୨୪ରେ ଭାରତ-ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌: ବେଟିଂ ବଜାର ଚଳଚଞ୍ଚଳ

ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌

ସମ୍ବଲପୁର : ବର୍ତ୍ତମାନ କ୍ରିକେଟ୍‌ ଋତୁ ଚାଲିଛି। ଆଇପିଏଲ୍‌ ପରେ ଏବେ ଆରମ୍ଭ ହୋଇଗଲାଣି ଟ୍ବେଣ୍ଟି-୨୦ ବିଶ୍ୱକପ୍‌ ଓ୍ୱାର୍ମ ଅପ୍‌ ମ୍ୟାଚ୍‌। ଏହାକୁ ତାଳ ଦେଇ ଅନ୍‌ଲାଇନ୍‌ ବେଟିଂ ବଜାର ମଧ୍ୟ ଚଳଚଞ୍ଚଳ ହୋଇସାରିଛି। ବେଟିଂ ପାଇଁ ଏବେଠୁ ଅନ୍‌ଲାଇନ୍‌ରେ ମାଳ ମାଳ ୱେବ୍‌ସାଇଟ୍‌ ଓ ଆପ୍ଲିକେସନ୍‌ ଆସିଗଲାଣି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାରେ ଆଇପିଏଲ୍‌ରେ ଜୋର୍‌ଦାର ବେଟିଂ ଚାଲିଥିବା ବେଳେ ପୁଲିସ ଏକାଧିକ ବେଟିଂ ରାକେଟ୍‌ ଠାବ କରିବାରେ ସଫଳ ମଧ୍ୟ ହୋଇଛି। ପୁଲିସ ଚଢ଼ଉ କରି ଲକ୍ଷାଧିକ ଟଙ୍କା ଜବତ କରିବା ସହ ବେଟିଂ ଲଗାଉଥିବା କିଛି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଥିଲା। ତେବେ ଆଇପିଏଲ୍‌ ଠାରୁ ଆହୁରି ଆକର୍ଷଣୀୟ ମୁକାବିଲା ଆରମ୍ଭ ହୋଇଗଲାଣି। ଦୀର୍ଘ ୫ ବର୍ଷର ଅପେକ୍ଷା ପରେ ଟ୍ବେଣ୍ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଛି। ଯାହାକୁ ନେଇ ବେଟିଂ ବଜାର ଏବେ ଗରମ ହୋଇ ଆସିଲାଣି। ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ୨ ଶକ୍ତିଶାଳୀ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିରୋଧରେ ଭାରତ ତାର ୨ଟି ଓ୍ୱାର୍ମ ଅଫ୍‌ ମ୍ୟାଚ୍‌ ଖେଳିସାରିଛି। ଉଭୟ ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ଦମ୍‌ଦାର୍‌ ପ୍ରଦର୍ଶନ କରିବା ସହ ଉଭୟ ମ୍ୟାଚ୍‌କୁ ସହଜରେ ଜିତି ନେଇଛନ୍ତି। ଚଳିତବର୍ଷ ଭାରତ ବିଶ୍ୱକପ୍‌ ଟ୍ରଫି ଦୌଡ଼ରେ ସବୁଠାରୁ ଆଗରେ ରହିଥିବା ବେଳେ ବେଟିଂ ବଜାର ଏବେଟାରୁ ଗରମ ହୋଇସାରିଲାଣି। ଆସନ୍ତା ୨୪ ତାରିଖ ସନ୍ଧ୍ୟା ୭ଟା ୩୦ ସମୟରେ ବିଶ୍ୱକପ୍‌ର ସବୁଠାରୁ ହାଇଭୋଲ୍‌ଟେଜ୍‌ ଭାରତ-ପାକିସ୍ତାନ ମୁକାବିଲା ରହିଛି। ଏହି ମୁକାବିଲା ସହ ଉବୟ ଦେଶ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବେ। ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ବର୍ତ୍ତମାନ ସୁଦ୍ଧା ଭାରତ ଅପରାଜୟ ରହିଥିବା ବେଳେ ତାକୁ ବଜାୟ ରଖିବା ପାଇଁ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ ବିଶ୍ୱକପ୍‌ରେ ପ୍ରଥମ ଥର ଭାରତକୁ ପରାସ୍ତ କରିବାକୁ ଲକ୍ଷ୍ୟ ନେଇ ପାକିସ୍ତାନ ଦଳ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର ରଖିଥିବା ବେଳେ ଏବେଠାରୁ ବେଟିଂ ଆରମ୍ଭ ହୋଇଗଲାଣି। ଅନ୍‌ଲାଇନ୍‌ରେ ଶହ ଶହ ୱେବ୍‌ସାଇଟ୍‌ ଓ ଆପ୍ଲିକେସନ୍‌ ମାଧ୍ୟମରେ ବେଟିଂ ପାଇଁ ଲିଙ୍କ୍‌ ଦିଆଯାଇଛି। ପଶ୍ଚିମ ଓଡ଼ିଶାରେ ଆଇପିଏଲ୍‌ ସମୟରେ ବେଟିଂ ଜୋର୍‌ଦାର ଚାଲିଥିବା ବେଳେ ବିଶ୍ୱକପ୍‌ ସମୟରେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ପୁଲିସ ଆଇପିଏଲ୍‌ ବେଟିଂ ବେଳେ ଚଢ଼ଉ କରି ଏକାଧିକ ସ୍ଥାନରୁ ଲକ୍ଷାଧିକ ଟଙ୍କା ଜବତ କରିଛି। ଦେବଗଡ଼ ପୁଲିସ ଚଳିତ ମାସରେ ଆଇପିଏଲ୍‌ ବେଟିଂ କରୁଥିବା ବେଳେ ୨ ଜଣଙ୍କୁ ଗିରଫ କରିବା ସହ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିବା ବେଳେ ପୂର୍ବ ମାସରେ ଝାରସୁଗୁଡ଼ା ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ୬ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା। ଘଟଣାରେ ଦେଶ ବାହାରକୁ ଲିଙ୍କ ଥିବା ସୂଚନା ମିଳିଥିଲା। ଦୁବାଇରୁ ଭାୟା କୋଲକାତା ଦେଇ ପଶ୍ଚିମ ଓଡ଼ିଶାରେ ବେଟିଂ ଚାଲିଥିବା ଜଣାପଡ଼ିଥିଲା। ଆଇପିଏଲ୍‌ର ଦ୍ବିତୀୟ ଭାଗ ୟୁଏଇରେ ହୋଇଥିବା ବେଳେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମଧ୍ୟ ୟୁଏଇରେ ହେବ। ବେଟିଂ ବଜାର ଏବେଠୁ ଚଳଚଞ୍ଚଳ ହୋଇସାରିଥିବା ବେଳେ ଏହାକୁ ରୋକିବା ପାଇଁ ପୁଲିସ କି ପଦକ୍ଷେପ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା।

Share Now:

Kalinga News Beuro

Next Post

ଆର୍ଥୁର ରୋଡ ଜେଲରେ ଶାହାରୁଖ ଖାନ

Thu Oct 21 , 2021
ମୁମ୍ବାଇ: ପୁଅ ଆରୟନକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ। ଗତକାଲି ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପ‌ରେ ତାଙ୍କୁ ଏବେ ଆର୍ଥୁର ରୋଡ ଜେଲରେ ରଖାଯାଇଛି। ପୁଅ ଗିରଫ ହେବା ପରେ ଆଜି ପ୍ରଥମ ଥର ପାଇଁ ତାଙ୍କୁ ଭେଟିବାକୁ ଜେଲରେ ପହଞ୍ଚିଛନ୍ତି କିଙ୍ଗ ଖାନ ଶାହାରୁଖ। ଗତକାଲି ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଆରୟନଙ୍କ ସମେତ ଆଉ ଦୁଇଜଣଙ୍କ […]
ଜେଲରେ ଶାହାରୁଖ ଖାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial