ରହସ୍ୟ ଘେରରେ ସାମ୍ବାଦିକଙ୍କ ପୁଅଙ୍କ ହତ୍ୟା : ୫ରୁ ଅଧିକ ସାଙ୍ଗଙ୍କୁ ପଚରାଉଚରା, ଜଣେ ଅଟକ

ସାମ୍ବାଦିକଙ୍କ ପୁଅକୁ ଅପହରଣ ପରେ ହତ୍ୟା

ଭୋଜି କରିବାକୁ ଡାକିନେଇ ହତ୍ୟା କରିଥିବା କହିଲେ ନବୀନ ଦାସ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ ଗୁଡୁଙ୍କ ଶବ ପାତ୍ରପଡ଼ା ପୋଖରୀରୁ ମିଳିବା ଘଟଣାକୁ ଇତିମଧ୍ୟରେ ୩୬ଘଣ୍ଟା ପୂରିଗଲାଣି। ମାତ୍ର ତାଙ୍କୁ କିଏ ହତ୍ୟା କଲା ଏବଂ କାହିଁକି ହତ୍ୟା କଲା, ଏଯାଏ ସେହି ରହସ୍ୟ ଉପରୁ ପରଦା ହଟିପାରିନାହିଁ। ପୁଲିସ ଗୁଡୁଙ୍କର କିଛି ବନ୍ଧୁଙ୍କ ସମେତ ୫ରୁ ଅଧିକ ଲୋକଙ୍କୁ ତଦନ୍ତ ପରିସରକୁ ନେଇ ପଚରାଉଚରା କରିଥିବା ବେଳେ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅପରପକ୍ଷରେ ବାପା ନବୀନ ଦାସ ଆଜି ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ଭୋଜି କରିବାକୁ ଡାକିନେଇ ତାଙ୍କ ପୁଅ ଗୁଡୁକୁ ହତ୍ୟା କରାଯାଇଛି। ତେବେ କେଉଁମାନେ ତାଙ୍କ ପୁଅକୁ ଭୋଜି କରିବାକୁ ଡାକିଥିଲେ ତାହା ସେ ସ୍ପଷ୍ଟ କରିନାହାନ୍ତି। ରବିବାର ଭୋର୍ ୪ଟା ୧୧ରେ ତାଙ୍କ ପାଖକୁ ଗୁଡୁ କରିଥିବା ଶେଷ ଫୋନ‌ରେ ତା’କୁ କିଛି ଲୋକ ମାରଧର କରୁଥିବା କହିଥିଲା, ଆଉ ଏହା ପରଠୁ ତା’ର ଫୋନ୍ ବନ୍ଦ ହୋଇଯାଇଥିଲା ବୋଲି କହିଛନ୍ତି। ସେପଟେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଡୁର ହତ୍ୟାକାରୀକୁ ଗିରଫ କରିବେ ବୋଲି ତାଙ୍କୁ ନିର୍ଭର ପ୍ରତିଶୃତିଦେଇଥିବା ଶ୍ରୀ ଦାସ କହିଛନ୍ତି।
ଅପରପକ୍ଷରେ ଏମ୍ସ ପକ୍ଷରୁ ଗୁଡୁର ଶବ ବ୍ୟବଚ୍ଛେଦ ରିପୋର୍ଟ ଏଯାଏ ପୁଲିସର ହସ୍ତଗତ ହୋଇନଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ଗୁଡୁଙ୍କ ସହିତ କେଉଁମାନେ ଥିଲେ ସେମାନଙ୍କ ପାଖରେ ପୁଲିସ ପହଞ୍ଚି ପାରିନଥିବାରୁ ହତ୍ୟାର ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏଥିସହ ପୋଖରୀରୁ ସଂଗୃହୀତ ପାଣିର ଡାୟଟମ୍‌ ଟେଷ୍ଟ କରାଯିବ ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ଲାଗି ଗୁଡୁଙ୍କ ଭିସେରା ଟେଷ୍ଟ ମଧ୍ୟ କରାଯିବ ବୋଲି ଡିସିପି କହିଛନ୍ତି। ସେହିଭଳି ଗୁଡୁଙ୍କ ଶବ ପାତ୍ରପଡ଼ାସ୍ଥିତ ନମ୍ରକାନି ପୋଖରୀ ପାଖରୁ ମିଳିଥିବା ବେଳେ ଏହାର କେଇ ଘଣ୍ଟା ପୂର୍ବରୁ ଉକ୍ତ ଅଞ୍ଚଳରେ ଥିବା ହୋଟେଲ୍‌ରେ ସେ ଥିବା ନେଇ ସ୍ପଷ୍ଟ ସୂଚନା ମିଳିଥିବାରୁ ପୁଲିସ ଗୁଡୁଙ୍କ ବନ୍ଧୁ ବ୍ୟତୀତ ଏଥିରେ କେହି ସ୍ଥାନୀୟ ଲୋକ ମଧ୍ୟ ସାମିଲ୍ ଥିବା ସନ୍ଦେହ କରୁଛି।

Share Now:

Kalinga News Beuro

Next Post

କଡ଼ାକଡ଼ି ହେଲା ନାଇଟ୍ କର୍ଫ୍ୟୁ : ନିୟମ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

Tue Oct 12 , 2021
ପୂଜା ପାଇଁ ୧୭ ପ୍ଲାଟୁନ୍ ଫୋର୍ସ, ୭୨ ଅଫିସର ଭୁବନେଶ୍ୱର : ପାର୍ବଣ ସମୟରେ କରୋନାର ସମ୍ଭାବ୍ୟ ସଂକ୍ରମଣକୁ ଆଖି ଆଗରେ ରଖି ସୋମବାର ରାତି ୮ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଉଭୟ କଟକ-ଭୁବନେଶ୍ବର ଟୁଇନ୍ ସିଟିରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜଧାନୀରେ ସୋମବାର ରାତିଠୁ କମିସନରେଟ୍‌ ପୁଲିସ ପକ୍ଷରୁ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଛି। ମାଇକ୍ ଯୋଗେ […]
କଡ଼ାକଡ଼ି ହେଲା ନାଇଟ୍ କର୍ଫ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial