ଫେଲ୍‌ ମାରିଲା ପୁଲିସ : ଚୋରକୁ ଧରିଲେ ସ୍କୁଟି ମାଲିକ

ଚୋରକୁ ଧରିଲେ ସ୍କୁଟି ମାଲିକ

ଚାଲାଣ କଟିବାରୁ ଖିଅ ମିଳିଲା, ନାଲିଆଖି ଦେଖାଇଲା ଚୋର

ଭୁବନେଶ୍ୱର : ସ୍କୁଟି ଚୋରି ହେଲା। ପୁଲିସରେ ଅଭିଯୋଗ କଲେ। ପୁଲିସ ଗାଡ଼ିକୁ ଠାବ କରିବା କି ଚୋରକୁ ଧରିବା ତ ଦୂରର କଥା; ଘଟଣାକୁ ଗୁରୁତ୍ବର ସହ ନ ନେଇ ଅଭିଯୋଗକୁ ବି ଗ୍ରହଣ କଲାନାହିଁ। ହେଲେ ଏଥିରେ ଚୁପ୍‌ ବସିନଥିଲେ ସ୍କୁଟି ମାଲିକ କୁନା ବାରିକ୍‌। ନିଜେ ତଦନ୍ତ କରି ଗାଡ଼ିକୁ ଠାବ କରିବା ସହ ଚୋରକୁ ଧରି ପୁଲିସରେ ଦେଲେ। ଏଭଳି ଘଟଣା ଘଟିଛି ସହିଦନଗର ଥାନା ଅଞ୍ଚଳରେ। ସୂଚନା ମୁତାବକ, ଗତ ଡିସେମ୍ବର ୧୨ ତାରିଖରରେ କୁନାଙ୍କ ସ୍କୁଟିକୁ କେହି ଦୁର୍ବୃତ୍ତ ଚୋରିକରି ନେଇଥିଲା। ଏନେଇ ସେ ସଦହିଦନଗର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା। ବାରମ୍ବାର ଥାନାକୁ ଦୌଡ଼ିଦୌଡ଼ି ହତାଶ ହୋଇ ପଡ଼ିଥିଲେ। ହେଲେ କିଛିଦିନ ପରେ ହଠାତ୍‌ ମୋବାଇଲ୍‌କୁ ଜରିମାନାର ମେସେଜ୍‌ ଆସିଥିଲା। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଯୋଗୁଁ ଜରିମାନା ଦେବାକୁ ପଡ଼ିବ ବୋଲି ଟ୍ରାଫିକ୍‌ ପୁଲିସର ନୋଟିସ୍‌ ପାଇବା ପରେ ଉତ୍ସାହିତ ହୋଇପଡ଼ିଥିଲେ କୁନା। କାରଣ ତାଙ୍କ ସ୍କୁଟି ଏବେବି ଭୁବନେଶ୍ବରରେ ଅଛି ବୋଲି ସେ ନିଶ୍ଚିତ ହୋଇ ଯାଇଥିଲେ। ତେଣୁ ସେ ନିଜ ଆଡୁ ଆରମ୍ଭ କରିଥିଲେ ତଦନ୍ତ। ପ୍ରଥମେ ଟ୍ରାଫିକ୍‌ ଥାନାକୁ ଯାଇ ଏ ସଂପର୍କରେ ବୁଝାବୁଝି କରିଥିଲେ। ପୁଣିଥରେ ସହିଦନଗର ଥାନାକୁ ଯାଇ ଘଟଣା ବିଷୟରେ ଜଣାଇଥିଲେ। ଏହା ସତ୍ତ୍ବେ ପୁଲିସ ଚୋର ଧରିବାକୁ କୌଣସି ପଦକ୍ଷେପ ନେଇନଥିଲା। ପୁଲିସଠାରୁ ବାରମ୍ବାର ନିରାଶ ପରେ ବି ଚୁପ୍ ବସି ନ ଥିଲେ କୁନା। ନିଜ ଉଦ୍ୟମରେ ଗାଡ଼ି ଖୋଜା ଅଭିଯାନ ଆରମ୍ଭ କରିଥିଲେ। ରାଜଧାନୀର ଗଳିକନ୍ଦି ବୁଲି ଖୋଜି ଚାଲିଥିଲେ। ଶେଷରେ ତାଙ୍କ ପରିଶ୍ରମ ଫଳ ଦେଲା। ବୁଧବାର ମଧ୍ୟାହ୍ନ ସମୟରେ କୁନା ସିଆର୍‌ପି ଛକରେ ନିଜ ସ୍କୁଟି ଛିଡ଼ା ହୋଇଥିବା ଦେଖି ମାଡ଼ି ଯାଇଥିଲେ। କିଛି ସମୟ ପରେ ଚୋର ସ୍କୁଟି ପାଖକୁ ଆସି ଚାବି ଖୋଲିବା ବେଳକୁ ସେ ତାକୁ କାବୁ କରି ନେଇଥିଲେ। ହେଲେ ଚୋର ତାଙ୍କୁ ପାଲଟା ନାଲିଆଖି ଦେଖାଇଥିଲା। ଏହା ମୋ ସ୍କୁଟି , ତମେ କିଏ? ବୋଲି ପ୍ରଶ୍ନ କରିଥିଲା। ଆଉ ସେମାନଙ୍କର ଏହି କଳି ଭିତରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଚୋରକୁ କାବୁ କରିବା ସହ ସ୍କୁଟିକୁ ଜବତ କରି ଥାନାକୁ ନେଇଥିଲା।

Share Now:

Kalinga News Beuro

Next Post

୨୨ଜଣଙ୍କୁ ଜବତ ଚୋରି ବାଇକ୍‌ ଫେରାଇଲା କମିସନରେଟ୍‌ ପୁଲିସ

Fri Oct 8 , 2021
ଆଉ ୨ଶହଙ୍କୁ ମିଳିବ, ୨୩ ଥାନାରେ ପଡ଼ିରହିଛି ୨ହଜାରରୁ ଉର୍ଦ୍ଧ୍ବ ଗାଡ଼ି ଭୁବନେଶ୍ୱର : ଖୁବ୍‌ଶୀଘ୍ର ରାଜଧାନୀ ଓ ଆଖପାଖ ଅଞ୍ଚଳର ହଜାରେରୁ ଉର୍ଦ୍ଧ୍ବ ଲୋକ ସେମାନଙ୍କ ଚୋରି ଗାଡ଼ି ଫେରିପାଇବେ। ଦୀର୍ଘଦିନ ତଳେ ଚୋରି ହୋଇଥିବା ଗାଡ଼ିଗୁଡ଼ିକୁ ଗାଡ଼ିମାଲିକଙ୍କୁ ଫେରାଇବା ପାଇଁ କମିସନରେଟ୍‌ ପୁଲିସ ପ୍ରୟାସ ଆରମ୍ଭ କରିଛି। ଗୁରୁବାର ଦିନ କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ମେଳା କାର୍ଯ୍ୟକ୍ରମରେ ଡିସିପି ଉମାଶଙ୍କର ଦାଶ ପ୍ରଥମ […]
ଜବତ ଚୋରି ବାଇକ୍‌ ଫେରାଇଲା ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial