ବିଲେଇ, କୁକୁରଙ୍କ ଉତ୍ପାତରେ ଅତିଷ୍ଠ କ୍ୟାପିଟାଲ୍‌ ହସ୍ପିଟାଲ ରୋଗୀ : ହସ୍ପିଟାଲ କର୍ତ୍ତୃରପକ୍ଷ ନିରବ

କ୍ୟାପିଟାଲ୍‌ ହସ୍ପିଟାଲରେ ବିଲେଇ, କୁକୁରଙ୍କ ଉତ୍ପାତ

ଶିଶୁ ରୋଗୀଙ୍କ କ୍ଷୀର, ବିସ୍କୁଟ ଖାଇବା ସହ ପିଲାଙ୍କ ଶଯ୍ୟାରେ ଶୋଉଛନ୍ତି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଏବେ କୁକୁର ଓ ବିଲେଇଙ୍କ ଉତ୍ପାତ ବଢ଼ିଯାଇଛି। ହସ୍ପିଟାଲ ଭିତରେ ନିର୍ଭୟରେ କୁକୁର ଓ ବିଲେଇ ବିଚରଣ କରୁଛନ୍ତି। ଏଥିପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅସୁବିଧାରେ ପଡ଼ୁଛନ୍ତି। ହେଲେ ସବୁ ଜାଣି ହସ୍ପିଟାଲ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବିଲେଇଙ୍କ ପ୍ରାଦୁର୍ଭାବ ଯୋଗୁଁ ଶିଶୁ ବିଭାଗରେ ଭର୍ତ୍ତି ହୋଇଥିବା ଛୋଟ ପିଲାଙ୍କ ପ୍ରତି ବିପଦ ବଢ଼ୁଛି। ବିଶେଷକରି ନବଜାତକ ଗୃହରେ ବିଲେଇମାନେ ବାନ୍ତି ସହ ମଳତ୍ୟାଗ କରୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏହା ଶିଶୁଙ୍କ ପ୍ରତି ବିପଦ ବୋଲି କେତେକ ଅଭିଭାବକ ଅଭିଯୋଗ କରିଛନ୍ତି। ଜଣେ ଅଭିଭାବକ ସଂଗ୍ରାମ ଜେନା କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ବହୁତ ବିଲେଇ ଅଛନ୍ତି। ବିଶେଷକରି ରାତିରେ କିମ୍ବା ଭୋର୍‌ ସମୟରେ ଲୋକଙ୍କ ସମାଗମ କମ୍ ଥିବା ବେଳେ ବିଲେଇମାନେ ଆସି ବେଡ୍‌ ଉପରେ ଚଢ଼ି ଛୁଆଙ୍କ ପାଖରେ ଶୋଇ ଯାଉଛନ୍ତି। ବାନ୍ତି କରିବା ସହ ପରିସ୍ରା ଓ ଝାଡ଼ା କରି ଦେଉଛନ୍ତି। ଅନେକ ସମୟରେ ପିଲାଙ୍କ ପାଇଁ ଥିବା କ୍ଷୀର, ବିସ୍କୁଟ, ଗୋଳାଯାଇ ରଖାଯାଇଥିବା ଛତୁଆ ଆଦିରେ ମୁହଁ ମାରି ଦେଉଥିବାରୁ ତାହା ନଷ୍ଟ ହେଉଛି। ସେହିପରି ଶାନ୍ତିଲତା ନାମକ ଜଣେ ଆଟେଣ୍ଡାଣ୍ଟ କହିଛନ୍ତି, ସେମାନଙ୍କ ପିଲା ପାଖରେ ରାତିରେ ଗୋଟିଏ ବିଲେଇ ଆସି ଶୋଇଯାଇଥିଲା। ଘଉଡ଼ାଇବାକୁ ଯିବାରୁ ବିଲେଇଟି ତାଙ୍କ ପିଲା ଉପରେ ଚଢ଼ି ଯାଇଥିଲା। ପିଲାଟି ଘୋଡ଼ାଇ ହୋଇ ଶୋଇଥିବାରୁ ସୁରକ୍ଷିତ ରହିଥିଲା। ନଚେତ୍‌ ବିଲେଇଟି ତାଙ୍କ ପିଲାକୁ ଆହତ କରିଦେଇଥା’ନ୍ତା ବୋଲି ସେ କହିଛନ୍ତି।
ଏ ସମ୍ପର୍କରେ ଶିଶୁ ବିଭାଗ ଡାକ୍ତର ଜଗନ୍ନାଥ ରାଓଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ବିଲେଇ ପ୍ରାଦୁର୍ଭାବ ଆସ୍ତେ ଆସ୍ତେ କମିଲାଣି। ବିଲେଇ ଆସିଲେ ନିୟୋଜିତ ସୁରକ୍ଷା କର୍ମୀମାନେ ସେମାନଙ୍କୁ ତଡ଼ି ଦେଉଛନ୍ତି ବୋଲି ସେ କହିଛନ୍ତି। ଏହାସହ ବିଲେଇ ଅପରିଷ୍କାର କରିବା ଅଭିଯୋଗ ମିଳିବା ସଙ୍ଗେ ସଙ୍ଗେ ସଫା କରାଯାଉଛି। ସେହିଭଳି କୁକୁରମାନେ ମଧ୍ୟ ହସ୍ପିଟାଲ ଭିତରେ ବିନା ଭୟରେ ବିଚରଣ କରୁଥିବା ଦେଖିବାକୁ ମିଳୁଛି। କୁକୁର ଆକ୍ରମଣରେ ଏ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଆହତ ହୋଇନଥିଲେ ହେଁ ସେମାନଙ୍କୁ ଘଉଡ଼ାଇବା ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଜଣେ ଆହତ ହେଲେ କୁକୁରଙ୍କ ବିଚରଣ ଉପରେ ରୋକ୍ ଲାଗିବ ବୋଲି କଟାକ୍ଷ କରି ଜଣେ ହସ୍ପିଟାଲର କର୍ମଚାରୀ କହିଛନ୍ତି।

Share Now:

Kalinga News Beuro

Next Post

୨୪ ଘଣ୍ଟାରେ ଦେଶରେ ୩୦,୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ : ମୃତ୍ୟୁସଂଖ୍ୟା ୨୯୫

Mon Sep 20 , 2021
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୩୦ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩ ଶହରୁ କମ୍ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୦,୨୫୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୯୫ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ […]
୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୨୫୬

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial