ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ ୩ ଦିନ ରିମାଣ୍ଡରେ ଗଲେ ଆଶିଷ ମିଶ୍ର

୩ ଦିନ ରିମାଣ୍ଡରେ ଗଲେ ଆଶିଷ

କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ମୌନବ୍ରତ

ଲକ୍ଷ୍ନୌ : ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ଆଜି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ୩ ଦିନ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଲକ୍ଷ୍ମୀପୁରର ସ୍ଥାନୀୟ ଅଦାଲତ ଆଶିଷ ମିଶ୍ରଙ୍କୁ ୩ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇଛନ୍ତି। ହିଂସା ଘଟଣାର ପଞ୍ଚମ ଦିନରେ ଗତ ଶନିବାର ଦିନ ଆଶିଷଙ୍କୁ ଗିରଫ କରାଯାଇଥିଲା। ୧୨ ଘଣ୍ଟାର ଜେରା ପରେ ସେ ଗିରଫ ‌ହୋଇଥିଲେ। ପୁଲିସ କହୁଛି ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି। ଉତ୍ତରପ୍ରଦେଶ ପୁଲିସ ଆଶିଷଙ୍କୁ ୧୪ ଦିନ ରିମାଣ୍ଡରେ ନେବାକୁ ଚାହିଥିଲା। ମାମଲାରେ ଥିବା ସମ୍ଭାବ୍ୟ ଷଡ଼୍‌ଯନ୍ତ୍ର ସଂକ୍ରାନ୍ତରେ ଜେରା ପାଇଁ ସେମାନେ ୧୪ ଦିନ ରିମାଣ୍ଡରେ ନେବାକୁ ଚାହିଥିଲେ। କିନ୍ତୁ ଆଶିଷଙ୍କ ଓକିଲ ଅୱ‌ଧେଶ ସିଂହ ଯୁକ୍ତି ବାଢ଼ିଥିଲେ ଯେ, ପୁଲିସ ତାଙ୍କୁ ୧୨ ଘଣ୍ଟା ଧରି ଜେରା କରିସାରିଛି। ଜେରା ପାଇଁ ଆଉ କେତେ ସମୟ ଦରକାର। ତାଙ୍କ ମହକିଲଙ୍କ ଉପରେ ସେମାନେ ଥାର୍ଡ ଡିଗ୍ରି ପ୍ରୟୋଗ କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଶାହରନପୁର ଡିଆଇଜି ଉପେନ୍ଦ୍ର ଅଗ୍ରୱାଲ କହିଛନ୍ତି, ଆଶିଷ ତଦନ୍ତ ପ୍ରକ୍ରିୟାରେ ସହଯୋଗ ନକରିବାରୁ ତାଙ୍କୁ ଗିରଫ କରାଯାଇଛି। ତଦନ୍ତ ପାଇଁ ତାଙ୍କ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଲଖିମପୁର ଖେରି ହିଂସା ଘଟଣାରେ ଆଶିଷ ଏବଂ ଅନ୍ୟ ୧୫-୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଲକ୍ଷ୍ମୀପୁର ଖେରି ହିଂସା ଘଟଣାରେ କଂଗ୍ରେସ ନେତାମାନେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ କଂଗ୍ରେସ ମୁଖ୍ୟମାନେ ଦଳର କର୍ମୀ ଏବଂ ନେତାମାନଙ୍କ ସହ ମୌନବ୍ରତ ପାଳନ କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ଅନ୍ୟମାନେ ଲକ୍ଷ୍ନୌରେ ମୌନବ୍ରତ କରିଛନ୍ତି। ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ହରିୟାଣା କଂଗ୍ରେସ ସଭାପତି କୁମାରୀ ସୈଲ୍‌ଜା ଦଳର ଅନ୍ୟ ନେତା ଏବଂ କର୍ମୀମାନଙ୍କ ସହ ମିଶି ସିର୍ସାରେ ମୌନବ୍ରତ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ ଗୋଆରେ କଂ‌ଗ୍ରେସର ନିରବ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଜମ୍ମୁ କାଶ୍ମୀରରେ କଂଗ୍ରେସ କର୍ମୀ ଏବଂ ନେତାମାନେ ଜମ୍ମୁ ରାଜଭବନ ବାହାରେ ଲକ୍ଷ୍ମୀପୁର ଖେରି ହିଂସା ଘଟଣାକୁ ବିରୋଧ କରି ମୌନବ୍ରତ କରିଛନ୍ତି। ଦିଲ୍ଲୀ କଂଗ୍ରେସ କର୍ମୀମାନେ ମଧ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରି ମୌନବ୍ରତ କରିଛନ୍ତି। ଆସାମ ଏବଂ ରାଜସ୍ଥାନରେ କଂଗ୍ରେସ କର୍ମୀମାନେ ମଧ୍ୟ ସମାନ ଧରଣର ଆନ୍ଦୋଳନ କରିଛନ୍ତି।

Share Now:

Kalinga News Beuro

Next Post

ଯବାନଙ୍କ ବଳିଦାନର ପ୍ରତିଶୋଧ ନେଲା ସେନା : ୩ ଆତଙ୍କବାଦୀ ମୃତ

Tue Oct 12 , 2021
ଶୋପିୟାଁ: ଭାରତୀୟ ସେନା ନେଲା ସହିଦ ଯବାନଙ୍କ ବଳିଦାନର ବଦଲା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହେଲେ ଆଉ ୩ ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିୟାଁରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଥିବା ନେଇ ଖବର ମିଳିଛି। ୩ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେ ଗାନ୍ଦରବଲର ମୁଖତାର ଶାହ ବୋଲି ଜଣାପଡ଼ିଛି। ମୁଖତାର ଶାହ ବିହାରର ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିଲା। ପୁଲିସର ସୂଚନା ଅନୁସାରେ, […]
ପ୍ରତିଶୋଧ ନେଲା ସେନା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial