ଠକେଇ କରିଥିବା ମାନିଲେ ଆନ୍ଧ୍ରର ପୂର୍ବତନ ବିଧାୟକ: ଓଡ଼ିଶାରେ ବି କୋଟିକୋଟି ଟଙ୍କାର ସମ୍ପତ୍ତି

ଆନ୍ଧ୍ର ବିଧାୟକ ମଲ୍ଲା ବିଜୟ ପ୍ରସାଦ

ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କଲା ଇଓଡବ୍ଲୁ

ଭୁବନେଶ୍ବର : ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ଚିଟ୍‌ଫଣ୍ଡ ସଂସ୍ଥାର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦଙ୍କୁ ରିମାଣ୍ଡରେ ନେଇ ମାରାଥନ୍ ଜେରା ବେଳେ ଚାଞ୍ଚଲ୍ୟକର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। କେବଳ ଆନ୍ଧ୍ର ନୁହେଁ, ଓଡ଼ିଶାରେ ବି ରହିଛି ତାଙ୍କର କୋଟିକୋଟି ଟଙ୍କାର ସମ୍ପତ୍ତି। ପୁରୀ, ବ୍ରହ୍ମପୁର, କୋରାପୁଟର ସେମିଳିଗୁଡ଼ା ଏବଂ ଭଦ୍ରକରେ ମୂଲ୍ୟବାନ ଜମି, ଫାର୍ମ ହାଉସ୍ ଏବଂ ହୋଟେଲ ଥିବା ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍। ଇତିମଧ୍ୟ‌ରେ ଓଡ଼ିଶାରେ ଥିବା ତାଙ୍କ ସମ୍ପତ୍ତିର କାଗଜପତ୍ର ତଥା ବ୍ୟାଙ୍କ ଆକାଉଣ୍ଟ ଆଦି ଜବତ କରାଯାଇଛି। ଖୁବଶୀଘ୍ର ସଂପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଇଓଡବ୍ଲୁର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଜେରାବେଳେ ତଦନ୍ତକାରୀ ଟିମ୍ ଆଗରେ ଟଙ୍କା ଦିଗୁଣ କରିବାର ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖାଇ ଜମାକାରୀଙ୍କ ଟଙ୍କା ଠକେଇ କରିଥିବା ମାନିଛନ୍ତି ବିଜୟ ପ୍ରସାଦ। ଏପରିକି ସେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ରାଜି ବୋଲି ଇଓଡବ୍ଲୁର ବରିଷ୍ଠ ଅଧିକାରୀଙ୍କୁ କହିଛନ୍ତି। ତେବେ ଆଉ କେଉଁଠି କେଉଁଠି ତାଙ୍କର ସମ୍ପତ୍ତି ରହିଛି ସେ ନେଇ ଇଓଡବ୍ଲୁ ତନାଘନା ଚଳାଇଛି। ବିଜୟ ପ୍ରସାଦ ନିର୍ମାଣ କରିଥିବା ତେଲୁଗୁ ଫିଲ୍ମରେ କେତେ ଟଙ୍କା ବିନିଯୋଗ କରିଛନ୍ତି ତାହାର ମଧ୍ୟ ତଦନ୍ତ ଜାରି ରହିଛି। ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଆସିଥିବା ବିଜୟଙ୍କୁ ଗୋଟିଏ ଦିନ ପୂର୍ବରୁ ଆଜି କୋର୍ଟଚାଲାଣ କରାଯାଇଛି। ଏହା ପରେ ତାଙ୍କୁ ଚୌଦ୍ବାର ଜେଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ବିଭିନ୍ନ ଜାଗାରେ ଅଫିସ ଖୋଲି ଓ୍ୱେଲଫେୟାର ବିଲ୍ଡିଂ ଆଣ୍ଡ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଜମାକାରୀଙ୍କଠାରୁ ଟଙ୍କା ଆଦାୟ କରିଥିଲେ ବିଜୟ ପ୍ରସାଦ। ଜମାକାରୀଙ୍କୁ ଅଧିକ ସୁଧହାର ସହ ବିଶାଖାପାଟଣାରେ ଜମି ଦେବାର ଲୋଭ ବି ଦେଖାଇଥିଲେ। ଏମିତି ଭାବେ ତାଙ୍କ କମ୍ପାନି ୩ ରାଜ୍ୟରୁ ୧୨୦୦ କୋଟି ଟଙ୍କା ଠକେଇ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା। ଏ ନେଇ ପୂର୍ବରୁ ସିବିଆଇରେ ମାମଲା ମଧ୍ୟ ରହିଛି। ପୂର୍ବରୁ ସିବିଆଇ ଚଢ଼ଉ କରି ତାଙ୍କ ବାସଭବନରୁ ନଗଦ ୪୪.୯ ଲକ୍ଷ ଟଙ୍କା ଜବତ କରିଥିଲା। ତେବେ ଗତ ୮ ତାରିଖରେ ଇଓଡବ୍ଲୁର ଏକ ଟିମ୍ ବିଜୟ ପ୍ରସାଦଙ୍କୁ ବିଶାଖାପାଟଣାସ୍ଥିତ ତାଙ୍କ ବାସଭବନରୁ ଗିରଫ କରି ଓଡ଼ିଶା ଆଣିଥିଲା। ଚିଟଫଣ୍ଡ କମ୍ପାନି ଖୋଲି କୋଟି କୋଟି ଟଙ୍କାର ମାଲିକ ହୋଇଥିବା ବିଜୟ ପ୍ରସାଦ ରାଜନୀତିରେ ଯୋଗ ଦେଇ ୱାଏସ୍‌ଆର୍‌ କଂଗ୍ରେସ ଟିକଟରେ ଭାଇଜାଗ୍ ପଶ୍ଚିମର ବିଧାୟକ ହୋଇଥିଲେ। ତେବେ ଗତ ନିର୍ବାଚନରେ ସେ ପରାସ୍ତ ହୋଇଥି‌ଲେ।

Share Now:

Kalinga News Beuro

Next Post

କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ବି ବଡ଼ ତିରୁପତି ମନ୍ଦିରର ନୂଆ ଟ୍ରଷ୍ଟ ବୋର୍ଡ

Sat Sep 18 , 2021
ତିରୁପତି : ଆନ୍ଧ୍ର ପ୍ରଦେଶ ସରକାର ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ପାଇଁ ନୂଆ ଟ୍ରଷ୍ଟ ବୋର୍ଡ ଗଠନ କରିଛନ୍ତି। ୮୧ ସଦସ୍ୟ ବିଶିଷ୍ଟ ତିରୁପତି ମନ୍ଦିର ଟ୍ରଷ୍ଟ ବୋର୍ଡ କେନ୍ଦ୍ର ମନ୍ତ୍ରିମଣ୍ଡଳଠାରୁ ମଧ୍ୟ ବଡ଼। ଏହି ଟ୍ରଷ୍ଟ ବୋର୍ଡରେ ୨୯ ଜଣ ସଦସ୍ୟ ଏବଂ ୫୨ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଛନ୍ତି। ଏହା ହେଉଛି ବିଶ୍ବର ସବୁଠାରୁ ଧନୀ ହିନ୍ଦୁ ଦେବୋତ୍ତର କମିଟି ଏବଂ ସବୁଠାରୁ ବଡ଼ ଟ୍ରଷ୍ଟ […]
ତିରୁପତି ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial