ଆଉ ୧୦ ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ରହିବ ଓଡ଼ିଶା

ଆଉ ୧୦ ବର୍ଷ ପାଇଁ ହକିର ପ୍ରାୟୋଜକ ରହିବ ଓଡ଼ିଶା

ହକି କେବଳ ଏକ ଖେଳ ନୁହେଁ,ଏହା ଜାତୀୟ ସଂହତି, ଏକତା ଓ ଅଖଣ୍ଡତାର ସୂତ୍ରଧର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ‘‘ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ରହିବ’’। ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ପାଇଁ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ପ୍ରତିଶୃତି ଦେଇଛନ୍ତି ଯେ ଓଡ଼ିଶା ପୂର୍ବଭଳି ଭାରତୀୟ ହକିକୁ ସମସ୍ତ ପ୍ରକାର ସମର୍ଥନ, ସହଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବ। ଫଳରେ ଟୋକିଓ ଅଲିମ୍ପିକ୍ସ ଭଳି ୨୦୨୪ ପ୍ୟାରିସ୍ (ଫ୍ରାନ୍ସ), ୨୦୨୮ ଲସ୍ ଏଞ୍ଜେଲ୍ସ (ଆମେରିକା) ଅଲିମ୍ପିକ୍ସ ଏବଂ ୨୦୩୨ ବ୍ରିସବେନ୍ (ଅଷ୍ଟ୍ରେଲିଆ) ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଓଡ଼ିଶାର ପୃଷ୍ଠପୋଷକତାରେ ଖେଳିବା ନିଶ୍ଚିତ ହୋଇଛି। ଏଭଳି ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି ନେଇ ଓଡ଼ିଶା ସରକାର ମଧ୍ୟ ଭାରତୀୟ କ୍ରୀଡ଼ାରେ ଆଉ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି। ଏହା ପୂର୍ବରୁ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ୨୦୧୮ ମସିହାରେ ୫ ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ହୋଇଥିଲା।
ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଅଲିମ୍ପିକ୍ସ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା‌ କରିଥିଲେ ମୁଖ୍ୟମନ୍ତ୍ରୀ। ହକିକୁ ଜାତୀୟ ସଂହତି, ଏକତା ଓ ଅଖଣ୍ଡତାର ସୂତ୍ରଧର ଭାବେ ବର୍ଣ୍ଣନା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ଟୋକିଓରେ ଲଢ଼ୁଆ ଖେଳ ପ୍ରଦର୍ଶନ କରି ଆପଣମାନେ ଆମ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। ହକିର ପୁନର୍ଜନ୍ମକୁ ସ୍ବଚକ୍ଷୁରେ ଦେଖିବା ଆମ ସମସ୍ତଙ୍କ ପାଇଁ ଗଭୀର ଆବେଗପୂର୍ଣ୍ଣ ମୁହୂର୍ତ୍ତ ଥିଲା। ଗତ ୪ ଦଶନ୍ଧି ଧରି ହକିପ୍ରେମୀ ଭାରତ ଏକ ଅଲିମ୍ପିକ୍ସ ପଦକ ଜିତୁ ବୋଲି ଆଶା କରି ରହିଥିଲେ। ଯାହା ଏବେ ପୂରଣ ହୋଇଛି। ହକି ମ୍ୟାଚ୍ ଦେଖିବା ଲାଗି ସମଗ୍ର ଦେଶ ଯେଭଳି ଭାବେ ଟେଲିଭିଜନ ପରଦା ସମୁଖରେ ବରଫ ଭଳି ଜମି ରହୁଥିଲା, ସେଥିରୁ ପ୍ରମାଣିତ ହେଉଛି ଯେ ହକି ‌କେବଳ ଏକ ଖେଳ ନୁହେଁ। କୋଭିଡ୍-୧୯ ସଂକ୍ରମଣର ଭୟାବହତା ଭିତରେ ଆମ ଦଳ ଯେଭଳି କଠିନ ପରିଶ୍ରମ କରି ବିଜୟ ମୁକୁଟ ପିନ୍ଧିଲା, ତାହା ଅତି ଚମତ୍କାର। ଏହି କଠିନ ସମୟରେ ଆମ ହକି ଦଳ କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଫୁଟାଇ ଦେଇଛନ୍ତି। ଆମେ ସମସ୍ତେ ଆମ ସଫଳ ବାଳକ ବାଳିକାମାନଙ୍କୁ ଏଥିଲାଗି ଧନ୍ୟବାଦ ଦେବା ଉଚିତ। ହକି ଇଣ୍ଡିଆ ଦେଶ ପାଇଁ ଏହି ଅନନ୍ୟ ସଫଳତା ଆମ ଭାଗୀଦାରିରେ ଆଣିଥିବାରୁ ସମଗ୍ର ଓଡ଼ିଶାବାସୀ ଆଜି ଉଲ୍ଲସିତ ଓ ଆନନ୍ଦିତ। ମୁଁ ବିଶ୍ବାସ କରେ ଯେ ଓଡ଼ିଶା ଓ ହକିର ଏହି ମହାମିଳନ ଭାଗ୍ୟ ବଳରେ ହୋଇଛି। ହକି ଇଣ୍ଡିଆ ସହ ଆମେ ଏହି ଭାଗୀଦାରିକୁ ଜାରି ରଖିବୁ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଭାରତୀୟ ହକିକୁ ସହଯୋଗ ସମର୍ଥନ ଓ ପ୍ରୋତ୍ସାହନ ଦେବା ଜାରି ରଖିବ। ଏହାଦ୍ବାରା ଭାରତୀୟ ହକିରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବ। ଭାରତୀୟ ହକିର ହୃତ ଗୌରବ ଫେରିଆସିବ’’।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ଦଳର ପ୍ରତ୍ୟେକ ସଦସ୍ୟ ଏବଂ ଚତୁର୍ଥ ସ୍ଥାନରେ ରହିବାର ଐତିହାସିକ ସଫଳତା ଲାଭ କରିଥିବା ମହିଳା ଦଳର ସମସ୍ତ ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ସେହିଭଳି ଉଭୟ ଦଳର ସପୋର୍ଟ ଷ୍ଟାଫ୍‌ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଟୋକିଓ ଅଲିମ୍ପିକ୍ସରେ ବଳିଷ୍ଠ ପ୍ରଦର୍ଶନ ପାଇଁ ଦୁଇ ଦଳର ଖେଳାଳିଙ୍କୁ ୧୩ଟି ସ୍ବତନ୍ତ୍ର ପୁରସ୍କାର ମଧ୍ୟ ବାଣ୍ଟିଥିଲେ। ଭାରତୀୟ ହକିକୁ ସଫଳତାର ନୂଆ ସ୍ତରରେ ପହଞ୍ଚାଇଥିବା ହକି ଇଣ୍ଡିଆକୁ ଅଲଗା ଭାବେ ୫୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ହକି ଇଣ୍ଡିଆ, ଭାରତୀୟ ଅଲିମ୍ପିକ୍ସ ସଂଘ ତରଫରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରତୀୟ ମହିଳା ଓ ପୁରୁଷ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଫଟୋ, ମୋମେଣ୍ଟୋ ଓ ଫ୍ରେମ ହୋଇଥିବା ଜର୍ସି ଉପହାର ଦେଇ କୃତଜ୍ଞତା ଜ୍ଞାପନ କରିଥିଲେ। ଲୋକସେବା ଭବନଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କି, ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ସଭାପତି ଜ୍ଞା‌ନେନ୍ଦ୍ର ନିଙ୍ଗୋମବାମ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା‌, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଅଲିମ୍ପିଆନ୍ ୱିଲିୟମ୍ ଖାଲକୋ, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ଭାରତୀୟ ମହିଳା ଫୁଟବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ହକି ତାରକା ଦୀପସାନ୍ ତିର୍କି, ଦୌଡ଼ରାଣୀ ଦୂତି ଚାନ୍ଦ, ଚେସ୍ ତାରକା ପଦ୍ମିନୀ ରାଉତ, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା, ହକି ହାଇପର୍ଫର୍ମାନ୍ସ ସେଣ୍ଟରର ଅନ୍ତେବାସୀଙ୍କ ସହ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ଟଙ୍କା ବୃଦ୍ଧି

Wed Aug 18 , 2021
ନୂଆଦିଲ୍ଲୀ: ପୁଣିଥରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରାଯାଇଛି। ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ବି ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ ୧୪.୨କିଲୋଗ୍ରାମ ସିଲିଣ୍ଡରର ଦାମ ୮୫୯.୫ ଟଙ୍କା ହୋଇଛି। ଜୁନ ମାସରେ ଦିଲ୍ଲୀରେ ୧୪ କିଲୋଗ୍ରାମ ଗ୍ୟାସ […]
ପୁଣି ୨୫ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial