ରାଜନଗର ବ୍ଲକରେ ୨୨ଲକ୍ଷର ଭତ୍ତା ଦୁର୍ନୀତି

୨୨ଲକ୍ଷର ଭତ୍ତା ଦୁର୍ନୀତି

ପିଇଓ ଏବଂ ଜିଆରଏସ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସୁପାରିସ

କେନ୍ଦ୍ରାପଡ଼ା: ଭତ୍ତା ଟଙ୍କା ଚଳୁ କରି ଗୁଲନଗର ପଞ୍ଚାୟତ ନିର୍ବାହୀ ଅଧିକାରୀ ଜେଲ୍‌ ଯିବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। ଏବେ କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍‌ରୁ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଭତ୍ତା ବାବଦକୁ ଉଠାଇଥିବା ପାଖାପାଖି ୨୨ଲକ୍ଷରୁ ଅଧିକ ଟଙ୍କା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ ନ ବାଣ୍ଟି ହେରଫେର କରିଥିବା ଅଡିଟ୍‌ ଧରିଛି। କେବଳ ସେତିକି ନୁହେଁ, ଏ ସଂକ୍ରାନ୍ତରେ ତନାଘନା ହେବା ପରେ କିଛି ଅଧିକାରୀ ୮ ଲକ୍ଷ ୬୬ ହଜାର ୭ଶହ ଟଙ୍କା ଫେରାଇ ଦେଇଥିବାବେଳେ ଆହୁରି ୧୩ଲକ୍ଷ ୪୨ହଜାର ଟଙ୍କା ସରକାରୀ ତହବିଲ୍‌କୁ ଆସି ନଥିବା ରିପୋର୍ଟରେ ଦର୍ଶାଯାଇଛି। ଏ କଥା ବି ଉଲ୍ଲେଖ ରହିଛି ଯେ, ସଂପୃକ୍ତ ଖିଲାପ କରିଥିବା ଅଧିକାରୀଙ୍କଠାରୁ ୧୮ପ୍ରତିଶତ ସୁଧ ସହିତ ଟଙ୍କା ଆଦାୟ କରାଯିବା ସହିତ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଗତ ୧୨ତାରିଖରେ ଏହି ମର୍ମରେ ଏକ ରିପୋର୍ଟ ଅଡିଟ୍‌ ପଞ୍ଚାୟତିରାଜ ବିଭାଗ ସଚିବଙ୍କୁ ସୁପାରିସ କରିଛି। ଅଡିଟ୍‌ ତାର ରିପୋର୍ଟରେ ଦର୍ଶାଯାଇଛି ଯେ ରାଜନଗର ବ୍ଲକର ୧୭ଜଣ ଜିଆର୍‌ଏସ୍‌ ଓ ୧୩ଜଣ ପଂଚାୟତ ନିର୍ବାହୀ ଅଧିକାରୀ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଓ ମଧୁବାବୁ ପେନସନ ଯୋଜନାରେ ବୃଦ୍ଧ ବୃଦ୍ଧାଙ୍କୁ ଦେବା ପାଇଁ ସରକାରୀ ତହବିଲରୁ ଟଙ୍କା ଉଠାଇଥିଲେ। ୨୦୧୯–୨୦ ଆର୍ଥିକ ବର୍ଷରେ ୨୧ ଲକ୍ଷ ୫୧ ହଜାର ୮ଶହ ଟଙ୍କା ଏବଂ ହିତାଧିକାରୀଙ୍କୁ ଅଧିକ ଭତ୍ତା ଟଙ୍କା ବାବଦକୁ ୯୬ ହଜାର ୯ଶହ ଟଙ୍କା ମିଶାଇ ମୋଟ ୨୨ ଲକ୍ଷ ୪୮ହଜାର ୭ଶହ ଟଙ୍କା ଉଠାଯାଇଥିବା ବେଳେ ତାହା କିନ୍ତୁ ବଣ୍ଟା ଯାଇ ନାହିଁ କି ସରକାରୀ ତହବିଲ୍‌କୁ ଫେରି ନାହିଁ।
ଅଡିଟ୍ ଏହାକୁ ନେଇ ଆପତ୍ତି ଉଠାଇବା ପରେ ଅବଶ୍ୟ ବାହାଦୂର ଟୁଡୁ ୨,୨୭,୧୦୦, ବିଜୟ କୁମାର ସେଠୀ ୩୪,୨୦୦ଟଙ୍କା, ଦୁର୍ଗାପ୍ରସାଦ କର ୧,୭୫,୩୦୦ଟଙ୍କା, ଇତିଶ୍ରୀ ମିଶ୍ର ୨୪,୯୦୦ଟଙ୍କା, ଜ୍ୟୋତିରଂଜନ ସାମଲ ୩୮,୦୦୦ଟଙ୍କା, କ୍ଷୀରୋଦ ପାତ୍ର ୮୪,୦୦୦ଟଙ୍କା, ମାନସ ରଂଜନ ପ୍ରଧାନ ୨୧୦୦, ନିର୍ମଳ ବିଶ୍ବାଳ ୪୮୦୦ଟଙ୍କା, ପ୍ରମୋଦ ସାହୁ ୮୧୦୦, ରତ୍ନାକର ଜେନା ୯୭,୮୦୦ଟଙ୍କା, ସୁକୁମାର ମଣ୍ତଳ ୨୦,୯୦୦ଟଙ୍କା, ସ୍ବାଧୀନ ସ୍ବାଇଁ ୮୮,୫୦୦ଟଙ୍କା, ସ୍ବର୍ଣ୍ଣପ୍ରଭା ମଣ୍ତଳ ୬୧,୦୦୦ ଟଙ୍କା ଫେରାଇଛନ୍ତି। ସେହିପରି ଆଉ ୭ ପିଇଓ ଓ ଜିଆରଏସ ବି ଟଙ୍କା ଫେରାଇଥିବା ବେଳେ ୬ଜଣ ଆଂଶିକ ଟଙ୍କା ଫେରାଇଛନ୍ତି। ହେଲେ ବଡ଼ କଥା ହେଉଛି, ଭତ୍ତା ବାବଦକୁ ଉଠୁଥିବା ଟଙ୍କାରୁ ଯଦି ହିତାଧିକାରୀଙ୍କୁ ବଣ୍ଟା ନଯାଇ ପାରି ବଳକା ରହିଲା, ତାହା ସଙ୍ଗେ ସଙ୍ଗେ ସରକାରୀ ତହବିଲରେ ପଇଠ ହେବା କଥା। ମାତ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆର୍‌ଏସ୍‌ମାନେ ସରକାରୀ ଟଙ୍କାକୁ କିଭଳି ନିଜ ପାଖେ ରଖିଦେଲେ? ଅନ୍ୟପକ୍ଷରେ ରାଜନଗର ବିଡିଓ ରବୀନ୍ଦ୍ର କୁମାର ପ୍ରଧାନ କହିଛନ୍ତି ଯେ ଏଠାରେ ଦାୟିତ୍ବ ନେବା ପରେ ସେ ପ୍ରଥମେ ଫାଇଲ ଯାଞ୍ଚ କରିଥିଲେ। ଯେଉଁମାନେ ଫେରାଇ ନ ଥିଲେ, ସେମାନଙ୍କୁ ନୋଟିସ୍‌ କରିଥିଲେ। ଅଧିକାଂଶ ଟଙ୍କା ଫେରାଇ ଦେଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Share Now:

Kalinga News Beuro

Next Post

ରୁଷ ଚାହୁଁନି ଆଫଗାନ୍‌ ଆତଙ୍କବାଦୀମାନେ ଶରଣାର୍ଥୀ ସାଜି ଆସନ୍ତୁ: ପୁଟିନ୍‌

Sun Aug 22 , 2021
ମସ୍କୋ: କେନ୍ଦ୍ରୀୟ ଏସୀୟ ରାଷ୍ଟ୍ରମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ‘ନାଟୋ’ ମିତ୍ରରାଷ୍ଟ୍ରମାନେ ଆଫଗାନ ଶରଣାର୍ଥୀମାନଙ୍କୁ ପଠାଇବା ନିଷ୍ପତ୍ତିକୁ ରବିବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ସମାଲୋଚନା କରି କହିଛନ୍ତି ଯେ, ସେମାନେ (ଶରଣାର୍ଥୀ) ମସ୍କୋ ପ୍ରତି ପ୍ରତ୍ୟକ୍ଷ ବିପଦର କାରଣ ହେବେ। ‘ରିଆ ନୋଭୋସ୍ତି’ ରିପୋର୍ଟ କରିଛି ଯେ, ପୁଟିନ୍ କହିଛନ୍ତି, ଆମେ ଚାହୁଁନା ଆଫଗାନ୍‌ ଆତଙ୍କବାଦୀମାନେ ଶରଣାର୍ଥୀ ସାଜି ଆସନ୍ତୁ। ଆଫଗାନିସ୍ତାନରୁ ଆଗତ ଶରଣାର୍ଥୀ ସମସ୍ୟା ରୁଷୀୟ […]
ପୁଟିନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial