ଆଇଟିଆର୍ ତଥ୍ୟ ଚୋରି ମାମଲା: ୩ ଯୁବତୀଙ୍କ ହନିଟ୍ରାପରେ ଆଇଟିଆର ନିର୍ଦ୍ଦେଶକଙ୍କ ଡ୍ରାଇଭର ସଚିନ୍

ଆଇଟିଆର୍ ତଥ୍ୟ ଚୋରି ମାମଲା

ପୁଣି ଚାନ୍ଦିପୁରରେ କ୍ରାଇମବ୍ରାଞ୍ଚର ତନାଘନା,ରିମାଣ୍ଡ ପରେ ଜେଲ୍ ଫେରିଲେ ୫ ଅଭିଯୁକ୍ତ

ବାଲେଶ୍ୱର : ଚାନ୍ଦିପୁର ଆଇଟିଆର୍ ନିର୍ଦ୍ଦେଶକଙ୍କ ଗାଡ଼ି ଡ୍ରାଇଭର୍ ଥିବା ଉତ୍ତରପ୍ରଦେଶର ସଚିନ୍ କୁମାର ଛେତା ୩ ଜଣ ଯୁବତୀଙ୍କ ସମ୍ପର୍କରେ ଥିଲା। ଆଇଟିଆରରେ ସ୍ଥାୟୀ କର୍ମଚାରୀ ଥିବା ସଚିନ୍ ନିର୍ଦ୍ଦେଶକଙ୍କୁ ଗାଡ଼ିରେ ବିଭିନ୍ନ ସ୍ଥାନକୁ ନେବା ଆଣିବା କରିଥିବାରୁ ଏହି ସମୟରେ କ୍ଷେପଣାସ୍ତ୍ର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଶୁଣି ସଚିନ୍ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କୁ ବିକ୍ରି କରିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଜଣେ ମହିଳା ହନିଟ୍ରାପ କରି ୫ ଜଣଙ୍କୁ ପ୍ରେମ ଜାଲରେ ଫସାଇ କଥା ହୋଇଥିବା କୁହାଯାଉଥିବା ବେଳେ ଏବେ ଆହୁରି ୩ ଜଣଙ୍କ ସମ୍ପୃକ୍ତି ସାମ୍‌ନାକୁ ଆସିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ୫ ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହୋଇଥିବାରୁ ଅପରାହ୍ନରେ ବାଲେଶ୍ବର ଏସଡିଜେଏମଙ୍କ ଅଦାଲତରେ ହାଜର କରାଯାଇଥିଲା। ପରେ ବାଲେଶ୍ବର ମୁଖ୍ୟ କାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଚାନ୍ଦିପୁର ଆଇଟିଆରରୁ ତଥ୍ୟ ଚୋରି ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ଆଜିଯାଏ ରିମାଣ୍ଡରେ ଆଣି କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପଚରାଉଚରା କରାଯିବା ପରେ ଶୁକ୍ରବାର ଅପରାହ୍ନ ପ୍ରାୟ ୫ଟା ୪୫ ବେଳେ ସମସ୍ତଙ୍କୁ ବାଲେଶ୍ବର ଏସଡିଜେଏମଙ୍କ ଅଦାଲତରେ ହାଜର କରାଯାଇଥିଲା। ରିମାଣ୍ଡରେ ଆସି କ୍ରାଇମବ୍ରାଞ୍ଚକୁ ବ୍ୟାଙ୍କ, ଏଜେଣ୍ଟଙ୍କ ମାଧ୍ୟମରେ ପାକିସ୍ତାନୀ ଟଙ୍କା କାରବାର ଏବଂ ଚାନ୍ଦିପୁରର ଅନ୍ୟ କର୍ମଚାରୀଙ୍କ ସମ୍ପୃକ୍ତ ସମ୍ପର୍କରେ ଯେଉଁ ବୟାନ ଦେଇଛନ୍ତି, ସେ ନେଇ ଆଜିଠାରୁ କ୍ରାଇମବ୍ରାଞ୍ଚ ଚାନ୍ଦିପୁରରୁ ତଥ୍ୟ ସଂଗ୍ରହ କରିବ। କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ବିଷୋୟୀଙ୍କ ନେତୃତ୍ବରେ ଏକ ଟିମ୍ ଆଜିଠାରୁ ଚାନ୍ଦିପୁରରେ ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ କରିବାକୁ ଯାଉଛି। ଅନ୍ୟପଟେ ଆଇଟିଆର ନିର୍ଦ୍ଦେଶକଙ୍କ ୩ ଜଣ ଗାଡ଼ି ଡ୍ରାଇଭର ଥିବା ବେଳେ ସେମାନଙ୍କ ମଧ୍ୟରୁ ସଚିନ୍ ଅନ୍ୟତମ ଥିଲା। ସଚିନ୍ ଆଇଟିଆରର ନିର୍ଦ୍ଦେଶକଙ୍କୁ ଗାଡ଼ିରେ ବିଭିନ୍ନ ସ୍ଥାନକୁ ଗାଡ଼ିରେ ନେବା ଆଣିବା କରିଥିବା ବେଳେ କ୍ଷେପଣାସ୍ତ୍ର ଘାଟି ସଂକ୍ରାନ୍ତ ତଥ୍ୟ ଲିକ୍ ପଛରେ ସଚିନର ବଡ଼ ଭୂମିକା ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରାଯାଉଛି। ସଚିନ୍ ଯେଉଁ ୩ ଜଣ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ସହିତ ଯୋଗାଯୋଗରେ ଥିଲା, ଉକ୍ତ ଚାଟିଂ କ୍ରାଇମବ୍ରାଞ୍ଚ ଏବେ ଅନୁଧ୍ୟାନ କରୁଛି। ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏସଆଇଟିର ନେତୃତ୍ବ ନେଉଥିବା ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ବିଷୋୟୀ କହିଛନ୍ତି ଯେ ଅଭିଯୁକ୍ତଙ୍କ ନିକଟରୁ ମୋଟ ୩ଟି ଲାପଟପ୍ ଜବତ କରାଯାଇଛି। ଫରେନସିକ୍ ଆନାଲିସିସ୍ ପରେ ସବୁକିଛି ସ୍ପଷ୍ଟ ହେବ। ଜଣେ ଅଭିଯୁକ୍ତର ବ୍ୟାଙ୍କ୍ ଆକାଉଣ୍ଟରୁ ବିଦେଶରୁ ପ୍ରଥମ କିସ୍ତିରେ ୨୪ ହଜାର ଓ ଦ୍ୱିତୀୟ କିସ୍ତିରେ ୧୪ ହଜାର ଟଙ୍କା ଆସିଛି। ମହିଳା ଏଜେଣ୍ଟମାନେ ୫ ଜଣଙ୍କ ନିକଟରୁ କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କିତ ତଥ୍ୟ ଯଥା କେବେ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ କି ବିଫଳ ହେଲା- ସେ ସମ୍ପର୍କରେ ଖବର ନେଉଥିଲେ। ସଚିନ୍ ଆଇଟିଆର ନିର୍ଦ୍ଦେଶକଙ୍କ ଡ୍ରାଇଭର ଥିବା ତଦନ୍ତରୁ ଜଣାପଡ଼ିଥିବା ଶ୍ରୀ ବିଷୋୟୀ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ପଞ୍ଚଭୂତରେ ଲୀନ ହେଲେ ଯୁବ ସାମ୍ବାଦିକ ଅରିନ୍ଦମ ଦାସ

Sat Sep 25 , 2021
କେନ୍ଦୁଝର: ଓଡ଼ିଶାର ଜଣେ ଦୁଃସାହସୀ ଯୁବ ସାମ୍ବାଦିକ ଅରିନ୍ଦମ ଦାସ ପଞ୍ଚଭୂତରେ ଲୀନ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ୨୦ ମିନିଟ୍‌ରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଥିଲା। ଏହାପରେ ଏକ ଶୋଭାଯାତ୍ରାରେ ଅରିନ୍ଦମଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ତାପରେ ସେଠାରେ ଶୋକାକୁଳ ପରିବେଶରେ ବୈତରଣୀ ନଦୀ କୂଳରେ ତାଙ୍କ ଶେଷକୃତ୍ୟ […]
ଅରିନ୍ଦମ ଦାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial