୩୦ ବର୍ଷ ବିତିଲା: ଆଇଗିଣିଆ ବଜାର ବିକାଶ ଏବେ ବି ସ୍ବପ୍ନ

ଆଇଗିଣିଆ ବଜାର ବିକାଶ ଏବେ ବି ସ୍ବପ୍ନ

ଶୀତଳ ଭଣ୍ଡାର, ଫାଣ୍ଡି ପାଇଁ ଦାବି

ଖଣ୍ଡଗିରି: ରାଜଧାନୀସ୍ଥିତ ଆଇଗିଣିଆ ଅଣଉତ୍ପାଦନ ପାଇକାରୀ ବିପଣନ କେନ୍ଦ୍ର ପ୍ରତିଷ୍ଠାର ୩୦ ବର୍ଷ ବିତିଲା କିନ୍ତୁ ଏହା ରକ୍ଷଣାବେକ୍ଷଣ ଏବଂ ଆବଶ୍ୟକତା ପୂରଣକୁ ପ୍ରଶାସନ ଭୁଲି ଯାଇଥିବା ନେଇ ଅଭିଯୋଗ କରିଛି କୁବେରପୁରୀ ବ୍ୟବସାୟୀ ସଂଘ। ଏ ସଂକ୍ରାନ୍ତରେ ବିଭିନ୍ନ ସମୟରେ ପ୍ରଶାସନକୁ ଦାବିପତ୍ର ଦିଆଯାଉଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଉନଥିବା କହିଛନ୍ତି ସଂଘ ସମ୍ପାଦକ ଶକ୍ତି ମିଶ୍ର। ବ୍ୟବସାୟୀ ସଂଘର ସୂଚନା ଅନୁସାରେ, ୧୯୯୧ ମସିହାରେ ରାଜଧାନୀର ଆଳୁ ଏବଂ ପିଆଜ ପାଇକାରୀ ବ୍ୟବସାୟୀଙ୍କ ସୁବିଧା ପାଇଁ ପ୍ରତିଷ୍ଠା ହୋଇଥିଲା ଆଇଗିଣିଆ ଅଣଉତ୍ପାଦନ ପାଇକାରୀ ବିପଣନ କେନ୍ଦ୍ର। ୨୫ ଏକର ପରିମିତ ଜମିରେ ୩୨ ଜଣ ଆଳୁ, ପିଆଜ, ୮ ପରିବା ବ୍ୟବସାୟୀଙ୍କ ସହିତ ୧୫ କିଓସ୍କ, ପେଟ୍ରୋଲ ପମ୍ପ, ଶୀତଳ ଭଣ୍ଡାର, ଗ୍ୟାରେଜ, ଟ୍ରକ ପାର୍କିଂ, ଗୋଦାମ ଗୃହ ଆଦିର ବ୍ୟବସ୍ଥା ରହିଛି। ନାସିକରୁ ପିଆଜ, ଟମାଟୋ, ପଶ୍ଚିମବଙ୍ଗରୁ କଖାରୁ, କାଙ୍କଡ଼, ଆନ୍ଧ୍ରପ୍ରଦେଶରୁ ସଜନା, ପିଆଜ, କଞ୍ଚା ପରିବା, ଗାନ୍ଧୀ ନଗରରୁ ରସୁଣ ଆଦି ବିଭିନ୍ନ ପ୍ରକାର ପରିବା ବର୍ଷ ତମାମ ଆସିଥାଏ। ଏଠାରୁ ପୁରୀ, ଗଞ୍ଜାମ, କଟକ, କନ୍ଧମାଳର ବିଭିନ୍ନ ଅଞ୍ଚଳକୁ ପରିବା ପରିବହନ ହୋଇଥାଏ। ଏଥିଯୋଗୁଁ ପ୍ରତିଦିନ କୋଟିକୋଟି ଟଙ୍କାର କାରବାର ମଧ୍ୟ ହୁଏ। ବ୍ୟବସାୟୀମାନଙ୍କ ଅଭିଯୋଗ ଅନୁସାରେ, ପ୍ରଶାସନ ପକ୍ଷରୁ ଏଠାରେ ପ୍ରତି ବ୍ୟବସାୟୀଙ୍କ ଠାରୁ ୬ରୁ୭ ହଜାର ଏବଂ ଶୀତଳ ଭଣ୍ଡାର ମାଲିକଙ୍କ ଠାରୁ ୩୦ରୁ ୪୦ ହଜାର ଟିକସ ନିଆଯାଏ। ମାତ୍ର ୧୯୯୧ ମସିହା ପର ଠାରୁ ଏହି ପାଇକାରୀ ବଜାର ଉନ୍ନତି ପାଇଁ ଇଟା ଖଣ୍ଡେ ମଧ୍ୟ ପକାଯାଇ ନାହିଁ। ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ସହରକୁ ଟ୍ରକ ପ୍ରବେଶ କଟକଣା ରହିଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଛି।
ଏଥିଯୋଗୁଁ ଆଇଗିଣିଆର ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବିଭିନ୍ନ ବଜାରରୁ ଲକ୍ଷାଧିକ ଟଙ୍କାର ପରିବା ଆସିଥାଏ। ଆବଶ୍ୟକତା ଅନୁସାରେ ଏହାକୁ ସଂରକ୍ଷିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ବହୁମୁଖୀ ଶୀତଳ ଭଣ୍ଡାର ଏବଂ ପିଆଜ ସଂରକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଛି। ମାତ୍ର ଏଥିପ୍ରତି ଧ୍ୟାନ ଦିଆଯାଇ ନାହିଁ। ଏହାଛଡ଼ା ବଜାର ପ୍ରତିଷ୍ଠା ପରଠାରୁ ଏଠାରେ ରାସ୍ତା ନିର୍ମାଣ ହୋଇ ନାହିଁ। ଏଥିଯୋଗୁଁ ସମୁଦାୟ ବଜାର ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ବିଶେଷକରି ଟ୍ରକ ପାର୍କିଂ ସ୍ଥଳର ଅବସ୍ଥା ବେଶି ଖରାପ ରହିଛି। ଦେଢ଼ ଏକର ଜମିରେ ଥିବା ଟ୍ରକ ପାର୍କିଂସ୍ଥଳ ଜବରଦଖଲ ଥିବାରୁ ଟ୍ରକ ରଖିବା ପାଇଁ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏହି ବଜାରରେ ସଂଧ୍ୟା ହେଲେ ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମେ। ବିଭିନ୍ନ ସମୟରେ ଅନେକ ‌ଅପରାଧିକ କାର୍ଯ୍ୟକଳାପ ବ୍ୟବସାୟୀଙ୍କ ଚିନ୍ତାର କାରଣ ହୋଇଛି। କିନ୍ତୁ ବଜାରଟି ଖଣ୍ଡଗିରି ଥାନାର ନିକଟବର୍ତ୍ତୀ ଅଞ୍ଚଳ ହୋଇବି ଭରତପୁର ଥାନାରେ ସାମିଲ କରାଯାଇଥିବାରୁ କିଛି ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଠାରେ ଫାଣ୍ଡି ପ୍ରତିଷ୍ଠା ପାଇଁ ଅନେକ ଦିନରୁ ଦାବି ହେଉଛି। ଏହି ବଜାରରୁ ପ୍ରତିଦିନ ଅନେକ ପରିମାଣରେ ଆବର୍ଜନା ନିଷ୍କାସିତ ହୁଏ। ମାତ୍ର ଏହାର ଉପଯୁକ୍ତ ସଫେଇ ହୁଏ ନାହିଁ। ନିୟମିତ ସଫେଇ କର୍ମଚାରୀ ଆସୁନଥିବା ଅଭିଯୋଗ ହୋଇଛି। ଦେଢ ବର୍ଷ ହେଲା ଏଠାରେ ଗୋଟିଏ ହାଇମାଷ୍ଟ ଲାଇଟ ଅଚଳ ହୋଇ ପଡ଼ିଛି। ଏହାକୁ ସଚଳ ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏଥିପ୍ରତି ଧ୍ୟାନ ଦିଆଯାଇ ନାହିଁ। ସମସ୍ୟାର ତାଲିକା ଲମ୍ବା। ହେଲେ ଏହାର ସମାଧାନର ରାସ୍ତା ପ୍ରଶାସନ ପାଖରେ ରହିଛି ବୋଲି ସ୍ଥାନୀୟ ବ୍ୟବସାୟୀମାନେ କହିଛନ୍ତି।

Share Now:

Kalinga News Beuro

Next Post

ଦେଶରେ ୨୩୮ଦିନ ପରେ ଚିହ୍ନଟ ହେଲେ ସବୁଠୁ କମ କରୋନା ଆକ୍ରାନ୍ତ

Tue Oct 26 , 2021
ନୂଆଦିଲ୍ଲୀ: ୨୩୮ଦିନ ପରେ ଚିହ୍ନଟ ହେଲେ ସବୁଠୁ କମ କରୋନା ଆକ୍ରାନ୍ତ। ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୨ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୩୦୦ରୁ ଅଧିକ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୪୨୮ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୫୬ ମୃତ୍ୟୁ […]
ଓଡ଼ିଶାରେ ୩୮୭ ଜଣ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial