୩ ଫୁଟ ଉଚ୍ଚକୁ ଉଠିଲା ୩ ମହଲା କୋଠା:ରାଜଧାନୀରେ ହାଉସ୍‌ ଲିଫ୍‌ଟିଂ ସଲ୍ୟୁସନ୍‌

ଭୁବନେଶ୍ୱର: ଏଣିକି ଖାଲୁଆ ଘର ୧୫ ଫୁଟ ଉଚ୍ଚକୁ ଉଠିପାରିବ। ପୁଣି ପୁରୁଣା ଘରକୁ ଗୋଟିଏ ଜାଗାରୁ କିଛି ଦୂରକୁ ସ୍ଥାନାନ୍ତର କରାଯାଇପାରିବ। ସେ ୨ ମହଲା ହେଉ କି ୩ ମହଲା। ୩ ରୁମ୍‌ ହେଉ କି ୪ ରୁମ୍‌ ବିଶିଷ୍ଟ। କାନକୁ ବିଶ୍ୱାସ ହେଉନଥିଲେ ହେଁ ଏହା ସତ। ନନ୍ଦନବିହାର ପରେ ଜୟଦେବ ବିହାର ପ୍ଲଟ୍‌ ନଂ ୮୩୦ରେ ଥିବା ୩ ମହଲା କୋଠା ବର୍ତମାନ ସୁଦ୍ଧା ୩ ଫୁଟ ଉଠି ସାରିଥିବା ବେଳେ ଆଗକୁ ଆଉ ୧ ଫୁଟ ଉଠିବ। ୧୫୦ ଟନ୍‌ କ୍ଷମତା ବିଶିଷ୍ଟ ୨୫୦ରୁ ଅଧିକ ଲୁହା ଜାକ୍‌ ସହଯୋଗରେ ଏହି ଘରକୁ ଉଠାଯାଉଛି। ବିହାରରୁ ଆସିଥିବା ଏକ ଟିମ୍‌ ଏହି କାମରେ ନିୟୋଜିତ ହୋଇଥିବା ବେଳେ ୨୦ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି। ୩ ମାସ ମଧ୍ୟରେ ଘର ୪ ଫୁଟ ପର୍ଯ୍ୟନ୍ତ ଉଠିଯିବ ବୋଲି ଠିକାଦାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଏହି ପ୍ଲଟ୍‌ରେ ବସନ୍ତ ମିଶ୍ର ୧୫ ବର୍ଷ ତଳେ ୩ ମହଲା ବିଶିଷ୍ଟ ଘର ନିର୍ମାଣ କରିଥିଲେ। ମାତ୍ର ଧୀରେଧୀରେ ରାସ୍ତା ଓ ନାଳ ନିର୍ମାଣ ହେବା ପରେ ତାଙ୍କ ଘର ଅଢ଼େଇ ଫୁଟ ତଳେ ରହି ଯାଇଥିଲା। ଏମିତି ବର୍ଷା ହେଲେ ତଳ ଘରେ ରହିବା ସମ୍ଭବ ହେଉନଥିଲା। ଆଣ୍ଠୁଏ ଉଚ୍ଚର ପାଣି ଜମୁଥିବାରୁ ଚଳିବା ସମ୍ଭବ ହେଉନଥିଲା। ତେଣୁ ତଳ ଘର ପୋତିବା ପାଇଁ କେହିକେହି ପରାମର୍ଶ ଦେଉଥିବା ବେଳେ କେହିକେହି ଘର ଭାଙ୍ଗିବା ପାଇଁ କହିଥିଲେ। ମାତ୍ର ଶ୍ରୀ ମିଶ୍ର ନିଜର ଜଣେ ସଭିଲ୍‌ ଇଂଜିନିୟର ବନ୍ଧୁଙ୍କଠାରୁ ବିନା ଭଙ୍ଗାରୁଜାରେ ଘରକୁ ଚଟାଣଠାରୁ ଉପରକୁ ଉଠାଇ ହେଉଥିବା ବୈଷୟିକ ଜ୍ଞାନ ସମ୍ପର୍କରେ ଶୁଣିଲେ। ତେଣୁ ବିହାରରେ ଠିକାଦାର ସଂସ୍ଥାକୁ ଯୋଗାଯୋଗ କରି ଡକାଇଥିଲେ। ଇତି ମଧ୍ୟରେ ତାଙ୍କ ଘର ୩ ଫୁଟ ଉଚ୍ଚକୁ ଉଠି ସାରିଥିଲେ ମଧ୍ୟ ସାମାନ୍ୟତମ କ୍ଷତି ହୋଇନାହିଁ। ଆଗକୁ ଆଉ ୧ ଫୁଟ ଉଠିବ ବୋଲି ସୂଚନା ମିଳିଛି। ଏନେଇ ବିହାରରୁ ଆସିଥିବା ଠିକାଦାର ସଂସ୍ଥାର ଠିକାଦାର ବବ୍‌ଲୁ ଯାଦବଙ୍କ କହିବା ମୁତାବକ, ନୂଆ ଜ୍ଞାନ କୌଶଳ ଜରିଆରେ ସେ ୪ରୁ ୬ ମହଲା କୋଠା ଉଠାଇବାର କ୍ଷମତା ରଖିଛନ୍ତି। ସେ ୪ ବର୍ଷ ଧରି ଏହି କାମ କରୁଥିବା ବେଳେ ୪୦୦ରୁ ଅଧିକ କୋଠା ଉଠାଇ ସାରିଲେଣି ବୋଲି କହିଛନ୍ତି।
ରାଜଧାନୀରେ ବର୍ଷା ଭିଜା ସହରର ବେହାଲ ଅବସ୍ଥା ଦେଖିଲେ ଲୋକଙ୍କ ଭିତରେ ଭାଳେଣି ପଡ଼ୁଥିବା ବେଳେ ଏହି ସ୍ମାର୍ଟ ଜ୍ଞାନ କୌଶଳର ଆବଶ୍ୟକତା ଭୁବନେଶ୍ୱର ପାଇଁ କେତେ ଆବଶ୍ୟକ ତାହା ଜଳଜଳ ବାରି ହୋଇପଡ଼ୁଛି। ପୁଣି ସହରରେ ରାସ୍ତାର ଉଚ୍ଚତା ଯେମିତି ବୃଦ୍ଧି ପାଉଛି ଏଭଳି ଘଡ଼ିସନ୍ଧି ମୁହୂର୍ତରେ ଅନେକ ପୁରୁଖା ବାସିନ୍ଦା ନିଜ ପୁରୁଣା ଘରକୁ ନେଇ ପ୍ରମାଦ ଗଣୁଥିବା ବେଳେ ଏହି ସ୍ମାର୍ଟ ସଲ୍ୟୁସନ୍‌ କଥା ଶୁଣି ନିଶ୍ଚିତ ଆଶ୍ୱସ୍ତ ହେବେ। କିଛି ମାସ ତଳେ ନନ୍ଦନବିହାରରେ ଶରତ ଚନ୍ଦ୍ର ତ୍ରିପାଠୀଙ୍କ ୨ ମହଲା ବିଶିଷ୍ଟ ଘରକୁ ୪ ଫୁଟ ଉଚ୍ଚକୁ ଉଠାଯାଇ ପାରିଛି। ଏଥିପାଇଁ ସାଢ଼େ ୪ ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବେଳେ ୧୫ ଜଣ କାରିଗର ଏହି କାମକୁ କରିବା ପାଇଁ ୩୦ ଦିିନ ସମୟ ନେଇଥିଲେ। ୧୫୦ ଗାଡ଼ି ଉଠା ରୋଲିଂ ଜାକ୍‌କୁ ବ୍ୟବହାର କରି ଆଧୁନିକ ଜ୍ଞାନକୌଶଳ ଜରିଆରେ ଘରକୁ ଉଠାଯାଇଥିଲା। ପ୍ରତ୍ୟେକ କାରିଗର ୨ ଫୁଟ ଅନ୍ତରରେ ରହିଥିବା ୧୦ଟି ଜାକ୍‌କୁ ନିୟନ୍ତ୍ରଣ କରିିଥିଲେ। ପ୍ରଥମେ ଏହି ୧୮ ସ୍ତମ୍ଭ ବିଶିଷ୍ଟ ଘରକୁ ସ୍ତମ୍ଭ ପାଖରୁ କାଟି ୯ଇଞ୍ଚ ପର୍ଯ୍ୟନ୍ତ ଉଠାଇବା ପରେ ସିମେଣ୍ଟ ଗୋଡ଼ିର ବହଳ ଆସ୍ତରଣ ଦିଆ ହୋଇଥିଲା। ପରେ ତାକୁ ୨ ଦିନ ଛାଡ଼ି ଦେଇ ଧୀରେଧୀରେ ଘରକୁ ଉଠାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ଭାଙ୍ଗିପାରେ ବାହୁବଳୀ ରେକର୍ଡ: ରିଲିଜ୍‌ ପୂର୍ବରୁ ୩୫୦ କୋଟି ଆୟ କଲା ‘ରେସ୍‌-୩’

Sun May 13 , 2018
ମୁମ୍ବାଇ:‘‘ରେସ୍‌ ୩’ ସଲ୍‌ମାନ୍‌ ଖାଁଙ୍କ କ୍ୟାରିୟର୍‌ରୁ ସବୁଠୁ ବଡ଼ ଫିଲ୍ମ ହୋଇ ସାରିଲାଣି। ଫିଲ୍ମଟି ରିଲିଜ୍‌ ପୂର୍ବରୁ ହିଁ ୩୫୦ କୋଟି ଟଙ୍କା ଆୟ କରି ସାରିଲାଣି। ଏସବୁ ଆସିଛି ସିନେମା ହଲ୍‌ରେ ପ୍ରଦର୍ଶନ ଅଧିକାର ବା ଥିଏଟ୍ରିକାଲ୍‌ ରାଇଟ୍‌ସ୍‌ ତଥା ମ୍ୟୁଜିକ୍‌ ଓ ସାଟେଲାଇଟ୍‌ ଅଧିକାର ଆଦି ବିକ୍ରିରୁ। ଅବଶ୍ୟ ଏକଥା ସତ ଯେ ‘ରେସ୍‌ ୩’ ଚଳିତ ବର୍ଷର ସବୁଠୁ ଅଧିକ ପ୍ରତୀକ୍ଷିତ ଫିଲ୍ମଙ୍କ ଭିତରୁ ଗୋଟିଏ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial