନାହାଁନ୍ତି ବିଏମସି ଅଧିକାରୀ

ପାର୍କ ପାଲଟିଛି ଡେଙ୍ଗୁ ମଶାଙ୍କ ଉତ୍ସ

ଡଷ୍ଟବିନ୍ ଭିତରେ ମଶା ଭଣଭଣ, ଗନ୍ଧେଇଲାଣି ୱାଟର୍‌ ଫାଉଣ୍ଟେନ୍ ପାଣି

ଚନ୍ଦ୍ରଶେଖରପୁର: ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଥମିବା ନାଁ ନେଉନାହିଁ। ଡେଙ୍ଗୁ ମଶା(ଏଡିସ୍‌) ଉତ୍ପତ୍ତିସ୍ଥଳ ଓ ଲାର୍ଭା ନଷ୍ଟ କରିବାକୁ ବିଏମ୍‌ସି ଲାଗି ପଡ଼ିଛି। ବସ୍ତି ଓ କଲୋନି ବୁଲିବୁଲି ମଶା ବଢ଼ୁଥିବା ସ୍ଥାନ ଖୋଜିଖୋଜି ବିଏମ୍‌ସି ଏହି ଅପରେସନ୍ ଚଳାଇଛି। ମାତ୍ର ଲକଡାଉନ୍ କାରଣରୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ପାର୍କଗୁଡ଼ିକ ଡେଙ୍ଗୁ ମଶାଙ୍କ ଜନ୍ମସ୍ଥାନ ବା ଉତ୍ସ ପାଲଟି ଗଲାଣି ବୋଲି ଅଭିଯୋଗ ହେଉଥିବା ସତ୍ତ୍ୱେ ବିଏମ୍‌ସି ନଜରକୁ ଆସିନାହିଁ ବୋଲି କୁହାଯାଉଛି। ପାର୍କ ଭିତରେ ଥିବା ଡଷ୍ଟବିନ୍‌ଗୁଡ଼ିକ ଭିତରେ ଦୀର୍ଘ ଦିନ ଧରି ପାଣି ଜମି ରହିଛି। ତେଣୁ ସେଥିରେ ମଶା ଭଣଭଣ ହେଉଛନ୍ତି। କିଛି କିଛି ପାର୍କରେ ୱାଟର୍‌ ଫାଉଣ୍ଟେନ୍‌ର ପାଣି ବଦଳା ଯାଇନଥିବାରୁ ପଚିପଚି ଗନ୍ଧେଇ ଗଲାଣି। ତେଣୁ ସେସବୁ ସ୍ଥାନରେ ଡେଙ୍ଗୁ ମଶାଙ୍କ ବଂଶ ବଢ଼ୁଥିବା ଆଶଙ୍କା କରାଯାଉଛି। କିନ୍ତୁ ବିଏମ୍‌ସି ପକ୍ଷରୁ ସେସବୁ ସ୍ଥାନ ସଫେଇ କରାଯାଉନାହିଁ। ଏଣେ ଲକ୍‌ଡାଉନ୍‌ କୋହଳ ହେବା ପରେ ପାର୍କଗୁଡ଼ିକୁ ଖୋଲି ଦିଆଯାଇଛି। ଲୋକେ ପାର୍କ ଭ୍ରମଣରେ ବାହାରିଲେଣି। ମାତ୍ର ପାର୍କ ଭିତରେ ଡେଙ୍ଗୁ ମଶାଙ୍କ ପ୍ରାଦୃର୍ଭାବ ଯୋଗୁଁ ଲୋକେ ଭୟରେ ପାର୍କ ବୁଲିଯିବାକୁ ମନ କରୁନଥିବା କହୁଛନ୍ତି।
ବଡ଼ କଥା ହେଉଛି, ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ପାର୍କ ନିକଟସ୍ଥ ପାଣି ଜମି ରହିଥିବା ସ୍ଥାନରୁ ହିଁ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଥିବା ପ୍ରମାଣ ମିଳିଥିଲା। ତେଣୁ ପାର୍କ ଭିତରେ ବି ଜମି ରହିଥିବା ପଚା ପାଣିରେ ଡେଙ୍ଗୁ ମଶା ବଂଶ ବଢ଼ାଉଥିବା ଆଶଙ୍କା କରାଯାଉଛି। ତଥାପି ବିଏମ୍‌ସି ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳର ପାର୍କଗୁଡ଼ିକୁ ସଫା କରି ସେଠାରୁ ମଶା ମାରିବା ଯୋଜନା ଆରମ୍ଭ କରିନାହିଁ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ପ୍ରାୟ ସବୁ ଛୋଟବଡ଼ ପାର୍କର ସମାନ ଅବସ୍ଥା। ନୀଳାଦ୍ରିବିହାର ଅଞ୍ଚଳର ସେକ୍ଟର-୧ ରୁ ସେକ୍ଟର-୭ ମଧ୍ୟରେ ଅମୃତ ଯୋଜନାରେ ତିଆରି ହୋଇଥିବା ପାର୍କଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପ୍ରାୟ ସବୁ ପାର୍କରେ ବିପୁଳ ମାତ୍ରାରେ ଅନାବନା ଗଛ ଲତା ମାଡ଼ିଗଲାଣି। କିଛି କିଛି ସ୍ଥାନ ବଣ ବୁଦାରେ ଭର୍ତ୍ତି ହୋଇଯାଇଛି। ଦୀର୍ଘ ଦିନ ଧରି ଘାସ କଟାଯାଇନଥିବାରୁ ଆଣ୍ଠୁଏ ଉଚ୍ଚ ଯାଏ ଘାସ ବଢ଼ିଲାଣି। ସୌନ୍ଦର୍ଯ୍ୟ ପାଇଁ ଲଗା ଯାଇଥିବା ଦାମୀ ଗଛ, ଛୋଟ ଛୁଆଙ୍କ ଖେଳଣା ସମାଗ୍ରୀ, ବ୍ୟାୟାମ ସମାଗ୍ରୀ ସବୁ ନଷ୍ଟ ହୋଇଗଲାଣି। ଦୀର୍ଘ ଦିନ ହେଲା ଡଷ୍ଟବିନ୍‌ଗୁଡ଼ିକରେ ବର୍ଷା ଜଳ ଜମି ରହିଛି ଓ ପଚା ପାଣି ଗନ୍ଧରେ ନାକ ଫାଟି ପଡ଼ୁଛି। ସେହିଭଳି ଡମଣାସ୍ଥିତ କେଳୁଚରଣ ପାର୍କର ଅବସ୍ଥା। ଉପରୁ ଦେଖିଲେ ବେଶ୍ ସୁନ୍ଦର। କିନ୍ତୁ ଭିତର ପୋଡ଼ା ଅଙ୍ଗାର ଭଳି। ଡଷ୍ଟବିନ୍‌ଗୁଡ଼ିକରେ ବହୁ ଦିନର ଅଳିଆ ଜମା ହୋଇରହିଛି। ଆବର୍ଜନା ପଚିସଢ଼ି ମଶା ବଂଶ ବୃଦ୍ଧି ପାଇଁ ବାଟ ଫିଟାଇଛି। ମାସ ମାସ ଧରି ଘାସ କଟାଯାଇନଥିବାରୁ ସବୁଆଡ଼ ଜଙ୍ଗଲିଆ ହୋଇପଡ଼ିଛି। ସେହିପରି ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ପାର୍କରେ ପ୍ରାୟ ସବୁ ଡଷ୍ଟବିନ୍ ଅବସ୍ଥା ସମାନ। ସବୁଥିରେ ମଶା ଭଣଭଣ ହେଉଛନ୍ତି। ଏଠାରେ ବହୁ ଦିନ ହେଲା ୱାଟର୍‌ ଫାଉଣ୍ଟେନ୍ ଅଚଳ ଅବସ୍ଥାରେ ପଡିଥିବାରୁ ପାଣି ବଦଳା ଯାଇନାହିଁ। ତେଣୁ ସେଥିରେ ଜମି ରହିଥିବା ଦୀର୍ଘ ଦିନର ପାଣିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି। ଏବେ ପାର୍କ ଭ୍ରମଣରେ ଯାଉଥିବା ଲୋକମାନେ ନାକରେ ହାତ ଦେଉଛନ୍ତି। ଜନତା ମଇଦାନ ନିକଟରେ ଥିବା ଗାନ୍ଧୀ ପାର୍କ କଥା ନ କହିବା ଭଲ। ବହୁ ପୁରୁଣା ଏହି ପାର୍କ ଏବେ ରକ୍ଷଣାବେକ୍ଷଣ ଅଭାବରୁ ବଡ଼ କଦର୍ଯ୍ୟସ୍ଥିତିରେ ରହିଛି। ସଫେଇ କର୍ମଚାରୀ ନଥିବାରୁ ଅଳିଆ ସଫା ହେଉନାହିଁ। ୱାଟର୍‌ ଫାଉଣ୍ଟେନ୍ ଅଚଳାବସ୍ଥାରେ ପଡ଼ିରହିଛି ଓ ସେଥିରେ ବି ପଚାପାଣି ଜମି ରହିଛି।
ସ୍ଥାନୀୟ ଲୋକଙ୍କ କହିବା କଥା କରୋନା ପାଇଁ ଅନେକ ଦିନ ହେଲା ପାର୍କରେ ତାଲା ପଡ଼ିଛି। ପ୍ରଶାସନର ଅବହେଳା ପାଇଁ ପାର୍କର ବହୁ ସମାଗ୍ରୀ ନଷ୍ଟ ହୋଇଗଲାଣି। ସ୍ମାର୍ଟ ସିଟି ପାଇଁ ଅନେକ କାର୍ଯ୍ୟକ୍ରମ ହେଉଥିଲେ ବି ରକ୍ଷଣାବେକ୍ଷଣ ଅଭାବରୁ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ଭଳି ଅବସ୍ଥା। ଏ ନେଇ ବିଏମ୍‌ସି ଉତ୍ତର ଜୋନ୍ ଡେପୁଟି କମିସନର ପୁରନ୍ଦର ନନ୍ଦ କହିଛନ୍ତି ଯେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହେବା ଜଣାପଡ଼ିବା ପରେ ପରେ ପାର୍କ ଭିତରେ ଥିବା ଡଷ୍ଟବିନ୍‌ଗୁଡ଼ିକୁ ଓଲଟାଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିଛି କିଛି ପାର୍କରେ ଏହି ନିର୍ଦ୍ଦେଶ ପାଳନ କରାଯାଇଛି। କିଛି ପାର୍କରେ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ ବୋଲି ଅଭିଯୋଗ ହେଉଥିଲେ ବି ତାହା ନଜରକୁ ଆସିନାହିଁ। ତେବେ ଖୁବ୍‌ ଶୀଘ୍ର ଯାଞ୍ଚ କରାଯିବ ଓ ଯଦି ସେମିତି ହୋଇଥିବ, ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଚନ୍ଦ୍ରଶେଖରପୁର, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଡମଣା, ଲୁମ୍ବିନୀବିହାର ଅଞ୍ଚଳର ସବୁ ପାର୍କକୁ ତୁରନ୍ତ ସଫା କରିବା ପାଇଁ ଦାବି ହେଉଛି।

Share Now:

Kalinga News Beuro

Next Post

ବାଚସ୍ପତିଙ୍କ କକ୍ଷରେ ସୋନିଆ,ମୋଦୀ

Thu Aug 12 , 2021
ନୂଆଦିଲ୍ଲୀ : ଗତକାଲି ସଂସଦର ମୌସୁମୀ ଅଧିବେଶନ ୨ ଦିନ ଆଗରୁ ଶେଷ ହୋଇଛି। ଅଧିବେଶନ ଶେଷ ହେବାପରେ ବାଚସ୍ପତି ଓମ୍‌ ବିର୍ଲା ବିଭିନ୍ନ ଦଳର ନେତାମାନଙ୍କୁ ତାଙ୍କ କକ୍ଷରେ ଭେଟିଛନ୍ତି। ‌ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଆଜି ବାଚସ୍ପତିଙ୍କ କକ୍ଷରେ ଉପସ୍ଥିତ ଥିଲେ। ବୈଠକରେ ମୋଦୀ ଗୋଟିଏ ସୋଫାରେ ବସିଥିବାବେଳେ ସୋନିଆ ପାଖ ସୋଫାରେ ବସିଥିଲେ। ଗୃହ ମନ୍ତ୍ରୀ […]
ବାଚସ୍ପତିଙ୍କ କକ୍ଷରେ ମୋଦୀ ସୋନିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial