ଜଙ୍ଗଲି ବାଘ ଶିକାର ପାଇଁ ଆଦେଶ ଜାରି କ‌ଲା ତାମିଲନାଡୁ ବନ ବିଭାଗ

ବାଘ ଶିକାର

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ଜିଲ୍ଲାରେ ଅବସ୍ଥିତ ‘ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ’ ଅଞ୍ଚଳରେ ଦୁଇଜଣ ବ୍ୟକ୍ତି ଓ କିଛି ଗୃହପାଳିତ ଜୀବଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉଥିବା ଗୋଟାଏ ଜଙ୍ଗଲି ବାଘ ଶିକାର ପାଇଁ ବନ୍ୟ ବିଭାଗର ଶୀର୍ଷସ୍ତରୀୟ ଅଧିକାରୀ ଆଦେଶ ଜାରି କରିଛନ୍ତି। ‘ଏମ୍‌ଡିଟି ୨୩’ ବୋଲି କୁହାଯାଉଥିବା ଉକ୍ତ ପ୍ରାପ୍ତ ବୟସ୍କ ବାଘଟିକୁ ଆଜି କାବୁ କରିବା ଲାଗି ବନ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ କ୍ଷେତ୍ରର ବିଶେଷଜ୍ଞ ଟିମ୍‌ ପ୍ରସ୍ତୁତି କରୁଛନ୍ତି। ଉଲ୍ଲେଖଯୋଗ୍ୟ, ବନ୍ୟପ୍ରାଣୀ ସୁରକ୍ଷା ଆଇନର ଧାରା ୧୧(୧)ରେ ଜାରି ଏହି ଶିକାର ଆଦେଶ ବାଘ ‘ଏମ୍‌ଡିଟି ୨୩’କୁ ଶିକାର କରିବା ଲାଗି ‘ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ’ ଅଧିକାରୀଙ୍କୁ କ୍ଷମତା ପ୍ରଦାନ କରିଛି। କିନ୍ତୁ, ‘ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ’ଙ୍କଦ୍ବାରା ଜାରି ‘ଗାଇଡ୍‌ଲାଇନ୍‌’ ଅନୁଯାୟୀ ଉକ୍ତ ବାଘକୁ ଶିକାର କରାଯିବ।

ଆଦେଶ ଅନୁସାରେ, ‘କେରଳ ବନ୍ୟ ଟିମ୍‌’ ଏବଂ ‘ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ ସହାୟତାରେ ହେବାକୁ ଥିବା ଏହି ବାଘ ଶିକାର ଦୃଶ୍ୟର ଫଟୋ ଓ ଭିଡିଓ ଉତ୍ତୋଳନ କରାଯିବା ସହ ‘ଡକ୍ୟୁମେଣ୍ଟ୍‌’ ମଧ୍ୟ କରାଯିବ। ତାମିଲନାଡୁ ବନ ବିଭାଗ କହିବା ଅନୁସାରେ, ସେ ବାଘଟି ଚଳିତ ବର୍ଷ ଜୁଲାଇ ମାସରୁ ‘ମୁଦୁମଲାଇ ବ୍ୟାଘ୍ର ସଂରକ୍ଷଣ’ ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ଗୃହପାଳିତ ଜୀବଙ୍କୁ ମାରି ଖାଇ ଆସୁଛି। ସେପ୍ଟେମ୍ବର ୨୪ ତାରିଖ ଦିନ ଜଣେ ବ୍ୟକ୍ତିଙ୍କୁ ମାରିବା ପରେ ସେ ବାଘକୁ ଠାବ କରି, ନିଶ୍ଚେତକ ପ୍ରୟୋଗ କରାଯାଇ କାବୁ କରିବା ଲାଗି ଉଦ୍ୟମ ଚାଲିଥିଲା। କିନ୍ତୁ, ପଥୁରିଆ ଭୂଇଁ, ପ୍ରତିକୂଳ ପାଗ ଏବଂ ସ୍ଥାନୀୟ ଅଧିବାସୀ ଗୋଳମାଳ କରିବା ଯୋଗୁଁ ସେ ଉଦ୍ୟମ ଏଯାବତ୍‌ ସଫଳ ହୋଇ ପାରିନାହିଁ। ଗୃହପାଳିତ ଜୀବଙ୍କୁ ମାରିବା ସହ ଶୁକ୍ରବାର ଦିନ ମଧ୍ୟ ସେ ବାଘଟି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ମାରି ପକାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସେ ବାଘଟି ଯେଉଁ ବ୍ୟକ୍ତିଙ୍କୁ ମାରି ପକାଉଛି, ତାଙ୍କୁ ଖାଉନାହିଁ। ମାନବ ଜୀବନ ପ୍ରତି ବିପଦର କାରଣ, ସ୍ଥାନୀୟ ଅଧିବାସୀଙ୍କ ଦାବି ଏବଂ କ୍ଷେତ୍ର ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ‘ପ୍ରିନ୍‌ସିପାଲ୍‌ ଚିଫ୍‌ କଞ୍ଜର୍‌ଭେଟର୍‌ ଅଫ୍‌ ଫରେଷ୍ଟସ୍‌ ଆଣ୍ଡ୍‌ ଚିଫ୍‌ ୱାଇଲ୍‌ଡ୍‌ ଲାଇଫ୍‌ ୱାର୍ଡେନ୍‌’ ଡକ୍ଟର ଶେଖର କୁମାର ନିରଜ ବାଘ ଶିକାର ଆଦେଶ ଜାରି କରିଛନ୍ତି।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୮ କରୋନା ପଜିଟିଭ୍ ଚିହ୍ନଟ : ୧୮ରୁ କମ୍ ବୟସ୍କ ୫୭ ଜଣ ଶିଶୁ ଓ କିଶୋର ସଂକ୍ରମିତ

Sat Oct 2 , 2021
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୫୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା […]
ରାଜ୍ୟରେ ୪୭୮ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial