କ୍ୟାପିଟାଲ ହସ୍ପିଟାଲର ଦୟନୀୟ ସ୍ଥିତି : ବାରଣ୍ଡାରେ ୬ ଘଣ୍ଟା ଛଟପଟ ହେଲା କୋମଳମତି ଶିଶୁ

ହସ୍ପିଟାଲ୍‌ ବାରଣ୍ଡାରେ ୬ ଘଣ୍ଟା ଛଟପଟ

ରାତି ୨ଟାରେ ଶିଶୁକନ୍ୟା ତଣ୍ଟିରୁ ବାହାରିଲା ଲୁହା ପିନ୍‌

ଭୁବନେଶ୍ୱର: ତଣ୍ଟିରେ ଲୁହା ପିନ୍‌ ଲାଗି ଯାଇଥିବା ୧୦ ମାସର ଶିଶୁକନ୍ୟାଟି ଯନ୍ତ୍ରଣାରେ ଛଟପଟ ହେଉଥିଲା। ମାତ୍ର ଡାକ୍ତରଙ୍କ ମନରେ ଟିକିଏ ବି ଦୟା ହେଲା ନାହିଁ। ଗରିବ ବାପାମା’ ଯେତେ ନେହୁରା ହେଲେ ମଧ୍ୟ ନିର୍ଦ୍ଦୟ ଡାକ୍ତର କିଛି କଲେ ନାହିଁ। ଏକ୍‌ସ-ରେ କଲେ ଯାଇ ସେ କିଛି କରିବେ ବୋଲି କହି ଶିଶୁଟିର ଚିକିତ୍ସାକୁ ଜାଣିଶୁଣି ଏଡ଼ାଇ ଗଲେ। ଏମିତିକି ତାଙ୍କ ପରାମର୍ଶରେ ଏକ୍‌ସ-ରେ ହୋଇପାରିବ ବୋଲି ବିଭାଗୀୟ କର୍ମଚାରୀ କହିଲେ ବି ସେ ଘରୋଇ ହସ୍ପିଟାଲରେ ଏକ୍‌ସ-ରେ କର ବୋଲି କହି ଚାଲି ଯାଇଥିଲେ। କିନ୍ତୁ ଅର୍ଥଭାବରୁ ବାପାମା’ ଘରୋଇ ହସ୍ପିଟାଲ ଯାଇନପାରି ଭାଗ୍ୟକୁ ଆଦରି ରାତିରେ ପ୍ରାୟ ୬ ଘଣ୍ଟା କାଳ ମେଡିକାଲ ବାରଣ୍ଡାରେ ପଡ଼ିରହିଲେ। ସୋମବାର ରାତିରେ କ୍ୟାପିଟାଲ ହସ୍ପିଟାଲ ବାରଣ୍ଡାରେ ଦେଖିବାକୁ ମିଳିଥିଲା ଏମିତି ଏକ ଅଭାବନୀୟ ଦୃଶ୍ୟ। ଭାଗ୍ୟକୁ ଜଣେ ସ୍ବେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ରାତି ୨ଟାବେଳେ ଡ୍ୟୁଟିରେ ଥିବା ଡାକ୍ତର ଶିଶୁର ତଣ୍ଟିରୁ ପିନ୍‌କଣ୍ଟା ବାହାର କରିଥିଲେ ଓ ଉପଯୁକ୍ତ ଚିକିତ୍ସା ପରେ ସକାଳୁ ତାକୁ ଡିସ୍‌ଚାର୍ଜ କରାଯାଇଥିଲା।
ଘଟଣାଟି ଥିଲା ଏମିତି। ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ରଘୁନାଥ ବଳବନ୍ତରାୟଙ୍କ ୧୦ ମାସର ଶିଶୁକନ୍ୟା ଆଦିଶ୍ରୀ ଏକ ପିନ୍‌ ଗିଳି ଦେଇଥିଲା। ପିନ୍‌ଟି ଆଦିଶ୍ରୀର ତଣ୍ଟିରେ ଲାଗି ରହିଥିଲା। ପ୍ରଥମେ ରଘୁନାଥ ଆଦିଶ୍ରୀକୁ ଧରି ଡେଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ତୁରନ୍ତ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ରଘୁନାଥ ଆଦିଶ୍ରୀକୁ ଧରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। କିନ୍ତୁ କାଜୁଆଲିଟିରେ ଥିବା ଡାକ୍ତର ଆଦିଶ୍ରୀକୁ ନ ଦେଖି ଏକ୍‌ସ-ରେ କରିବା ପାଇଁ ପଠାଇ ଦେଇଥିଲେ। କିନ୍ତୁ ସେତେବେଳକୁ ଏକ୍‌ସ-ରେ ବନ୍ଦ ହୋଇଯାଇଥିବାରୁ ବିଭାଗୀୟ କର୍ମଚାରୀ ଡାକ୍ତରଙ୍କଠାରୁ ଜରୁରୀକାଳୀନ ଫୋନ୍‌ କରାଇବାକୁ କହିଥିଲେ। ମାତ୍ର ଡାକ୍ତର ଫୋନ୍‌ କରିବାକୁ ରୋକଠୋକ୍ ମନା କରିବା ସହ ବାହାରୁ ଏକ୍‌ସ-ରେ କରାଇଆଣ ବୋଲି କହିଥିଲେ। ଅର୍ଥାଭାବରୁ ରଘୁନାଥ ବାହ‌ାରକୁ ଯାଇନପାରି କାଜୁଆଲିଟି ବାରଣ୍ଡାରେ ସକାଳକୁ ଅପେକ୍ଷା କରି ପଡ଼ି ରହିଥିଲେ। ଆଦିଶ୍ରୀର ଯନ୍ତ୍ରଣା ବଢ଼ି ଚାଲିଥିବା ବେଳେ ବିଚରା ରଘୁନାଥ ଓ ତାଙ୍କ ସ୍ତ୍ରୀ ସେମିତି ବାରଣ୍ଡାରେ ବସି ରହିବାକୁ ବାଧ୍ୟ ହୋଇଥିଲେ। ରାତି ଦୁଇଟା ବେଳେ କୌଣସି ସୂତ୍ରରୁ ଖବର ପାଇ ଜଣେ ସ୍ୱେଚ୍ଛାସେବୀ ସେଠାରେ ପହଞ୍ଚିଥିଲେ ଓ ସେତେବେଳେ ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ଜଣାଇଥିଲେ।

Share Now:

Kalinga News Beuro

Next Post

ରବିବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ : ସ୍କାଏମେଟ୍

Wed Aug 25 , 2021
ବର୍ଷା ନିଅଣ୍ଟ ଭରଣା ହେବା ସମ୍ଭାବନା ଭୁବନେଶ୍ବର : ଅଗଷ୍ଟ ମାସରେ ବର୍ଷା ନିଅଣ୍ଟ ଦେଖାଦେଇଥିବାବେଳେ ମାସ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସ୍ଥିତିରେ ଟିକିଏ ସୁଧାର ଆଣିପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି। ମାତ୍ର ଏହି ଲଘୁଚାପ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ। ଏପରିକି ମାସ ଶେଷ ସୁଦ୍ଧା ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ […]
ରବିବାର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial